Advertisment

‘ଭାରତ ରତ୍ନ’ ଠାରୁ ଅପହଞ୍ଚ ଦୂରରେ ହକି ଯାଦୁକର

ଭାରତୀୟ ହକି କହିଲେ ଯାହାଙ୍କ ନାଁ ମନ ଭିତରେ ସ୍ୱତଃ ଭାସି ଆସେ, ସେ ହେଉଛନ୍ତି ତିନି ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ମେଜର୍ ଧ୍ୟାନ ଚାନ୍ଦ। ଅସାମାନ୍ୟ ଖେଳାଳି, ‘ହକି ଯାଦୁକର’ ଭାବରେ ଆଖ୍ୟାୟିତ; ଅଥଚ ଧ୍ୟାନ ଚାନ୍ଦଙ୍କୁ ପ୍ରଥମ କ୍ରୀଡ଼ାବ୍ୟକ୍ତିତ୍ୱ ଭାବେ ମରଣୋତ୍ତର ‘ଭାରତ ରତ୍ନ’ ଦିଆ ନ ଯାଇ ଜଣେ କ୍ରିକେଟ୍ ତାରକାଙ୍କୁ ବଛାଯିବା ପଛରେ କି କାରଣ ଥିଲା ଆସନ୍ତୁ ଜାଣିବା।

author-image
Biswajit Mohanty
ଅଦ୍ୟତନ ହୋଇଛି
Why not Bharat Ratna to Dhyan Chand

Why not Bharat Ratna to Dhyan Chand

‘ହକି ଯାଦୁକର’ ମେଜର୍ ଧ୍ୟାନ ଚାନ୍ଦ - ଏ ନାଁ ସହ ଦେଶରେ ତାଙ୍କ ପିଢ଼ି ଠାରୁ ଆରମ୍ଭ କରି ଆଜିର ପିଢ଼ି ଯାଏଁ ସମ୍ଭବତଃ କେହି ଅପରିଚିତ ନ ଥିବେ। ଭାରତୀୟ ହକି କହିଲେ ତାଙ୍କ ନାଁ ମନ ଭିତରେ ସ୍ୱତଃ ଭାସି ଆସେ। କ୍ରିକେଟ୍‌ର ବର୍ଦ୍ଧିତ ଜନପ୍ରିୟତା ଅନେକ ଖେଳର ଉତ୍ଥାନକୁ ପ୍ରଶମିତ କରୁଛି, ସେଠି ଆଜିର ପିଢ଼ିକୁ ଧ୍ୟାନ ଚାନ୍ଦଙ୍କ ଗୌରବୋଜ୍ଜ୍ୱଳ କୀର୍ତ୍ତି ସେତେ ଉଲ୍ଲସିତ କରୁ ନ ଥାଇପାରେ। କିନ୍ତୁ ହକି ଇତିହାସରେ ଲିପିବଦ୍ଧ ସେହି ସ୍ୱର୍ଣ୍ଣିମ ଅଧ୍ୟାୟକୁ ଯେତେବେଳେ ବି ପଢ଼ିବ ବା ସେ ବିଷୟରେ ଶୁଣିବ, ନିଜ ଭିତରେ ନିଶ୍ଚୟ ଶିହରଣ ଜାତ ହେବ ଏବଂ ଗର୍ବରେ ଛାତି ଉତ୍‌ଫୁଲ୍ଲିତ ହୋଇଉଠିବ।

Advertisment

ୟୁପିଏର ଦ୍ୱିତୀୟ କାର୍ଯ୍ୟକାଳ ସମୟରେ କ୍ରିକେଟ୍ ଜଗତରେ ‘ରେକର୍ଡ ବାଦ୍‌ଶାହ’ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଥିଲା। କ୍ରିକେଟ୍‌ରେ ସଚିନ ବହୁ ସଫଳତା ହାସଲ କରିଛନ୍ତି। ବିଶ୍ୱକପ୍ ବି ଜିତିଛନ୍ତି। ଦୀର୍ଘ ବର୍ଷ ଧରି ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କର ଆଧିପତ୍ୟ ଥିଲା। ତାଙ୍କୁ ‘କ୍ରିକେଟ୍‌ର ଭଗବାନ’ ଆଖ୍ୟା ଦିଆଯାଏ। ଏହି ସମ୍ମାନ ପାଇଁ ସେ ଯୋଗ୍ୟ କ୍ରୀଡ଼ାବ୍ୟକ୍ତିତ୍ୱ ମଧ୍ୟ।

କିନ୍ତୁ ଏହାସତ୍ତ୍ୱେ ଦେଶରେ ଯେଉଁ ଖେଳର ଆଦୃତି କ୍ରିକେଟ୍ ପୂର୍ବରୁ ରହିଆସିଛି ଏବଂ ଦେଶ ସ୍ୱାଧୀନତା ପୂର୍ବରୁ ଓ ପରେ ଅନେକ ବର୍ଷ ଯାଏଁ ଯେଉଁ ଖେଳରେ ଦେଶ ତୁଙ୍ଗ ଶିଖରରେ ଥିଲା, ସେହି ଖେଳ ‘ହକି’ର ଉଜ୍ଜ୍ୱଳ ନକ୍ଷତ୍ର, ଘରେ ଘରେ ପରିଚିତ ଧ୍ୟାନ ଚାନ୍ଦଙ୍କୁ ପ୍ରଥମ କ୍ରୀଡ଼ାବ୍ୟକ୍ତିତ୍ୱ ଭାବେ ମରଣୋତ୍ତର ‘ଭାରତ ରତ୍ନ’ ଦିଆ ନ ଯାଇ ଜଣେ କ୍ରିକେଟ୍ ତାରକାଙ୍କୁ ବଛାଯିବା ବିଡ଼ମ୍ବନାର ବିଷୟ ଥିଲା।

Advertisment

ସଚିନ ପରେ ‘ଭାରତ ରତ୍ନ’ ସମ୍ମାନ ପାଇପାରିଥା’ନ୍ତେ; କିନ୍ତୁ ଆଗ ଧ୍ୟାନ ଚାନ୍ଦଙ୍କୁ ଏହି ସମ୍ମାନ ଦିଆଯାଇଥିଲେ ଉଚିତ ହୋଇଥା’ନ୍ତା। ହକି କିମ୍ବଦନ୍ତୀଙ୍କୁ ଏହି ସମ୍ମାନ ଦିଆଯିବା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲେ ମଧ୍ୟ ଏ ଯାବତ ତାହା ପୂରଣ ହୋଇପାରି ନାହିଁ। ସଚିନଙ୍କ ପରେ ଆଉ କୌଣସି କ୍ରୀଡ଼ାବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନ ମିଳି ନାହିଁ।

ଧ୍ୟାନ ଚାନ୍ଦଙ୍କୁ ‘ଭାରତ ରତ୍ନ’ ଦିଆଯିବାରେ କ’ଣ ଅସୁବିଧା ରହିଛି, ତାହା ଦାବିଦାରଙ୍କ ବୋଧଶକ୍ତି ବାହାରେ। ଦାବି କେବଳ ଦେଶର ହକି ସମୁଦାୟ ପକ୍ଷରୁ କରାଯାଉନି, କ୍ରୀଡ଼ାରେ ରୁଚି ରଖୁଥିବା ଲୋକମାନେ ବି ସେଇଆ ଚାହୁଁଛନ୍ତି। ଏଥିପାଇଁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ହେବ, ତାହା କେହି ଜାଣନ୍ତିନି।

ଅଚାନକ ବଦଳି ଯାଇଥିଲା ନିଷ୍ପତ୍ତି:

୨୦୧୧ରେ ତତ୍କାଳୀନ କେନ୍ଦ୍ର ସରକାର ‘ଭାରତ ରତ୍ନ’ ସମ୍ମାନ ନିୟମରେ ସଂଶୋଧନ କରି ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ସମସ୍ତ ଭାରତୀୟଙ୍କୁ ସମ୍ମାନର ଯୋଗ୍ୟ ବିବେଚନା କରିଥିଲେ, ଯେଉଁଥିରେ କ୍ରୀଡ଼ା ବି ସାମିଲ ଥିଲା। ଏହାପରେ ଉକ୍ତ ବର୍ଷ ଡିସେମ୍ବର ୨୨ରେ ଭାରତୀୟ ହକି ମହାସଂଘ ଧ୍ୟାନ ଚାନ୍ଦଙ୍କୁ ‘ଭାରତ ରତ୍ନ’ ଦେବା ଲାଗି ସୁପାରିସ୍‌ କରିଥିଲା।

୨୦୧୩ରେ ମେଜର୍ ଧ୍ୟାନ ଚାନ୍ଦଙ୍କ ବାୟୋଡାଟା ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାରିଥିଲା। ଏହା ଉପରେ ପ୍ରଧାନମନ୍ତ୍ରୀ ସ୍ୱୀକୃତି ବି ଦେଇସାରିଥିଲେ; କିନ୍ତୁ ପରେ ଅଚାନକ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ନାମ ଉପରେ ମୋହର ବାଜିଥିଲା।

ମେଜର୍ ଧ୍ୟାନ ଚାନ୍ଦଙ୍କ ପୁଅ ତଥା ପୂର୍ବତନ ଅଲିମ୍ପିଆନ୍ ହକି ଖେଳାଳି ଅଶୋକ କୁମାରଙ୍କ କହିବାନୁଯାୟୀ, “ପୂର୍ବତନ କ୍ରିକେଟର୍ ବିଶନ ସିଂହ ବେଦୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ୨୦୧୩ ଜୁଲାଇ ୧୨ରେ ତତ୍କାଳୀନ କ୍ରୀଡ଼ାମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଭେଟି ଧ୍ୟାନଚାନ୍ଦଙ୍କୁ ‘ଭାରତ ରତ୍ନ’ ପ୍ରଦାନ ଦାବି ସହ ତାଙ୍କର ଏକ ବାୟୋଡାଟା ଦେଇଥିଲା।

ଏହା ଉପରେ କ୍ରୀଡ଼ାମନ୍ତ୍ରୀଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ସହମତ ଥିଲେ। ଅନୌପଚାରିକ ଭାବେ ମୋତେ କୁହାଯାଇଥିଲା ଯେ କିଛି ମାସ ମଧ୍ୟରେ ଧ୍ୟାନ ଚାନ୍ଦଙ୍କୁ ‘ଭାରତ ରତ୍ନ’ ଦିଆଯିବା ନେଇ ଘୋଷଣା କରାଯିବ। କିନ୍ତୁ ପରେ ନିଷ୍ପତ୍ତି ବଦଳିଗଲା”

ଆର୍‌ଟିଆଇ ଆକ୍ଟିଭିଷ୍ଟ୍‌ ଓ କ୍ରୀଡ଼ାପ୍ରେମୀ ହେମନ୍ତ ଦୁବେ କେନ୍ଦ୍ର ସରକାରଙ୍କ ଠାରୁ ମେଜର୍ ଧ୍ୟାନ ଚାନ୍ଦଙ୍କୁ ‘ଭାରତ ରତ୍ନ’ ଦିଆଯିବା ପ୍ରସ୍ତାବ ସମ୍ପର୍କିତ ସମସ୍ତ ଫାଇଲ୍ ମାଗିଥିଲେ। ଏହି ଦସ୍ତାବିଜ୍‌ଗୁଡ଼ିକରୁ ସ୍ପଷ୍ଟ ହୋଇଥିଲା ଯେ ତରବରିଆ ଭାବେ ସଚିନ ତେନ୍ଦୁଲକରଙ୍କୁ ‘ଭାରତ ରତ୍ନ’ ଦିଆଯିବାର ଔପଚାରିକତା ପୂର୍ଣ୍ଣ କରାଯାଇଥିଲା। ୨୦୧୪ ଫେବ୍ରୁଆରୀ ୪ରେ ସଚିନ ଏହି ସମ୍ମାନ ଗ୍ରହଣ କରିଥିଲେ।

ସେତେବେଳେ ସଚିନ କୋଟି କୋଟି କ୍ରିକେଟ୍‌ପ୍ରେମୀଙ୍କ ହୃଦୟରେ ରାଜ୍‌ କରୁଥିଲେ, ଯେତେବେଳେ କି ଧ୍ୟାନ ଚାନ୍ଦ ବିଗତ ଦିନର ଖେଳାଳି ଥିଲେ। ଚର୍ଚ୍ଚା ହୁଏ ଯେ ସେତେବେଳେ କ୍ଷମତାରେ ଥିବା କଂଗ୍ରେସ ନିର୍ବାଚନୀ ଗଣିତ ଦ୍ୱାରା ଲାଭ-କ୍ଷତିକୁ ବିଚାର କରି ଏଭଳି ନିଷ୍ପତ୍ତି ନେଇଥିଲା।

ଅବଶ୍ୟ ବିଭିନ୍ନ ସରକାରଙ୍କ ମଧ୍ୟରୁ ଧ୍ୟାନ ଚାନ୍ଦଙ୍କୁ ଯେ ଉଚିତ ସମ୍ମାନ ଦିଆଯାଇ ନାହିଁ, ତା’ ନୁହେଁ। ୧୯୪୮ରେ ଆନ୍ତର୍ଜାତିକ ହକିରୁ ଅବସର ନେବାର ଆଠ ବର୍ଷ ପରେ ତାଙ୍କୁ ‘ପଦ୍ମ ଭୂଷଣ’ରେ ସମ୍ମାନିତ କରାଯାଇଥିଲା। ତାଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ‘ଜାତୀୟ କ୍ରୀଡ଼ା ଦିବସ’ ରୂପେ ପାଳନ କରାଯାଇଆସୁଛି। କ୍ରୀଡ଼ାର ସର୍ବୋଚ୍ଚ ସମ୍ମାନ ‘ଖେଳ ରତ୍ନ’କୁ ଗତ ବର୍ଷ ଧ୍ୟାନ ଚାନ୍ଦଙ୍କ ନାମରେ ନାମିତ କରାଯାଇଛି।

୧୯୩୬ ଅଲିମ୍ପିକ୍ସ ଏବଂ ଧ୍ୟାନ ଚାନ୍ଦ-ହିଟ୍‌ଲର୍ ଭେଟ:

ଧ୍ୟାନ ଚାନ୍ଦ ଏଭଳି ଜଣେ ବ୍ୟକ୍ତି ଥିଲେ, ଯାହାଙ୍କ ଆଗରେ ବିଶ୍ୱର ଅନ୍ୟତମ ଦୁର୍ଦ୍ଦାନ୍ତ ଶାସକ ଆଡୋଲ୍ଫ ହିଟ୍‌ଲର୍ ମଧ୍ୟ ମୁଣ୍ଡ ନୁଆଁଇଥିଲେ। ଧ୍ୟାନ ଚାନ୍ଦଙ୍କ ପ୍ରଦର୍ଶନରେ କେବଳ ଭାରତୀୟ ନୁହନ୍ତି, ବିଦେଶୀମାନେ ମଧ୍ୟ ପ୍ରଭାବିତ ହୋଇଥିଲେ। ଏହାର ଉଦାହରଣ ଥିଲେ ହିଟ୍‌ଲର୍। ଧ୍ୟାନ ଚାନ୍ଦଙ୍କ ହକି-ଷ୍ଟିକ୍‌ରେ ବଲ୍ ସତେ ଯେମିତି ଅଠା ଭଳି ଲାଖି ରହୁଥିଲା। ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାରେ ସେ ଥିଲେ ମହାପାରଙ୍ଗମ। ଏପରିକି ଆୟୋଜକମାନେ ତାଙ୍କ ଷ୍ଟିକ୍ ବଦଳାଇବାକୁ ମଧ୍ୟ ପଛାଇ ନ ଥିଲେ। କିନ୍ତୁ ଯେତେ ବଦଳାଇଲେ କ’ଣ ହେବ, ତାଙ୍କ ପ୍ରଦର୍ଶନରେ କୌଣସି ଫରକ୍ ପଡ଼ି ନ ଥିଲା।

୧୯୩୬ ବର୍ଲିନ୍ ଅଲିମ୍ପିକ୍ସରେ ହକିର ଫାଇନାଲ୍ ମ୍ୟାଚ୍ ଭାରତ ଓ ଆୟୋଜକ ଜର୍ମାନୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ଦେଖିବା ଲାଗି ଉପସ୍ଥିତ ୪୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକଙ୍କ ମଧ୍ୟରେ ଥିଲେ ରାଷ୍ଟ୍ରମୁଖ୍ୟ ହିଟ୍‌ଲର୍, ହର୍ମନ୍ ଗୋରିଙ୍ଗ୍, ଜୋସେଫ୍ ଗୋବେଲ୍ସ ପ୍ରମୁଖ। ଏଥିରେ ଜର୍ମାନ୍ ଟିମ୍ ଭାରତକୁ ଆହ୍ୱାନ ଦେବା ତ ଦୂରର କଥା, ଶୋଚନୀୟ ଭାବେ ପରାଜିତ ହୋଇଥିଲା।

ଯେତେବେଳେ ମ୍ୟାଚ୍ ଶେଷ ହେଲା ଏବଂ ଭାରତ ୮-୧ରେ ଜିତିଲା ବୋଲି ଘୋଷଣା କରାଗଲା, ପୂରା ଷ୍ଟାଡିୟମ୍‌ରେ ନିରବତା ଛାଇ ଯାଇଥିଲା। ବିଜେତା ଟିମ୍‌କୁ ସ୍ୱର୍ଣ୍ଣପଦକ ଦେବା ଲାଗି ହିଟ୍‌ଲର୍ ଆସିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ନିଜ ଟିମ୍‌ର ଶୋଚନୀୟ ପ୍ରଦର୍ଶନରେ କ୍ରୋଧାନ୍ୱିତ ହୋଇ ସେ ମ୍ୟାଚ୍ ସରିବା ପୂର୍ବରୁ ଷ୍ଟାଡିୟମ୍ ଛାଡ଼ି ଚାଲି ଯାଇଥିଲେ। ତହିଁ ଆରଦିନ ସେ ଭାରତୀୟ ଟିମ୍‌ର ଅଧିନାୟକ ଧ୍ୟାନ ଚାନ୍ଦଙ୍କୁ ଭେଟିବାକୁ ଚାହିଁଥିଲେ।

ନାଜି ଶାସକ ହିଟ୍‌ଲରଙ୍କ କ୍ରୂରତାର ଅନେକ କାହାଣୀ ଶୁଣିଥିଲେ ଧ୍ୟାନ ଚାନ୍ଦ। ତେଣୁ ଏଭଳି ଅକସ୍ମାତ ନିମନ୍ତ୍ରଣର କାରଣ ଜାଣି ନ ପାରି ସେ ଚିନ୍ତିତ ହୋଇପଡ଼ିଥିଲେ; ତଥାପି ସେ ସାହସ ସଞ୍ଚୟ କରି ତାଙ୍କୁ ଭେଟିବାକୁ ଯାଇଥିଲେ।

ହିଟ୍‌ଲର୍ ତାଙ୍କୁ ପଚାରିଥିଲେ ଯେ ସେ ଭାରତରେ କି କାମ କରୁଛନ୍ତି? ଉତ୍ତରରେ ଧ୍ୟାନ ଚାନ୍ଦ କହିଥିଲେ, ସେ ସେନାବାହିନୀରେ ମେଜର୍ ଅଛନ୍ତି। ଏକଥା ଶୁଣି ନାଜିମୁଖ୍ୟ ଖୁସି ହୋଇଯାଇଥିଲେ ଏବଂ ତାଙ୍କୁ ଜର୍ମାନ୍ ସେନାବାହିନୀରେ ବଡ଼ ପଦବୀରେ ରହିବା ଲାଗି ପ୍ରସ୍ତାବ ଦେଇଥିଲେ; କିନ୍ତୁ ଧ୍ୟାନ ଚାନ୍ଦ ବିନମ୍ରତାର ସହ ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ପରେ ହିଟ୍‌ଲର୍ ଭାରତୀୟ ଟିମ୍ ପାଇଁ ଏକ ବଡ଼ ଭୋଜି ଆୟୋଜନ କରିଥିଲେ। କିନ୍ତୁ ଭାରତୀୟ ଖେଳାଳିମାନେ ଯଥାସମ୍ଭବ ସେଥିରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ।

ଗୋଟିଏ ଧାଡ଼ିରେ ବ୍ରାଡ୍‌ମ୍ୟାନ୍, ପେଲେ ଓ ଧ୍ୟାନ ଚାନ୍ଦ:

କ୍ରିକେଟ୍‌ରେ ଯେଉଁ ସ୍ଥାନ ସାର୍ ଡନ୍ ବ୍ରାଡ୍‌ମ୍ୟାନ୍ ଓ ଫୁଟ୍‌ବଲ୍‌ରେ ପେଲେଙ୍କୁ ଦିଆଯାଏ, ହକିରେ ସେହି ସ୍ଥାନ ପାଇଛନ୍ତି ଧ୍ୟାନ ଚାନ୍ଦ। ୧୯୦୫ ଅଗଷ୍ଟ ୨୯ରେ ଆହ୍ଲାବାଦଠାରେ ଜନ୍ମ ଗ୍ରହଣ କରିଥିଲେ ଏହି ପ୍ରଖ୍ୟାତ ହକି ଖେଳାଳି। ଭାରତକୁ ତିନିଥର ଅଲମ୍ପିକ୍ ସ୍ୱର୍ଣ୍ଣପଦକ ଜିତାଇବାରେ ତାଙ୍କ ଅବଦାନ ଥିଲା ଅନସ୍ୱୀକାର୍ଯ୍ୟ। ସେ ନିଜ କ୍ୟାରିଅର୍‌ରେ ୪୦୦ଟି ଊର୍ଦ୍ଧ୍ୱ ଆନ୍ତର୍ଜାତିକ ଗୋଲ୍ ଦେଇଥିଲେ। ୧୯୭୯ ଡିସେମ୍ବର ୩ରେ ଧରାପୃଷ୍ଠରୁ ବିଦାୟ ନେଇଥିବା ଏହି ଅସାମାନ୍ୟ ଖେଳାଳି ତାଙ୍କ ଆତ୍ମଜୀବନୀରେ ନିଜକୁ ଜଣେ ସାଧାରଣ ମଣିଷ ଭାବେ ଅଭିହିତ କରି ମହାନତାର ପରିଚୟ ଦେଇଛନ୍ତି।

ଗତ ବର୍ଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ଜିତି ଭାରତୀୟ ପୁରୁଷ ହକି ଟିମ୍ ଚାରି ଦଶନ୍ଧିର ପଦକ ପ୍ରତୀକ୍ଷାର ଅନ୍ତ ଘଟାଇ ଏହି କ୍ରୀଡ଼ାରେ ସୁଦିନ ଫେରିବାର ସଙ୍କେତ ଦେଇଛି। ଚଳିତ ବର୍ଷ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପୁରୁଷ ଟିମ୍ ରୌପ୍ୟ ଓ ମହିଳା ଟିମ୍ କାଂସ୍ୟ ପଦକ ଜିତିଥିଲା। ଆନ୍ତର୍ଜାତିକ ସ୍ତରରେ ଭାରତୀୟ ହକିର ଖ୍ୟାତି ପୁଣି ବଢ଼ିଛି ଏବଂ ପୁଣି ଧ୍ୟାନ ଚାନ୍ଦଙ୍କ ସମୟ ଫେରିବ ବୋଲି ଆଶା ଅଛି।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Dhyan Chand Major Dhyan Chand
Advertisment
Advertisment