• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଚୀନ୍ ସରକାର ପ୍ରାଇମେରୀ ସ୍କୁଲରେ ପଢ଼ାଯାଉଥିବା ବହିରେ ଛପାଯାଇଥିବା କାର୍ଟୁନକୁ ନେଇ ମାତ୍ରାଧିକ ଉତ୍‌କ୍ଷିପ୍ତ ହୋଇପଡିଛନ୍ତି। ଏହା ଶୁଣିବାକୁ ଯେତିକି କୌତୁହଳପ୍ରଦ, ତା’ଠାରୁ ଏହା ପଛର କାରଣ ଅଧିକ ଆଶ୍ଚର୍ଯ୍ୟଜନକ। ଚୀନ୍‌ରୁ ଏପ୍ରକାର ଏକ ରିପୋର୍ଟ ସାମ୍ନାକୁ ଆସିବା ପରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ଉପରେ ଏବେ ସମଗ୍ର ବିଶ୍ୱ ହସୁଛି।

ତେବେ ବହିର କେଉଁ କାର୍ଟୁନ୍‌କୁ ନେଇ ଚୀନ୍ ସରକାର ବ୍ୟତିବ୍ୟସ୍ତ ହୋଇପଡିଲେ? ଛପା ଯାଇଥିବା କାର୍ଟୁନ୍‌କୁ ନେଇ ଚୀନ୍ ସରକାର ଏତେ ମାତ୍ରାରେ ବ୍ୟସ୍ତ ବିବ୍ରତ ହେବାର କାରଣ କ’ଣ? ତେବେ ଏସବୁ ପ୍ରଶ୍ନକୁ ଯିବା ପୂର୍ବରୁ ପାଠକବନ୍ଧୁ ପ୍ରଥମେ କାର୍ଟୁନଟିକୁ ଭଲଭାବେ ଦେଖିନେବା ଉଚିତ୍ ହେବ।

ଏଠାରେ ଉଲ୍ଳେଖଯୋଗ୍ୟ, ଚୀନ୍‌ରେ ସ୍କୁଲ ପାଠ୍ୟକ୍ରମରେ କାର୍ଟୁନ୍‌କୁ ସାମିଲ କରିବାର ପ୍ରକ୍ରିୟା ବହୁ ପୁରୁଣା; କିନ୍ତୁ ଚଳିତ ବର୍ଷ ମେ’ ମାସରେ ସରକାରୀ ମିଡିଆ ଗ୍ଲୋବାଲ୍ ଟାଇମ୍ସ ପ୍ରଥମଥର ପାଇଁ ଏପ୍ରକାର କାର୍ଟୁନ୍‌କୁ ଅଶ୍ଳୀଳ, ଆପତ୍ତିଜନକ ଦର୍ଶାଇଥିଲା ତେବେ ଏମିତି କାହିଁକି କରାଗଲା ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ କାରଣ ଦେବାରେ ଗ୍ଲୋବାଲ୍ ଟାଇମ୍ସ ବିଫଳ ରହିଥିଲା।

ତେବେ ଏହା ପରଠାରୁ ଚୀନ୍‌ରେ ପିଲାଙ୍କ ବହିରେ କାର୍ଟୁନ୍ ପ୍ରକାଶିତ ହେବା ମାତ୍ରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଉଥିଲା। କେବଳ ସେତିକି ନୁହେଁ ପ୍ରକାଶକଙ୍କୁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ମଧ୍ୟ କରିବାକୁ ବାଧ୍ୟ କରିଦିଆଯାଉଥିଲା।

ଏତଦ୍‌ବ୍ୟତୀତ ପ୍ରକାଶିତ କାର୍ଟୁନକୁ ପୁନର୍ବାର ସରକାରଙ୍କ ହିସାବରେ ପ୍ରସ୍ତୁତ କରାଯାଇ ପ୍ରକାଶନ କରିବାକୁ ମଧ୍ୟ ପ୍ରକାଶକଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ୁଥିଲା।

ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନ:

ଏବେ ମଧ୍ୟ ତାହା ହିଁ ହୋଇଛି ବର୍ତ୍ତମାନ ସମୟରେ ପୁଣିଥରେ ପାଠ୍ୟ ପୁସ୍ତକରେ ପ୍ରକାଶ ପାଇଥିବା ଏକ କାର୍ଟୁନ୍‌କୁ ନେଇ ଆପତ୍ତି ଉଠିଛି ଗ୍ଲୋବାଲ୍ ଟାଇମ୍ସ। ଏନେଇ ଏକ ରିପୋର୍ଟ ପ୍ରକାଶ କରିବା ପରେ ଚୀନ୍‌ରେ ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ଏପରିକି ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ନିଜେ ମଧ୍ୟ ଏହାକୁ ନେଇ ଅନାବଶ୍ୟକ ଆକ୍ରୋଶ ପ୍ରଦର୍ଶନ କରିଛନ୍ତି।

ସାମାନ୍ୟ ଏକ କାର୍ଟୁନ୍ କାରଣରୁ ବର୍ତ୍ତମାନ ସୁଦ୍ଧା ଚୀନ୍ ସରକାର ପ୍ରାୟ କୋଟି କୋଟି ପୁସ୍ତକକୁ ପ୍ରତ୍ୟାହାର କରିନେବା ସହ ସେସବୁକୁ ନଷ୍ଟ କରିଦେଇଛନ୍ତି ଏବଂ ସେସବୁର ନୂଆ ତଥା ସଂଶୋଧିତ ସଂସ୍କରଣ ବହି ଛପାଇଛନ୍ତି। କାର୍ଟୁନ୍‌ଗୁଡ଼ିକୁ ମଧ୍ୟ ନୂଆ ଭାବେ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୋଟି କୋଟି ପୁସ୍ତକର ସମୀକ୍ଷା କରାଯାଇସାରିଛି। କେବଳ ସେତିକି ନୁହେଁ, କାର୍ଟୁନ୍ ପ୍ରସ୍ତୁତକାରୀ ଶିଳ୍ପୀ ଏବଂ ପ୍ରକାଶକଙ୍କୁ ସରକାରୀ କାର୍ଯ୍ୟାନୁଷ୍ଠାନର ମଧ୍ୟ ଶିକାର ହେବାକୁ ପଡ଼ିଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ସେମାନଙ୍କୁ ଚାକିରୀରୁ ବହିଷ୍କାର କରିଦିଆଯାଇଛି ।

‘ଟାଟୁ’ ବି ଆପତ୍ତିଜନକ:

ଗ୍ଲୋବାଲ୍ ଟାଇମ୍ସ ନିଜ ରିପୋର୍ଟରେ ଦର୍ଶାଇଛି ଯେ, ପ୍ରକାଶିତ କାଟୁନ୍‌ରେ ଥିବା ଏକ ପୁଅର କହୁଣୀରେ ‘ଟାଟୁ’ ଥିବା ଦେଖିବାକୁ ମିଳୁଛି। ସେହିପରି ଏକ ଝିଅ ଠେକୁଆ ଭଳି ଡ୍ରେସ୍ ପିନ୍ଧିଛି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଚୀନ୍‌ର ଏ ପ୍ରକାର ହୀନ ଚିନ୍ତାଧାରାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଚୀନ୍ ସରକାର ଏହି ଛୋଟ ଘଟଣାକୁ ନେଇ ଏମିତି ପ୍ରତିକ୍ରିୟାଶୀଳ ହୋଇପଡ଼ିଲେ ଯେ, ଛପାଯାଇଥିବା ବହିଗୁଡ଼ିକୁ ପ୍ରତ୍ୟାହାର କରିନିଆଗଲା ଏବଂ ନୂଆ ସଂସ୍କରଣରେ ବହି ଛପାଯାଇ ପିଲାମାନଙ୍କୁ ଯୋଗାଣ କରାଗଲା। ସରକାର ବହିରେ ଛପାଯାଇଥିବା କାର୍ଟୁନ୍‌କୁ ଆପତ୍ତିଜନକ ବିବେଚନା କରିଥିଲେ।

ଚିତ୍ରଶିଳ୍ପୀଙ୍କୁ ବି ସଚେତନ ହେବାକୁ ପଡ଼ିବ :

ବିଶେଷକରି ପିଲାମାନଙ୍କ ପାଠ୍ୟ ପୁସ୍ତକ ପାଇଁ କିମ୍ବା ପିଲାମାନଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଉଥିବା ପ୍ରତ୍ୟେକ କାର୍ଟୁନ୍ ପାଇଁ ଚିତ୍ରଶିଳ୍ପୀଙ୍କୁ ମଧ୍ୟ କେତେକାଂଶରେ ସଚେତନ ହେବାକୁ ପଡ଼ିବ। ଏହି ପ୍ରସଙ୍ଗରେ କିଛି ଫଟୋଚିତ୍ର ମଧ୍ୟ ସାମ୍ନାକୁ ଆସିଛି, ଯାହାକି ବାସ୍ତବିକ ଗ୍ରହଣଯୋଗ୍ୟ ନୁହେଁ। ଏ ଦିଗରେ ଚୀନ୍ ସରକାରଙ୍କ ଆଭିମୁଖ୍ୟ ଯଥାର୍ଥ ବୋଲି ପ୍ରତୀତ ହେଉଛି। ଚିତ୍ରଶିଳ୍ପୀଙ୍କ ସାମାନ୍ୟତମ ସଚେତନତା ହିଁ ଏ ପ୍ରକାର ସମସ୍ୟାକୁ ଦୂର କରିବାରେ ସକ୍ଷମ। ଚିତ୍ରଶିଳ୍ପୀ କିମ୍ବା ପ୍ରକାଶକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର କୌଣସି ଆବଶ୍ୟକତା ନାହିଁ।

କୋମଳମତୀଙ୍କୁ ଆମୋଦିତ କରିପାରୁଥିବା ଭଳି ବିଷୟବସ୍ତୁ ସହ ଖାପ ଖୁଆଉଥିବା ଫଟୋ ଚିତ୍ରର ଚିତ୍ରଣ ମଧ୍ୟ କରାଯାଇପାରିବ। ଏଥିପାଇଁ ଫଟୋଚିତ୍ରକୁ ଆପତ୍ତିଜନକ ଭାବେ ପ୍ରସ୍ତୁତ କରିବାର କୌଣସି ଆବଶ୍ୟକତା ନାହିଁ।

ମାନଦଣ୍ଡ ନିର୍ଦ୍ଧାରଣ କର:

ଘଟଣାର ସାରମର୍ମ ହେଉଛି, ଚୀନ୍ ସରକାର ଯେଉଁସବୁ ଫଟୋଚିତ୍ର ବା ବିଷୟବସ୍ତୁକୁ ଆପତ୍ତିଜନକ ବୋଲି ଦର୍ଶାଉଛନ୍ତି ସେ ସମ୍ପର୍କରେ ପ୍ରଥମେ ଏକକ ମାନଦଣ୍ଡ ନିର୍ଦ୍ଧାରଣ କରିବା ଉଚିତ। କାର୍ଟୁନ୍ କିପରି ଅଶ୍ଳୀଳ ହୋଇପାରେ ସେ ସମ୍ପର୍କରେ ଉଭୟ ଚୀନ୍ ସରକାର ଏବଂ ଗ୍ଲୋବାଲ ଟାଇମ୍ସ ପ୍ରଥମେ ସ୍ପଷ୍ଟୀକରଣ ଦେବା ଉଚିତ୍; କିନ୍ତୁ ଦୁର୍ଭାଗ୍ୟର ବିଷୟ ଚୀନ୍‌ରେ ଏ ସମ୍ପର୍କରେ କେହି ମୁହଁ ଖୋଲିବାକୁ ମଧ୍ୟ ସାହସ କରିବେନି। ସରକାର ଯାହା ଚାହିଁବେ କରିବେ। ମୁହଁ ଖୋଲିଲେ ଏଠାରେ କଠୋର ଦଣ୍ଡରେ ଦଣ୍ଡିତ ହେବାର ଏକ ସ୍ୱେଚ୍ଛାଚାରିତାପୂର୍ଣ୍ଣ ପ୍ରାବଧାନ ରହିଛି। କିନ୍ତୁ ସ୍କୁଲ ପିଲାମାନଙ୍କୁ ପାଠ ପ୍ରତି ରୁଚି ବଢ଼ାଇବା ପାଇଁ ଯଦି ଏ ପ୍ରକାର କିଛି ମଜାଳିଆ କାର୍ଟୁନ୍ ବା ଚିତ୍ର ପ୍ରକାଶିତ କରାଯାଉଛି ତେବେ ଏଥିରେ ଚୀନ୍‌ର କ’ଣ ସମସ୍ୟା ରହିଛି ତାହାକୁ ସମଗ୍ର ବିଶ୍ୱ ଏବେ ବୁଝିବାକୁ ଚାହୁଁଛି।

ଭୟ ପଛର କାରଣ କ’ଣ ହୋଇପାରେ?

ଚୀନ୍ ସରକାରଙ୍କ ଏତେ ମାତ୍ରାରେ ଭୟଭୀତ ହେବା ପଛରେ ଏକ ସର୍ବବୃହତ୍ କାରଣ ରହିଥିବା ଅନୁମାନ କରାଯାଉଛି। ଗ୍ଲୋବାଲ ଟାଇମ୍ସ ଦେଶରେ ସର୍ବାଧିକ ଚର୍ଚ୍ଚିତ ପ୍ରସଙ୍ଗକୁ ଚପାଇ ଦେବାକୁ ଚେଷ୍ଟା କରୁଛି। ଯେଉଁ ପ୍ରସଙ୍ଗ ଉପରେ ନା କୌଣସି ଗଣମାଧ୍ୟମ ଲେଖିପାରିବେ ନା କିଛି କହିପାରିବେ।

ଯଦି କାର୍ଟୁନ୍‌କୁ ଗୁରୁତର ଭାବେ ସରକାର ବିବେଚନା ନ କରିବେ ତେବେ କାର୍ଟୁନ୍ ମାଧ୍ୟମରେ ହିଁ ବେଶ୍ ବଡ଼ ବଡ଼ ପ୍ରସଙ୍ଗକୁ ଅତି ଚତୁରତାର ସହ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ବୋଲି ଚୀନ୍ ସରକାର ବେଶ୍ ଭଲଭାବେ ଜାଣିଛନ୍ତି।

ସିଧାସଳଖ କହିଲେ ଚୀନ୍ ସରକାର ସବୁକିଛି ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି। ଦେଶବାସୀଙ୍କୁ ଚୀନ୍ ସରକାର କୌଣସି ପ୍ରକାର ବାକ୍ ସ୍ୱାଧୀନତା ଦେବାକୁ ଚାହୁଁନାହାନ୍ତି, ଯାହାଦ୍ୱାରା ଦେଶବାସୀଙ୍କ ଉପରେ ଏକ ଲମ୍ବା ସମୟ ପାଇଁ ଶାସନ କରିବା ସହଜ ହୋଇପାରିବ। ସରକାରଙ୍କ ବିରୋଧରେ କେହି ସ୍ୱର ଉଠାଇବାକୁ ମଧ୍ୟ ସାହସ କରିପାରିବେ ନାହିଁ।

ଆନାଲିଷ୍ଟ୍‌, ନ୍ୟାସନାଲ୍-ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଇସ୍ୟୁଜ୍

ଦୂରଭାଷ : ୯୪୩୯୩୬୯୧୦୧

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)