• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Biswajit Mohanty

ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍‌) ୨୦୨୪ ସିଜନ୍ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିସ୍ମୟକର ନିଷ୍ପତ୍ତି ନେଇଛି। ଟିମ୍‌କୁ ପାଞ୍ଚ ଥର ଚାମ୍ପିଅନ୍ କରାଇଥିବା ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସରୁ ଆଣି ଅଧିନାୟକ ଦାୟିତ୍ୱ ଦିଆଯାଇଛି। କିନ୍ତୁ ପରବର୍ତ୍ତୀ ସିଜନ୍‌ରେ ରୋହିତ କେଉଁ ଭୂମିକାରେ ରହିବେ, ତାହାକୁ ନେଇ ଏ ଯାବତ କିଛି ସ୍ପଷ୍ଟ ହୋଇପାରି ନାହିଁ।

ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକଙ୍କୁ ଟ୍ରେଡିଂ ଜରିଆରେ ନିଜ ଟିମ୍‌ରେ ସାମିଲ କରିଛି। ଏହି ଅଲ୍‌ରାଉଣ୍ଡର୍ ଅବଶ୍ୟ ପୂର୍ବରୁ ଆଇପିଏଲ୍‌ରେ ମୁମ୍ବାଇ ପକ୍ଷରୁ ଖେଳୁଥିଲେ। ସେ ପୂର୍ବ ଦୁଇ ସିଜନ୍‌ରେ ଗୁଜରାଟ ଟାଇଟନ୍ସର ସଫଳ ନେତୃତ୍ୱ ନେଇଥିଲେ।

ହାର୍ଦ୍ଦିକ ଏବେ ମୁମ୍ବାଇ ଇଣ୍ଡିଆନ୍ସର ପଞ୍ଚମ ନିୟମିତ ଅଧିନାୟକ ହେବେ। ତାଙ୍କ ପୂର୍ବରୁ ରୋହିତ, ରିକି ପଣ୍ଟିଂ, ହରଭଜନ ସିଂହ ଓ ସଚିନ ତେନ୍ଦୁଲକର ଟିମ୍‌ର ନେତୃତ୍ୱ ନେଇସାରିଛନ୍ତି।

ତେବେ ଟିମ୍‌ର ଅଧିନାୟକ ପରିବର୍ତ୍ତନ ନିଷ୍ପତ୍ତିକୁ ରୋହିତଙ୍କ ପ୍ରଶଂସକମାନେ ନାପସନ୍ଦ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟକୁ ବହୁ ପ୍ରଶଂସକ ଅନ୍‌ଫଲୋ କରିଦେଇଛନ୍ତି। ରୋହିତ ଟିମ୍‌ର ଅଧିନାୟକ ଥିବା ବେଳେ ଇନ୍‌ଷ୍ଟାଗ୍ରାମ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଏକ କୋଟି ୪୦ ଲକ୍ଷରୁ ଅଧିକ ଫଲୋଅର୍ ଥିଲେ, କିନ୍ତୁ ଏବେ ଏହା ଏକ କୋଟି ୨୮ ଲକ୍ଷକୁ ଖସିଆସିଛି।

ଏହା ସହ ଆଇପିଏଲ୍‌ରେ ରୋହିତଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପ୍ରଶ୍ନ ଉଠିଛି ଯେ ଆଇପିଏଲ୍‌ରେ ଆଗକୁ କ’ଣ କରିବେ ରୋହିତ? ଲିଗ୍‌ରେ ତାଙ୍କ ସମୟ କ’ଣ ସରିଆସିଲାଣି?

ଟି-୨୦ ଆନ୍ତର୍ଜାତିକରେ ମଧ୍ୟ ରୋହିତଙ୍କୁ ନେଇ ସମାନ ପ୍ରଶ୍ନ ଉଙ୍କି ମାରିଛି। ତେବେ ଆନ୍ତର୍ଜାତିକ କ୍ରିକେଟ୍‌ର କ୍ଷୁଦ୍ରତମ ଫର୍ମାଟ୍‌ରେ ସେ ୨୦୨୪ ବିଶ୍ୱକପ୍ ଯାଏଁ ଖେଳିପାରନ୍ତି ଏବଂ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଟିମ୍‌ର ନେତୃତ୍ୱ ବି ନେଇପାରନ୍ତି।

ସେଥିରେ ସେ ସଫଳ ହେବେ କି ବିଫଳ ହେବେ, ତାହା ଭିନ୍ନ କଥା; ହେଲେ ନିଜ କ୍ୟାରିଅର୍‌କୁ ବଞ୍ଚାଇବାକୁ ହେଲେ ଆଗକୁ ଏହି ୩୬ବର୍ଷୀୟ ଖେଳାଳିଙ୍କୁ ଏହି ଫର୍ମାଟ୍ ଛାଡ଼ିବାକୁ ପଡ଼ିବ। ବୟସ ବଢ଼ିଲେ ସବୁ ଫର୍ମାଟ୍‌ରେ ଖେଳ ଜାରି ରଖିବା ସହଜ ନୁହେଁ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ମଧ୍ୟ ଯୁବ ଖେଳାଳିଙ୍କ ଉପରେ ଅଧିକ ଫୋକସ୍ କରୁଛି।

ଟି-୨୦ ଆନ୍ତର୍ଜାତିକରେ ବି ଅଧିନାୟକ ଭାବେ ହାର୍ଦ୍ଦିକ ତାଙ୍କର ଉପଯୁକ୍ତ ଉତ୍ତରାଧିକାରୀ ହୋଇପାରନ୍ତି। ୨୦୨୨ ଟି-୨୦ ବିଶ୍ୱକପ୍ ପରଠାରୁ ରୋହିତ କ୍ଷୁଦ୍ରତମ ଫର୍ମାଟ୍‌ରେ ଖେଳୁ ନ ଥିବା ବେଳେ ବିଭିନ୍ନ ସମୟରେ ହାର୍ଦ୍ଦିକ ଟିମ୍‌ର ନେତୃତ୍ୱ ନେଇଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ:

ଆଇପିଏଲ୍‌ରେ ରୋହିତ ୨୦୧୧ରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଆସୁଛନ୍ତି। ୨୦୧୩ ସିଜନ୍ ଅଧାରୁ ରୋହିତ ଟିମ୍‌ର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ବର୍ଷ ସେ ଟିମ୍‌କୁ ପ୍ରଥମ ଥର ଚାମ୍ପିଅନ୍ କରାଇଥିଲେ।

ଏହାପରେ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ ସିଜନ୍‌ରେ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ମୁକୁଟ ଜିତିଥିଲା। ଏହି ସମୟରେ ସେ ୧୫୮ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଥିଲେ। ସେଥିମଧ୍ୟରୁ ଟିମ୍ ୮୭ ମ୍ୟାଚ୍ ଜିତିଥିବା ବେଳେ ୬୭ ମ୍ୟାଚ୍ ହାରିଥିଲା।

ଆଇପିଏଲ୍‌ରେ ରୋହିତ ମୁମ୍ବାଇ ପକ୍ଷରୁ କେବଳ ଅଧିନାୟକ ଭାବରେ ନୁହେଁ, ବ୍ୟାଟିଂରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ସେ ଟିମ୍ ପକ୍ଷରୁ ୩୧ ଆଭରେଜ୍‌ରେ ୫୨୩୦ ରନ୍ କରିଛନ୍ତି। ଏଥିରେ ୪୦ ଅର୍ଦ୍ଧଶତକ ଓ ଗୋଟିଏ ଶତକ ଅନ୍ତର୍ଭୁକ୍ତ। ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୩୦ ରହିଛି।

କାହିଁକି ହାର୍ଦ୍ଦିକଙ୍କୁ ମିଳିଲା ନେତୃତ୍ୱ:

ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯିବା ନିଷ୍ପତ୍ତିକୁ ରୋହିତଙ୍କ ପ୍ରଶଂସକ ବିରୋଧ କରୁଥିଲେହେଁ କେତେକ କ୍ରିକେଟ୍ ବିଶ୍ଳେଷକ ଏହା ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଛନ୍ତି। ସେମାନଙ୍କ କହିବାନୁଯାୟୀ ରୋହିତଙ୍କୁ ଏବେ ୩୬ ବର୍ଷ ବୟସ ଯେତେବେଳେକି ହାର୍ଦ୍ଦିକଙ୍କୁ ୩୦ ବର୍ଷ। ରୋହିତ କ୍ଲାନ୍ତ ଜଣାପଡ଼ୁଛନ୍ତି। ଟିମ୍‌ର ହିତ ଦୃଷ୍ଟିରୁ ନୂଆ ବିଚାରର ଆବଶ୍ୟକତା ଅଛି।

ବିଶ୍ଳେଷକମାନଙ୍କ ମତରେ ରୋହିତ ଜଣେ ଚମକପ୍ରଦ ଅଧିନାୟକ, ଯିଏ ଆଇପିଏଲ୍‌ରେ ମୁମ୍ବାଇକୁ ପାଞ୍ଚ ଥର ଟ୍ରଫି ଜିତାଇଛନ୍ତି। କିନ୍ତୁ ଆଇପିଏଲ୍‌ର ପୂର୍ବ କିଛି ସିଜନ୍‌ରେ ସେ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନାହାନ୍ତି। ଅନ୍ୟପଟେ, ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସର ଅଭ୍ୟୁଦୟ ହୋଇଛି।

ହାର୍ଦ୍ଦିକ ବହୁତ କମ୍ ସମୟ ମଧ୍ୟରେ ଗୁଜରାଟ ଟାଇଟନ୍ସ ଭଳି ନୂଆ ଟିମ୍‌କୁ ଶିଖରରେ ପହଞ୍ଚାଇଥିଲେ। ସେ ଗୁଜରାଟ ଟିମ୍‌କୁ ତା’ର ପଦାର୍ପଣ ସିଜନ୍ (୨୦୨୨)ରେ ଚାମ୍ପିଅନ୍ କରାଇଥିଲେ। ଏହା ପର ସିଜନ୍‌ରେ ଟିମ୍ ରନର୍ସଅପ୍ ହୋଇଥିଲା। ଏହି ଦୁଇ ବର୍ଷ ମଧ୍ୟରେ ମୁମ୍ବାଇ ଖାସ୍ ପ୍ରଦର୍ଶନ କରିପାରି ନ ଥିଲା। ଟିମ୍ ଶେଷ ଥର ୨୦୨୦ରେ ଚାମ୍ପିଅନ୍ ହୋଇଥିଲା। ଏହି ସମୟରେ ରୋହିତଙ୍କ ବ୍ୟାଟିଂ ପ୍ରଦର୍ଶନ ମଧ୍ୟ ଆଶାନୁରୂପ ହୋଇପାରି ନ ଥିଲା।

ରୋହିତ ୨୦୨୨ରେ ୧୪ ମ୍ୟାଚ୍ ଖେଳି ୧୯.୧୪ ଆଭରେଜ୍‌ରେ ୨୬୮, ୨୦୨୩ରେ ୧୬ ମ୍ୟାଚ୍ ଖେଳି ୨୦.୭୫ ଆଭରେଜ୍‌ରେ ୩୩୨ ରନ୍ କରିଥିଲେ। ଏହି ସିଜନ୍‌ରେ ସେ ମାତ୍ର ଦୁଇ ଅର୍ଦ୍ଧଶତକ ଲଗାଇଥିଲେ।

ମୋଟାମୋଟି ଭାବେ କହିବାକୁ ଗଲେ, ଟିମ୍‌ରେ ଏବେ ନେତୃତ୍ୱ ପରିବର୍ତ୍ତନର ସମୟ ଆସିଲାଣି ବୋଲି ଫ୍ରାଞ୍ଚାଇଜୀ ଅନୁଭବ କରୁଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଟିମ୍ ପ୍ରସ୍ତୁତ କରାଯାଉଛି, ଯେଉଁଠି ଅତୀତର ଟ୍ରାକ୍ ରେକର୍ଡ ଇତିହାସ ମାତ୍ର।

ରୋହିତଙ୍କ କ୍ୟାରିଅର୍ ଅନ୍ତିମ ସୋପାନରେ ପହଞ୍ଚିଲାଣି। କାର୍ଯ୍ୟଭାର ହ୍ରାସ ଓ କ୍ୟାରିଅର୍‌କୁ ଦୀର୍ଘସ୍ଥାୟୀ କରିବା ପାଇଁ ତାଙ୍କୁ ଆଗକୁ ଟି-୨୦ ଭଳି ଫର୍ମାଟ୍ ଛାଡ଼ିବାକୁ ପଡ଼ିବ, ତାହା ଆଇପିଏଲ୍ ହେଉ ବା ଟି-୨୦ ଆନ୍ତର୍ଜାତିକ। ସବୁବେଳେ ଶୀର୍ଷ ସ୍ତରର ପ୍ରଦର୍ଶନ କରିବା ସମ୍ଭବ ନୁହେଁ। ଖୋଦ ରୋହିତ ଏ କଥା ଜାଣନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବି ଏହା ଅନୁଭବ କରିପାରୁଛି।

ଏବେ ଆଇପିଏଲ୍‌ରେ ରୋହିତଙ୍କ ଆଗରେ ତିନି ବିକଳ୍ପ ରହିଛି। ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଅନ୍ୟ ଟିମ୍ ପକ୍ଷରୁ ଖେଳିପାରିବେ, ଯେଉଁଠି ତାଙ୍କୁ ଅଧିନାୟକତ୍ୱ ବି ମିଳିଯାଇପାରେ। ଅନ୍ୟଥା ସେ ମୁମ୍ବାଇ ଇଣ୍ଡିଆନ୍ସରେ ଆଉ କିଛି ବର୍ଷ ବିତାଇ ଭବିଷ୍ୟତରେ ଟିମ୍‌ର ମେଣ୍ଟର୍ ଦାୟିତ୍ୱ ପାଇପାରନ୍ତି। ତୃତୀୟ ତଥା ଶେଷ ବିକଳ୍ପ ହେଉଛି, ସେ ବୟସାଧିକ୍ୟ ଜନିତ କାରଣ ଓ ଆନ୍ତର୍ଜାତିକ କ୍ରିକେଟ୍ ପ୍ରତି ନିଜ ପ୍ରତିବଦ୍ଧତାକୁ ଦର୍ଶାଇ ଏହି ଲିଗ୍ ଛାଡ଼ିପାରନ୍ତି।

ଚର୍ଚ୍ଚା ତ ଅନେକ ହେଉଛି, ହେଲେ କୌଣସି ଗୋଟିଏ ବିକଳ୍ପ ବାଛିବା ରୋହିତଙ୍କ ପାଇଁ ଏତେ ସହଜ ନୁହେଁ।

ଇମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)