• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଥାଇରଏଡ୍‌ ଗ୍ରନ୍ଥି:

ଏହା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତସ୍ରାବୀ ଗ୍ରନ୍ଥି, ଯାହା ମୁଖ୍ୟତଃ ଶରୀରର ବୃଦ୍ଧି ଓ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଥାଇରଏଡ୍‌ ହର୍ମୋନ (ଥାଇରକ୍ସିନ) ର କ୍ଷରଣ ଦ୍ୱାରା ଏହା ଶରୀରର ଶକ୍ତି ବିନିଯୋଗରେ ସମନ୍ୱୟ ରକ୍ଷା କରିଥାଏ। ଏହା ଆମ ଶରୀରର ଗଳାର ସମୁଖ ଭାଗରେ (ସ୍ୱର ପେଟିକାର ଠିକ ନିମ୍ନ ଭାଗରେ)ଏକ ପ୍ରଜାପତି ଆକାରର ଅଂଶ ଭାବରେ ଅବସ୍ଥିତ।

ଥାଇରଏଡ୍‌ କ୍ୟାନସର୍‌:

ଥାଇରଏଡ୍‌ ଗ୍ରନ୍ଥିର କୋଷିକାର ଅନିୟନ୍ତ୍ରିତ ଅଭିବୃଦ୍ଧି ଦେଖାଦେଲେ ବେଳେବେଳେ ଏହା କ୍ୟାନସର୍‌କୁ ରୂପାନ୍ତରିତ ହୋଇଥାଏ । ଥାଇରଏଡ ଗ୍ରନ୍ଥିର କେଉଁ ପ୍ରକାର କୋଷିକାରୁ ଏହି ଅର୍ବୁଦ ସୄଷ୍ଟି ହୋଇଥାଏ, ସେ ହିସାବରେ ଏହା ବିଭିନ୍ନ ପ୍ରକାରର ହୋଇପାରେ। ଯାହାମଧ୍ୟରୁ ପାପୀଲାରୀ, ଫଲୀକୁଲାର, ମେଡୁଲାରି, ଆନାପ୍ଲାଷ୍ଟିକ ଜାତୀୟ ସାଧାରଣ ଭାବେ ଦେଖା ଯାଇଥାଏ। ଏଥିମଧ୍ୟରୁ ଶତକଡା ୯୦-୯୫ ପ୍ରତିଶତ ପାପୀଲାରୀ କିମ୍ବା ଫଲୀକୁଲାର ଜାତୀୟ ହୋଇଥାଏ। ମହିଳାମାନଙ୍କ ଠାରେ ଏହା ପୁରୁଷମାନଙ୍କ ଠାରୁ ଅଧିକ ମାତ୍ରରେ ଥାଏ।

ଅଧିକ ପଢ଼ନ୍ତୁ: ଚିକିତ୍ସା ବିଜ୍ଞାନର କମାଲ୍‌ ! ଏବେ ନିଶ୍ୱାସରୁ ଚିହ୍ନଟ ହୋଇପାରିବ ମାରାତ୍ମକ କ୍ୟାନସର୍‌

ଲକ୍ଷଣ:

  • ରୋଗର ଅବସ୍ଥିତି ତଥା ବ୍ୟାପ୍ତି ହିସାବରେ ଏହା ଅନେକ ରୂପରେ ଲକ୍ଷଣ ଦେଖା ଦେଇପାରେ
  • ଗଳାଫୁଲା, ଅର୍ବୁଦ ଦେଖାଯିବା
  • ଖାଦ୍ୟ ଗିଳିବାରେ କଷ୍ଟ, ଅସୁବିଧା ହେବା
  • ଶ୍ୱାସକ୍ରିୟାରେ କଷ୍ଟ
  • ସ୍ୱରରେ ପରିବର୍ତ୍ତନ
  • ଅନବରତ କାଶ ଲାଗି ରହିବା

ଏଠାରେ ଜାଣି ରଖିବା ଉଚିତ ଯେ ଥାଇରଏଡ୍‌ ନୋଡ୍ୟୁଲ (ଗେଟା ) ମଧ୍ୟରୁ ଶତକଡା ୯୦% ଭାଗ କ୍ୟାନ୍ସର ହୋଇନଥାଏ। ତଥାପି ଉପରୋକ୍ତ ଲକ୍ଷଣ ଦେଖାଦେଲେ ବିଶେଷଜ୍ଞଙ୍କ ପାଖରେ ପରୀକ୍ଷା କରାଇବା ଉଚିତ।

ରୋଗର ନିଦାନ:

  • ବେକ ଗଳାର ସନୋଗ୍ରାଫି / ଅଲଟ୍ରାସାଉଣ୍ଡ - ଏହା ଦ୍ୱାରା ଗେଟାର ଅବସ୍ଥିତି ସାମ୍ବଦିତ ଅନେକ ଉପାଦେୟ ତଥ୍ୟ ମିଳିଥାଏ:
  • ଛୁଞ୍ଚି ପରୀକ୍ଷା (ଫାଇନ ନିଡ଼ଲ ଆସ୍ପିରେସନ ସାଇଟୋଲୋଜି)- ଏହା ଦ୍ୱାରା ରୋଗକୁ ସଠିକ ଉପାୟରେ ନିରୂପଣ କରାଯାଏ ଓ ରୋଗର ପ୍ରକାର ଭେଦ ଜଣାପଡିଥାଏ।
  • ରୋଗ ନିରୂପଣ ପରେ ଏହାର ସ୍ତର (ଷ୍ଟେଜିଙ୍ଗ)ଓ ବ୍ୟାପ୍ତି ଜାଣିବା ପାଇଁ ସ୍କାନିଂ (ସିଟି / ଏମଆଇଆର) କରାଯାଇପାରେ।

ଚିକିତ୍ସା:

  • ଶଲ୍ୟଚିକତ୍ସା
  • ରେଡ଼ିଓ ଆୟୋଡିନ ଚିକତ୍ସା
  • ବିକିରଣ ଚିକିତ୍ସା (ରେଡ଼ିଓ ଥେରାପି)
  • ଟାର୍ଗେଟେଡ୍‌ / ଇମ୍ୟୁନୋ ଥେରାପି
  • ଥାଇରଏଡ କ୍ୟାନ୍ସରର ଚିକିତ୍ସାରେ ଶଲ୍ୟଚିକିତ୍ସା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। 
  • ଶଲ୍ୟ ଚିକିତ୍ସା ପରେ ରୋଗର ପ୍ରକାର ଭେଦ ଦେଖି ରେଡ଼ିଓ ଆୟୋଡିନ ସ୍କାନ୍‌ କରାଯାଏ ଓ ସେଥିରେ ରୋଗର ଅବଶେଷ / ସ୍ଥିତି ଦେଖି ରେଡ଼ିଓ ଆୟୋଡିନ ଚିକିତ୍ସା ଦିଆଯାଇଥାଏ ଓ ଏହାର ମାତ୍ରା ନିର୍ଦ୍ଧାରଣ କରାଯାଇଥାଏ।
  • ଅଧିକ ବ୍ୟାପ୍ତି ଯୋଗୁଁ ଯେଉଁ କ୍ଷେତ୍ରରେ (ମୁଖ୍ୟତଃ ଆନାପ୍ଲାଷ୍ଟିକ ଓ ମେଡୁଲାରି ପ୍ରଜାତି )ର ଶଲ୍ୟଚିକିତ୍ସା ସମ୍ଭବପର ହୋଇନଥାଏ, ସେ କ୍ଷେତ୍ରରେ ବିକିରଣ ଚିକିତ୍ସା ଦିଆଯାଇପାରେ।
  • ସେହିପରି ରୋଗ ଅନ୍ୟ ଅଙ୍ଗକୁ ବ୍ୟାପିଥିଲେ ବା ଥରେ ଚିକିତ୍ସା ପରେ ବାରମ୍ବାର ଫେରିଆସିଲେ (ରିକରେଣ୍ଟ) ଟାର୍ଗେଟେଡ୍‌ ଥେରାପି ତଥା ଇମ୍ୟୁନୋଥେରାପିର ପ୍ରୟୋଗ କରାଯାଇଥାଏ।
  • ଶଲ୍ୟ ଚିକିତ୍ସା କରି ଥାଇରଏଡ୍‌ ଗ୍ରନ୍ଥିକୁ କାଢ଼ିଦେବାପରେ ଏହାର ହର୍ମୋନ ମାତ୍ରା ଯାଞ୍ଚ କରି ଥାଇରଏଡ୍‌ ହର୍ମୋନ ବଟିକା ଖାଇବାକୁ ଦିଆଯାଇଥାଏ।

ଚିକିତ୍ସା ପରବର୍ତ୍ତୀ ଫଳାଫଳ ଓ ସଫଳତା ହାର:

ଅଧିକାଂଶ ଥାଇରଏଡ୍‌ କ୍ୟାନସର୍‌ ଚିକିତ୍ସା ସଂଭବ ହେଉଥିବା ବେଳେ ସବୁଠାରୁ ଅଧିକ ମାତ୍ରାରେ ଦେଖାଯାଉଥିବା ପପିଲାରୀ ଓ ଫଲୀକୁଲାର ପ୍ରଜାତିର ଆରୋଗ୍ୟ ହାର ଶତକଡା ୯୮ ପ୍ରତିଶତରୁ ଅଧିକ। ପ୍ରାରମ୍ଭିକ ସ୍ତରରେ ନିରୂପଣ ଓ ଉପଯୁକ୍ତ ଚିକିତ୍ସା ଆରୋଗ୍ୟ ହାରକୁ ବଢ଼ାଇଥାଏ।

ପ୍ରକାର ଓ ବ୍ୟକ୍ତି ଅନୁଯାୟୀ ସମ୍ପୂର୍ଣ୍ଣ ଚିକିତ୍ସା ପାଇବା ପରେ ମଧ୍ୟ ନିୟମିତ ଫଲୋଅପ୍‌ /ଚିକିତ୍ସା ପରବର୍ତ୍ତୀ ଚେକ୍‌ଅପ୍‌ରେ ରହିବା ଉଚିତ। ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହିଲେ, ଯେଉଁ କ୍ଷେତ୍ରରେ ରୋଗ ପୁଣି ଫେରିବାର ସମ୍ଭାବନା ନ ଥାଏ, ତାହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରେ ଓ ଚିକିତ୍ସାସାଧ୍ୟ ହୋଇଥାଏ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

କର୍କଟ ରୋଗ ବିଶେଷଜ୍ଞ

ସମ୍‌ ଅଲଟିମେଟ୍‌ ମେଡିକେୟାର୍‌