• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ଏଇ କିଛି ବର୍ଷ ହେବ ବିଜ୍ଞାପନ ହେଉ କି ଅନ୍‌ଲାଇନ୍ ସପି° କିମ୍ବା ଡିପାର୍ଟମେଣ୍ଟାଲ୍‌ ଷ୍ଟୋର୍‌ ସବୁଠି ଆପଣ ଗ୍ଲୁଟିନ୍ ଫ୍ରି ବା ଗ୍ଲୁଟିନ୍ ରହିତ ଅଟା, ବ୍ରେଡ୍, ନୁଡୁଲ୍ସ, ବିସ୍କିଟ୍ ଏସବୁ ଖାଦ୍ୟସାମଗ୍ରୀର ଲମ୍ବା ଲିଷ୍ଟ୍ ଦେଖୁଥିବେ। ବିଜ୍ଞାପନଠୁ ଆରମ୍ଭକରି ବିଭିନ୍ନ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରଙ୍କ କଥା ଶୁଣି ଆପଣ ବି ଭାବୁଥିବେ ଯେ ପ୍ରକୃତରେ ଗ୍ଲୁଟିନ୍‌ଯୁକ୍ତ ଖାଦ୍ୟ ଶରୀର ପାଇଁ ନିହାତି ହାନିକାରକ। ଯେତେ ସମ୍ଭବ ଗ୍ଲୁଟିନ୍ ଯୁକ୍ତ ଖାଦ୍ୟକୁ ଏଡାଇବା କଥା।

ଗ୍ଲୁଟିନ୍ ସ୍ୱାସ୍ଥ୍ୟ ପାଇଁ ନିହାତି କ୍ଷତିକାରକ। କିନ୍ତୁ ଥରେ ଭାବି ଦେଖିଲେ, ଗହମରେ ଓ ସ୍ପେଲ୍ଟ (Rye & Spelt ଗହମ ପରି ଦୁଇ ଶସ୍ୟ) ଏବଂ ବାର୍ଲିରେ ପ୍ରାକୃତିକ ଉପାୟରେ ମହଜୁଦ ଥିବା ତଥା ବର୍ଷ ବର୍ଷ ଧରି ରୁଟି, ବ୍ରେଡ୍, ବିସ୍କିଟ୍, ପାସ୍ତା ଏବଂ ନୁଡୁଲ୍ସ ମାଧ୍ୟମରେ ଆପଣ ଗ୍ରହଣ କରିଆସୁଥିବା ଗ୍ଲୁଟିନ୍ କ'ଣ ପ୍ରକୃତରେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏତେ ହାନିକାରକ?

ଗ୍ଲୁଟିନ୍ ହେଉଛି ଗହମ ଏବଂ ଗହମ ପରି କିଛି ଶସ୍ୟ ଯେମିତିକି ସ୍ପେଲ୍ଟ, ଖୋରାସାନା, ଇମର, ଏଇନକର୍ଣ୍ଣ ତଥା ବାର୍ଲି, ଟ୍ରିଟିକାଲେ ଓ ଓଟ୍ସ ଆଦିରେ ଦେଖାଯାଉଥିବା ଏକ ପ୍ରକାର ପ୍ରୋଟିନ୍ ବା ପୁଷ୍ଟିସାର। ଏହା ପ୍ରୋଲାମିନ୍ ଏବଂ ଗ୍ଲୁଟେଲିନ୍ ପରି ଦୁଇଟି ପ୍ରାକୃତିକ ପ୍ରୋଟିନ୍‌ର ସମ୍ମିଶ୍ରଣରୁ ସୃଷ୍ଟି ହୋଇଥାଏ। ବ୍ରେଡ୍ ଅଟା ବା ଗହମରେ ଦେଖାଯାଉଥିବା ସମସ୍ତ ପ୍ରୋଟିନ୍‌ର ୭୫ -୮୦% ହେଉଛି ଗ୍ଲୁଟିନ୍।

ଏହି ଗ୍ଲୁଟିନ୍ ହିଁ ଗହମ ଏବଂ ଅନ୍ୟାନ୍ୟ ଅଟାର ମିଶ୍ରଣ/ଆଣ ବା ଡୋ'କୁ ଇଲାଷ୍ଟିକ୍ ବା ଅଠାଳିଆ ବନାଇ ତାକୁ ଫୁଲିବା (ରାଇଜ୍) ଏବଂ ଆକାର ନେବାରେ ସାହାଯ୍ୟ କରେ। ଗ୍ଲୁଟିନ୍ ଅଟାକୁ ଅଠାଳିଆ, ନରମା ଏବଂ ଇଲାଷ୍ଟିକ୍ ପ୍ରବୃତ୍ତି ଦିଏ ଏବଂ ବାନ୍ଧି ରଖେ ଏବଂ ରୁଟି, ବ୍ରେଡ୍, ପାସ୍ତା ଏମାନଙ୍କୁ ଚୋବାଇ ଖାଇବା ଯୋଗ୍ୟ ବନାଏ।

ସାଧାରଣତଃ ସିଲିଆକ୍ ଡିଜିଜ୍ (କ୍ଷୁଦ୍ରାନ୍ତନଳୀର ବା small intestine ର ରୋଗ )ରେ ପୀଡିତ ବ୍ୟକ୍ତିଙ୍କ ଠାରେ ଇମ୍ୟୁନ୍ ରିଆକ୍ସନ୍ ବା ପ୍ରତିରକ୍ଷା ପ୍ରତିକ୍ରିୟା ବା ଆଲର୍ଜିକ୍ ପ୍ରତିକ୍ରିୟା ସୃଷ୍ଟି କରିପାରୁଥିବା ସମସ୍ତ ପ୍ରକାର ଶସ୍ୟରେ ଗ୍ଲୁଟିନ୍ ଥାଏ।

ଗହମରେ ଗ୍ଲୁଟେନାଇନ୍ସ ଏବଂ ଗ୍ଲାୟାଡିନ୍ ନାମକ ଗ୍ଲୁଟିନ୍ ଥିବା ବେଳେ ବାର୍ଲିରେ ହର୍ଡେଇନ୍ସ, ରେ'(Rye)ରେ ସେକାଲିନ୍ସ, ଓଟ୍ସରେ ଆଭେନାଇନ୍, ମକାରେ ଜେଇନ୍ସ ଏବଂ ଚାଉଳରେ ରାଇସ ପ୍ରୋଟିନ ଆକାରରେ ଦେଖାଯାଏ। ସାଧାରଣତଃ ମକା ଏବଂ ଚାଉଳରେ ଥିବା ଗ୍ଲୁଟିନ୍ ସିଲିଆକ୍ ଡିଜିଜ୍‌ରେ କ୍ଷତି କରେ ନାହିଁ କିମ୍ବା ପ୍ରତିକ୍ରିୟା ସୃଷ୍ଟି କରେ ନାହିଁ।

ମଣିଷର ପାଚନତନ୍ତ୍ରରେ ଖାଦ୍ୟସାର ପାଚନ ପାଇଁ ବିଭିନ୍ନ ପ୍ରକାରର ଏଞ୍ଜାଇମ୍ସ ଥାଅନ୍ତି। ସେଥିରୁ ପ୍ରୋଟିଏଜ୍ ନାମକ ଏଞ୍ଜାଇମ୍ ପ୍ରୋଟିନ୍ ବା ପୁଷ୍ଟିସାର ପାଚନରେ ସାହାଯ୍ୟ କରିଥାଏ। କିନ୍ତୁ ଏହି ଏଞ୍ଜାଇମ୍ ଗ୍ଲୁଟିନ୍‌କୁ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିପାରେ ନାହିଁ। ଏହି ସମ୍ପୂର୍ଣ୍ଣ ହଜମ ନ ହୋଇଥିବା ଗ୍ଲୁଟିନ୍ ପର୍ଯ୍ୟାୟକ୍ରମେ କ୍ଷୁଦ୍ରାନ୍ତନଳୀରେ ପହଞ୍ଚେ।

ଅଧିକାଂଶ ଲୋକଙ୍କର କ୍ଷୁଦ୍ରାନ୍ତନଳୀ ଏହି ଅଧା ହଜମ ହୋଇଥିବା ଗ୍ଲୁଟିନ୍‌କୁ କୌଣସି ପ୍ରତିକ୍ରିୟା କରେ ନାହିଁ। କିନ୍ତୁ କିଛି ଲୋକଙ୍କଠାରେ ସିଲିଆକ୍ ଡିଜିଜ୍ ବା ପ୍ରତିରକ୍ଷା ପ୍ରତିକ୍ରିୟା ବା ଅଟୋଇମ୍ୟୁନ୍ ରେସ୍‌ପନ୍ସ ସୃଷ୍ଟିକରେ ଏବଂ ପତଳା ଝାଡା, ପେଟ ଫାମ୍ପିବା, ବାନ୍ତି ଲାଗିବା, ମୁଣ୍ଡ ବିନ୍ଧା, ଦେହହାତ ଚେକାଚେକା ହୋଇ ଫଳିଯିବା ଆଦି ବିଭିନ୍ନ ଲକ୍ଷଣ ଦେଖାଯାଏ।

ଅନେକ ସମୟରେ ସିଲିଆକ୍ ଡିଜିଜ୍ ନଥିବା ଲୋକଙ୍କ ଠାରେ ମଧ୍ୟ ଉପୋରକ୍ତ ଲକ୍ଷଣ ଦେଖାଯାଇପାରେ। ଏହା ଗ୍ଲୁଟିନ୍ କାରଣରୁ ନ ହୋଇ ସମ୍ପୂର୍ଣ୍ଣ ହଜମ ନ ହୋଇଥିବା ଶ୍ୱେତସାର ବା କାର୍ବୋହାଇଡ୍ରେଟ୍‌ର ଅନ୍ତନଳୀ ଭିତରେ ଫର୍‌ମେଣ୍ଟେଡ୍ ହେବା କାରଣରୁ ଦେଖାଯାଏ।

ପୃଥିବୀର ସମୁଦାୟ ଜନସ°ଖ୍ୟାର ୧.୪% ଜନସାଧାରଣଙ୍କ ଠାରେ ସିଲିଆକ୍ ଡିଜିଜ୍ ଦେଖାଯାଏ। ଏହି ଲୋକମାନେ ଗ୍ଲୁଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଅଟୋଇମ୍ୟୁନ୍ ରିଆକ୍ସନ୍ ବା ପ୍ରତିରକ୍ଷା ପ୍ରତିକ୍ରିୟା ଦେଖାଯାଏ। ସିଲିଆକ୍ ଡିଜିଜ୍‌ରେ ବେଳେବେଳେ ଅତ୍ୟଧିକ ପତଳାଝାଡା ହେବା, ପେଟ ଫାମ୍ପିବା ଓ ପ୍ରବଳ ଅପାନବାୟୁ ହେବା, ବେଳେବେଳେ କୋଷ୍ଠକାଠିନ୍ୟ ହେବା, ବାନ୍ତି ଲାଗିବା ଓ ବାନ୍ତି ହେବା, ବାରମ୍ବାର ପେଟ କାଟିବା ଓ କାମୁଡିବା, ଥକ୍କା ଲାଗିବା, ହଠାତ ଓଜନ ହ୍ରାସ ହେବା, ପାଟି ଘା' ହେବା, ଦେହହାତ ଫଳିଯିବା, ଖାଦ୍ୟସାର ଅବଶୋଷଣରେ ବାଧା ଏବଂ ରକ୍ତହୀନତା ଦେଖା ଯିବା, ହାତ-ପାଦ କାଲୁଆ ଓ ଝିମ୍‌ଝିମ୍‌ ଲାଗିବା (ପେରିଫେରାଲ୍ ନ୍ୟୁରୋପାଥି) ଆଦି ଲକ୍ଷଣ ଦେଖାଯାଇଥାଏ।

ସିଲିଆକ୍ ଡିଜିଜ୍‌ରେ ପୀଡିତ ବ୍ୟକ୍ତିମାନେ ଗ୍ଲୁଟିନ୍ ଯୁକ୍ତ ଖାଦ୍ୟ ଖାଇବା ଅନୁଚିତ। ଏହା ଛଡା ଗ୍ଲୁଟିନ୍ ଆଲର୍ଜି ଥିବା ବ୍ୟକ୍ତି ଯେଉଁମାନଙ୍କ ଠାରୁ ସିଲିଆକ୍ ଡିଜିଜ୍ ନଥାଇ ମଧ୍ୟ ଗ୍ଲୁଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ପେଟ ଫାମ୍ପିବା, ଅପାନବାୟୁ, ପତଳାଝାଡା ଆଦି ହୋଇଥାଏ ସେମାନେ ମଧ୍ୟ ଗ୍ଲୁଟିନ୍ ଫ୍ରି ଖାଦ୍ୟ ଗ୍ରହଣ କରିବା ଉଚିତ।

ସେହିପରି ଗହମ ଆଲର୍ଜି ଥିବା ବ୍ୟକ୍ତି ମଧ୍ୟ ଗ୍ଲୁଟିନ୍ ଫ୍ରି ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ। ଗ୍ଲୁଟିନ୍ ଆଟାକ୍ସିଆ (ଗୋଡହାତର ଚଳାଚଳ ମସ୍ତିଷ୍କର ନିୟନ୍ତ୍ରଣରେ ରୁହେ ନାହିଁ) ପରି ସ୍ନାୟୁଗତ ଅଟୋଇମ୍ୟୁନ୍ ଡିଜିଜ୍‌ରେ ପୀଡିତ ବ୍ୟକ୍ତି ଗ୍ଲୁଟିନ୍ ଗ୍ରହଣ କରିବା ଅନୁଚିତ।

ବିଶେଷଜ୍ଞଙ୍କ ମତରେ ସିଲିଆକ୍ ଡିଜିଜ୍‌ରେ ପୀଡିତ ବ୍ୟକ୍ତି ଦିନକୁ ୧୦-୫୦ ମିଗ୍ରା ପର୍ଯ୍ୟନ୍ତ ଗ୍ଲୁଟିନ୍ ଗ୍ରହଣ କରିପାରିବେ। କିଛି ବ୍ୟକ୍ତିଙ୍କ ଠାରେ ହଠାତ୍ କରି ସମ୍ପୂର୍ଣ୍ଣ ଗ୍ଲୁଟିନ୍ ଫ୍ରି ଖାଦ୍ୟ ଗ୍ରହଣ କରିବା ଆରମ୍ଭ କଲେ ମୁଣ୍ଡବୁଲା, ଅଇ ଉଠେଇବା, ମାନସିକ ଦୁଶ୍ଚିନ୍ତା ଏବଂ ମାନସିକ ଅବସାଦ ପରି ଲକ୍ଷଣ ଦେଖାଯାଏ।

ଏହି ସବୁ ଲକ୍ଷଣ କିଛି ସପ୍ତାହ ମଧ୍ୟରେ ଆପେ କମିଯାଏ। କିନ୍ତୁ ସମସ୍ୟା ଲାଗି ରହିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଯଦି ଆପଣଙ୍କୁ ଗ୍ଲୁଟିନ୍ ଇନ୍‌ଟଲେରାନ୍ସ ହେଉଛି ବୋଲି ସନ୍ଦେହ ହେଉଛି ତା’ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ରକ୍ତ ପରୀକ୍ଷା ଦ୍ଵାରା ସିଲିଆକ୍ ଡିଜିଜ୍ ଏବଂ ଗହମ ଆଲର୍ଜି ଭିତରେ ଫରକ ଜାଣିହେବ ଏବଂ ତଦନୁସାରେ ନିଜ ଖାଦ୍ୟରେ ପରିବର୍ତ୍ତନ ଆଣି ହେବ।

ସମ୍ପୂର୍ଣ୍ଣ ଗ୍ଲୁଟିନ୍ ଫ୍ରି ଖାଦ୍ୟ ସାରଣୀ ଆପଣାଇବା ପୂର୍ବରୁ ପ୍ରଶିକ୍ଷିତ ଡାଏଟିସିଆନ୍ ବା ନ୍ୟୁଟ୍ରିସନିଷ୍ଟ୍‌ଙ୍କ ପରାମର୍ଶ ନିଅନ୍ତୁ। ବିଜ୍ଞାପନ, ସୋସିଆଲ୍ ମିଡିଆର ପେଡ୍ ଇନ୍‌ଫ୍ଲୁଏନ୍ସରଙ୍କ ଦ୍ୱାରା ପ୍ରଭାବିତ ଓ ଭୟଭୀତ ହୋଇ କୌଣସି କାରଣ ନ ଥାଇ ବର୍ଷବର୍ଷ ଧରି ଗ୍ରହଣ କରିଆସୁଥିବା ସାଧାରଣ ରୁଟି, ବ୍ରେଡ୍, ବିସ୍କିଟ୍, ପାସ୍ତା ଏବଂ ନୁଡୁଲ୍ସ ବଦଳରେ ଅଧିକ ଖର୍ଚ୍ଚାନ୍ତ ହୋଇ ଗ୍ଲୁଟିନ୍ ଫ୍ରି ଖାଦ୍ୟ ଗ୍ରହଣ ପାଇଁ ଚିନ୍ତାକରିବା ଅନୁଚିତ।

ଭୁବନେଶ୍ୱର, ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now