• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ଆଉ ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ସ୍ୱାମୀଙ୍କ ମରଶରୀର ଲୀନ ହୋଇଯିବ ପଞ୍ଚଭୂତରେ। ତା’ ପରେ ଆଉ କେବେ ବି ସେ ଦେଖିପାରିବେନି ନିଜର ଏଇ ପ୍ରିୟ ମଣିଷ ଜଣଙ୍କୁ। ସ୍ୱାମୀଙ୍କ ଦେହାବଶେଷ ପାଖରେ ଠିଆ ହୋଇ ସେଦିନ ନିକିତା ଗୋଟିଏ ପଟେ ‘ଆଇ ଲଭ୍ ୟୁ ବିଭୂ’ କହି କହି ତାଙ୍କୁ ଅଶ୍ରୁଳ ବିଦାୟ ଜଣାଉଥିବା ବେଳେ, ଦେଶ ପାଇଁ ସ୍ୱାମୀଙ୍କ ଅନନ୍ୟ ବଳିଦାନକୁ ସମ୍ମାନ ଜଣାଇ ‘ଜୟ ହିନ୍ଦ’ର ନାରା ମଧ୍ୟ ଦେଉଥିଲେ ସେଦିନ। ଏ ଦୃଶ୍ୟ ଦେଖିଥିବା ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା।

ଏହାର ୬ ମାସ ପରେ ନିକିତା ଏକ ମଲ୍ଟି ନ୍ୟାସ୍‌ନାଲ୍ କମ୍ପାନୀରେ ନିଜର ଲୋଭନୀୟ କ୍ୟାରିୟର ଛାଡ଼ି ଭାରତୀୟ ସେନା ବାହିନୀରେ ଯୋଗ ଦେବାର ନିଷ୍ପତ୍ତି ନେଲେ। ତା’ ପରେ ଲିଖିତ ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହୋଇ ଯୋଗଦେଲେ ସେନାରେ। ଏ ହେଉଛି, ୨୦୧୯ ମସିହା ଫେବ୍ରୁଆରୀ ୧୭ ତାରିଖରେ ପୁଲ୍ଓ୍ୱାମାଠାରେ ଦେଶ ପାଇଁ ପ୍ରାଣ ବଳି ଦେଇ ଥିବା ଶୌର୍ଯ୍ୟଚକ୍ର ପ୍ରାପ୍ତ ମେଜର ବିଭୂତି ଶଙ୍କର ଧୌଣ୍ଡିୟାଲଙ୍କ ବିଧବା ପତ୍ନୀ ‘ବୀର ନାରୀ’ ନିକିତାଙ୍କ କଥା। ବର୍ତ୍ତମାନ ସେ ପାବ ଭଟିଣ୍ଡାଠାରେ ଅବସ୍ଥିତ ସେନାର ଅର୍ଡନାନ୍ସ କର୍ପରେ ଲେଫ୍ଟେନାଣ୍ଟ୍ ଭାବେ କାର୍ଯ୍ୟରତ।

ନିକିତାଙ୍କ ଭଳି ଆଉ ଜଣେ ବୀର ନାରୀ ହେଲେ, ନୀତା ଦେଶଓ୍ୱାଲ୍। ନୀତାଙ୍କ ପତି ମେଜର ଅମିତ ଦେଶଓ୍ୱାଲ୍ ମଣିପୁରଠାରେ କାର୍ଯ୍ୟରତ ଥିବା ସମୟରେ ୨୦୧୬ ମସିହା ଏପ୍ରିଲ୍ ମାସରେ ନାଗା ବିଦ୍ରୋହୀମାନଙ୍କ ବିରୋଧରେ ଏକ ଅପରେସନ୍ ସମୟରେ ପ୍ରାଣ ହରାଇଥିଲେ। ନୀତା କିନ୍ତୁ ଏଭଳି ଏକ ଦୁଃଖଦ ସମୟରେ ଭାଙ୍ଗି ପଡ଼ି ନଥିଲେ କିମ୍ବା ଅନୁକମ୍ପାମୂଳକ ସରକାରୀ ଚାକିରି ପାଇବାର ସୁଯୋଗକୁ ଗ୍ରହଣ କରି ନଥିଲେ। ବରଂ ସ୍ୱାମୀଙ୍କ ପଥକୁ ଅନୁସରଣ କରି ସେ ସେନାରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କଲେ ଓ ଏଥିପାଇଁ ପୂରା ଦମ୍‌ରେ ଲାଗି ପଡ଼ିଲେ।

ଅମିତଙ୍କ ମୃତ୍ୟୁର ୬ ମାସ ମଧ୍ୟରେ ସେନାର ସର୍ଭିସ୍ ସିଲେକ୍ସନ୍ ବୋର୍ଡ, ଭୋପାଳ ପକ୍ଷରୁ ନୀତାଙ୍କୁ ସର୍ଟ ସର୍ଭିସ୍ କମିଶନ୍ (ଅଣ-ପ୍ରଯୁକ୍ତି ବା ନନ୍-ଟେକ୍) କୋର୍ସ ପାଇଁ ଅନୁମତି ପ୍ରଦାନ କରାଗଲା। ସେଥର ସେ ମେଧା ତାଲିକାରେ ପ୍ରଥମ ସ୍ଥାନରେ ଥିଲେ ଓ ୩୪ ବର୍ଷ ବୟସରେ ଚେନ୍ନାଇ ସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀରେ ଯୋଗ ଦେଇଥିଲେ। ୧୮ ମାସର କଠିନ ପ୍ରଶିକ୍ଷଣ ଶେଷ କଲା ପରେ ନୀତା ୨୦୧୮ ମସିହାରେ ସେନାରେ ପ୍ରବେଶ କରିଥିଲେ।

ଖାଲି ନିକିତା କିମ୍ବା ନୀତା ନୁହନ୍ତି, ସେମାନଙ୍କ ଭଳି ଆହୁରି ଅନେକ ବୀର ନାରୀ(ଯେଉଁ ମହିଳାମାନଙ୍କ ସ୍ୱାମୀ ସେନାର କୌଣସି ଯୁଦ୍ଧ କିମ୍ବା ଅନ୍ୟ ମିଲିଟାରୀ ଅପରେସନ୍ ସମୟରେ ଦେଶ ପାଇଁ ପ୍ରାଣ ବଳି ଦେଇଥିବେ) ଏବେ ସେନାରେ ଯୋଗ ଦେବା ପାଇଁ ଆଗ୍ରହୀ। ଏ ଭିତରେ ଏପରି ବହୁ ଜଣ ସେନାରେ ଯୋଗ ମଧ୍ୟ ଦେଇ ସାରିଛନ୍ତି। ତେବେ ଏଇ ଧାରାର ପ୍ରଥମ ମୂଳଦୁଆ ପଡ଼ିଥିଲା ୧୯୯୮ ମସିହାରେ।

ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ଭିପି ମଲିକଙ୍କ ପତ୍ନୀ ରନା ମଲିକ କୁହନ୍ତି, ସେଦିନ ଦିଲ୍ଲୀସ୍ଥିତ ତାଙ୍କ ‘ଆର୍ମି ଓ୍ୱାଇଭ୍ସ ୱେଲଫେୟାର୍ ଆସୋସିଏସନ୍’ ଅଫିସ୍‌କୁ ଦୁଇ ଜଣ ମହିଳା ଆସିଲେ। ସେମାନେ ଥିଲେ, ୨୭ ବର୍ଷ ବୟସ୍କ ରବୀନ୍ଦର ଜିତ୍ ରାନ୍ଧଓ୍ୱା ଓ ୨୫ ବର୍ଷ ବୟସ୍କା ସବିନା ସିଂ ରବୀନ୍ଦରଙ୍କ। ପତି ମେଜର ସୁଖବିନ୍ଦର ଜିତ୍ ସିଂ ରାନ୍ଧଓ୍ୱା ଜାମ୍ମୁ-କାଶ୍ମୀରରେ ଏକ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧୀ ଅପରେସନରେ ୧୯୯୭ରେ ପ୍ରାଣ ହରାଇଥିବା ବେଳେ ଜଣେ ହେଲିକପ୍ଟର ପାଇଲଟ୍ ଥିବା ସବିନାଙ୍କ ପତି ଉତ୍ତର-ପୂର୍ବ ଅଞ୍ଚଳରେ ଘଟିଥିବା ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ଉଭୟଙ୍କୁ କୁହାଯାଇଥିଲା ଯେ ଆଜୀବନ ସେମାନଙ୍କୁ ନିଜ ସ୍ୱାମୀଙ୍କ ସମ୍ପୂର୍ଣ୍ଣ ଦରମା ପେନସନ୍ ଆକାରରେ ଦିଆଯିବ। କିନ୍ତୁ ଦୁଇ ଜଣ ଯାକ ଏ ନିଷ୍ପତ୍ତିରେ ସେତେଟା ସନ୍ତୁଷ୍ଟ ନଥିଲେ। ବରଂ ସେମାନେ ଚାହୁଁଥିଲେ, ସେମାନଙ୍କ ସ୍ୱାମୀମାନେ ଯେମିତି ଦେଶର ସେନା ବାହିନୀ ପାଇଁ ପ୍ରାଣ ଉତ୍ସର୍ଗ କରିଛନ୍ତି, ସେମାନେ ସେଇଭଳି ସେନା ପାଇଁ କିଛି କର୍ତ୍ତବ୍ୟ କରିବେ।

ରନା କୁହନ୍ତି, ସେଦିନ ସେନାରେ ଯୋଗ ଦେବାର ସେମାନଙ୍କ ଦୃଢ଼ ନିଶ୍ଚୟ ଦେଖି ସେ ସ୍ତବ୍ଧ ହୋଇ ଯାଇଥିଲେ। ହେଲେ ସେମାନଙ୍କୁ ଓ୍ୱାର୍ ଓ୍ୱିଡୋଜ୍ ବା ଯୁଦ୍ଧ ହେତୁ ବୈଧବ୍ୟ ଭିତ୍ତିରେ ସେନାରେ ଭର୍ତ୍ତି କରିବାର କୌଣସି ସ୍ୱତନ୍ତ୍ର ନିୟମ ବା ସୁବିଧା ନଥିଲା। ତେଣୁ ରନା ସେଇ ସମୟରେ ସେନା ମୁଖ୍ୟ ଥିବା ନିଜ ସ୍ୱାମୀଙ୍କ ଆଗରେ ଏ କଥା ଉଠାଇ ଅନୁରୋଧ କଲେ। ମେଜର ମଲିକ ଏ ପ୍ରସଙ୍ଗକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଉତ୍ଥାପନ କଲେ।

ଏହାର କିଛି ଦିନ ପରେ ଉଭୟଙ୍କୁ ସର୍ଭିସ୍ ସିଲେକ୍ସନ୍ ବୋର୍ଡ ନିକଟରେ ଉପସ୍ଥିତ ହେବାକୁ ଅନୁମତି ମିଳିଲା। ତେବେ ଥରେ ଅଫିସର୍‌ ହେବା ପରେ ସେମାନଙ୍କୁ କୌଣସି ସ୍ୱତନ୍ତ୍ର ସୁବିଧା ସୁଯୋଗ କିମ୍ବା ଇଚ୍ଛା ମୁତାବକ ଜାଗାରେ ପୋଷ୍ଟିଂ ମିଳିବାର ସୁଯୋଗ ନଥିବା ନେଇ ରନା ସ୍ପଷ୍ଟ କରିଦେଇଥିଲେ।

ରବୀନ୍ଦର ଓ ସବିନା ଚାହିଁଥିଲେ, ସେମାନେ ସମସ୍ତଙ୍କ ପରି ନିୟମକାନୁନ ଅନୁସାରେ ହିଁ ଯେପରି ଅଫିସର୍‌ ପଦ ପାଇଁ ଯୋଗ୍ୟ ବିବେଚିତ ହେବେ। ପରେ ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅଫିସର୍ସ ଟ୍ରେନିଂ ଏକାଡେମୀ(ଓଟିଏ), ଚେନ୍ନାଇରେ ଯୋଗ ଦେଲେ। ସେପ୍ଟେମ୍ବର ୧୯୯୮ରେ ରବୀନ୍ଦର ଓ ସବିନା ଓଟିଏରୁ ଉତ୍ତୀର୍ଣ୍ଣ ହୋଇ ଅଫିସର ହେବା ପରେ ସେନା ପାଇଁ ପ୍ରାଣ ବଳି ଦେଇଥିବା ସୈନିକମାନଙ୍କ ବିଧବା ପତ୍ନୀଙ୍କୁ ଅଫିସର୍‌ ପାହ୍ୟାରେ ନିଯୁକ୍ତି ଦେବାରେ ଭାରତୀୟ ସେନା ବିଶ୍ୱର ପ୍ରଥମ ଏପରି ସେନା ବାହିନୀ ପାଲଟି ଯାଇଥିଲା। ଏବେ ୫୧ ବର୍ଷ ବୟସ୍କା ରବୀନ୍ଦର ଜଣେ ଲେଫ୍ଟେନାଣ୍ଟ୍ କର୍ଣ୍ଣେଲ୍ ସ୍କୁବା ଡାଇଭିଂ ଓ ମାରାଥନରେ ମଧ୍ୟ ରୁଚି ରଖନ୍ତି ସେ।

ଏହି ବୀର ନାରୀମାନେ ଯେଭଳି ଗର୍ବର ବିଷୟ ହୁଅନ୍ତି, ଦୟାର ପାତ୍ର ନୁହନ୍ତି। ସେଇ ଉଦ୍ଦେଶ୍ୟରେ ସେନା ଏହି ପଦକ୍ଷେପ ଗ୍ରହଣ କରିଛି ଆଉ ଏ ଦିଗରେ ପ୍ରଥମେ ସ୍ଥଳ ସେନା ପଦକ୍ଷେପ ନେବା ପରେ ଏବେ ବାୟୁ ଓ ଜଳ ସେନା ମଧ୍ୟ ବୀରନାରୀମାନଙ୍କୁ ଅଫିସର୍‌ ଭାବେ ନିଯୁକ୍ତି ଦେବାକୁ ଆଗ୍ରହ ଦେଖାଉଛନ୍ତି। ଏପର୍ଯ୍ୟନ୍ତ ଏହିପରି ଅନ୍ତତଃ ୫୦ଜଣ ବୀର ନାରୀ ଭାରତୀୟ ସେନା ବାହିନୀରେ ଯୋଗ ଦେଇ ସାରିଲେଣି।

ତେବେ ଏଇ ବୀରନାରୀମାନଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ କୌଣସି ପ୍ରକାରର ଅନୁକମ୍ପା କିମ୍ବା ଦୟା ପ୍ରଦର୍ଶନ କରାଯାଏ ନାହିଁ ବରଂ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ପ୍ରଥମେ ଏମାନଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିଥାଏ, ପରେ ଏମାନଙ୍କୁ ଅନ୍ୟ ସମସ୍ତ ଅଫିସରଙ୍କ ଭଳି କଠିନ ପ୍ରଶିକ୍ଷଣ ଦେଇ ମଧ୍ୟ ଗତି କରିବାକୁ ପଡ଼ିଥାଏ। କେବଳ ବୟସ କ୍ଷେତ୍ରରେ ଏମାନଙ୍କ ପାଇଁ କିଛିଟା କୋହଳ ମନୋଭାବ ପ୍ରଦର୍ଶନ କରାଯାଏ।

ନିୟମ ଅନୁଯାୟୀ, କର୍ତ୍ତବ୍ୟରତ ଥିବା ସମୟରେ ପ୍ରାଣ ହରାଇଥିବା ସେନା କର୍ମଚାରୀମାନଙ୍କ ବିଧବା ପତ୍ନୀ(ସନ୍ତାନ ଥିବା ମହିଳା ମଧ୍ୟ)ମାନେ ସର୍ଟ ସର୍ଭିସ୍ କମିଶନ୍‌ରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏଥିପାଇଁ ୫ ପ୍ରତିଶତ ସଂରକ୍ଷିତ କୋଟା ରହିଛି ତଥା ସେମାନଙ୍କୁ ବୟସ ସୀମା କ୍ଷେତ୍ରରେ ମଧ୍ୟ ୪ ବର୍ଷ କୋହଳ ପ୍ରଦାନ କରାଯାଇଥାଏ। କିନ୍ତୁ ପୁନଃ ବିବାହ କରିଥିବା ମହିଳାମାନେ ଆବେଦନ କରିବା ପାଇଁ ଯୋଗ୍ୟ ନୁହନ୍ତି।

‘ଆର୍ମି ଓ୍ୱାଇଭ୍ସ ୱେଲଫେୟାର୍ ଆସୋସିଏସନ୍’ର ପୂର୍ବତନ ମୁଖ୍ୟ ରନା ମଲିକ କୁହନ୍ତି- ସେ ଖୁସି ଯେ, ସେ ଏଭଳି ଏକ ପଦକ୍ଷେପ ନେଇ ପାରିଛନ୍ତି, ଯାହା ଦ୍ୱାରା ବହୁ ବୀରନାରୀ ନିଜ ଗୋଡ଼ରେ ସମ୍ମାନର ସହ ଛିଡ଼ା ହୋଇପାରିବା ସହ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଉପକୃତ ହୋଇପାରୁଛନ୍ତି। ସେ ‘ଏଡବ୍ଲୁଡବ୍ଲୁଏ’ର ମୁଖ୍ୟ ଥିବା ସମୟରେ ରବୀନ୍ଦର ଓ ସବିନାଙ୍କ ବ୍ୟତୀତ ଆହୁରି ୮ ଜଣ ବୀର ନାରୀ ମଧ୍ୟ ସେନାରେ ନିଯୁକ୍ତି ପାଇଥିବା ସେ କୁହନ୍ତି।

ଏହି ନିୟମ ଭିତ୍ତିରେ ଯବାନମାନଙ୍କ ବିଧବା ପତ୍ନୀମାନେ ମଧ୍ୟ ସେନାରେ ଅଫିସର୍‌ ଭାବେ ନିଯୁକ୍ତି ପାଇବାକୁ ଯୋଗ୍ୟ। ଜଣେ ନନ୍ କମିଶନ୍ଡ ଅଫିସର୍‌ଙ୍କ ବିଧବା ପତ୍ନୀ ଭାବେ କ୍ୟାପ୍ଟେନ୍ ପ୍ରିୟା ସେମ୍ଓ୍ୱାଲ୍ ଏଭଳି ପ୍ରଥମ ମହିଳା, ଯିଏ ସେନାରେ ଅଫିସର ଭାବେ ନିଯୁକ୍ତି ପାଇ ପାରିଛନ୍ତି। ପ୍ରିୟାଙ୍କ ପତି ନାଏକ ଅମିତ ଶର୍ମା ୨୦୧୨ ମସିହାରେ ଅରୁଣାଚଳପ୍ରଦେଶର ତଓ୍ୱାଙ୍ଗଠାରେ ସେନାର ଏକ ଜବାବମୂଳକ କାର୍ଯ୍ୟାନୁଷ୍ଠାନ ସମୟରେ ପ୍ରାଣ ହରାଇଥିଲେ। ପରେ ସ୍ୱାମୀଙ୍କ ୟୁନିଟ୍‌ରେ ପ୍ରୋତ୍ସାହନରେ ପ୍ରିୟା ସେମ୍ଓ୍ୱାଲ୍ ଉଦ୍ଦିଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓଟିଏରେ ଯୋଗ ଦେଇଥିଲେ ଏବଂ ସେନାର ଇଲେକ୍ଟ୍ରିକାଲ୍ ଓ ମେକାନିକାଲ୍ କର୍ପସ୍‌ରେ ଯୋଗ ଦେଲେ।

କାର୍ଯ୍ୟକ୍ଷେତ୍ରରେ ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଆଦି ବଳରେ ସେନାରେ ନିଯୁକ୍ତ ବୀରନାରୀମାନେ ନିଜ ପାଇଁ ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି। ଧୀରେଧୀରେ ସେନାର ସର୍ଟ ସର୍ଭିସ୍ କମିଶନ୍ ନିକଟରେ ଏଭଳି ଆବେଦନ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଦିନକୁ ଦିନ ଏଇ ନିଯୁକ୍ତି ପ୍ରକ୍ରିୟା ଅଧିକ ପ୍ରତିଯୋଗିତାପୂର୍ଣ୍ଣ ହେବାରେ ଲାଗିଛି।

ସୌଜନ୍ୟ: ‘ଦ ଓ୍ୱିକ୍’ ଓ ଗୁଗୁଲ୍

ଦୂରଭାଷ: ୦୯୨୩୮୯୯୯୭୫୮