• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ଆଜିକାଲି ସ୍ୱାସ୍ଥ୍ୟକର ଖାଇବାକୁ ନେଇ ସମସ୍ତେ ସଚେତନ ହେଲେଣି। ଏହି ସମୟରେ କେତେକ ବିଦେଶୀ ସୁପର୍‌ଫୁଡ୍ ଉପରେ ଆମ ଯୁବଗୋଷ୍ଠୀ ଭରସା କରିବା ଆରମ୍ଭ କରିଛନ୍ତ। ଯଦି ଆପଣ ନିଜର ଡାଏଟ୍ ବା ଖାଦ୍ୟଶୈଳୀ ନେଇ ଅତ୍ୟନ୍ତ ସଚେତନ କିମ୍ୱା କେହି ଡାଇବେଟିସ୍ ଥିବା ବ୍ୟକ୍ତିଙ୍କ ଖାଦ୍ୟ ବିଷୟରେ ସବିଶେଷ ଜାଣିଛନ୍ତି ତେବେ କିନୁଆ ନାମକ ଏକ ଖାଦ୍ୟ ନିଶ୍ଚୟ ତାଲିକାରେ ଥିବାର ଦେଖିବେ।

ବିଶେଷ କରି ଯେଉଁମାନେ ଜିମ୍ ଯାଉଛନ୍ତି ବା କଲେଜ ଆଦିରେ ପଢ଼ୁଛନ୍ତି ବା ନୂଆ ନୂଆ କୌଣସି ସଂସ୍ଥାରେ ଚାକିରି କରୁଛନ୍ତି ସେମାନେ ତ ନିହାତି ଭାବେ ଏହି କିନୁଆକୁ ଖାଦ୍ୟ ତାଲିକାରେ ରଖିଥିବେ। ତେବେ ଅନେକ ଭାବୁଥିବେ ଯେ ଏ କିନୁଆଟା ଏମିତି କି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଯେ ସେଇଟା ଜାଣିବା ଦରକାର। ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

କିନୁଆ କ’ଣ:

କିନୁଆ ଏକ ଶସ୍ୟ ଜାତୀୟ ଖାଦ୍ୟ ଯାହା ଫାଇବର୍‌ ଓ ପ୍ରୋଟିନ୍‌ରେ ଭରପୂର। ସାଧାରଣତଃ ଏହାକୁ ଏକ ପାଶ୍ଚାତ୍ୟ ଦେଶର ଉତ୍ପାଦ ଭାବରେ ଆମେ ଜାଣୁ। ଏଣୁ ଏହାର କୌଣସି ଭାରତୀୟ ବା ଆଞ୍ଚଳିକ ନାମକରଣ କରାଯାଇ ନାହିଁ। ହେଲେ କିନୁଆ ସହ ସାମଞ୍ଜସ୍ୟ ରଖୁଥିବା କିଛି ଦେଶୀ ଶସ୍ୟ ହେଲା ରାଗି, ଗୁର୍ଜି, ଯଅ ଇତ୍ୟାଦି ଆମ ଓଡ଼ିଶା ତଥା ଭାରତର ଅନେକ ଜାଗାରେ ମିଳେ, ଯାହା କିନୁଆ ପରି ସମାନ ପୌଷ୍ଟିକ ଗୁଣରେ ଭରପୂର ଏବଂ ସମାନ ଉଦ୍ଭିଦ ପ୍ରଜାତିର ଅଟେ।

ତେବେ ଏହି ଦେଶୀ ଶସ୍ୟଗୁଡ଼ିକର ଗୁରୁତ୍ୱ ସ୍ଥାନୀୟ ଲୋକେ ଅନୁଭବ କରି ନଥିବାରୁ ଏହା ଏକ ବାହାରୁ ଆସୁଥିବା ଖାଦ୍ୟ ବୋଲି ଆମେ ଧରି ନେଇଛୁ। କିନ୍ତୁ କିନୁଆ ଏକ ପୂର୍ଣ୍ଣ ଶସ୍ୟ କିମ୍ୱା ମିଲେଟ୍ ନହୋଇ ଏକ ସ୍ୟୁଡୋ ସିରିଏଲ୍‌ ବା ଭ୍ରମିତ ଶସ୍ୟ ଅଟେ। ଅର୍ଥାତ୍ ଏହା ମକ୍କା, ଯଅ ପରି ମିଲେଟ୍ ଓ ଧାନ, ଗହମ ପରି ସିରିଏଲ୍‌ ଉଭୟଙ୍କ ଗୁଣ ରଖେ।

ଏହାର ବୈଜ୍ଞାନିକ ନାମ ହେଉଛି ଚିନୋପୋଡ଼ିୟମ୍ କିନୋଆ ଯାହା ଆମେ ଖାଉଥିବା ଖଡ଼ା ଶାଗର ପରିବାର ଆମାରାନ୍ଥାସି ଅନ୍ତର୍ଗତ। ଏହି ଗଛ ଦେଖିବାକୁ ମଧ୍ୟ ଡେଙ୍ଗା ଖଡ଼ା ଶାଗ ପରି। ଠିକ ଖଡ଼ା ଶାଗ ପରି ଏହାର ପେନ୍ଥା ପେନ୍ଥା ହୋଇ ଫୁଲ ହୋଇଥାଏ ଓ ପରେ ଛୋଟ ଛୋଟ ମଞ୍ଜି ହୁଏ। ଏହି ମଞ୍ଜିକୁ ହିଁ ଆମେ ଖାଇଥାଉ। ଏହା ପେରୁ ଓ ବଲିଭିଆର ଏକ ପ୍ରଧାନ ଫସଲ ରୂପେ ଚାଷ କରାଯାଏ। ଏବେ ଭାରତର ହିମାଚଳ ପ୍ରଦେଶ, କର୍ଣ୍ଣାଟକ, କେରଳ, ଆନ୍ଦ୍ରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଚାଷ କରାଯାଉଛି।

କିପରି ଖାଆନ୍ତି କିନୁଆ:

ଏହା ତ ଥିଲା କିନୁଆ ବିଷୟରେ କିଛି ଜାଣିବା କଥା। ଏବେ ଆସନ୍ତୁ ଜାଣିବା ଏହି କିନୁଆ ଆମେ କିପରି ଖାଇବା ଓ ଏହାର ଉପାଦେୟତା କ’ଣ ରହିଛି। କିନୁଆର ମଞ୍ଜିକୁ ଆମେ ବିଭିନ୍ନ ଉପାୟରେ ଖାଇଥାଉ। ଏହା ମାଣ୍ଡିଆ ପରି ଖିରି ହୋଇପାରିବ, ସୁଜି ପରି ଉପମା ହୋଇପାରିବ, ଭାତ ପରି ପଲଉ କରି ମଧ୍ୟ ଏହାକୁ ଖିଆଯାଇପାରିବ। ଏହାର ମଞ୍ଜିର ଉପର ଆସ୍ତରଣରେ ସାପୋନିନ୍ ନାମକ ଏକ ଦ୍ରବ୍ୟ ଥାଏ ଯାହା ଏହାର ସ୍ୱାଦକୁ ସ୍ୱଳ୍ପ ପିତା କରିଥାଏ। କିନ୍ତୁ ରାନ୍ଧିବା ଆଗରୁ ଗରମ ପାଣିରେ ଅଳ୍ପ ସମୟ ପକାଇଦେଲେ ଏହି ପିତା ଅଂଶ ଜଣାପଡ଼ିବ ନାହିଁ।

ଆଜିକାଲି ସୁପରମାର୍କେଟ୍‌ରେ ମିଳୁଥିବା କିନୁଆ ସବୁ ପଲିଶ୍ ହୋଇ ମାର୍କେଟ୍‌କୁ ଆସୁଛି। ତେବେ ଏହାକୁ ଭିଜାଇ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖି ରାନ୍ଧିବା ସମୟରେ ବାହାର କରିପାରିବେ। ଆପଣ ଏହାକୁ ସକାଳର ଜଳଖିଆ ଭାବେ ଉପମା ବା ଖିରି କରି ଖାଇପାରିବେ, ମଧ୍ୟାହ୍ନ ଭୋଜନରେ ଏବଂ ରାତିରେ ମଧ୍ୟ ପଲଉ ବା ଖେଚୁଡ଼ି ଆଦି ବନେଇ ଖାଇପାରିବେ ।

ସାଧାରଣତଃ ଡାଇବେଟିସ୍, ମେଦବହୁଳତା ଥିବା ବ୍ୟକ୍ତିମାନଙ୍କୁ ରୁଟି ତଥା ଉଷୁନା ଭାତ ଖାଇବାକୁ କୁହାଯାଏ। କାରଣ ଏହା ଶ୍ୱେତସାର ସହିତ ଉପକାରୀ ଫାଇବରରେ ଭରପୂର ଥାଏ। ଅନ୍ୟ ସମସ୍ତ ଖାଦ୍ୟସାର ପାଇଁ ଏହା ସହ ଆମକୁ ଡାଲି, ତରକାରି ଆଦି ନେବାକୁ ପଡ଼େ, କିନ୍ତୁ କମ୍ ସମୟରେ ଯଦି ଆମେ ଭାତ ବା ରୁଟି ଜାଗାରେ କିନୁଆ ବନେଇ ଲଞ୍ଚ୍ ବା ବ୍ରେକ୍‌ଫାଷ୍ଟ୍‌ କରିବା ତେବେ ଏକାସାଙ୍ଗେ ଶ୍ୱେତସାର, ଫାଇବର ଓ ଏହା ସହ ପ୍ରୋଟିନ୍ ଓ ମିନେରାଲସ୍ ବା ଖଣିଜ ଲବଣ ମଧ୍ୟ ମିଳିପାରିବ।

ପୋଷକ ତତ୍ତ୍ୱରେ ଭରା:

ରନ୍ଧା କିନୁଆରେ କମ୍ କ୍ୟାଲୋରୀ (୨୨୯କିଲୋ କ୍ୟାଲୋରୀ) ଥାଏ, ଶ୍ୱେତସାର ୪୨ ଗ୍ରାମ ଯେଉଁଥିରେ ଉପକାରୀ ଫାଇବର ୪ ଗ୍ରାମ, ୮ ଗ୍ରା ପ୍ରୋଟିନ୍, ୩.୫ଗ୍ରା ସ୍ନେହସାର (ଯେଉଁଥିରେ ଚ୍ରାନ୍ସ ଫ୍ୟାଟ୍ ଖୁବ୍ କମ୍ ପରିମାଣରେ ଥାଏ), କ୍ୟାଲ୍‌ସିୟମ୍, ଲୌହ ଓ ପୋଟାସିୟମ୍ ଆଦି ଯଥାକ୍ରମେ ୩୯ ମି.ଗ୍ରା, ୬ମି.ଗ୍ରା ଓ ୪୫୩ ମିଗ୍ରା ଥିଲାବେଳେ କୋଲେଷ୍ଟରଲ୍ ଆଦୌ ନଥାଏ।

ଭାତ ଓ ରୁଟି ଅପେକ୍ଷା ଏହା ଅପେକ୍ଷାକୃତ ଭାବେ ଫାଇବରର ଏକ ଭଲ ଉତ୍ସ। ଏହା ଆମର କ୍ଷୁଦାନ୍ତ୍ରର ଭିତର ପାର୍ଶ୍ୱକୁ ସଫା ରଖି ଏଠାରେ ଉପକାରୀ ବ୍ୟାକ୍ଟେରିଆ ବୃଦ୍ଧିରେ ସାହାଯ୍ୟ କରେ। ଏହାଛଡ଼ା ଆଉ ଏକ ଉପାଦେୟ କଥାହେଲା ଏଥିରେ ଗ୍ଲୁଟେନ୍ ନଥାଏ ଯାହା ଶରୀରର ପ୍ରୋଟିନ୍ ମେଟାବୋଲିଜମ୍‌କୁ ଠିକ ରଖେ ଓ ଗ୍ଲୁଟେନ୍ ଆଲର୍ଜି ଥିବା ବ୍ୟକ୍ତିମାନଙ୍କ ପାଇଁ ଭଲ ବିକଳ୍ପ।

ସୁପର୍‌ଫୁଡ୍ କିନୁଆ:

ଏହିସବୁ ଉପାଦାନର ପରିମାଣରୁ ଜଣାପଡ଼େ ଯେ କିନୁଆକୁ ଏକ ପୂର୍ଣ୍ଣ ମିଲ୍ ଭାବେ ନେବା କେତେ ଉପକାରୀ ହେବ। ଏହି କାରଣରୁ ଏହାକୁ ସୁପର୍‌ଫୁଡ୍ ବୋଲି କୁହାଯାଏ। ଏହା ଆମର ଆବଶ୍ୟକୀୟ ପୋଷକ ତତ୍ତ୍ୱକୁ ଭରଣ କରିବା ସହ ଆମକୁ ଡାଇବେଟିସ୍, ଗାଉଟ୍, ମେଦ ବହୁଳତା, କିଡ୍‌ନୀ ସମସ୍ୟା ଆଦି ରୋଗ ହେବାରୁ ରକ୍ଷା କରିବ। କିନୁଆରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ। ପଲିଶ୍ ହୋଇ ନଥିବା କିନୁଆରେ ଏହା ଅପେକ୍ଷାକୃତ ଅଧିକ ଥାଏ। ଏହା ରକ୍ତରେ ସୁଗାର୍‌ ଓ କୋଲେଷ୍ଟରଲ୍‌ ସ୍ତରକୁ ନିୟନ୍ତ୍ରିତ ରଖିବା ସହିତ ଇନ୍‌ସୁଲିନର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରେ।

କିପରି ରାନ୍ଧିବେ:

ତେବେ କିନୁଆକୁ ଖାଇବାବେଳେ ଯେଉଁ କେତେକ କଥା ଦୃଷ୍ଟିରେ ରଖିବାକୁ ହୁଏ ତାହା ହେଲା ଏହାର ଆବରଣରେ ସାପୋନିନ୍ ଓ ଅକ୍ଜାଲେଟ୍ ପରି କ୍ଷତିକାରକ ପଦାର୍ଥ ଥିବାରୁ ଏହାକୁ ରାନ୍ଧିବା ପୂର୍ବରୁ ଭଲଭାବେ ପାଣିରେ ଧୋଇବା ଓ ଭିଜାଇବା ଦରକାର, ଯାହାଦ୍ୱାରା ଏହାର ପ୍ରଭାବ ରହି ନଥାଏ। ଏହା ଯେହେତୁ ଶସ୍ତାରେ ମିଳେ ନାହିଁ ତେଣୁ ସାଧାରଣ ଲୋକ ଏହା ବିଷୟରେ ଜାଣିବା ତଥା ଖାଦ୍ୟ ରୂପେ ନେବାରେ ଅନାଗ୍ରହୀ ହୁଅନ୍ତି। ତେବେ ଏହା ସହ ପୋଷକତତ୍ତ୍ୱର ସାମଞ୍ଜସ୍ୟ ରଖୁଥିବା ସ୍ଥାନୀୟ ଉତ୍ପାଦିତ ଶସ୍ୟ ଯେପରିକି ଗୁର୍ଜି, ମାଣ୍ଡିଆ, ଯଅ ଆଦି ଆପଣ ବିକଳ୍ପ ଭାବେ ନେଇପାରିବେ।

ଏହା ମୂଳତଃ ଏକ ଉତ୍ତର ଆମେରିକୀୟ ଖାଦ୍ୟ ଶସ୍ୟ ହୋଇଥିଲେ ହେଁ ଧିରେ ଧିରେ ଏହାର ପୋଷକ ଗୁଣ ଯୋଗୁଁ ଏହାର ଚାହିଦା ବଢ଼ିବାରେ ଲାଗିଛି। ଏଣୁ ଆମ ଭାରତ ସମେତ କେତେକ ଏସୀୟ ରାଷ୍ଟ୍ରରେ ମଧ୍ୟ ଏହାର ଚାଷ କରାଯାଉଛି। ଆଜିକାଲିର ବ୍ୟସ୍ତବହୁଳ ଅଫିସ୍, ସ୍କୁଲ, କଲେଜ, ବ୍ୟବସାୟ ପ୍ରତିଷ୍ଠାନ ଆଦିରେ ଆମେ ଏହାକୁ ଏକ ପୂର୍ଣ୍ଣ ପୋଷକର ଭୋଜନ ରୂପେ ଅତି ସହଜରେ ବ୍ୟବହାର କରିପାରିବା। ଏହା ଦ୍ୱାରା ଆମ ସମୟ ବଞ୍ଚିବ ଏବଂ ସ୍ୱାସ୍ଥ୍ୟ ବି ଭଲ ରହିବ।