• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ବିଗତ କିଛି ବର୍ଷ ମଧ୍ୟରେ ଆପଣ ଖବରକାଗଜ କିମ୍ବା ମ୍ୟାଗାଜିନ୍‌ଗୁଡିକରେ ନିହାତି ଷ୍ଟେମ୍ ସେଲ୍ ଉପରେ ହେଉଥିବା ଗବେଷଣା ତଥା ତା’ର ଉପାଦେୟତା ବିଷୟରେ ବାରମ୍ବାର ପଢୁଥିବେ। ଅନେକ ଦୁସାଦ୍ଧ୍ୟ ରୋଗର ଚିକିତ୍ସା ବିଷୟରେ ଆଲୋଚନା ସମୟରେ ଅନେକ ଏହି ଷ୍ଟେମ୍ ସେଲ୍ ବିଜ୍ଞାନ ଓ ଚିକିତ୍ସା ଉପରେ ଅଧିକ ଗବେଷଣା ତଥା ଗୁରୁତ୍ୱ ଦେବା ଶୁଣିଥିବେ।

ଅନେକ ସମୟରେ "ଷ୍ଟେମ୍" ଶବ୍ଦ ଶୁଣି ଏହା କୌଣସି ଗଛର ଡାଳରୁ କୋଷ ବା ସେଲ୍ ଅଲଗା କରି ଚିକିତ୍ସା କରାଯିବା କଥା ମଧ୍ୟ ଲୋକଙ୍କ ମନରେ ଭ୍ରାନ୍ତ ଧାରଣାଥାଏ। ଏତେ ସବୁ ଆଲୋଚନା ତଥା ଲେଖା ପଢିଲା ପରେ ଆପଣ ଅନେକ ଭୟଙ୍କର ତଥା ପ୍ରାଣଘାତି ରୋଗର ଚିକିତ୍ସାର ସମ୍ଭାବନାକୁ ନେଇ ନିଶ୍ଚିତ ଆଶାବାନ ଥିବେ।

ଷ୍ଟେମ୍ ସେଲ୍ କ'ଣ:

ଷ୍ଟେମ୍ ସେଲ୍ ହେଉଛି ଜୀବ ଶରୀରର (ଉଭୟ ଉଦ୍ଭିଦ ଏବଂ ପ୍ରାଣୀ) କଞ୍ଚା ମାଲ୍ ବା ର-ମଟେରିଆଲ୍ ସଦୃଶ, ଏଥିରୁ ବିଭିନ୍ନ ପ୍ରକାର ଏବଂ କାର୍ଯ୍ୟନିର୍ବାହୀ କୋଷ ନିର୍ମାଣ ବା ବିକଶିତ ହୋଇପାରେ। ଷ୍ଟେମ୍ ସେଲ୍‌ଗୁଡିକର ଖାସ ଗୁଣ ହେଉଛି, ଶରୀରର ଯେଉଁ ଅ°ଶରେ ଏହାକୁ ପ୍ରତିରୋପଣ ବା ସ୍ଥାପିତ କରାଯାଏ, ଏହା ସେହି ଅ°ଶର କୋଷ ଆକାରରେ ବିକଶିତ ହୁଏ।

ସଠିକ୍‌ ପରିବେଶ ଏବଂ ପରିସ୍ଥିତିରେ ଷ୍ଟେମ୍ ସେଲ୍‌ଗୁଡିକ ଉଭୟ ମାନବ ଶରୀର ଏବଂ ଲାବୋରେଟୋରୀରେ ବିଭିନ୍ନ ଆବଶ୍ୟକୀୟ ନୂତନ ସେଲ୍‌କୁ ଉତ୍ପନ୍ନ କରିପାରନ୍ତି, ଯାହାକୁ ଡଟର୍‌ ସେଲ୍ କୁହାଯାଏ। ଏହି ଡଟର୍ ସେଲ୍‌ଗୁଡିକ ଉଭୟ ନୂତନ ଷ୍ଟେମ୍ ସେଲ୍ କିମ୍ବା ଆବଶ୍ୟକୀୟ କାର୍ଯ୍ୟ କରିପାରୁଥିବା କୋଷ ଯେମିତିକି ରକ୍ତକୋଷ, ମସ୍ତିଷ୍କ କୋଷ, ଜକୃତ କୋଷ, ଅସ୍ତି କୋଷ, ହୃଦୟ କୋଷ, ହେୟାର ଫଲିକଲ୍ ଆକାରରେ ବିକଶିତ ହୋଇପାରନ୍ତି।

ଷ୍ଟେମ୍ ସେଲ୍ ଥେରାପିର ଉପଯୋଗୀତା:

ଲାବୋରେଟୋରୀରେ ବିକଶିତ ଆବଶ୍ୟକୀୟ ସୁସ୍ଥ କୋଷ ଦ୍ୱାରା ରୋଗାକ୍ରାନ୍ତ ଅଙ୍ଗ-ପ୍ରତ୍ୟଙ୍ଗର କୋଷଗୁଡିକ ଯାଗାରେ ସ୍ଥାପିତ କରି ନୂତନ ସୁସ୍ଥ କୋଷ ତିଆରି ବା ରିଜେନେରେଟ୍ କରିହେବ। ଏହି ଚିକିତ୍ସା ପଦ୍ଧତିରେ ଉନ୍ନତି ଟାଇପ୍ ୱାନ୍ ଡାଇବେଟିସ୍, ପାର୍କିସୋନିଜମ୍, ଆଘାତପ୍ରାପ୍ତ ମେରୁଦଣ୍ଡ, ଆଲ୍‌ଜେମର୍ସ ଡିଜିଜ୍, ହୃଦୟର ମା°ସପେଷୀର ରୋଗ, ବ୍ରେନ୍-ଷ୍ଟ୍ରୋକ୍, କ୍ୟାନସର, ଅଷ୍ଟିଓଆର୍ଥ୍ରାଇଟିସ୍ ଏବଂ ଶରୀରର ଜଳିଯାଇଥିବା କୌଣସି ଅ°ଗ ଆଦିରେ ପୀଡିତ ବ୍ୟକ୍ତି ବିଶେଷ ଉପକୃତ ହେବେ।

ଷ୍ଟେମ୍ ସେଲ୍ ଥେରାପି ଦ୍ୱାରା ରିଜେନେରେଟିଭ୍ ଏବଂ ଟ୍ରାନ୍ସପ୍ଲାଣ୍ଟ୍‌ ଥେରାପିରେ ବିଶେଷ ସାହାଯ୍ୟ ମିଳିବ। ସେହିପରି ଷ୍ଟେମ୍ ସେଲ୍‌ରୁ ଶରୀରର ଅନ୍ୟ ବିଭିନ୍ନ କୋଷ ଯେମିତିକି ହୃଦୟ, ସ୍ନାୟୁ, ଅସ୍ତି ଏବଂ ରକ୍ତ କୋଷର ନିର୍ମାଣ ସମୟର ଗବେଷଣା ସମୟରେ ସେହି କୋଷଗୁଡିକରେ ଦେଖାଯାଉଥିବା ରୋଗଗୁଡିକ ବିଷୟରେ ଅଧିକ ଗଭୀର ଗବେଷଣା କରିବା ମଧ୍ୟ ସହଜ ତଥା ସମ୍ଭବ ହେବ।

କେବଳ ରୋଗାକ୍ରାନ୍ତ କୋଷକୁ ନୂତନ ସୁସ୍ଥ କୋଷ ଦ୍ୱାରା ରିଜେନେରେଟ୍ କିମ୍ବା କୌଣସି ରୋଗ ବିଷୟରେ ଗବେଷଣା ପାଇଁ ଯେ ଷ୍ଟେମ୍ ସେଲ୍ ଗବେଷଣା ଦ୍ୱାରା ସାହାଯ୍ୟ ମିଳିବ ତା’ ନୁହେଁ, ବର° ନୂତନ ଔଷଧଗୁଡିକର ସଫଳ ପରୀକ୍ଷଣ, ଜୀବକୋଷଗୁଡିକ ଉପରେ ସେମାନଙ୍କର ପ୍ରଭାବ ଓ କୁପ୍ରଭାବ ଏବଂ ଟକ୍ସିସିଟି ବିଷୟରେ ଅଧିକ ଗଭୀର ଭାବରେ ଅନୁଧ୍ୟାନ କରିହେବ।

ଷ୍ଟେମ୍ ସେଲ୍‌ର ଉତ୍ସ:

୩ -୫ ଦିନ ବୟସର ଗୋଟିଏ ଭୃଣ (ଏମ୍ବ୍ରିଓ) ଯେତେବେଳେ ୧୫୦ କୋଷ ବିଶିଷ୍ଟ ହୋଇଥାଏ ସେଥିରୁ ଷ୍ଟେମ୍ ସେଲ୍ ମିଳିଥାଏ, ଏହାକୁ ଏମ୍ବ୍ରିଓନିକ୍ ଷ୍ଟେମ୍ ସେଲ୍ କୁହାଯାଏ। ଏହି ଅବସ୍ଥାରେ (ପ୍ଲୁରିପୋଟେଣ୍ଟ ସେଲ୍) କୋଷଗୁଡିକ ଶରୀରର ଯେକୌଣସି ଅ°ଶ ଏବଂ ଅଙ୍ଗର କୋଷକୁ ସହଜରେ ବିକଶିତ ହୋଇପାରନ୍ତି।

ଏମାନଙ୍କ ନମନୀୟ ତଥା ଭର୍ସାଟାଇଲ୍ ଗୁଣ କାରଣରୁ ରୋଗାକ୍ରାନ୍ତ କୋଷଗୁଡିକର ପୁନଃନିର୍ମାଣ ତଥା ଟ୍ରାନ୍ସପ୍ଲାଣ୍ଟ୍‌ ଥେରାପି କ୍ଷେତ୍ରରେ ଏହା ବିଶେଷ ଉପକାରୀ ସାବ୍ୟସ୍ତ ହେବ। କିନ୍ତୁ ଏବ୍ରିଓନିକ୍ ଷ୍ଟେମ୍ ସେଲ୍ କୌଣସି ମାତୃ ଗର୍ଭରୁ ନିଆଯାଏନି, ବର° ଆଇଭିଏଫ୍ ପଦ୍ଧତି ଦ୍ୱାରା ଲାବୋରେଟୋରୀରେ କରାଯାଉଥିବା ଫର୍ଟିଲାଇଜେସନ୍ ମାଧ୍ୟମରେ ଟ୍ୟୁବ୍ କିମ୍ବା ପେଟ୍ରିଡିସ୍‌ରେ ବିକଶିତ କରାଯାଇଥିବା ଭୃଣରୁ ଏହି ଷ୍ଟେମ୍ ସେଲ୍‌କୁ ସ°ଗ୍ରହ କରାଯାଏ ଏବଂ ଏହା ପାଇଁ ଦମ୍ପତିଙ୍କ ଠାରୁ ଲିଖିତ ଆକାରରେ ଅନୁମତି ମଧ୍ୟ ନିଆଯାଏ।

ଏହାଛଡା ଗବେଷକମାନେ ଆମ୍ନିଓଟିକ୍ ଫ୍ଲୁଇଡ୍ ଏବଂ ଅମ୍ବ୍ଲିକାଲ୍ କର୍ଡର ରକ୍ତରୁ ମଧ୍ୟ ଷ୍ଟେମ୍ ସେଲ୍ ଆବିଷ୍କାର କରି ସେଥିରୁ ନୂତନ ସୁସ୍ଥ ଏବଂ ସ୍ପେସିଫିକ୍ କୋଷ ନିର୍ମାଣ କରିବାରେ ସଫଳ ହୋଇଛନ୍ତି, ଏହି ଷ୍ଟେମ୍ ସେଲ୍‌କୁ ପେରିନାଟାଲ୍ ଷ୍ଟେମ୍ ସେଲ୍ କୁହାଯାଏ। ସେହିପରି ମଣିଷ ଶରୀରର ବିଭିନ୍ନ ଅ°ଶର କୋଷଗୁଡିକୁ ନେଇ ମଧ୍ୟ ପରୀକ୍ଷା କରାଯାଉଛି, ଉଦାହରଣ ସ୍ୱରୂପ ମଣିଷର ଅସ୍ତିମଜ୍ଜା ତଥା ଫ୍ୟାଟ୍ କୋଷଗୁଡିକରୁ ଷ୍ଟେମ୍ ସେଲ୍ ମିଳିଥାଏ ଯାହାକୁ ଆଡଲ୍ଟ ଷ୍ଟେମ୍ ସେଲ୍ କୁହାଯାଏ।

ଏପର୍ଯ୍ୟନ୍ତ କରାଯାଇଥିବା ପରୀକ୍ଷଣରେ ଆଡଲ୍ଟ ଷ୍ଟେମ୍ ସେଲ୍ ନିଜର ଉତ୍ପତ୍ତି ସ୍ଥଳ ଅନୁସାରେ କେବଳ ସେହି ଅ°ଶ ବା ଅଙ୍ଗର ନୂତନ କୋଷ ନିର୍ମାଣ କରାଯିବାରେ ସଫଳତା ମିଳିଛି। ଏବେ ମଧ୍ୟ ଅସ୍ତିମଜ୍ଜାର ଆଡଲ୍ଟ ଷ୍ଟେମ୍ ସେଲ୍‌ରୁ ସ୍ନାୟୁ କିମ୍ବା ହୃଦୟ କୋଷର ତିଆରି ସମ୍ଭାବନା ଉପରେ ଗବେଷଣା ଚାଲିଛି।

ଯଦିଓ ପରୀକ୍ଷଣ ଏବଂ ଜେନେଟିକ୍-ରିପ୍ରୋଗ୍ରାମି° ଦ୍ୱାରା ବୈଜ୍ଞାନିକମାନେ ଆଡଲ୍ଟ ଷ୍ଟେମ୍ ସେଲ୍‌କୁ କିଛି ମାତ୍ରାରେ ଏମ୍ବ୍ରିଓନିକ୍ ଷ୍ଟେମ୍ ସେଲ୍ ପରି ପୁନଃନିର୍ମାଣ ଏବଂ ବ୍ୟବହାର କରିବାରେ ସଫଳ ହୋଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ଷ୍ଟେମ୍ ସେଲ୍ ଜେନେଟିକ୍-ରିପ୍ରୋଗ୍ରାମି°ର କୁପ୍ରଭାବର ଆଶଙ୍କାକୁ ସେମାନେ ସମ୍ପୂର୍ଣ୍ଣ ରୂପେ ଏଡାଇ ପାରନାହାନ୍ତି। ଏମ୍ବ୍ରିଓନିକ୍ ଷ୍ଟେମ୍ ସେଲ୍‌ର ବ୍ୟବହାରକୁ ନେଇ ଅନେକ ବିବାଦ ଲାଗିରହିଥିବାରୁ, ଯଦିଓ ବୈଜ୍ଞାନିକ ଏବଂ ଗବେଷଣାକମାନେ ଆଡଲ୍ଟ ଷ୍ଟେମ୍ ସେଲ୍‌କୁ ନେଇ ଗବେଷଣା ଉପରେ ଫୋକସ୍ କରୁଛନ୍ତି କିନ୍ତୁ ଆଡଲ୍ଟ ଷ୍ଟେମ୍ ସେଲ୍ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଭିନ୍ନ କ୍ଷତିକାରକ ରସାୟନ ତଥା ଟକ୍ସିନ୍ ଦ୍ୱାରା ପ୍ରଭାବିତ ହୋଇଥିବାର ଆଶଙ୍କା ବିଷୟରେ ମଧ୍ୟ ସତର୍କ କରିଛନ୍ତି।

ସେହିପରି ଏପର୍ଯ୍ୟନ୍ତ ଏମ୍ବ୍ରିଓନିକ୍ ଷ୍ଟେମ୍ ସେଲ୍‌ର ବ୍ୟବହାର ଦ୍ୱାରା ଯେ କେବଳ ଆବଶ୍ୟକୀୟ ଏବଂ ଇଚ୍ଛାକୃତ କୋଷ ହିଁ ନିର୍ମାଣ ହେବ ଏବଂ ଏମ୍ବ୍ରିଓନିକ୍ ସେଲ୍‌ ଯେ ପ୍ରତିରୋପଣ ପରେ ନିଜର ପ୍ରକୃତି ଅନୁସାରେ ଶରୀରର ଅନ୍ୟ କୋଷ ନିର୍ମାଣ କରିବ ନାହିଁ, ସେମିତି ଠୋସ୍ ପ୍ରମାଣ ମିଳି ନାହିଁ। ଏ ଉପରେ ଏବେ ମଧ୍ୟ ଆହୁରି ଗବେଷଣା ଚାଲୁ ରହିଛି।

ଏପର୍ଯ୍ୟନ୍ତ ବୈଜ୍ଞାନିକ ଏବଂ ଚିକିତ୍ସକମାନେ ଷ୍ଟେମ୍ ସେଲ୍ ଥେରାପି ହିସାବରେ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ୍‌ ଦ୍ୱାରା ରକ୍ତ ସହ ଜଡିତ କିଛି ପ୍ରକାରର ରୋଗ ଯେମିତିକି ଲ୍ୟୁକେମିଆ, ଲିମ୍ଫୋମା, ନ୍ୟୁରୋବ୍ଲାଷ୍ଟୋମା ଏବଂ ମଲ୍ଟିପଲ୍-ମାଏଲୋମା ଆଦିର ଚିକିତ୍ସା କରିପାରିଛନ୍ତି।

ଏହି ଉଦ୍ଦେଶ୍ୟରେ ଆଡଲ୍ଟ ଷ୍ଟେମ୍ ସେଲ୍ କିମ୍ବା ଅମ୍ବ୍ଲିକାଲ୍ କର୍ଡର ରକ୍ତ କଣିକା ବ୍ୟବହାର କରାଯାଏ। ଏବେ ଆଡଲ୍ଟ ଷ୍ଟେମ୍ ସେଲ୍‌ର ବ୍ୟବହାର ଦ୍ୱାରା ହାର୍ଟ ଫେଲ୍ୟୋର୍ ପରି ଡିଜେନେରେଟିଭ୍ ରୋଗଗୁଡିକର ଚିକିତ୍ସା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏବଂ ଅମ୍ବ୍ଲିକାଲ୍ କର୍ଡର ରକ୍ତରୁ ଷ୍ଟେମ୍ ସେଲ୍ ଥେରାପି ସମ୍ଭବ ହେଉଥିବାରୁ ଅନେକ ଯାଗାରେ ଅମ୍ବ୍ଲିକାଲ୍ ବ୍ଲଡ୍‌ ବ୍ୟାଙ୍କ୍‌ ବା ଜନ୍ମ ନାଡ ସ°ରକ୍ଷିତ ରଖିବାର ସେଣ୍ଟରଗୁଡିକର ନିର୍ମାଣ ପାଇଁ ବିଶେଷ ଧ୍ୟାନ ଦିଆଯାଉଛି।

କେବଳ ସରକାରୀ ବା ବୈଜ୍ଞାନିକ ସ୍ତରରେ ନୁହେଁ, ସାଧାରଣ ଲୋକଙ୍କ ମଧ୍ୟରେ ଷ୍ଟେମ୍ ସେଲ୍ ଥେରାପିର ଉପଯୋଗୀତା ବିଷୟରେ ଧାରଣା ବଢିଲେ ହିଁ ଏହାର ଗବେଷଣା କ୍ଷେତ୍ରରେ ଅଧିକ ଉନ୍ନତି ଆସିବ ଏବଂ ଆସନ୍ତା ଦିନରେ ଆମ ଚିକିତ୍ସା ବିଜ୍ଞାନ ଅନେକ ଦୁଃସାଦ୍ଧ୍ୟ ରୋଗର ସଫଳ ଚିକିତ୍ସା କରିପାରିବ।

ଭୁବନେଶ୍ୱର, ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)