Advertisment

Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ

ଗୃହରେ ବସବାସ କଲାପରେ ଯଦି କୌଣସି ସମସ୍ୟା ଆସେ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ପ୍ରତିକାର କଲେ ଶୁଭଫଳ ମିଳେ ସତ କିନ୍ତୁ କେତେକ ସାଧାରଣ ଏବଂ ସମସ୍ତଙ୍କ ପାଇଁ ଉପଯୋଗୀ କେତେକ ନିୟମ ଦ୍ୱାରା ଆମେ ବହୁମାତ୍ରାରେ ବାସ୍ତୁଦୋଷକୁ କମ୍ କରିପାରିବା। ତେବେ ଆସନ୍ତୁ ସେହି ବିଷୟରେ ଜାଣିବା।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Some general Vastu tips each one should obey

Some general Vastu tips each one should obey

ନୂତନ ଗୃହ ନିର୍ମାଣ ସମୟରେ ବାସ୍ତୁଶାସ୍ତ୍ରର ସମସ୍ତ ନିତି ନିୟମ ଅତି ସାବଧାନତାର ସହିତ ମାନିବା ଆବଶ୍ୟକ। ଗୃହରେ ବସବାସ କଲାପରେ ଯଦି କୌଣସି ସମସ୍ୟା ଆସେ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ପ୍ରତିକାର କଲେ ଶୁଭଫଳ ମିଳେ ସତ କିନ୍ତୁ କେତେକ ସାଧାରଣ ଏବଂ ସମସ୍ତଙ୍କ ପାଇଁ ଉପଯୋଗୀ କେତେକ ନିୟମ ଦ୍ୱାରା ଆମେ ବହୁମାତ୍ରାରେ ବାସ୍ତୁଦୋଷକୁ କମ୍ କରିପାରିବା। ତେବେ ଆସନ୍ତୁ ସେହି ବିଷୟରେ ଜାଣିବା।

Advertisment
  • ଗୃହର ସମସ୍ତ ଦିଗ ଏବଂ କୋଣ ମଧ୍ୟରୁ ସବୁଠାରୁ ସମ୍ବେଦନଶୀଳ କୋଣ ହେଉଛି ଉତ୍ତର-ପୂର୍ବ କୋଣ ବା ଐଶାନ୍ୟ କୋଣ। ଏଣୁ ଏହି ସ୍ଥାନରେ ବାସ୍ତୁଦୋଷ ଅତ୍ୟନ୍ତ କ୍ଷତିକାରକ। ଏହି ସ୍ଥାନରେ ଶିଢିଘର, ଶୌଚାଳୟ, ଅଳିଆ ଆବର୍ଜନା ଜମା କରିବା ଉଚିତ ନୁହେଁ। ଯଦି ଏହି ସ୍ଥାନରେ ଏହିପରି ସ୍ଥିତି ଅଛି ତେବେ ଏହି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରନ୍ତୁ ଏବଂ ଶୌଚାଳୟ ପାଇଁ ପ୍ରତିକାର ନ କରି ଏହାର ସ୍ଥାନାନ୍ତର କରି ଦିଅନ୍ତୁ।
  • ଯଦି ଏଠାରେ ଶିଢ଼ିଘର ନିର୍ମାଣ ହୋଇଯାଇଥାଏ ତେବେ ଶିଢ଼ିଘରକୁ ଭାଙ୍ଗିବା ସମ୍ଭବ ନ ହେଉଥିଲେ ବାସ୍ତୁବିତ୍‌ଙ୍କ ସାହାଯ୍ୟ ନେଇ ପ୍ରତିକାର କରନ୍ତୁ। ଯଦି ଆପଣଙ୍କ ଐଶାନ୍ୟ କୋଣଟି ବାସ୍ତୁସମ୍ମତ ହୋଇଥାଏ ତେବେ ଅନେକ ବାସ୍ତୁଦୋଷର ଦୁଃସପ୍ରଭାବ କମିଯାଇଥାଏ। ଏଣୁ ଏହି କୋଣ ପ୍ରତି ବିଶେଷ ଯତ୍ନବାନ ରହି ଗୃହନିର୍ମାଣ କରନ୍ତୁ।
  • ଗୃହ ମଧ୍ୟରେ କ୍ୟାଲେଣ୍ଡର, କାନ୍ଥଘଣ୍ଟା, ଦର୍ପଣ, ଦେବି ଦେବତାଙ୍କ ଫଟୋ ଚିତ୍ର ଯାହା ପୂଜା କରାଯାଉ ନାହିଁ ସେହିସବୁ ଜିନିଷ ଗୃହର ପୂର୍ବ କିମ୍ବା ଉତ୍ତର କାନ୍ଥରେ ରଖିବା ଭଲ।
  • ଆମେ ଗୃହରେ ସ୍ୱର୍ଗବାସୀ ବ୍ୟକ୍ତିଙ୍କ ଫଟୋ ଶ୍ରଦ୍ଧାର ସହିତ ରଖିଥାଉ ଏହି ଫଟୋ ଚିତ୍ର ସବୁବେଳେ ଦକ୍ଷିଣ ଦିଗର କାନ୍ଥରେ ରଖିବେ ନ ହେଲେ ପଶ୍ଚିମ କାନ୍ଥରେ ମଧ୍ୟ ରଖିପାରିବେ। ଏହିସବୁ ଫଟୋଚିତ୍ର କେବେବି ଶୟନ କକ୍ଷରେ କୌଣସି ବି କାନ୍ଥରେ ରଖିବେ ନାହିଁ।
  • ଆଗରୁ ଶୌଚାଳୟ ଗୃହ ବାହାରେ ଥିଲା, କାଳକ୍ରମେ ବିଭିନ୍ନ କାରଣରୁ ଗୃହ ଭିତରେ ନିର୍ମାଣ ହେବାକୁ ଲାଗିଲା କିନ୍ତୁ ବର୍ତ୍ତମାନ ସମୟରେ ପ୍ରତ୍ୟେକ ଶୟନ କକ୍ଷରେ ଗୋଟେ ଗୋଟେ ଶୌଚାଳୟ କରାଯାଉଛି। ଶୌଚାଳୟର ସ୍ଥାନ ବାସ୍ତୁର ନିୟମ ଆଗରୁ ଆମେ ଜାଣିଛେ। କିନ୍ତୁ ସାଧାରଣ ଭାବରେ ଯେଉଁ ପାଇଖାନା ପ୍ୟାନ୍ ବା ମଳତ୍ୟାଗ କଲାବେଳେ ଆପଣଙ୍କର ମୁଖ ଯେମିତି ଦକ୍ଷିଣ କିମ୍ବା ଉତ୍ତରକୁ ହେଉଥିବ ସେଥିପ୍ରତି ବିଶେଷ ଧ୍ୟାନଦେବେ। ସ୍ନାନ କଲାବେଳେ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି ସ୍ନାନ କଲେ ଶୁଭ।
  • ଶୟନ କକ୍ଷରେ ଡ୍ରେସିଂ ଟେବୁଲ୍ କିମ୍ବା ଖାଲି ଦର୍ପଣ ରଖିବା ଶୁଭ ନୁହେଁ କିନ୍ତୁ ଯଦି ରଖୁଛନ୍ତି ତେବେ ଶୟନ କକ୍ଷର ଉତ୍ତର କିମ୍ବା ପୂର୍ବ କାନ୍ଥରେ ଡ୍ରେସିଙ୍ଗ୍ ଟେବୁଲ୍ କିମ୍ବା ଦର୍ପଣ ରଖନ୍ତୁ ଯେମିତି ଆପଣ ଦର୍ପଣ ଦେଖିଲା ବେଳେ ଉତ୍ତର କିମ୍ବା ପୂର୍ବକୁ ମୁଖ ହେବ। ସଦାସର୍ବଦା ଦର୍ପଣକୁ କପଡା ଦ୍ୱାରା ଢାଙ୍କିକି ରଖନ୍ତୁ ଏବଂ ଶୋଇଲାବେଳେ ଶୟନ କରିଥିବା ବ୍ୟକ୍ତିଙ୍କ ପ୍ରତିବିମ୍ବ ଯେମିତି ଦର୍ପଣରେ ଆସୁ ନଥିବ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
  • ଖଟ, ସୋଫାସେଟ୍‌, ଫ୍ରିଜ୍‌, ୱାସିଙ୍ଗ୍ ମେସିନ୍ ଆଦି କାନ୍ଥ ଠାରୁ ଅନ୍ୟୁନ ୬ ଇଞ୍ଚ ଛାଡି ରଖନ୍ତୁ।
  • ଗୃହ ମଧ୍ୟରେ କୁଲର୍‌, ବଡ ଷ୍ଟାଣ୍ଡ୍‌ ଫ୍ୟାନ୍ ଏବଂ ଏୟାର କଣ୍ଡିସନ୍‌ର ଆଦି ବାୟୁ ଉତ୍ପନ୍ନ କରୁଥିବା ଉପକରଣ ସଦା ସର୍ବଦା ପଶ୍ଚିମ କାନ୍ଥ କିମ୍ବା ଉତ୍ତର-ପଶ୍ଚିମ (ବାୟୁ କୋଣ) ସ୍ଥାନରେ ରଖନ୍ତୁ। ଅଗ୍ନି କୋଣରେ କେବେ ବି ରଖନ୍ତୁ ନାହିଁ।

ଆଉ କେତେକ ନିୟମ ଆଗକୁ ଜାଣିବା।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Vastu Shastra
Advertisment
Advertisment