ସ୍ମୃତି ଶ୍ରୀନିବାସ ମାନ୍ଧାନା - ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଜଣେ ପ୍ରମୁଖ ବ୍ୟାଟର୍। ଅନେକ ସମୟରେ ସ୍ମୃତିଙ୍କ ବ୍ୟାଟିଂର ଦମ୍ରେ ଭାରତୀୟ ଟିମ୍ ବିଜୟ ହାସଲ କରିଛି ଆଉ ବେଳେବେଳେ ତାଙ୍କ ବିଫଳତାରେ ଟିମ୍ ବିଫଳ ବି ହୋଇଛି। ଏବେ ସୁଦୂର ବର୍ମିଂହାମ୍ରେ ଚାଲିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଏବଂ ଏଥିରେ ନିଜ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ସ୍ମୃତି।
ମୁମ୍ବାଇର ଗଳିକନ୍ଦିରେ ଖେଳରୁ ଭାରତୀୟ ଟିମ୍ର ଅଭିନ୍ନ ଅଙ୍ଗ ପାଲଟିବା - ଏ ଯାତ୍ରା ସହଜ ନ ଥିଲା ତାଙ୍କ ପାଇଁ। ଝିଅ ପିଲା କ’ଣ କ୍ରିକେଟ୍ ଖେଳିବ; କ୍ରିକେଟ୍ ଖେଳିଲେ କଳା ପଡ଼ିଯିବ, କେହି ବାହା ହେବେନି ଭଳି ବାର କଥାକୁ ଖାତିର ନ କରି ସେ ଉପରକୁ ଉଠିଥିଲେ ବାପା, ମାଆ ଓ ଭାଇର ସମର୍ଥନରେ। ତାଙ୍କ ଭିତରର ଅଦମନୀୟ ଇଚ୍ଛାଶକ୍ତି ଆଗରେ ନାକ ଟେକୁଥିବା ଲୋକମାନେ କାହିଁ କୁଆଡ଼େ ହଜିଗଲେ; ଅଥଚ ଅର୍ଜୁନ ପୁରସ୍କାରରେ ସମ୍ମାନିତ ସ୍ମୃତି ଆଜି ବିଶ୍ୱ କ୍ରିକେଟ୍ରେ ଏକ ଚର୍ଚ୍ଚିତ ନାଁ।
ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ନିଜ ଦ୍ୱିତୀୟ ମ୍ୟାଚ୍ରେ ପାକିସ୍ତାନକୁ ୮ ଓ୍ୱିକେଟ୍ରେ ପରାଜିତ କରିଥିଲା। ଏହି ବିଜୟରେ ସ୍ମୃତିଙ୍କ ପ୍ରମୁଖ ଅବଦାନ ଥିଲା। ସେ ୬୩ ରନ୍ର୍ ଦ୍ରୁତ ଇନିଂସ୍ ଖେଳିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ସମୟରେ ସ୍ମୃତି ଏକ ମାଇଲ୍ଖୁଣ୍ଟ ମଧ୍ୟ ଛୁଇଁଛନ୍ତି। ସେ ବାର୍ବାଡୋସ୍ ବିପକ୍ଷ ମ୍ୟାଚ୍ ସମୟରେ ଟି-୨୦ ଆନ୍ତର୍ଜାତିକରେ ଦ୍ୱିତୀୟ ଭାରତୀୟ ଓପନର୍ ଭାବେ ୨୦୦୦ ରନ୍ ପୂରଣ କରିଛନ୍ତି। ଭାରତୀୟ କ୍ରିକେଟ୍ର ପୁରୁଷ ଟିମ୍ର ଅଧିନାୟକ ରୋହିତ ଶର୍ମା (୩୪୫୪ ରନ୍)ଙ୍କ ଛଡ଼ା ଆଉ କେହି ଏହି ମାଇଲ୍ଖୁଣ୍ଟ ଛୁଇଁପାରି ନାହାନ୍ତି। ସ୍ମୃତି ଟି-୨୦ ଆନ୍ତର୍ଜାତିକରେ ୨୧୦୦ରୁ ଅଧିକ ରନ୍ କରିଥିବା ବେଳେ ଦିନିକିଆ ଆନ୍ତର୍ଜାତିକରେ ୨୮୯୨ ରନ୍ କରିଛନ୍ତି।
ସ୍ମୃତି ମାତ୍ର ଚାରି ବର୍ଷ ବୟସରୁ କ୍ରିକେଟ୍ ପ୍ରତି ଆକର୍ଷିତ ହୋଇଥିଲେ। ସେ ନିଜ ଭାଇ ଶ୍ରବଣ ମାନ୍ଧାନାଙ୍କ ସହ ଘରେ କ୍ରିକେଟ୍ ଖେଳିବା ଆରମ୍ଭ କରିଦେଇଥିଲେ। ଆଜି ସେ ବିଶ୍ୱର ଷ୍ଟାଇଲିଶ୍ ବାମହାତି ବ୍ୟାଟର୍ଙ୍କ ମଧ୍ୟରେ ପରିଗଣିତ ହେଉଛନ୍ତି।
ସ୍ମୃତି ବାମହାତି ବ୍ୟାଟର୍ ହେବା ପଛରେ ରୋଚକପୂର୍ଣ୍ଣ କାହାଣୀ ରହିଛି। ତାଙ୍କ ବାପା ବହୁତ କ୍ରିକେଟ୍ ଖେଳୁଥିଲେ ଏବଂ ଡାହାଣ ହାତରେ ବ୍ୟାଟିଂ କରୁଥିଲେ; କିନ୍ତୁ ଯେତେବେଳେ ସେ ଘରେ ପୁଅ ଶ୍ରବଣ ସହ ଖେଳୁଥିଲେ, ସେତେବେଳେ ବାମ ହାତରେ ବ୍ୟାଟିଂ କରୁଥିଲେ।
କିଛି ବର୍ଷ ତଳେ ଏକ ସାକ୍ଷାତକାରରେ ସ୍ମୃତି କହିଥିଲେ ଯେ ତାଙ୍କ ଭାଇ ଭାବୁଥିଲେ ଯେ ବାମହାତରେ ହିଁ ବ୍ୟାଟିଂ କରନ୍ତି ଏବଂ ସେ ବାମହାତରେ ବ୍ୟାଟିଂ କରିବା ଆରମ୍ଭ କରିଦେଇଥିଲେ। ବାପା ଓ ଭାଇ ଦୁଇ ଜଣଙ୍କୁ ଦେଖି ସ୍ମୃତି ବି ବାମହାତି ବ୍ୟାଟର୍ ହୋଇଯାଇଥିଲେ।
ସ୍ମୃତି ଏକ ମାରଓ୍ୱାଡ଼ି ପରିବାରରେ ଜନ୍ମଗ୍ରହଣ କରିଥିଲେ, ଯେଉଁଠି ସାଧାରଣତଃ ପାରମ୍ପରିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦିଆଯାଇଥାଏ। ସ୍ମୃତିଙ୍କ ଆଖପାଖର ଲୋକ ଓ ବନ୍ଧୁବାନ୍ଧବ ଚାହୁଁଥିଲେ ଯେ ସେ ପାରମ୍ପରିକ ଭାବରେ ହିଁ ଜୀବନ ନିର୍ବାହ କରନ୍ତୁ; କିନ୍ତୁ ତାଙ୍କ ମାଆ ଚାହୁଁଥିଲେ ଯେ ପୁଅ ଭଳି ଝିଅ ବି କୌଣସି ଖେଳରେ କ୍ୟାରିଅର କରୁ। ପ୍ରଥମେ ସେ ସ୍ମୃତିକୁ ଟେନିସ୍ରେ ଟ୍ରେନିଂ ଦେବା ପାଇଁ ଚାହୁଁଥିଲେ; କିନ୍ତୁ ସ୍ମୃତିଙ୍କ କ୍ରିକେଟ୍ ପ୍ରତି ରୁଚିକୁ ଦେଖି ତାଙ୍କୁ ବି କ୍ରିକେଟ୍ରେ କୋଚିଂ ପାଇଁ ପଠାଯାଇଥିଲା।
ସ୍ମୃତି ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ସେ ଶୀଘ୍ର ଉନ୍ନତି କରିଥିଲେ ଏବଂ ମାତ୍ର ୧୧ ବର୍ଷ ବୟସରେ ମହାରାଷ୍ଟ୍ରର ୧୯ ବର୍ଷରୁ କମ୍ ଟିମ୍ରେ ସ୍ଥାନ ପାଇଥିଲେ।
ତାଙ୍କ ସମୁଦାୟର ଲୋକ ଅଭିଯୋଗ କରୁଥିଲେ ଯେ ଝିଅ ପିଲା ହେଇକି କ୍ରିକେଟ୍ ଖେଳୁଛି। ସାରା ଦିନ ଖରାରେ ରହି ରଙ୍ଗ କଳା ପଡ଼ିଗଲେ, କିଏ ବାହା ହେବ ! ଏଭଳି ମୂଲ୍ୟହୀନ ମନ୍ତବ୍ୟକୁ ଗୁରୁତ୍ୱ ନ ଦେଇ ଖେଳ ଉପରେ ଧ୍ୟାନ ଦେବାକୁ ମାଆ ତାଙ୍କୁ ପରାମର୍ଶ ଦେଇଥିଲେ। ସ୍ମୃତି ବି ହାର୍ ମାନି ନ ଥିଲେ ଏବଂ କ୍ରିକେଟ୍ ପାଇଁ ପୂରା ସମୟ ଦେଇଥିଲେ।
ସ୍ମୃତିଙ୍କ ଲକି ବ୍ୟାଟ୍:
୧୭ ବର୍ଷ ବୟସରେ ସ୍ମୃତି ପ୍ରଥମ ଶ୍ରେଣୀ ଦିନିକିଆ ମ୍ୟାଚ୍ରେ ଦ୍ୱିଶତକ ଲଗାଇଥିଲେ। ପଶ୍ଚିମାଞ୍ଚଳର ୧୯ ବର୍ଷରୁ କମ୍ ଟୁର୍ଣ୍ଣାମେଣ୍ଟରେ ସେ ୩୨ ଚୌକା ମାରି ୧୩୮ ବଲ୍ରେ ୨୦୦ ରନ୍ କରିଥିଲେ ଏବଂ ୨୨୪ ରନ୍ କରି ଅପରାଜିତ ଥିଲେ।
ଏହା ଏକ ରେକର୍ଡ ଦ୍ୱିଶତକ ଥିଲା, କାରଣ ଏଥି ପୂର୍ବରୁ କୌଣସି ଭାରତୀୟ ମହିଳା କ୍ରିକେଟର୍ ଦିନିକିଆ ମ୍ୟାଚ୍ରେ ଦ୍ୱିଶତକ ହାସଲ କରି ନ ଥିଲେ। ସ୍ମୃତି ଏହି ଇନିଂସ୍ର ଶ୍ରେୟ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କୁ ଦେଇଥିଲେ।
ବାସ୍ତବରେ ସ୍ମୃତି ଯେଉଁ ବ୍ୟାଟ୍ରେ ଖେଳୁଥିଲେ, ତାହା ଦ୍ରାବିଡ଼ଙ୍କର ଥିଲା। ସ୍ମୃତିଙ୍କ ଭାଇ ଶ୍ରବଣଙ୍କୁ ଦ୍ରାବିଡ଼ ସେହି ବ୍ୟାଟ୍ଟି ଦେଇଥିଲେ ଆଉ ଶ୍ରବଣ ତାହା ସ୍ମୃତିଙ୍କୁ ଉପହାର ସ୍ୱରୂପ ଦେଇଥିଲେ। ଦ୍ରାବିଡ଼ଙ୍କ ବ୍ୟାଟ୍ ପାଇ ସ୍ମୃତି ଖୁସିରେ ଆତ୍ମହରା ହୋଇଯାଇଥିଲେ ଏବଂ ସେହି ବ୍ୟାଟ୍ରେ ହିଁ ଖେଳିବା ଆରମ୍ଭ କରିଥିଲେ। ଖୁବ୍ ରନ୍ କରିଥିଲେ। ପୁରୁଣା ହୋଇଯାଇଥିବା ଯୋଗୁଁ ଆଜି ସ୍ମୃତିଙ୍କ ଶୋ-କେସ୍ରେ ସଜା ହୋଇରହିଛି ସେହି ବ୍ୟାଟ୍।
ଆଘାତ ବଦଳାଇଦେଲା ଜୀବନର ଦୃଷ୍ଟିଭଙ୍ଗୀ:
ସ୍ମୃତିଙ୍କ ଖ୍ୟାତି ଦେଶ-ବିଦେଶରେ ପରିବ୍ୟାପ୍ତ ହେଲା ଏବଂ ବିଦେଶୀ ଲିଗ୍ରେ ଖେଳିବା ପାଇଁ ତାଙ୍କ ପାଖକୁ ଅଫର୍ ଆସିଲା। ୨୦୧୬-୧୭ରେ ତାଙ୍କୁ ଅଷ୍ଟ୍ରେଲିଆର ମହିଳା ବିଗ୍ ବ୍ୟାଶ୍ ଲିଗ୍ରେ ଖେଳିବାର ସୁଯୋଗ ମିଳିଲା। ହରମନପ୍ରୀତ୍ କୌର୍ ଓ ସ୍ମୃତିଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ କ୍ରିକେଟର୍ଙ୍କ ସହ ଏହି ଲିଗ୍ ଚୁକ୍ତି କରି ନ ଥିଲା। କିନ୍ତୁ ଏହି ଲିଗ୍ରେ ସ୍ମୃତିଙ୍କୁ ନିଜ ଫେଭରିଟ୍ ପୋଜିସନ୍ ‘ଓପନିଂ’ରେ ଖେଳିବାର ସୁଯୋଗ ମିଳୁ ନ ଥିଲା। ଜାନୁଆରୀରେ ମେଲ୍ବର୍ଣ୍ଣ ବିପକ୍ଷରେ ଖେଳୁଥିବା ବେଳେ ସ୍ମୃତି ଅଜବ ଢଙ୍ଗରେ ପଡ଼ିଗଲେ ଏବଂ ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଲା।
ସ୍ମୃତି ଦୀର୍ଘ ଦିନ ଧରି ଖେଳରୁ ଦୂରେଇ ରହିଲେ। ଏହି ସମୟରେ ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଥିଲା, ଜୁନ୍ରେ ହେବାକୁ ଥିବା ବିଶ୍ୱକପ୍ ବେଳକୁ କେମିତି ଫିଟ୍ ହୋଇଯିବେ।
ଆଘାତ ତାଙ୍କ ଜୀବନର ଦୃଷ୍ଟିଭଙ୍ଗୀ ବଦଳାଇଦେଲା। ଏକ ସାକ୍ଷାତକାରରେ ସ୍ମୃତି କହିଥିଲେ ଯେ ଏହା ପୂର୍ବରୁ ସେ ଯଦି କେତେକ ଇନିଂସ୍ରେ କ୍ରମାଗତ ଖରାପ ଖେଳୁଥିଲେ, ତା’ହେଲେ ଖୁବ ନିରାଶ ହେଉଥିଲେ ଏବଂ ସେହି ପ୍ୟାଚ୍କୁ ଜୀବନର ସବୁଠାରୁ ଖରାପ ସମୟ ଭାବେ ବିବେଚନା କରୁଥିଲେ। କିନ୍ତୁ ଆଘାତ ସମୟରେ ସେ ଭାବୁଥିଲେ ଯେ ଏବେ ତ ମୁଁ ଚାଲି ବି ପାରୁନି, ସେତେବେଳେ ଚାଲି ତ ପାରୁଥିଲି।
ସେ ଭାବୁଥିଲେ ଯେ କ୍ରିକେଟ୍ ଖେଳିବା କାହିଁକି ଆରମ୍ଭ କରିଥିଲେ, କାରଣ ସେ ଖେଳକୁ ଉପଭୋଗ କରିବାକୁ ଚାହୁଁଥିଲେ; କିନ୍ତୁ ପେସାଦାର କ୍ରିକେଟ୍ରେ ସମ୍ଭବତଃ ସେହି ଆନନ୍ଦ ଠାରୁ ଦୂରେଇ ଯାଉଥିଲେ। ସେ ସ୍ଥିର କରିଥିଲେ ଯେ ଖୁବ୍ ପରିଶ୍ରମ କରିବେ ଏବଂ କ୍ରିକେଟ୍କୁ ପୁଣି ଥରେ ଉପଭୋଗ କରିବେ।
ନିଜ ଉପରେ ଅତୁଟ ବିଶ୍ୱାସ ଯୋଗୁଁ ସ୍ମୃତି ବିଶ୍ୱକପ୍ ସୁଦ୍ଧା ଫିଟ୍ ହୋଇଗଲେ। ଏହାପରେ ସେ ପ୍ରଥମ ମ୍ୟାଚ୍ରେ ହିଁ ଇଂଲଣ୍ଡ ବିପକ୍ଷରେ ୯୦ ରନ୍ର ଚମକପ୍ରଦ ଇନିଂସ୍ ଖେଳିଥିଲେ। ବିଶ୍ୱକପ୍ରେ ସେ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଶତକ ବି ଲଗାଇଥିଲେ।
ପରିବର୍ତ୍ତିତ ଦୃଷ୍ଟିଭଙ୍ଗୀରେ ସ୍ମୃତି ଆଜି ବିଶ୍ୱ କ୍ରିକେଟ୍ର ଏକ ବଡ଼ ନାଁ। ଆଗରୁ ଭାରତୀୟ ମହିଳା କ୍ରିକେଟ୍ରେ ଲୋକେ ମିତାଲୀ ରାଜ୍ ଓ ଝୁଲଣ ଗୋସ୍ୱାମୀଙ୍କ ନାମ ନେଉଥିଲେ। କିନ୍ତୁ ଆଜି ହରମନ୍ପ୍ରୀତ, ସ୍ମୃତିଙ୍କ ନାଁ ବି ସେଥିରେ ଯୋଡ଼ି ହେଲାଣି।
ଏବେ ମହିଳା ଟି-୨୦ ବ୍ୟାଟିଂ ମାନ୍ୟତାରେ ସ୍ମୃତି ନିଜ କ୍ୟାରିଅରର ସର୍ବଶ୍ରେଷ୍ଠ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଉତ୍ତମ ପ୍ରଦର୍ଶନ ଜାରି ରଖିଲେ, ସେ ଶୀଘ୍ର ଶୀର୍ଷ ସ୍ଥାନରେ ପହଞ୍ଚିପାରିବେ। ଝିଅ ପିଲାର କ୍ରିକେଟ୍ ଖେଳିବା, ଖରାରେ କଳା ପଡ଼ିଯିବା ଭଳି ଚର୍ଚ୍ଚା ଏବେ ଆଉ ଶୁଭୁ ନାହିଁ, ଶୁଭୁଛି କେବଳ ସ୍ମୃତିଙ୍କ ସଫଳତାର ଗାଥା।
ଦୂରଭାଷ: ୯୪୩୮୧୭୯୨୧୯
ଇ-ମେଲ୍: biswasports@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)