• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ଏଇ କିଛିଦିନ ପୂର୍ବରୁ ସନ୍ଧ୍ୟାରେ ବସି ନ୍ୟୁଜ୍ ଅପ୍‌ଡେଟ୍ ଚେକ୍ କରୁଥାଏ। ଗୁଗୁଲ୍‌ରେ ହଠାତ ଗୋଟିଏ ନ୍ୟୁଜ୍ ଉପରେ ଆଖି ପଡିଲା। ୟୁଏସ୍‌ଏ, ଇଣ୍ଡିଆନାର ଜଣେ ୩୧ ବର୍ଷୀୟା ମହିଳା ଲେକ୍ସି ରିଡ୍, ଯିଏ କି ଗତ ଦୁଇ/ତିନି ବର୍ଷ ହେଲା ଇନ୍‌ଷ୍ଟାଗ୍ରାମ୍ ଓ ଇଣ୍ଟର୍‌ନେଟ୍‌ରେ ଓ୍ୱେଟ୍ ଲସ୍ ଇନଫ୍ଲୁଏନ୍ସର୍ ଭାବେ ଖ୍ୟାତି ଅର୍ଜନ କରିଥିଲେ, ହଠାତ କିଛିଦିନ ତଳେ ଅସୁସ୍ଥତା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ଖୁବ୍ ଶୀଘ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଏବଂ ତାଙ୍କର ବିଭିନ୍ନ ଅଙ୍ଗ ବା ଅର୍ଗାନ୍ ଫେଲୋର୍ ହେବାରୁ ତାଙ୍କୁ ଭେଣ୍ଟିଲେଟର୍ ସପୋର୍ଟରେ ରଖିବା ସହ ତାଙ୍କର ଡାଏଲାଇସିସ୍ ମଧ୍ୟ କରାଇବାକୁ ପଡୁଥିଲା।

ଲେକ୍ସି ଯେତେବେଳେ ଓଜନ ହ୍ରାସ ପାଇଁ ପ୍ରଥମେ ମନ ବଳାଇଲେ ସେତେବେଳେ ତାଙ୍କ ଓଜନ ଥିଲା ୨୧୭ କିଲୋଗ୍ରାମ୍। ଏହାକୁ ସେ ୨ ବର୍ଷ ମଧ୍ୟରେ ଷ୍ଟ୍ରିକ୍ଟ ଡାଏଟ୍, କ୍ୟାଲୋରି କଣ୍ଟ୍ରୋଲ, ଫୁଡ୍ କଟି°, ଉପବାସ, କମ ପାନୀୟ ଦ୍ରବ୍ୟ ଗ୍ରହଣ ତଥା ରିଗରସ୍ ଏକ୍ସର୍‌ସାଇଜ୍ ସାହାଯ୍ୟରେ ୭୩ କିଲୋଗ୍ରାମକୁ ଖସାଇ ପାରିଥିଲେ।

ଆଉ ଓଜନ କମାଇବା ପରେ ନିଜର କୁଞ୍ଚିତ ତଥା ଓହଳି ପଡିଥିବା ଚର୍ମ ସବୁକୁ ହଟାଇବା ପାଇଁ ସେ ଗୋଟିଏ ୯ ଘଣ୍ଟା ଦୀର୍ଘ ଅସ୍ତ୍ରୋପଚାର ମଧ୍ୟ କରାଇଥିଲେ। ଏସବୁ ଦ୍ୱାରା ଲେକ୍ସିଙ୍କର ଓଜନ କମିଯିବା ସହ ତାଙ୍କର ଫଟୋ ଓ ଫିଗର ତ ସୁନ୍ଦର ଦିଶିଲା, ହେଲେ ଭିତରେ ଭିତରେ ଏଇ ଡ୍ରାଷ୍ଟିକ୍ ବା ଏକ୍ସଟ୍ରିମ୍ ୱେଟ୍ ଲସ୍ ତାଙ୍କ ଇମ୍ୟୁନ୍ ସିଷ୍ଟମ୍ ଓ ଅଙ୍ଗପ୍ରତ୍ୟଙ୍ଗ (ଅର୍ଗାନ୍) ଗୁଡ଼ିକୁ ବିଗାଡି ଚାଲିଲା।

ବିଶେଷଜ୍ଞମାନଙ୍କ ମତରେ ଡ୍ରାଷ୍ଟିକ୍ ବା ଏକ୍ସଟ୍ରିମ୍ ବି ଅତ୍ୟଧିକ କ୍ଷତିକାରକ ଓଜନ ହ୍ରାସ (ୱେଟ୍ ଲସ୍)ର ସ°ଜ୍ଞା ହେଉଛି, ଲଗାତାର ଗୋଟିଏ ଆଖିଦୃଶିଆ ସମୟ ଅବଧି ପାଇଁ ସପ୍ତାହକୁ ୧ କିଲୋଗ୍ରାମ୍ ହାରରେ ଓଜନ ହ୍ରାସ ହେବା। ଏହା ଦ୍ୱାରା ଚୁଟି ଝଡିବା, ଅତ୍ୟଧିକ ଶୀତ ଲାଗିବା ଓ କମ୍ପ ଆସିବା ପରି ସାମାନ୍ୟ ସମସ୍ୟା ସବୁ ଦେଖାଯିବା ଛଡା ଅନେକ ଜଟିଳ, ସା°ଘାତିକ ଓ ପ୍ରାଣଘାତୀ ସମସ୍ୟା ବି ଦେଖାଯାଏ। ବିଶେଷଜ୍ଞଙ୍କ ମତରେ ଓଜନ ହ୍ରାସ ଦ୍ୱାରା ଦେଖାଯାଉଥିବା ମୂଖ୍ୟ ତଥା ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଗୁଡିକ ହେଲା :

(୧) ମା°ସପେଶୀ କ୍ଷୟ (Loss of Muscle mass) :

ଅତ୍ୟଧିକ ଓଜନ ହ୍ରାସ ଦ୍ୱାରା କେବଳ ଯେ ଦେହର ଚର୍ବି କ୍ଷୟ ହୁଏ ତାହା ନୁହେଁ, ବର° ମା°ସପେଶୀ ମଧ୍ୟ କ୍ଷୟ ହୁଏ। ଆଉ ମା°ସପେଶୀରେ ଉପୁଜୁଥିବା କ୍ଷତି ଦେହର ମେଟାବୋଲିଜିମ୍ (ଉର୍ଜା ବନାଇବା ପ୍ରକ୍ରିୟା)କୁ ଧିମା କରିଦିଏ। ଫଳରେ ଦେହର ଚର୍ବି ଓ ମା°ସପେଶୀର ଅନୁପାତ ଅସନ୍ତୁଳିତ ହୋଇଯାଏ। ଏହା ଛଡା ଦୁର୍ବଳ ମା°ସପେଶୀ ଯୋଗୁଁ ଆମକୁ ଶୀଘ୍ର ଥକ୍କା ଲାଗିବା ସହ ଦୈନନ୍ଦିନ କାର୍ଯ୍ୟ କରିବା, ଯେପରିକି ଚାଲିବା, ସଉଦା ଆଣିବା ଓ ସିଡ଼ି ଚଢ଼ିବାରେ ମଧ୍ୟ ଅସୁବିଧା ହୋଇଥାଏ।

(୨) ଇଲେକ୍ଟ୍ରୋଲାଇଟ୍ ଇମ୍‌ବାଲାନ୍ସ (Electrolyte Imbalance):

ଇଲେକ୍ଟ୍ରୋଲାଇଟ୍‌ଗୁଡିକୁ ସାଧାରଣତଃ ଆମେ ଖାଦ୍ୟରେ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ହିସାବରେ ଗ୍ରହଣ କରିଥାଉ। ଯେମିତିକି ସୋଡିୟମ୍, ପୋଟାସିୟମ୍, ମ୍ୟାଗ୍‌ନେସିୟମ୍, କ୍ୟାଲ୍‌ସିୟମ ଇତ୍ୟାଦି। ଯଦିଓ ଆମ ଶରୀରରେ ଏସବୁର ଦୈନନ୍ଦିନ ଗ୍ରହଣ କରିବାର ଆବଶ୍ୟକୀୟ ମାତ୍ରା ବହୁତ କମ, କିନ୍ତୁ ଏସବୁ ଆମର ସ୍ନାୟୁ (ନ୍ୟୁରୋ), ମସ୍ତିଷ୍କ, ହୃତପିଣ୍ଡ, ମା°ସପେଶୀ ଓ ଖାଦ୍ୟନଳୀ ଆଦିର ସୂଚାରୁ ରୂପେ କାମ କରିବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଏହି ତତ୍ତ୍ୱଗୁଡିକର ଅଭାବରେ ବାଉଳିଚାଉଳି ହେବା, ଡ୍ରାଉଜି ବା ତନ୍ଦ୍ରାଳୁ ଓ ମାନ୍ଦା ଲାଗିବା, ଆରିଦମିଆ ବା ଅନିୟମିତ ଓ ଅନିୟନ୍ତ୍ରିତ ହୃତସ୍ପନ୍ଦନ, କୋଷ୍ଠ କାଠିନ୍ୟ, ଏପରିକି କୋମା ଭଳି ସମସ୍ୟା ଦେଖାଯାଏ।

(୩) ପୋଷକ ତତ୍ତ୍ୱର ଅଭାବ (Nutritional Deficiency):

ଫୁଡ୍ କଟି° ବା ଖାଦ୍ୟ କମ କରିବା ବା ବାରମ୍ବାର ଉପବାସ ରହିବା ଦ୍ୱାରା ଆପଣ କେବଳ ସ୍ନେହସାର (Fat) ବା ଶ୍ୱେତସାର (Carbohydrate)କୁ ଗ୍ରହଣ କରିବାରୁ ନିଜକୁ ବଞ୍ଚିତ କରନ୍ତି ନି, ଏହା ଦ୍ୱାରା ଆପଣ ଅନେକ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯେମିତିକି, ପ୍ରୋଟିନ୍‌, କ୍ୟାଲ୍‌ସିୟମ୍‌, ଆଇରନ୍‌ ଓ ଭିଟାମିନ୍‌- ଡି ଆଦି ଗ୍ରହଣ କରିବାରୁ ମଧ୍ୟ ବଞ୍ଚିତ ହୋଇଯା'ନ୍ତି। ଫଳରେ ଆପଣଙ୍କ ନିକଟରେ ରକ୍ତହୀନତା (Anemia), ଅଷ୍ଟିଓ-ମାଲେସିଆ, ପୁଷ୍ଟିହୀନତା (Malnutrition), ଥକ୍କାପଣ, ଶରୀରର ରୋଗପ୍ରତିରୋଧକ ଶକ୍ତି କମିଯିବା, କ୍ଷତ ବା ଘା' ଶୁଖିବାରେ ଡେରି ହେବା, ଚିଡା ଲାଗିବା, ମାନସିକ ଅବସାଦ ଏବ° ଏକାଗ୍ରତା ନ ରଖିପାରିବା ଭଳି ସମସ୍ୟା ସବୁ ଦେଖାଯାଇପାରେ।

(୪) ପିତ୍ତକୋଷରେ ପଥର (Gall stone):

ଖାଦ୍ୟନଳୀରେ ଖାଦ୍ୟାଭାବ ଯୋଗୁଁ ଗଲ୍‌ବ୍ଲାଡର୍‌ ବା ପିତ୍ତକୋଷରୁ କ୍ଷରିତ ହେଉଥିବା ହଜମକାରୀ ରସ ବାହାରକୁ କ୍ଷରିତ ନ ହୋଇପାରି ଜମା ହୋଇ ରହେ। ପରେ ଏହା ସଲିଡିଫାଏ ବା କଠିନ ଅବସ୍ଥାକୁ ଆସି ଅନେକ ସମୟରେ ପିତ୍ତକୋଷରେ ପଥର ବା ଷ୍ଟୋନ୍ ସୃଷ୍ଟି କରେ। ପରବର୍ତ୍ତୀ ସମୟରେ ଏହା ପେଟବ୍ୟଥା, ବାନ୍ତି, କୋଷ୍ଠକାଠିନ୍ୟ ଓ ଅନେକ କ୍ଷେତ୍ରରେ ଜଣ୍ଡିସ୍‌ ମଧ୍ୟ ହୋଇଥାଏ ଓ ଅସ୍ତ୍ରୋପଚାର କରିବାକୁ ପଡିଥାଏ।

(୫) ଶକ୍ତି ସ୍ତରରେ (Energy level) ଭୟଙ୍କର ହ୍ରାସ:

କମ ଖାଦ୍ୟ ଗ୍ରହଣ ସହ ଅତ୍ୟଧିକ ଶାରୀରିକ ବ୍ୟାୟାମ ଦ୍ୱାରା ଦେହର ଶକ୍ତି ସ୍ତରରେ ଅତ୍ୟଧିକ ବା ଭୟଙ୍କର ମାତ୍ରାରେ ହ୍ରାସ ଘଟିଥାଏ। ଏହା ଯେ କେବଳ ମଣିଷର ଶାରୀରିକ କାର୍ଯ୍ୟ କରିବା କ୍ଷମତାକୁ କମ୍ କରିଦିଏ କିମ୍ବା ତାକୁ ଥକ୍କା ଲାଗିବା ଭଳି ସମସ୍ୟା ଭିତରେ ସୀମିତ ରହେ ତାହା ନୁହେଁ, ବର° ଏଭଳି କରିବା ଦ୍ୱାରା ମଣିଷର ମାନସିକ ସ୍ତରରେ ମଧ୍ୟ କ୍ଷତି ଘଟିଥାଏ। ଫଳରେ ତା'ଠାରେ ମନୋବଳ ଓ ଏକାଗ୍ରତା କମିଯିବା, ଅତ୍ୟଧିକ କ୍ରୋଧ ଭାବନା ଆସିବା ତଥା ମାନସିକ ଅବସାଦ ଭଳି ସମସ୍ୟାମାନ ଦେଖାଯାଇଥାଏ।

(୬) ଦେହର ଜଳୀୟ ଅ°ଶ ହ୍ରାସ (Dehydration):

ବିଶେଷଜ୍ଞମାନେ ଲକ୍ଷ୍ୟ କରିଛନ୍ତି ଯେ, ଡ୍ରାଷ୍ଟିକ୍ ବା ସା°ଘାତିକ ଓଜନ ହ୍ରାସ ପ୍ରକ୍ରିୟାର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ହିଁ ଜଣେ ବ୍ୟକ୍ତିଙ୍କ ଓଜନରେ ଖୁବ ଶୀଘ୍ର ତଥା ଅଧିକ ମାତ୍ରାରେ ଓଜନ କମିଥାଏ। କାରଣ ଏଇ ଅବସ୍ଥାରେ ଦେହରୁ ଅଧିକ ଜଳୀୟ ଅ°ଶ ନଷ୍ଟ ହୋଇଥାଏ। ଏପରି ଜଳୀୟ ଅ°ଶ ନଷ୍ଟ ହେବା ଦ୍ୱାରା ଡିହାଇଡ୍ରେସନ୍ ହୋଇ କୋଷ୍ଠ କାଠିନ୍ୟ, ମୁଣ୍ଡ ବିନ୍ଧା, ମା°ସପେଶୀରେ କଷ୍ଟ, ଇଲେକ୍ଟ୍ରୋଲାଇଟ୍ ଇମ୍‌ବାଲାନ୍ସ, ତନ୍ଦ୍ରାଳୁ ହେବା, ଏକାଗ୍ରତା କମିବା ଏବଂ ସା°ଘାତିକ ହେଲେ ରେନାଲ୍/ ବୃକକ ଫ୍ୟାଲୋର୍ (ଦକ୍ଷିଣ ଭାରତୀୟ ଫିଲ୍ମ 'ସାଇଜ୍‌ ଜିରୋ'ରେ ପ୍ରଦର୍ଶିତ ହୋଇଥିବା ପରି) ଭଳି ସମସ୍ୟା ମଧ୍ୟ ଉପୁଜିଥାଏ

ମେଦ ବହୁଳତା ବା ନିଜର ଅତ୍ୟଧିକ ଓଜନ କମାଇବା ପଛରେ ପ୍ରାୟ ସମସ୍ତଙ୍କ ଉଦ୍ଦେଶ୍ୟ ଥାଏ, ଏକ ସୁନ୍ଦର ଓ ସୁସ୍ଥ ଶରୀରର ଅଧିକାରୀ ହେବା ସହ ନିଜକୁ ସମାଜର ମୁଖ୍ୟସ୍ରୋତ ସହ ତାଳ ଦେଇ ଚାଲିବା ପାଇଁ ପ୍ରସ୍ତୁତ କରିବା। କିନ୍ତୁ ଉପରୋକ୍ତ ଆଲୋଚନା ଓ ଲେକ୍ସି ରିଡ୍‌ଙ୍କ କାହାଣୀ ଉପରେ ନଜର ପକାଇଲେ ଆପଣମାନେ ଠିକ୍ ଜାଣିପାରିବେ ଯେ, ଏମତି ଡ୍ରାଷ୍ଟିକ୍ ବା ରିଗରସ୍ ବା ସା°ଘାତିକ ଓଜନ ହ୍ରାସ (weight loss) ଆପଣଙ୍କ ଶରୀର ତଥା ମାନସିକ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ!

ତେଣୁ ଯେକୌଣସି ୱେଟ୍ ଲସ୍ ବା ସାଇଜ୍ ଜିରୋ ସ°ସ୍ଥାର ବିଜ୍ଞାପନ ଦ୍ୱାରା ହଠାତ ପ୍ରଭାବିତ ନ ହୋଇ, ବିଶେଷଜ୍ଞଙ୍କ ପରାମର୍ଶରେ ହିଁ ନିଜ ଓଜନ ହ୍ରାସର ଯୋଜନା ବନାନ୍ତୁ। ପ୍ରଥମେ ବିଶେଷଜ୍ଞଙ୍କଠାରୁ ଜାଣିବାକୁ ଚେଷ୍ଟା କରନ୍ତୁ ଯେ, ଆପଣଙ୍କ ମେଦ ବହୁଳତା ବା ଅତ୍ୟଧିକ ଓଜନର କାରଣ କ'ଣ (ହର୍‌ମୋନାଲ୍ କିମ୍ବା ଅତ୍ୟଧିକ ଓ ହାଇ କ୍ୟାଲୋରୀ ଖାଦ୍ୟ କିମ୍ବା ୱାଟର ରିଟେନ୍ସନ୍ ସିଣ୍ଡ୍ରୋମ୍ କିମ୍ବା ଜେନେଟିକ୍ କିମ୍ବା ମାନସିକ ଅବସାଦ କିମ୍ବା ପିସିଓଏସ୍, ଏପରି ଅନେକ କାରଣ)।

ସଠିକ୍ ବିଶେଷଜ୍ଞଙ୍କ ମତରେ ଡ୍ରାଷ୍ଟିକ୍ ବା ସା°ଘାତିକ ଓଜନ ହ୍ରାସ ନୁହେଁ, ବର° ଧୀର ଗତିରେ ଓଜନ ହ୍ରାସ (slow weight loss) ହିଁ ସ୍ଥାୟୀ ହୋଇଥାଏ। ଆଉ ଏଥିପାଇଁ ଉପବାସ ବା food cutting କି food deprivation ନୁହେଁ, ବର° ସନ୍ତୁଳିତ ଆହାର, ନିୟମିତ ବ୍ୟାୟାମ ଓ ଶୃଙ୍ଖଳିତ ଜୀବନ ଶୈଳୀ ହିଁ

ସାହାଯ୍ୟ କରିଥାଏ। ସେଇଥିପାଇଁ ତ କଥାରେ ଅଛି, slow and steady wins the race!

ଭୁବନେଶ୍ୱର, ମୋ: ୮୦୧୮୦୫୩୩୯୫

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)