Advertisment

ମହଙ୍ଗା ପଡିଲା କିଙ୍ଗ୍ ମେକରରୁ କିଙ୍ଗ୍ ହେବା

ମହଙ୍ଗା ପଡୁଛି କି ଠାକରେ ପରିବାର ପାଇଁ କିଙ୍ଗ୍ ମେକରରୁ କିଙ୍ଗ୍ ହେବା? ଆଗରୁ ବାଲା ସାହେବ ଠାକରେ କିଙ୍ଗ୍ ମେକର ହୋଇ ଅନେକ ସରକାର ଗଢିଛନ୍ତି ଆଉ ଭାଙ୍ଗିଛନ୍ତି। ହେଲେ ଉଦ୍ଧବ କିନ୍ତୁ ପୂରା ଓଲଟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭିନ୍ନ ଭିନ୍ନ ବିଚାରଧାରା ଥିବା ଦଳ ସହ ମିଶି ଗଢିଥିଲେ ସରକାର। ଯାହା ଫଳରେ ଏବେ ଭଗ୍ନର ଦ୍ୱାରଦେଶରେ ଶିବସେନା।

author-image
Swadheen Kumar Raut
ଅଦ୍ୟତନ ହୋଇଛି
Shivsena in the way of plight

Shivsena in the way of plight

ଜଣେ ଥିଲେ କିଙ୍ଗ୍ ମେକର, ଆଉ ଏବେ ଜଣେ କିଙ୍ଗ୍। ଜଣେ କିଙ୍ଗ୍ ମେକର ହୋଇ ମଧ୍ୟ ସାରା ରାଜ୍ୟ ଏବଂ ଦେଶରେ ଥିଲା ତାଙ୍କର ଅଖଣ୍ଡ ପ୍ରଭାବ। ହେଲେ ଏବେ ଯିଏ କିଙ୍ଗ୍, ତାଙ୍କର ଆଉ ନାହିଁ ସେ ପୁରୁଣା ପ୍ରଭାବ। ନିଜ ଆସନ ଶାସନ ବଞ୍ଚାଇବା ପାଇଁ କିଙ୍ଗ୍ ଏତେ ଲୋଭଗ୍ରସ୍ତ ହୋଇଗଲେ ଯେ, ଯାହାର ପରିଣାମ ସ୍ୱରୂପ ହାତରୁ ରାଜ୍ୟ ଏବଂ ରାଜପଦ ଯିବାକୁ ବସିଛି। ଯାହାକୁ ବଞ୍ଚାଇବାକୁ କିଙ୍ଗ୍ କଳବଳ କୌଶଳ ସବୁ କିଛି ଲଗାଇ ଦେଇଥିଲେ ମଧ୍ୟ ଫଳ ସେତେ ମିଳୁ ନଥିବା ଦେଖିବାକୁ ମିଳୁଛି।

Advertisment

ଏ ହେଉଛି ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାରର କଥା। ଦଳ ଭିନ୍ନ, ଦଳୀୟ ଭାବନା ଭିନ୍ନ, ବିଚାର ଧାରା ଭିନ୍ନ ହେଲେ ମଧ୍ୟ ଶାସନର ଲୋଭ ୩ ଦଳକୁ ଏକ କରିଛି। ଏହି ସରକାରରେ ମହାରାଷ୍ଟ୍ରରେ ଶିବସେନା,ଏନ୍‌ସିପି ଏବଂ କଂଗ୍ରେସ ମେଣ୍ଟ ଏବେ ପତନର ଦ୍ୱାର ଦେଶରେ।.

ଜଣେ କାର୍ଟୁନିଷ୍ଟ ଦିନେ ମରାଠୀ ମାନୁଷ ପାଇଁ ଓ ମରାଠୀ ମାନୁଷର ହକ୍ ପାଇଁ ସାରା ଦୁନିଆ ସହ ଲଢେଇ କରି ତାମିଲ୍‌ମାନଙ୍କ ପୁଙ୍ଗି ବଜାଇ ଦେଇଥିଲା। ମରାଠୀଙ୍କ ପାଇଁ ହକ୍‌ର ଲଢେଇ ଜନ୍ମଦେଲା। ଶିବ ସେନାକୁ, ଶିବ ସୈନିକଙ୍କୁ ଏବଂ ବାଲାସାହେବ ଠାକରେଙ୍କୁ ଦେଶରେ ହିନ୍ଦୁତ୍ୱର ନୂଆ ଚେହେରା ଭାବେ ଜନ୍ମ ହେଲା ଶିବ ସେନା। ସେତେବେଳେ ସମଭାବାପନ୍ନ ଦଳ ବିଜେପିର ସମର୍ଥନ ମିଳିଲା ଶିବସେନାକୁ। ସେ ଆଡଭାନିଙ୍କ ରଥ ଯାତ୍ରା ହେଉ ବା ଅଯୋଧ୍ୟାରେ ରାମ ଜନ୍ମଭୂମି ପାଇଁ ଆନ୍ଦୋଳନ, ଦେଶରେ ଶିବ ସେନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

Advertisment

ବାଲାସାହେବ ଠାକରେ ସବୁବେଳେ କଂଗ୍ରେସ ବିରୋଧରେ ଗର୍ଜୁଥିଲେ। ସୋନିଆଙ୍କ ବିଦେଶିନୀ ପ୍ରସଙ୍ଗ ହେଉ ବା ଅନ୍ୟ କୌଣସି ପ୍ରସଙ୍ଗ, ବାଲାସାହେବ ଥିଲେ କଂଗ୍ରେସର କଟ୍ଟର ବିରୋଧୀ। ନିଜ ଜୀବନ କାଳରେ କିଙ୍ଗ୍ ମେକର ହୋଇ ଅନେକ ସରକାର ଗଢିଛନ୍ତି ଏବଂ ଭାଙ୍ଗିଛନ୍ତି ସେ। ହେଲେ ନିଜେ କେବେ ସରକାରରେ ବସି ନାହାଁନ୍ତି। ନବେ ଦଶକରେ ଶିବସେନା ବିଜେପିର ସାହାଯ୍ୟରେ ସରକାର ଗଢିଥିଲା। ମୁଖ୍ୟମନ୍ତ୍ରୀ ହୋଇଥିଲେ ମନୋହର ଯୋଶୀ ।

ବିଜେପରି ପାରମ୍ପରିକ ସହଯୋଗୀ ଭାବେ ଶିବସେନା ୨୦୧୯ରେ ପ୍ରି ପୋଲ୍ ଆଲାଏନସ୍ କରି ୫୬ ସିଟ୍ ଆଣିଥିବା ବେଳେ ବିଜେପି ଆଣିଥିଲା ୧୦୬ ସିଟ୍। ଏହାପରେ ଅରମ୍ଭ ହେଲା ରାଜନୀତି। ୫୬ ସିଟ୍ ପାଇ ଉଦ୍ଧବ ଠାକରେ ଚାହିଁଲେ ଯେ ସେ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଏହାକୁ ବିରୋଧ କଲା ପରେ ବିଜେପିର ଦେବେନ୍ଦ୍ର ଫଡନ୍‌ବିସ୍‌, ଅଜିତ୍ ପାୱାରଙ୍କ ସହ ମିଶି ସରକାର କଲେ। ହେଲେ ଶରତ ପାୱାର ଗୋଟି ଚଲାଇଲେ ଏବଂ ସରକାରକୁ ୮୦ ଘଣ୍ଟାରେ ଭାଙ୍ଗି ମୋଦିଙ୍କୁ ଶକ୍ତ ଧକ୍କା ଦେଲେ।

ଏହାପରେ ଆରମ୍ଭ ହେଲା ମହାବିକାଶ ଅଘାଡି ସରକାର। ପରସ୍ପର ପରସ୍ପର ବିଚାରଧାରା ବିରୋଧୀ ଦଳ ସବୁ ଏକ ହୋଇ ଗଢିଲେ ସରକାର। ତେବେ ସରକାର ଗଠନର ଦେଢବର୍ଷ ପରେ ଏବେ ଆସିଛି ଭୂକମ୍ପ। ଶିବସେନାର ବରିଷ୍ଠ ନେତା ତଥା ମନ୍ତ୍ରୀ ଥିବା ଏକନାଥ ସିନ୍ଦେ କରିଛନ୍ତି ବିଦ୍ରୋହ। ସବୁଠୁ ବଡ କଥା ହେଲା ଆସାମରେ ବସି ଗୋଟି ଚଳାଉଥିବା ଏକନାଥ ସିନ୍ଦେଙ୍କ ଶକ୍ତି ବୃଦ୍ଧି ପାଉଥିବା ବେଳେ ଶକ୍ତିହୀନ ହେଉଛନ୍ତି ଉଦ୍ଧବ। ତେବେ ଶିବସେନାରେ କାହିଁକି ଆସିଲା ଏଭଳି ଭୂକମ୍ପ, କ’ଣ ରହିଛି ଏହା ପଛର କାରଣ।

କୋଟେରୀ ଶାସନ:

ମହାରାଷ୍ଟ୍ରରେ ଚାଲିଛି କୋଟେରୀ ଶାସନ। ସରକାର ଚଳାଉଥିବା ଏହି କୋଟେରୀ ଭିତରକୁ ସାଧାରଣ ଶିବସେନା ବିଧାୟକମାନେ ପଶିବା ବହୁତ କଷ୍ଟକର ହେଉଥିଲା। ଏହି କୋଟେରୀ ହିଁ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲା। ସରକାର ଏବଂ ବିଧାୟକମାନଙ୍କ ମଧ୍ୟରେ ଥିବା ମିଡଲ୍‌ମ୍ୟାନମାନେ ବିଧାୟକଙ୍କ କଥା ଉଦ୍ଧବଙ୍କ ପାଖରେ ପହଞ୍ଚାଉ ନଥିଲେ।

ବର୍ତ୍ତମାନ ସରକାର ସଂକଟରେ ପଡିବା ପରେ ଆଦିତ୍ୟ ଠାକରେ ଶିବସେନାର ପଦାଧିକାରୀଙ୍କ ସହ ବୈଠକ କରୁଛନ୍ତି, ହେଲେ ସେହି ସାଧାରଣ କର୍ମୀଙ୍କ ପାଇଁ ଠାକରେଙ୍କ ଦ୍ୱାର ଗତ ଅଢେଇ ବର୍ଷ ହେଲା ବନ୍ଦ ଥିଲା। ଏବେ ସଙ୍କଟ ଆସିବା ଯୋଗୁଁ ସମସ୍ତଙ୍କ ପାଇଁ ଦ୍ୱାର ଖୋଲି ଦିଆଯାଇଥିବା କୁହାଯାଉଛି।

ଗୋଟିଏ ପଟେ ଉଦ୍ଧବଙ୍କ ଦ୍ୱାର ସେନା କର୍ମୀଙ୍କ ପାଇଁ ବନ୍ଦ ରହୁଥିବା ବେଳେ, ଏକନାଥ ସିନ୍ଦେଙ୍କ ଦ୍ୱାର ସବୁବେଳେ ସାଧାରଣ କର୍ମୀଙ୍କ ପାଇଁ ଖୋଲା ରହୁଥିଲା। ଏଥିଯୋଗୁଁ ସେନାର ବିଧାୟକମାନେ ଉଦ୍ଧବ ଏବଂ ଅଦିତ୍ୟଙ୍କ ଅପେକ୍ଷା ଏକନାଥଙ୍କୁ ଅଧିକ ପସନ୍ଦ କରିବାକୁ ଲାଗିଲେ। ଯାହା ଫଳରେ ଏବେ ଏକନାଥଙ୍କ ପାଖରେ ୩୯ ଏମ୍‌ଏଲ୍‌ଏ ଥିବାବେଳେ ଠାକରେଙ୍କ ପାଖରେ ଅଛନ୍ତି ଅଳ୍ପ କେତେକ ବିଧାୟକ। ଏପରିକି ୯ ଜଣ ମନ୍ତ୍ରୀ ମଧ୍ୟ ସାମିଲ ହେଲେଣି ସିନ୍ଦେ କ୍ୟାମ୍ପରେ। ଏଥିରୁ ଜଣାପଡୁଛି କେମିତି ସରକାର ଚଳାଉଥିଲେ ଉଦ୍ଧବ।

ରିମୋଟ୍‌ କଣ୍ଟ୍ରୋଲ୍ ସରକାର:

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପୁଅ ମନ୍ତ୍ରୀ ଥିଲେ ମଧ୍ୟ ରିମୋଟ୍‌ କଣ୍ଟ୍ରୋଲ୍ ଥିଲା ଶରତ ପାୱାରଙ୍କ ହାତରେ। ଦେଶର ବିଜ୍‌ନେସ୍ କ୍ୟାପିଟାଲ୍‌ ମୁମ୍ବାଇରୁ ଅଧିକ ଫଣ୍ଡ୍‌ ଏନ୍‌ସିପି ଆଦାୟ କରୁଥିଲା। ଏପରିକି ନିଜ ଦଳର ବିଧାୟକଙ୍କ ଅପେକ୍ଷା ଉଦ୍ଧବ ଠାକରେ ସରକାର ବଞ୍ଚାଇବା ପାଇଁ ଏନ୍‌ସିପିର ବିଧାୟକମାନଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ।

ଏପରିକି ଉଦ୍ଧବ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ନୱାବ ମଲ୍ଲିକଙ୍କୁ ଦାଉଦ୍ ସହ ସଂପର୍କ ଥିବା ଏବଂ ମନିଲଣ୍ଡ୍ରିଂ କେସ୍‌ରେ ଗରିଫ କଲା ଇଡି। ୧୯୯୩ର ମୁମ୍ବାଇ ବୋମା ବିସ୍ଫୋରଣ ଘଟଣା ଯୋଗୁଁ ବାଲା ସାହେବ ଠାକରେଙ୍କ ପରମ ଶତ୍ରୁ ଥିଲା ଦାଉଦ୍ ଇବ୍ରାହିମ॥ ନୱାବ ମଲ୍ଲିକ ଭଳି ଲୋକଙ୍କୁ ଉଦ୍ଧବ ନିଜ ମନ୍ତ୍ରିମଣ୍ଡଳରେ ରଖିଥିବା କଥା ସାଧାରଣ ଶିବସୈନିକଙ୍କୁ ବେଶ ବାଧିଛି।

ତେବେ ମୁଖ୍ୟ ବିବାଦ ଆରମ୍ଭ ହେଲା ମୁକେଶ ଅମ୍ବାନିଙ୍କ ଘର ଆଗରୁ ବିସ୍ଫୋରକ ସମାଗ୍ରୀ ଭରା ଏକ ଏସ୍‌ୟୁଭି ମିଳିବା ଘଟଣାରୁ। ଆଉ ଏହାର ଚେର ଲମ୍ବିଥିଲା ମୁମ୍ବାଇର ବରିଷ୍ଠ ପୋଲିସ୍ ଅଧିକାରୀ ସଚିନ ୱାଜେଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ ଅନିଲ ଦେଶମୁଖ ପର୍ଯ୍ୟନ୍ତ। ଏନେଇ ସଚିନ୍ ୱାଜେ ଅନିଲ ଦେଶମୁଖଙ୍କ ସହ ଆଲୋଚନା କରିଥିବା ଏନଆଇଏ କହିଛି। ଯାହା ଫଳରେ ମହାରାଷ୍ଟ୍ର ସରକାରରେ ଭୂକମ୍ପ ଆସିଥିଲା। ବିରୋଧୀ ଦଳ ଅନିଲ ଦେଶମୁଖଙ୍କ ବହିଷ୍କାର ଦାବି କଲେ। ବର୍ତ୍ତମାନ ମନି ଲଣ୍ଡ୍ରିଂ କେସ୍‌ରେ ଅନିଲ ଦେଶମୁଖ ଜେଲ୍‌ରେ ଅଛନ୍ତି। ସେହିପରି ମହାରାଷ୍ଟ୍ର ପୋଲିସକୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ୧୦୦ କୋଟି ଟଙ୍କା ଜୋରଜବରଦସ୍ତ ଚାନ୍ଦା ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି।

ଏନେଇ ମୁମ୍ବାଇ ହାଇକୋର୍ଟରେ ଏକ ପିଟିସନ୍ ମଧ୍ୟ ଦାୟର ହୋଇଛି। ଉଦ୍ଧବ ଠାକରେ ନିଜ ସରକାର ବଞ୍ଚାଇବା ପାଇଁ ଏସବୁ ଜାଣି ମଧ୍ୟ ଚୁପ ରହିବା ଶିବ ସୈନିକମାନଙ୍କୁ ବ୍ୟଥିତ କରିଛି। ଦୁର୍ଭାଗ୍ୟର ବିଷୟ ହେଉଛି ଯେଉଁ ଏନ୍‌ସିପି ଶିବସେନାକୁ ରସାତଳଗାମୀ କରିଛି ଏବେ ସେହି ଶିବସେନା ଅଶା ରଖଛି ଶରତ ପାୱାର ହେବେ ଏହି ସଙ୍କଟର ସଙ୍କଟମୋଚକ।

ସେନା ଭୁଲିଗଲା ହିନ୍ଦୁତ୍ୱ:

ଯେଉଁ ହିନ୍ଦୁତ୍ୱକୁ ନେଇ ସେନା ସରାକରକୁ ଆସିଥିଲା ସେହି ହିନ୍ଦୁତ୍ୱକୁ ଭୁଲିଗଲା ଶିବସେନା। କାଶ୍ମୀର ପ୍ରସଙ୍ଗ ଶିବ ସୈନିକଙ୍କ ଭାବାବେଗ ସହ ଜଡିତ, କିନ୍ତୁ ଯେଉଁଭଳି ଭାବେ ଦଳ ବିବେକ୍ ଅଗ୍ନିହୋତ୍ରୀଙ୍କ ‘ଦି ଫିଲ୍ମ କାଶ୍ମୀର ଫାଇଲ୍ସ’କୁ ବିରୋଧ କଲା ତାକୁ ଅନେକ ଶିବ ସୈନିକ ନାପସନ୍ଦ କଲେ। ମୋଦି ସରକାରଙ୍କ କାଶ୍ମୀର ନୀତିକୁ ଶିବସେନା ସମାଲୋଚନା କଲା।

ସେହିପରି ଦଳର ପରିଚୟ ମରାଠୀ ମାନୁସ, ହେଲେ ବିନାୟକ ଦାମୋଦର ସାବରକରଙ୍କୁ ମଧ୍ୟ ଶିବସେନା ଭୁଲିଯାଇଥିବା ଅଭିଯୋଗ ହୁଏ। ସାରା ରାଜ୍ୟରେ ବିଜେପି ସାବରକରଙ୍କ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳନ କରିଥିବା ବେଳେ କଂଗ୍ରେସ ଭୟରେ ଶିବସେନା ସାବରକରଙ୍କୁ ଉପେକ୍ଷା କରିଥିବା ଅଭିଯୋଗ ହୁଏ। ପାଲଘରରେ ସାଧୁଙ୍କ ଉପରେ ଆକ୍ରମଣ ଏବଂ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା।

ସେହିପରି ସୁଶାନ୍ତ ସିଂହ ରାଜପୁତ ଘଟଣାରେ କଙ୍ଗନାଙ୍କ ମୁମ୍ବାଇ ଅସୁରକ୍ଷିତ ବୟାନକୁ ନେଇ ଶିବସେନା ବନାମ କଙ୍ଗନା ଲଢେଇ ହେବା ଏବଂ ପରବର୍ତ୍ତି ସମୟରେ ବିଏମ୍‌ସି ତାଙ୍କ ଘର ଭାଙ୍ଗିବା ଘଟଣା ସେନାର ଛବିକୁ ଖରାପ କରିଥିଲା। ଏବେ ସୋସିଆଲ ମିଡିଆରେ କଙ୍ଗନା ଉଦ୍ଧବ ଠାକରେଙ୍କୁ ଦେଇଥିବା ଅଭିଶାପକୁ ନେଇ ଚର୍ଚ୍ଚା ଉଠିଛି। “ତୁ ଯେମିତି ମୋର ଘର ଭାଙ୍ଗିଛୁ ତୋର ବି ଦିନେ ଅହଂକାର ଭାଙ୍ଗିବ” କହି କଙ୍ଗନା ଉଦ୍ଧବଙ୍କୁ ଗାଳି ଦେଇଥିଲେ।

ଦେଶରେ ଯେତେବେଳେ ଧାର୍ମିକ ସ୍ଥଳରୁ ମାଇକ୍ ହଟାଇବା ପ୍ରସଙ୍ଗ ଯୋର ଧରିଥିଲା ସେତେବେଳେ ରାଜ ଠାକରେ ଘୋଷଣା କରିଥିଲେ, ମସିଜିଦ୍ ଆଗରେ ହନୁମାନ ଚାଳିଶା ପାଠ କରିବେ ବୋଲି। ଏହାପରେ ମହାରାଷ୍ଟ୍ରର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଶିବସେନାକୁ ହିନ୍ଦୁତ୍ୱର ପାଠ ପଢାଇବା ପାଇଁ ଠାକରେଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ କରିବେ ବୋଲି କହିଲେ। ତା’ପରେ ନବନୀତ ଏବଂ ସେନା ମଧ୍ୟରେ ଆରମ୍ଭ ହେଲା ଲଢେଇ। ଏହି ଦେଢ ବର୍ଷ ମଧ୍ୟରେ କେଉଁଠି ନାଁ କେଉଁଠି ଶିବସେନା ହିନ୍ଦୁତ୍ୱ ବିଚାରଧାରାକୁ ତ୍ୟାଗ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶିବସେନା ଅନେକ ଥର ହରଡ଼ ଘଣାରେ ପଡିଛି। ବାରମ୍ବାର ସେନାକୁ ପ୍ରମାଣିତ କରିବାକୁ ପଡୁଛି ଯେ ସେମାନେ ହିନ୍ଦୁତ୍ୱକୁ ଛାଡି ନାହାଁନ୍ତି।

ଗତ ଦୁଇ ତିନି ବର୍ଷ ମଧ୍ୟରେ ଏନ୍‌ସିପି ଏବଂ କଂଗ୍ରେସର ଚାପରେ ଶିବସେନା ତା’ର ବିଚାରଧାରାରେ ପରିବର୍ତ୍ତନ କରିଛି, ଯାହାକି ଶିବ ସୈନିକ ଏବଂ ସେନାର ପାରମ୍ପରିକ ଭୋଟରଙ୍କ ଭାବାବେଗକୁ କୁଠାରାଘାତ କରିଛି। ବର୍ତ୍ତମାନ ଶିବସେନା ତା’ର ନିଜସ୍ୱ ବିଚାରଧାରରୁ ହଟିଯାଇଥିବା ନେଇ ଚର୍ଚ୍ଚା ହେଉଛି।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Uddhav Thackeray Eknath Shinde Shivsena
Advertisment
Advertisment