• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯୁବାବସ୍ଥା ସ୍ୱୟଂ ସୂର୍ଯ୍ୟ ପରି ଉଜ୍ୱଳ । ସୂର୍ଯ୍ୟ ପରିକ୍ରମଣ କାରଣରୁ ଉଦୟ ଅସ୍ତ ହେଉଥିବା ଆମେ ଦେଖିଥାଉ ସିନା ବାସ୍ତବରେ ତାର ଉଦୟ କି ଅସ୍ତ ନଥାଏ । ସେହିପରି ଯୁବତ୍ୱ କେବଳ ଏକ ବୟସଭିତ୍ତିକ ଶାରୀରିକ ଅବସ୍ଥାକୁ ବୁଝାଏ ନାହିଁ ,ତାହା ଏକ ମାନସିକ ଅବସ୍ଥା ମଧ୍ୟ । କୁହାଯାଇଛି ,ଯିଏ ମାନସିକତାରେ କର୍ମଶୀଳ, ତତ୍ପର ଓ ଉତ୍ସାହୀ ସେ ସବୁବେଳେ ଯୁବା । ଅପରପକ୍ଷେ ଯିଏ ମାନସିକ ଭାବେ ନିରାଶ, ଅକର୍ମଣ୍ୟ ସେ ସବୁ ବୟସରେ ମଧ୍ୟ ବୃଦ୍ଧ । 

 ଆର୍ଯ୍ୟ ମୁନୀ ଋଷିଙ୍କ ଦେଶ ଭାବରେ ପରିଚିତ ଆମ ଭାରତର ଉଜ୍ବଳ ଅଧ୍ୟାତ୍ମ ନକ୍ଷତ୍ର ସ୍ୱାମୀ ବିବେକାନନ୍ଦ ଯାହାଙ୍କୁ ଆମେ ଯୁବ ଭାବନାର ପ୍ରତୀକ ଭାବରେ ସ୍ମରଣ କରିଥାଉ । ସ୍ୱାମୀଜୀ ଏକଦା ପରାଧୀନ ଭାରତବର୍ଷର ଜନମାନସରେ ସୃଷ୍ଟି ହୋଇଥିବା ହତାଶା,ନିରାଶା ଓ କ୍ଲୀବତ୍ବକୁ ହୃଦୟଙ୍ଗମ କରି  ଆହ୍ୱାନ ଦେଇଥିଲେ - ହେ ମୋର ପ୍ରିୟ ଭାରତବାସୀ ! ତୁମେ ଉଠ,ଜାଗ୍ରତ ହୁଅ । ପରାଧୀନତାର ନିଗଡରୁ ନିଜକୁ ମୁକ୍ତକରି ଦେଶମାତୃକାର ସ୍ୱତନ୍ତ୍ରତା ପାଇଁ ଅନୁପ୍ରେରିତ ହୁଅ । ସ୍ୱାମୀଜୀଙ୍କର ଏହି ଆହ୍ୱାନର ଦୁଇଟି ଦିଗକୁ ବିଚାରକଲେ ଆମକୁ ହୃଦବୋଧ ହେବ ଯେ ଏହା ଉଭୟ ଶାରୀରିକ ଓ ମାନସିକ ଭାବେ କର୍ମପ୍ରବଣ ହେବାର ସୂଚନା ଦିଏ । ବାସ୍ତବରେ ମଣିଷକୁ କର୍ମପ୍ରବଣ କରାଇବାର ମୂଳ ପ୍ରେରଣା ହେଉଛି ମନ । ତେଣୁ ଭାଗବତରେ କୁହାଯାଇଛି - ମନର ମୂଳେ ଏ ଜଗତ । ପୁଣି ମନର ଶକ୍ତିକୁ ଦର୍ଶାଇ ଏକଥା ମଧ୍ୟ କୁହାଯାଇଛି -   ଗିରି ଲଙ୍ଘିବା,କି ଆକାଶରେ ଉଡିବା‌ ମୂଳରେ ହିଁ ମନ । ଏଥିରୁ ସ୍ପଷ୍ଟ ଅନୁମେୟ ମନର ଶକ୍ତି ହିଁ ସମୁଦାୟ ଚିନ୍ତା ଚେତନାକୁ ତଥା ଶରୀରକୁ କ୍ରିୟାଶୀଳ କରାଏ । 

  ଯୁବଶକ୍ତି ପ୍ରସଙ୍ଗରେ ଆମ ମନକୁ ଯୁବତ୍ବ ପରି ଶବ୍ଦର ପ୍ରକୃତ ଅର୍ଥ ପାଖରେ ପହଞ୍ଚିବା ଆବଶ୍ୟକତା ରହିଅଛି । ଆମେ ଏବେ ଏକବିଂଶ ଶତାବ୍ଦୀରେ ପାଦ ଦେଇଛେ । ସୂଚନା ପ୍ରଯୁକ୍ତିର ଦୁନିଆ ଏବେ କର୍ମକ୍ଷେତ୍ରକୁ ଏକ ଭିନ୍ନ ଦିଗରେ ପ୍ରଶସ୍ଥ ଓ ବ୍ୟାପକ କରିଅଛି । ଶାରୀରିକ ଶ୍ରମ ଅପେକ୍ଷା ମାନସିକ କ୍ଷେତ୍ରରେ ଶ୍ରମ ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇଛି । ଏପରି ଏକ ସନ୍ଧି ସମୟରେ ଶିକ୍ଷିତ ଯୁବବର୍ଗ ଓ ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଯୁବବର୍ଗ ମଧ୍ୟରେ ଏକ ବିରାଟ ବ୍ୟବଧାନ ସୃଷ୍ଟି ହୋଇଛି । ଗୋଟିଏ ବର୍ଗ ସୂଚନା ପ୍ରଯୁକ୍ତି ଜ୍ଞାନ ବଳରେ ଆକାଶରେ ଉଡୁଥିବା ବେଳେ ଅନ୍ୟବର୍ଗଟି ଅକୁଶଳୀ,ଅର୍ଦ୍ଧକୁଶଳୀ ଓ କୁଶଳୀର ଗୋଲକଧନ୍ଦା ସହ ଯୁଝୁଅଛି । ଗୋଟିଏ ବର୍ଗ ନିଜ ଦୈନିକ ମଜୁରି ନିର୍ଦ୍ଧାରଣ ପଛରେ ପଡିଥିବା ବେଳେ ଆଉ ଗୋଟିଏ ବର୍ଗ ଅସୀମିତ ରୋଜଗାର ନିଶାରେ ମଜଗୁଲ୍ ।

କିଶୋର ଅବସ୍ଥାରୁ ମସ୍ତିଷ୍କରେ ଭରିଦିଆଯାଉଛି ଡିଜିଟାଲ ବିଶ୍ବର ଚମକ ,କୋଡିଙ୍ଗ ଶିଖ,ଆପ୍ ତିଆରି କର । ତାହେଲେ ପରିଗଣିତ ହେବ ବିଶ୍ୱମାନବ । ସଭ୍ୟ,ଶିକ୍ଷିତ ବୋଲାଇବାର ଏହିପରି ମନ୍ତ୍ରସଵୁ କି ଯେ ଭବିଷ୍ୟତ ଯୁବଶକ୍ତି ଗଠନ କରିବ ତାହା ମଧ୍ୟ ବିଚାର୍ଯ୍ୟ । ତେବେ ଇଣ୍ଟରନେଟ,ଇ-ମେଲ ଓ ଗୁଗଲୁ ସମେତ ଅନେକ ଆପ  ଆଜିର ଯୁବପିଢିର ଯେପରି‌ ଦୀକ୍ଷାଗୁରୁ ପାଲଟି ଯାଇଛି । ହାତରେ ଅତ୍ୟାଧୁନିକ ମୋବାଇଲ ଓ ମୋବାଇଲରେ ଡାଟା ଉପଲବ୍ଧ ଅଛିତ ସେ ନିଜକୁ ସର୍ବଜ୍ଞାତା ମନେ କରୁଛି । ଯୁବ ବର୍ଗର ଏହି ମାନସିକତା ପାଖରେ କେତେଯେ ଦେଶବୋଧ ଭାବନା, ବଳିଷ୍ଠ ସମାଜତତ୍ତ୍ବ ଅଦରକାରୀ,ଅପାଂକ୍ତେୟ ହୋଇଯାଉଛି ତାହା ମଧ୍ୟ ଚିନ୍ତାଜନକ । ବୋଧ ହେଉଛି ଇଣ୍ଟରନେଟ ଇ-ମେଲ ପରି ଦୁନିଆ‌ ଗୋଟିଏ ଦିଗକୁ ଆଲୋକିତ କରି ଆଗକୁ ଚାଲିଥିବା‌ ବେଳେ ଠିକ୍ ସେଇ ଆଲୋକିତ ଦିଗର ପଶ୍ଚାତଧାବନ କରୁଛି ଏକ ଅନ୍ଧକାର । 

ସୂଚନା ପ୍ରଯୁକ୍ତି ରେ ଆମେ ବିଶ୍ବର ଗୋଟିଏ ନବ୍ୟଶିକ୍ଷିତ ସମାଜକୁ ‌ଯୋଡିବା ବେଳକୁ  ଅପର ସମାଜଟି ଯେପରି ମୂଳସ୍ରୋତରୁ ବିଚ୍ୟୁତ ହୋଇଯାଉଛି । ଗୁଗୁଲ୍ ଇଣ୍ଟରନେଟ ବାହାରେ ଯେ ଦୁନିଆ ଅଛି ଏକଥା ଶୁଣିବା ,ବୁଝିବା ପାଇଁ ଯୁବଶକ୍ତି ପ୍ରସ୍ତୁତ ନୁହଁ । ଏପରି ସ୍ଥିତିରେ  ସମାଜ ,ସମ୍ପର୍କର ମୂଳଭିତ୍ତି ଦୋହଲିବାରେ ଲାଗିଛି । ଆମ ଆଗର ବିଶ୍ବ ଯେଉଁ ଆଲୋକ‌ ପ୍ରଦାନ କରିବାକୁ ‌ଯାଉଛି ତାହା କେତେ ପ୍ରତିଶ୍ରୁତିପୂର୍ଣ ଓ ଭରସାଯୋଗ୍ୟ ରହିବ ତାହା‌ କେହି କହିପାରିବ ନାହିଁ । ଆଧୁନିକ ବିଜ୍ଞାନ ଯେ ଆମକୁ ସମ୍ପନ୍ନ କରିବ ,ଆଣବିକ ଶକ୍ତିରେ ବଳଶାଳୀ ହେବାର ପାଗଳ ପ୍ରତିଯୋଗିତା ଭିତରୁ ଆମକୁ ବିଶ୍ବାସର, ଆସ୍ଥାନ ବିଶ୍ବଟିଏ ଦେବ ଏକଥା ମଧ୍ୟ ସମ୍ଭବ ନୁହେଁ । ଏକ ଅନିଶ୍ଚିତ ଆଲୋକରର ସନ୍ଧାନରେ ଆମକୁ ଏକ ଆଶଙ୍କିତ ଅନ୍ଧକାର ଭିତରେ ବଞ୍ଚିବାକୁ ପଡୁଛି ଏକଥାକୁ ଅସ୍ବୀକାର କରି ହେବ କି ? ଏହି ପ୍ରକାର ବିଚିତ୍ର ସ୍ଥିତିରେ ସମୁଦାୟ ଯୁବବର୍ଗର ଏକ ସମୂହ ଚରିତ୍ରର ଚିତ୍ରାଙ୍କନ କରିବା ଦୁରୁହ ବ୍ୟାପାର ହୋଇଯାଇଛି ।  ଯୁବଵର୍ଗରେ ଏହି ତାରତମ୍ୟତାର ପ୍ରଭାବ ସାମାଜିକ ସହାବସ୍ଥାନ କ୍ଷେତ୍ରକୁ ମଧ୍ୟ ପ୍ରଭାବିତ କରୁଅଛି ।

  ଯୁବ ମାନସିକତାକୁ ବେକାରୀ ଯେତିକି ଭାବରେ ଆକ୍ରାନ୍ତ କରୁଛି ,ସେତିକି ପରିମାଣରେ ବିଷାଦଗ୍ରସ୍ତ ଭାବ,ଅନ୍ୟ ସହ ନିଜକୁ ତୁଳନା କରି ମାନସିକ ନ୍ୟୁନତାଭାବ,ପରଶ୍ରୀକାତରତା ,ଏପରିକି ଆତ୍ମହତ୍ୟା ପ୍ରବଣତା ମଧ୍ୟ ବଢିବାରେ ଲାଗିଛି ।କର୍ମହୀନତା ଜନିତ ମାନସିକ ଅବସାଦ ନିଶା ଆଡ଼କୁ ଆକର୍ଷିତ କରୁଛି ।  ଚୋରି ,ରାହାଜାନୀ,ହତ୍ୟା ପରି ଅପରାଧ କରିବାକୁ ମଧ୍ୟ ପଛାଉ ନାହିଁ । ନିଜର ଶେଷ‌ଆଶ୍ରୟସ୍ଥଳ ଭାବି ଡ୍ରଗ୍ସ‌ ପରି ବିଷ‌ବଳୟରେ‌ ରହି ସେ ନିଜର ଅସହାୟ ଅସ୍ତିତ୍ବକୁ ନିଃଶେଷ କରି ଦେବାକୁ ମଧ୍ୟ ପଛାଉ‌ ନାହିଁ । ଏପରି ସ୍ଥଳେ ପରିବାର ହତାଦର ତାକୁ ଦୂରକୁ ଠେଲି‌ଦେଉଛି ,ସମାଜର ନିନ୍ଦା,ଉପେକ୍ଷା ତାକୁ ଦୂରକୁ ଫୋପାଡ଼ି ଦେଉଛି , ଏମିତି କି‌ ନିଜଠୁ ନିଜକୁ ମଧ୍ୟ ଦୂରେଇ ରଖିବାକୁ ବାଧ୍ୟ ହେଉଛି । ଏପରି କ୍ଷେତ୍ରରେ ଶିକ୍ଷିତ ଯୁବବର୍ଗକୁ କ୍ୟାରିଅର କାଉନସେଲିଙ୍ଗ ସହ ମାନସିକ କାଉନସେଲିଂର ମଧ୍ୟ ଆବଶ୍ୟକତା‌ ରହିଅଛି ।

  ସବୁ ପରେ ଯୁବବର୍ଗ ହିଁ ରାଷ୍ଟ୍ରର ନବନିର୍ମାତା,ରାଷ୍ଟ୍ରଶକ୍ତି । ସେଇମାନଙ୍କ ଆଖିରେ ରାଷ୍ଟ୍ର ସ୍ବପ୍ନ ଦେଖିପାରେ ପୁଣି ସେଇମାନଙ୍କ ଅବସନ୍ନତାରେ ରାଷ୍ଟ୍ର ପଙ୍ଗୁତ୍ବ ବରଣ କରିବାକୁ ବାଧ୍ୟ ହୁଏ । ଯୁଵତ୍ବ ଏକ ଖୋଜ୍ । ଏହି ଖୋଜ୍ ବା ଅଧ୍ୟବସାୟ,ଅନୁସନ୍ଧାନ । ଆହୁରି ମଧ୍ୟ ଯୁବାବସ୍ଥାର କୋୖଣସି ବିକଳ୍ପ ସମୁଦାୟ ଜୀବନରେ ମିଳିନଥାଏ । ଶାରୀରିକ, ମାନସିକ ଦୃଷ୍ଟିରୁ ଏହା ସବୁଠୁ ଅଧିକ ପ୍ରଖର ଓ ତେଜସ୍କ୍ରିୟ । ଅନେକ ସମ୍ଭାବନା ଏହି ଅବସ୍ଥାରୁ ହିଁ ଆଶା କରାଯାଇପାରେ । ସମୁଦାୟ ଜୀବନର ଲକ୍ଷ୍ୟ,ସିଦ୍ଧି ଓ ପ୍ରାପ୍ତିର ନୀଳନକ୍ସା ଏହି ଯୁବାବସ୍ଥାରୁ ନିର୍ଦ୍ଧାରଣ ଓ ବାସ୍ତବାୟନ ହୋଇଥାଏ ।

ମଣିଷର ସମୁଦାୟ ଅସ୍ତିତ୍ବର, ସାମର୍ଥ୍ୟର ଆବିଷ୍କାର ପାଇଁ ଏହା ଏକ ସୁଯୋଗ ଆଣିଥାଏ। ଚେତନା ସ୍ତରରେ ଯେଉଁ ଭଳି ଏକ ଆଲୋକିତ ଭୂମି ଆଡ଼କୁ ଆଗେଇ ଯିବାର ଅନ୍ତଃପ୍ରେରଣା  ଦେଇଥାଏ ସେହିପରି ମଧ୍ୟ ଜୀବନର  ଏକ ନିର୍ଣ୍ଣାୟକ ମୋଡମୁଣ୍ଡରୁ ବିନାଶ ନିଜକୁ ମୁହାଁଇ ଦେଇପାରେ । ଏହି ପରିପ୍ରେକ୍ଷୀରେ ନିଜକୁ ସଦାଯୁବତ୍ବ ପ୍ରଦାନ ପୂର୍ବକ,ଉଚ୍ଚ ବିଚାର ସମ୍ପନ୍ନ ହୋଇ ସମାଜ, ରାଷ୍ଟ୍ର ଗଠନରେ ସହାୟକ ହେବା ସମସ୍ତଙ୍କର  ଧ୍ୟେୟ ହେବା ଉଚିତ୍ ।
________
ବନ୍ଧପଡା, ମଦନପୁର, କେନ୍ଦ୍ରାପଡ଼ା,ଫୋନ: ୮୯୧୭୩୭୦୨୨୭