• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

“ଗୋଟେ ପିଲାକୁ ଖରାପ କରିବାର ସବୁଠୁ ଭଲ ଓ ସହଜ ଉପାୟ ହେଲା ଦଣ୍ଡ ଦେବା।” ଏ କଥାଟି ବଡ଼ମାନଙ୍କୁ ଦଣ୍ଡ ଦେବା ବିଷୟରେ ସଚେତନ କରେଇବାକୁ ଯାଇ କହିଥିଲେ ଜଣେ ମନୋବୈଜ୍ଞାନିକ। ତେଣୁ ଆମେ ବଡ଼ମାନେ ପିଲାକୁ ଭଲ କରିବା ନାଆଁରେ ଯେଉଁ ନିର୍ଦ୍ଧୁମ୍ ଗାଳିମନ୍ଦ, ବିରକ୍ତ ଓ ପିଟାପିଟି କରୁଛନ୍ତି ତାହା ଦ୍ୱାରା ପିଲାର କ’ଣ ହେଉଛି ସେ ବିଷୟରେ ଟିକେ ଜାଣିନେବା।

୧. ଦଣ୍ଡ ପିଲାକୁ କ’ଣ ନ କରିବାକୁ ହେବ ତାହା ହିଁ କେବଳ ଶିକ୍ଷା ଦିଏ, କ’ଣ କରିବାକୁ ହେବ ତାହା ନୁହେଁ।

୨. ଏହା ପିଲାକୁ ଶିଖାଏ ଯେ, “କ୍ଷମତାରେ ଥିବା ମଣିଷ ଚାହିଁଲେ ଅନ୍ୟକୁ ନିଜ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ କରିପାରେ।”

୩. ଏହା ଭବିଷ୍ୟତରେ ଉଭୟ ଦଣ୍ଡ ଦେଉଥିବା ମଣିଷ ଓ ଦଣ୍ଡ ପାଇଥିବା ଅବସ୍ଥା ଠାରୁ ନିଜକୁ ଦୂରେଇ ରଖିବା ବା ଏଡେଇ ଯିବା ଶିଖାଏ।

୪. ବଡ଼ମାନଙ୍କୁ ଦଣ୍ଡ ଦ୍ୱାରା ସମସ୍ୟାକୁ ସମାଧାନ କରୁଥିବାର ଦେଖି, ନିଜର ଅସୁବିଧାଗୁଡ଼ିକୁ ମଧ୍ୟ ଦଣ୍ଡ ଦେଇ ବା ଡରାଇ ସମାଧାନ କରିବାକୁ ଶିଖାଏ ।

୫. ଦଣ୍ଡ ପାଉଥିବା ପିଲାଟି ନକାରାତ୍ମକ ଆତ୍ମ-ମୂଲ୍ୟାୟନ ଭିତରେ ବଞ୍ଚିରହେ। ହାରିବାର ଭୟରେ କୌଣସି କାର୍ଯ୍ୟ ହାତକୁ ନେବାକୁ ଡରେ, ନ ହେଲେ ନିଜକୁ ଏମିତି କାର୍ଯ୍ୟରେ ବୁଡ଼ାଇ ରଖେ ଯଦ୍ୱାରା ସମସ୍ତେ ତାହାର ନକାରାତ୍ମକ ମୂଲ୍ୟାୟନ କରିବେ।

୬. ଏହା ପିଲାର ଆତ୍ମ-ସମ୍ମାନବୋଧକୁ କମାଏ। ସେମାନଙ୍କୁ ଆତ୍ମ-ନିୟନ୍ତ୍ରଣ କରିବାରେ ଦୁର୍ବଳ କରାଇବା ସହ ନିଜ ଠାରୁ ନକାରାତ୍ମକ ପ୍ରତ୍ୟାଶାମାନ କରିବା ଶିଖାଏ।

୭. ଏହା ପିଲାଙ୍କୁ ପୀଡ଼ିତ ହୋଇ ରହିବା ଶିଖାଏ।

୮. ଏହା ପିଲାର ଶିକ୍ଷଣ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ସହ ତା’ର ବୌଦ୍ଧିକ, ଇନ୍ଦ୍ରିୟଗତ ଓ ଆବେଗଗତ କ୍ଷେତ୍ରକୁ ଖିନଭିନ୍ କରିଦିଏ।

୯. ଏହା ଯୁକ୍ତିବୁଦ୍ଧିର ପ୍ରୟୋଗକୁ ନିରୁତ୍ସାହିତ କରାଏ। କଥାବାର୍ତ୍ତା ଓ ମନନ ପ୍ରକ୍ରିୟାକୁ ବନ୍ଦ କରିଦେଉଥିବାରୁ ଏହା ଆଚରଣ ଓ ଏହାର ପରିଣତି ମଧ୍ୟରେ ଥିବା ସମ୍ପର୍କଟିକୁ ବୁଝିବାର କ୍ଷମତାଟିକୁ ବ୍ୟାହତ କରେ।

୧୦. ଏହା ପିଲାକୁ ଏକାକୀ, ଦୁଃଖି ଓ ପରିତ୍ୟକ୍ତ ଅନୁଭବ କରିବା ଶିଖାଏ।

୧୧. ପିଲା ଭିତରେ ‘ଅନ୍ୟ ମଣିଷମାନେ ଓ ସମାଜ ଗୋଟିଏ ଧମକପୂର୍ଣ୍ଣ ବା ଡରାଉଥିବା ସ୍ଥାନ’ ବୋଲି ଭାବିବାର ନକରାତ୍ମକ ଦୃଷ୍ଟିଭଙ୍ଗିଟି ତିଆରି କରେ।

୧୨. ପିଲା ଓ ବାପାମାଆଙ୍କ ଭିତରେ ଭାବର ଆଦାନ ପ୍ରଦାନ ହେବାରେ ବାଧା ସୃଷ୍ଟିକରେ ଓ ପୂର୍ବରୁ ଥିବା ଆବେଗଗତ ସମ୍ପର୍କରେ କ୍ଷତି ପହଞ୍ଚାଏ।

୧୩. ଏହା କ୍ରୋଧ ସୃଷ୍ଟି କରାଇବା ସହ ଘରୁ କୁଆଡେ଼ ପଳାଇ ଯିବାର ଇଚ୍ଛାଟି ମଧ୍ୟ ତିଆରି କରେ।

୧୪. ହିଂସ୍ରତା ହିଂସ୍ରତା ହିଁ ଶିଖାଏ। ତେଣୁ ହିଂସ୍ର ଉପାୟଗୁଡ଼ିକ ଅସୁବିଧା ସମାଧାନ କରିବାର ଗ୍ରହଣୀୟ ବାଟ ବୋଲି ଶିଖାଏ।

୧୫. ସାମାଜିକ ଏକତ୍ୱ କ୍ଷେତ୍ରରେ ସମସ୍ୟା ଉତ୍ପନ୍ନ କରେ।

୧୬. ଏହା ନିୟମକୁ ବାଧ୍ୟ ହୋଇ ପାଳନ କରିବା ଅଥବା ଲଙ୍ଘନ କରିବା ଶିଖାଏ, ଯାହାର ପ୍ରଭାବ କ୍ଷଣିକ।

୧୭. ଦଣ୍ଡ ଆଜ୍ଞାଧିନତା ବଢ଼ାଏ କିନ୍ତୁ ଅନ୍ତର୍ନିହିତ ନୈତିକ ଜ୍ଞାନକୁ ମାରିଦିଏ।

୧୮. ଦଣ୍ଡ ପିଲାକୁ ଆଘାତକାରୀ ହେବା ଶିଖାଏ।

୧୯. ଦଣ୍ଡ ପାଇଥିବା ପିଲାମାନେ ନିଜର ମୌଳିକ ଆବଶ୍ୟକତାଗୁଡ଼ିକୁ ମଧ୍ୟ ଅବହେଳା କରନ୍ତି। ଏହି ଆବଶ୍ୟକତା ଭିତରେ ସଠିକ୍ ନିଦ୍ରା, ପୁଷ୍ଟି, ଚିକିତ୍ସା, ସତେଜ ପବନ, ଶରୀର ଚର୍ଚ୍ଚା ଏବଂ ଚାରିପାଖର ପୃଥିବୀକୁ ଜାଣିବାର ଓ ଆବିଷ୍କାର କରିବାର ସ୍ୱାଧୀନତା ଅନ୍ତର୍ଭୁକ୍ତ।

୨୦. ଏହା ଅସୁବିଧାଗୁଡ଼ିକୁ ଯେ ଫଳପ୍ରଦଭାବେ ଓ ମାନବୀୟ ଢଙ୍ଗରେ ସମାଧାନ କରିବାକୁ ହେବ ତାହା ଶିଖିବାରୁ ପିଲାଟିକୁ ଦୂରେଇ ରଖେ।

୨୧. ଦଣ୍ଡ ପାଇଥିବା ପିଲାର ମନ ପ୍ରତିଶୋଧର ଭାବ ଓ ଅବାସ୍ତବ କଳ୍ପନାମାନଙ୍କ ଦ୍ୱାରା ପୂର୍ବାଧିକୃତ ହୋଇ ରହିବାରୁ ବେଶ୍ ଫଳପ୍ରଦ ବାଟରେ ଅସୁବିଧାଗୁଡ଼ିକୁ ସମାଧାନ କରିପାରିବା ସେ ଶିଖି ପାରେନି।

୨୨. ପିତାମାତା ଓ ସନ୍ତାନ ଭିତରେ ଥିବା ମମତାର ସୁକ୍ଷ୍ମ ରଜୁଟିକୁ ଦଣ୍ଡ ଛିଡ଼ାଇଦିଏ।

୨୩. ଏହାଦ୍ୱାରା ପିଲା କ୍ରୋଧ ଏବଂ ନିରାଶାକୁ ଭଲଭାବେ ପ୍ରକାଶ କରିପାରେ ନାହିଁ। ତେଣୁ ଏସବୁ ତା’ ଭିତରେ ଲୁକ୍କାୟିତ ହୋଇ ରହିଯାଏ। ସେ ସବୁକୁ ସେ ଅନ୍ୟ ବାଟରେ ପ୍ରକାଶ କରେ।

୨୪. ଆପାତତଃ କମ୍ ମାତ୍ରାରେ ହେଉ ପଛେ, ପିଚାରେ ଆଘାତ ଦେବା ମଧ୍ୟ ଶାରୀରିକ ଭାବେ ବିପଦପୂର୍ଣ୍ଣ। କାରଣ ମେରୁଦଣ୍ଡର ନିମ୍ନଭାଗର ଉପରେ ଆଘାତ ହେଲେ ଏହା ସମ୍ପୂର୍ଣ୍ଣ ମେରୁଦଣ୍ଡର ଦୈର୍ଘ୍ୟକୁ ଏକ ସକ୍ ୱେଭ୍ ଛାଡେ଼, ଯାହା ପିଲାକୁ କ୍ଷତି ପହଞ୍ଚାଇଥାଏ। ଆମ ସମାଜରେ ଅଧିକତର ବଡ଼ମାନଙ୍କର ବ୍ୟାକ୍ ପେନ୍ ସହ ଏହି କାରଣଟିର ସଂଯୋଗ ରହିଛି, ଯାହା ପିଲାବେଳର ଦଣ୍ଡ ପାଇବା ଯୋଗୁଁ ହିଁ ହୋଇଥାଏ।

ପ୍ରସିଦ୍ଧ ଶିକ୍ଷାବିତ୍ ଜନ୍ ହୋଲ୍ଟଙ୍କ ମତରେ, “ଗୋଟିଏ ପିଲା ଯାହାର ଜୀବନ ଦଣ୍ଡର ଧମକ ଓ ଭୟରେ ପରିପୂର୍ଣ୍ଣ ତାହାର ବାଲ୍ୟକାଳରେ ହିଁ ତାଲା ପଡ଼ିଯାଇଥାଏ। ତା’ ଲାଗି କୌଣସି ରାସ୍ତା ନଥାଏ ବଢ଼ିବାକୁ। ନିଜ ଜୀବନ ଓ କର୍ମର ଦାୟିତ୍ୱ ନେବା ସେ ଶିଖିପାରେନି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେ କେବେ ବି ସ୍ଥିର କରିନେବାନି ଯେ, ସେମାନଙ୍କଠୁ ଅଧିକ ଶକ୍ତିଶାଳୀ ବଡ଼ମାନଙ୍କ ସାମ୍ନାରେ ପ୍ରତିବାଦ ନ କରିବାଟା ପିଲାର ଚରିତ୍ର ପାଇଁ ଠିକ ବୋଲି। ଏହା କେବେ ଏବଂ କାହାରି ଚରିତ୍ର ଲାଗି ବି ଠିକ ନୁହେଁ।”

ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ସଚେତନତା ଅଭିଯାନ ହେଉଛି ଦଣ୍ଡ ନଦେବା ବିଷୟରେ। ୟୁନିସେଫ୍ ଗୋଟିଏ ଜାଗାରେ ଅଭିଭାବକମାନେ ଦଣ୍ଡ ଦେବାର କାରଣ ଓ ସମାଜ ଉପରେ କ’ଣ ପଡେ଼ ସେ ବିଷୟରେ କହିଛି। ଅଭିଭାବକମାନେ ଦଣ୍ଡ ଦେବାର କାରଣଗୁଡିକ ହେଲା;

- ସେମାନେ ଭାବନ୍ତି ଦଣ୍ଡ ଦେବା ପିଲାର ଶିକ୍ଷା ପାଇଁ ଆବଶ୍ୟକ ଓ ଠିକ।

- ଏହା ‘ପିଲା କିଛି କରୁନି’ର ଚିନ୍ତାରୁ ବଡ଼ମାନଙ୍କୁ ମୁକ୍ତି ଦିଏ।

- ବିଭିନ୍ନ ଅବସ୍ଥାକୁ ସମ୍ଭାଳିବା ଲାଗି ବଡମାନଙ୍କ ପାଖରେ ଯଥେଷ୍ଟ ଉପାୟ ନଥାଏ ବା ସେମାନେ ଯାହା ଚାହୁଁଥାନ୍ତି ତାହା ପାଇବା ଲାଗି କୌଶଳ ମଧ୍ୟ ଜଣା ନଥାଏ।

- ଦଣ୍ଡ ପ୍ରୟୋଗ କରାଯାଉଥିବା ସାମାଜିକ ଅବସ୍ଥାଗୁଡ଼ିକ ବୁଝିବାରେ ବଡ଼ମାନେ ଦକ୍ଷ ନଥା’ନ୍ତି।

- ବଡ଼ମାନେ ନିଜ ଆବେଗକୁ ନିୟନ୍ତ୍ରଣ କରିବାରେ ଅକ୍ଷମ।

ଜରୁରୀ କଥା ହେଲା, ବଡ଼ମାନେ ପିଲାଙ୍କୁ ଦଣ୍ଡ ଦେଉଥିବାର କାରଣ ଯାହା ବି ହେଇଥାଉନା କାହିଁକି ଏହାର ପ୍ରଭାବ କିନ୍ତୁ ନିଶ୍ଚୟ ଫଳେ ଏବଂ ଏହି ଫଳାଫଳ ନିର୍ଦ୍ଧିଷ୍ଟ। ପିଲାଙ୍କ ଉପରେ ଏହାର ପ୍ରଭାବ ବିଷୟରେ ତ କହିସାରିଛି, ସମାଜ ଉପରେ ଏହାର ପ୍ରଭାବଗୁଡ଼ିକ ହେଲା;

- ସମାଜରେ ହିଂସ୍ରତାର ମାତ୍ରା ବଢ଼ାଏ ଏବଂ ପରବର୍ତ୍ତୀ ପିଢ଼ି ଦୃଷ୍ଟିରେ ଏହା ଦଣ୍ଡ ଦେବାଟା ବୈଧ ବୋଲି ଧାରଣା ତିଆରି କରେ।

- ଏହା ସମାଜ ଭିତରେ ଦୁଇଟି ପକ୍ଷ ତିଆରି କରେ। ଦୁଇ ପ୍ରକାର ନାଗରିକ (ପିଲା ଓ ବୟସ୍କ) ତିଆରି ହୁଅନ୍ତି। ପିଲାକୁ ଆକ୍ରମଣ କରିବା ଗ୍ରହଣୀୟ କିନ୍ତୁ ବଡ଼କୁ ନୁହେଁ ବୋଲି ଏହା ବତାଏ।

- ଏହାଦ୍ୱାରା ପାରିବାରିକ ଗଠନ କ୍ଷଣଭଙ୍ଗୁର ହୁଏ।

- ଯେଉଁ ପରିବାରର ସଦସ୍ୟମାନଙ୍କ ଭିତରେ କୌଣସି ଆଦାନ ପ୍ରଦାନ ନଥାଏ, ସେହି ପରିବାର ଲାଞ୍ଛିତ ଓ ଆକ୍ରମଣକାରୀ ଭାବରେ ଭାଗ ଭାଗ ହୋଇଯାଏ।

- ଯେଉଁ ପରିବାରର ସମାଜ ସହ ଏକତ୍ୱ ନଥାଏ, ତାହାର ଗଣତନ୍ତ୍ର ଦ୍ୱାରା ସମର୍ଥନ କରାଯାଉଥିବା ଏକତ୍ୱ ସହ ମଧ୍ୟ ଦ୍ୱନ୍ଦ୍ୱ ରହେ।

- ପିଲାର ସୁରକ୍ଷାକୁ ବାଧାପ୍ରାପ୍ତ କରାଏ। କାରଣ ଦଣ୍ଡର ଅଭ୍ୟାସକୁ ସହ୍ୟ କରିବା ଦ୍ୱାରା ପିଲା ସମାଜ ଏକ ସୁରକ୍ଷା ଦେଉଥିବା ପରିବେଶ ବୋଲି ବିଶ୍ୱାସ କରିପାରେନି।

- ଏହା କିଛି ଆଜ୍ଞାବହ ନାଗରିକ ଦିଏ ସମାଜକୁ; ଯେଉଁଠି ବ୍ୟକ୍ତି ଅଳ୍ପ ବୟସରୁ ଅନ୍ୟଦ୍ୱାରା ଲାଞ୍ଛିତ ହେବାଟା ପ୍ରାକୃତିକ ଅବସ୍ଥା ବୋଲି ଶିଖିଥାଏ।

ଏତେସବୁ କଥା ଜାଣିବା ପରେ, ସତରେ ଯେଉଁମାନେ ଏହିସବୁ ଯନ୍ତ୍ରଣାକୁ ଅଙ୍ଗେ ଲିଭେଇଛନ୍ତି ଓ ନିରାକରଣଟେ ଖୋଜିଛନ୍ତି ବିକଳ ହୋଇ, ପିଲାଦିନେ କେହି ଜଣେ ନିଜ କଥା ଶୁଣୁ ବୋଲି ଆଶାଟିଏ ନେଇ ବସିରହି, ଅପେକ୍ଷାକରି ନିରାଶ ହୋଇଛନ୍ତି, କେହି ଜଣେ କୋଳେଇ ନେଉ ବୋଲି ଲୁଚି ଲୁଚି ଆଖିରୁ ଲୁହ ଗଡେ଼ଇଛନ୍ତି, ଯେଉଁମାନେ ନିଜ ପିଲା ସେଇ ସବୁ ଭିତର ଦେଇ ନଯାଉ ବୋଲି ଚାହୁଁଛନ୍ତି, ସେମାନଙ୍କ ପାଇଁ ଅଳ୍ପ କେତୋଟି ସମାଧାନ ବିଷୟରେ ଆସନ୍ତୁ ଜାଣିବା।

୧. ପିଲାକୁ ସ୍ନେହରେ ଥାପୁଡାଟିଏ ବି ଆମେ କେବେ ମାରିବାନି।

୨. ବଡ଼ ପାଟିରେ କି ରାଗିକରି ଆମେ ଆଉ କଥା ହେବାନି।

୩. ଯଦି ପାରିବା ତେବେ ପିଲାର ଭଲଗୁଣଗୁଡ଼ିକ ଖୋଜି ଖୋଜି ତାକୁ ଜଣେଇବାର, ପ୍ରଶଂସା କରିବାର ଅବସର ଗୁଡ଼ାଏ ଦେବା।

୪. ଉଚ୍ଚାକାଂକ୍ଷାରୁ ଓହରି ଆସି ପିଲାର ଆଗ୍ରହଟି ଜାଣିବାକୁ ଚେଷ୍ଟା କରିବା ଓ ସେଇଥିରେ ଆଗକୁ ଯିବାରେ ସାହାଯ୍ୟ କରିବା।

ସର୍ବୋପରି ସେମାନେ ଅଛନ୍ତି ବୋଲି ହିଁ ଆମେ ବାପା, ମାଆ କି ଶିକ୍ଷକ ବୋଲାଉଛନ୍ତି। ଏତେ ଗଉଁ ଦେଖାଇବାର ସୁଯୋଗ ସେମାନେ ହିଁ ଆମକୁ ଦେଇଛନ୍ତି ବୋଲି ବୁଝିବା ପରେ ତାଙ୍କ ପାଖରେ ଆମେ ନିଶ୍ଚୟ କୃତଜ୍ଞ ରହିବା।

ଏହି ଲେଖାରେ ଦିଆଯାଇଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ।