• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ସୁଖ, ଦୁଃଖ, ଘୃଣା, ଆଶ୍ଚର୍ଯ୍ୟ, କ୍ରୋଧ ପରି ଭୟ ମଧ୍ୟ ମଣିଷର ସହଜାତ ଅନୁଭବ। ଅନ୍ଧାର, ବନ୍ୟଜନ୍ତୁ, ନିଛାଟିଆ ରାସ୍ତା, ଅଜଣା ବ୍ୟକ୍ତି ଓ ସ୍ଥାନ, ଯୁଦ୍ଧକ୍ଷେତ୍ର ଦେଖି ଭୟଭୀତ ହେବା ସ୍ୱାଭାବିକ କଥା। କିନ୍ତୁ ସାଧାରଣ କଥା ବା ବସ୍ତୁ କିମ୍ବା କୌଣସି ପରିସ୍ଥିତିକୁ ନେଇ ଅଯଥା, ଅହେତୁକ କିମ୍ବା ମାତ୍ରାଧିକ ଭୟ କରିବା ମାନସିକ ରୋଗର ଲକ୍ଷଣ ମଧ୍ୟ ହୋଇପାରେ, ଯାହାକୁ ଡାକ୍ତରି ଭାଷାରେ "ଫୋବିଆ (Phobia)" କୁହାଯାଏ। ଫୋବିଆ ଶବ୍ଦଟି ଗ୍ରୀକ୍ ଶବ୍ଦ "ଫୋବସ୍ (phobos)" ରୁ ଆସିଛି, ଯାହାର ଅର୍ଥ 'ଡର' ବା 'ଭୟ' ଅଟେ।

କୌଣସି ଡରକୁ ସେତେବେଳେ ଫୋବିଆ କୁହାଯାଏ ଯେତେବେଳେ ଜଣେ ମଣିଷ କୌଣସି ବସ୍ତୁ କିମ୍ବା ପରିସ୍ଥିତିକୁ ନେଇ ତୀବ୍ର ଭୟ ଅନୁଭବ କରେ। ଏହା ସେଇ ମଣିଷଟିର ଦୈନନ୍ଦିନ ଜୀବନ, କାର୍ଯ୍ୟକଳାପକୁ ପ୍ରଭାବିତ କରିଥାଏ। ଏହି ଭୟ ସେହି ମଣିଷର ଘରେ, କାର୍ଯ୍ୟାଳୟରେ, ସ୍କୁଲରେ ବ୍ୟବହାର ଓ ଚାଲିଚଳଣକୁ ପ୍ରଭାବିତ କରିଥାଏ ଏବଂ ସାଧାରଣ ଜୀବନଯାପନରେ ବାଧା ସୃଷ୍ଟିକରେ।

ଏହା କେବଳ ଭୟ ନୁହେଁ ବର° ଅତ୍ୟଧିକ ମାନସିକ ଦୁଃଶ୍ଚିନ୍ତା ବା anxiety ବା distress ଆଣିଥାଏ। କିଛି ଯାଗାରେ କେବଳ ଭୟ ନୁହେଁ ବର° panic attack(ପ୍ୟାନିକ୍ ଆଟାକ୍) ବା ଅତ୍ୟଧିକ ଭୟ ସହ ଶାରୀରିକ ଲକ୍ଷଣ ଯେମିତିକି, ଝାଳବୋହିବା, ନିଶ୍ୱାସ-ପ୍ରଶ୍ୱାସ ପ୍ରଖର ହେବା, ଛାତି ଧଡପଡ ହେବା, ହୃଦସ୍ପନ୍ଦନ ବଢିଯିବା, ମୁହଁ-ଆଖି ଲାଲ୍ ପଡିଯିବା, ଗୋଡ-ହାତ ଥରିବା ଏବଂ ଚେତାଶୂନ୍ୟ ହେବା। ଉଦାହରଣସ୍ୱରୂପ ହାଇଡ୍ରୋଫୋବିଆ 'hydrophobia' (hydro ଅର୍ଥ ପାଣି ଏବଂ phobia ଅର୍ଥ ଭୟ); ପାଣିକୁ ଡର ବା ଭୟକୁ ବିଚାର କରିପାରିବା। ଏମିତିରେ ତ ବଢିପାଣି, ପାଣିସୁଅ, ଗଣ୍ଡ କିମ୍ବା ମଝି ସମୁଦ୍ରରେ ଏକା ସମସ୍ତଙ୍କୁ ଡର ଲାଗେ। କିନ୍ତୁ ହାଇଡ୍ରୋଫୋବିଆ ନଦୀ/ନାଳ/ପୋଖରୀ/ସମୁଦ୍ର/ସୁଇମିଙ୍ଗ୍‌ପୁଲ୍ ଆଦି ପାଖକୁ ଯିବାକୁ କିମ୍ବା ଦେଖିବାକୁ ମଧ୍ୟ ଭୟ କରନ୍ତି। ସେମାନେ ସାଧାରଣତଃ ପାଣି ଅଞ୍ଚଳକୁ ଯିବାକୁ ଭୟ କରନ୍ତି। ଅନେକ ସମୟରେ ଆଗରୁ ଭୟ ନଥାଇ ହଠାତ କୌଣସି ଗୋଟିଏ ଥର ପାଣିରେ ଯାତ୍ରା କିମ୍ବା ନୌଚାଳନା ସମୟରେ ଅଘଟଣ କିମ୍ବା କୌଣସି କାରଣ ନଥାଇ ପ୍ୟାନିକ୍ ଆଟାକ୍ ହେଲେ ମଧ୍ୟ ପରେ ଏହା ହାଇଡ୍ରୋଫୋବିଆର କାରଣ ହୋଇପାରେ।

ଫୋବିଆ ଅନେକ ପ୍ରକାରର ହୋଇପାରେ, ଏହାର କୌଣସି ନିର୍ଦ୍ଦିଷ୍ଟ ସ°ଖ୍ୟା ନାହିଁ, କାରଣ ଅଗଣିତ ଜିନିଷ ମଧ୍ୟରୁ ମଣିଷର ଅହେତୁକ ଭୟ ଯେକୌଣସି ଜିନିଷ ପାଇଁ ମଧ୍ୟ ହୋଇପାରେ। କିନ୍ତୁ ଅନୁଧ୍ୟାନ, ଗବେଷଣା, ଡାଏଗ୍ନୋସିସ୍ ତଥା ଚିକିତ୍ସା ଦୃଷ୍ଟିରୁ ସୁବିଧା ହେବାପାଇଁ Diagnostic and Statistical Manual of Mental Disorders, The American Psychiatric Association ତା’ର ପଞ୍ଚମ ସ°କରଣରେ (DSM-5) ଫୋବିଆଗୁଡିକୁ ମୋଟାମୋଟି ୫ ଭାଗରେ ବିଭକ୍ତ କରିଛନ୍ତି :

  • ପଶୁପକ୍ଷୀ ଏବଂ ପୋକଜୋକଜନିତ ଭୟ (କୀଟପତଙ୍ଗ: entomophobia; ବିଲେଇ: ailurophobia)
  • ପ୍ରାକୃତିକ ପ୍ରତିକୂଳ ପରିସ୍ଥିତି ଏବଂ ବାୟୁମଣ୍ଡଳୀୟ ତଥା ଜଳବାୟୁ ସ°ସ୍ଳିଷ୍ଟ ଭୟ (ଅନ୍ଧାର: achluophobia; ଘଡଘଡି: tonitrophobia)
  • ଚିକିତ୍ସା ବିଜ୍ଞାନ, ହସ୍ପିଟାଲ, ରକ୍ତ ଏବଂ ଖଣ୍ଡିଆଖାବରା ସହ ଜଡିତ ଭୟ (ଇଞ୍ଜେକସନ୍: trypanophobia; ରକ୍ତ: hemophobia)
  • କୌଣସି ନିର୍ଦ୍ଦିଷ୍ଟ ସ୍ଥାନ କିମ୍ବା ପରିସ୍ଥିତିକୁ ଭୟ (କା୍ର୍‌ ଡ୍ରାଇଭିଙ୍ଗ: amaxophobia, ଉଡାଯାହାଜରେ ବସିବା: aerophobia)
  • ଅନ୍ୟାନ୍ୟ (ଶବ୍ଦ: phonophobia; ହୃଦୟ ଯନ୍ତ୍ରଣା: anginophobia)

ଚିକିତ୍ସା: ମାନସିକ ରୋଗ ବିଶେଷଜ୍ଞ ବା ସାଇକିଆଟ୍ରିଷ୍ଟଙ୍କ ଦ୍ଵାରା ଫୋବିଆଗୁଡିକର ନିୟନ୍ତ୍ରଣ ଏବଂ ଚିକିତ୍ସା ସମ୍ଭବ ହୋଇଥାଏ। ଏଥିରେ ସାଧାରଣତଃ ୩ ପ୍ରକାର ପଦ୍ଧତି ଗ୍ରହଣ କରାଯାଏ:

କାଉନସେଲିଂ:

ସାଇକିଆଟ୍ରିଷ୍ଟ କିମ୍ବା ସାଇକୋଥେରାପିଷ୍ଟ ଫୋବିଆ ଥିବା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରି ପ୍ରଥମେ ଫୋବିଆର କାରଣ ଆକଳନ କରିବାକୁ ଚେଷ୍ଟା କରନ୍ତି। ସେହି ଅନୁସାରେ ଏକାଧିକ ସେସନ୍ ଦ୍ୱାରା ପିଡୀତଙ୍କ ମନରେ ବିଶ୍ୱାସ ଓ ସାହସ ଆଣିବାକୁ ଚେଷ୍ଟା କରାଯାଏ ତଥା ଦୈନନ୍ଦିନ ଜୀବନରେ ସହଜ ହେବାର ତାଲିମ ଦିଆଯାଏ।

ଏକ୍ସପୋଜର (exposure) ଥେରାପି:

କାଉନସେଲିଂ ସହ ସାଇକିଆଟ୍ରିଷ୍ଟ କିମ୍ବା ସାଇକୋଥେରାପିଷ୍ଟ ଭୟ ଉପୁଜାଉଥିବା ପରିସ୍ଥିତି କିମ୍ବା ବସ୍ତୁକୁ ଗୋଟିଏ ନିର୍ଦ୍ଦିଷ୍ଟ ମାତ୍ରା ଏବଂ ତତ୍ତ୍ୱାବଧାନରେ ସାମ୍ନା ବା expose କରନ୍ତି। ଏଥିରେ ଫୋବିଆ ଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ବସ୍ତୁ କିମ୍ବା ପରିସ୍ଥିତି ପ୍ରତି ଧୀରେ ଧୀରେ କିପରି ସମ୍ବେଦନଶୀଳ ନ ହେବ, ସାଇକୋଥେରାପିଷ୍ଟଙ୍କ ଦ୍ୱାରା ଶିଖାଯାଇଥାଏ। ତଥା ନିର୍ଦ୍ଦିଷ୍ଟ ପରିସ୍ଥିତିରେ କିପରି ନିଜ ଭୟ ଉପରେ ନିୟନ୍ତ୍ରଣ ରଖିବ ତାହା ମଧ୍ୟ ଶିଖାଯାଏ। ଏହା ଅନେକ ସମୟରେ ଫୋବିଆକୁ ସମ୍ପୂର୍ଣ୍ଣରୂପେ ଦୂର ନ କଲେ ମଧ୍ୟ ପ୍ୟାନିକ୍ ଆଟାକର ଆଶଙ୍କା ଏବଂ ଅନୁପାତକୁ କମାଇ ଥାଏ।

ଔଷଧ:

ପ୍ୟାନିକ୍ ଆଟାକ୍‌କୁ ନିୟନ୍ତ୍ରଣରେ ରଖିବା ପାଇଁ ତଥା ଏକ୍ସପୋଜର ଥେରାପି ସମୟରେ ସହାୟକ ହେବା ପାଇଁ ଅନେକ ସମୟରେ ସାଇକିଆଟ୍ରିଷ୍ଟ, ଆଣ୍ଟିଆଙ୍ଗଜାଇଟି, ବେଞ୍ଜୋଡାଏଜେପାମ୍ ଏବଂ ବିଟାବ୍ଲକର ପରି କିଛି ଔଷଧକୁ ବ୍ୟବହାର କରିଥାନ୍ତି। ଏହି ଶ୍ରେଣୀର ଔଷଧଗୁଡିକ ଫୋବିଆର ଚିକିତ୍ସା ନୁହେଁ ବରଂ ଏକ୍ସପୋଜର ଥେରାପି ସମୟର ଦୁଃଶ୍ଚିନ୍ତା, ଭୟ, distressକୁ କମ୍ କରିଥାଏ।

ସାଧାରଣ ବସ୍ତୁ ଏବଂ ପରିସ୍ଥିତି ପ୍ରତି ଥିବା କେତୋଟି ଅସାଧାରଣ ଫୋବିଆର ତାଲିକା:

  • ଫୁଲ: ଆନ୍ଥୋଫୋବିଆ (anthophobia);
  • ଜହ୍ନ: ସେଲେନୋଫୋବିଆ (selenophobia);
  • ଭିଡ: ଆଗୋରାଫୋବିଆ (agoraphobia);
  • ମଣିଷ ଏବଂ ସମାଜ: ଆନ୍ଥ୍ରୋଫୋବିଆ (anthropophobia);
  • ମାଧ୍ୟାକର୍ଷଣ: ବାରୋଫୋବିଆ (barophobia);
  • ଅଇନା: କାଟୋପ୍ଟ୍ରୋଫୋବିଆ (catoptrophobia);
  • ଖାଦ୍ୟ: ସିବୋଫୋବିଆ (cibophobia);
  • ଗଛ: ଡେଣ୍ଡ୍ରୋଫୋବିଆ (dendrophobia);
  • ସୂର୍ଯ୍ୟ: ହେଲିଓଫୋବିଆ (heliophobia);
  • ରାତି: ନୋକ୍ଟିଫୋବିଆ (noctiphobia);
  • କାଗଜ: ପ୍ୟାପିରୋଫୋବିଆ (papyrophobia);
  • ପ୍ରେମ: ଫିଲୋଫୋବିଆ (philophobia);
  • ନିଦ୍ରା: ସୋମ୍ନୋଫୋବିଆ (somniphobia).

ଯେକୌଣସି ଫୋବିଆ ଅହେତୁକ, ସର୍ବଦା ବିଦ୍ୟମାନ ଏବଂ ଦୁଃଶ୍ଚିନ୍ତାର କାରଣ ହେବା ସହ ପ୍ରାଣଘାତି ମଧ୍ୟ ପ୍ରମାଣିତ ହୋଇପାରେ। ତେଣୁ ଆପଣ ମଧ୍ୟ ଯଦି ନିଜ ଆଖପାଖରେ କିମ୍ବା ନିଜ ଭିତରେ ଏପରି କୌଣସି ଭୟର ଲକ୍ଷଣ ଦେଖୁଛନ୍ତି ତାହେଲେ ଡାକ୍ତର/ ସାଇକିଆଟ୍ରିଷ୍ଟଙ୍କ ସାହାଯ୍ୟ ନିଅନ୍ତୁ। କାଉନସେଲିଂ ଏବଂ ଚିକିତ୍ସା ଦ୍ଵାରା ଫୋବିଆର ନିୟନ୍ତ୍ରଣକରି ଜୀବନକୁ ସୁନ୍ଦର ଏବଂ ଭୟମୁକ୍ତ କରନ୍ତୁ। ଫୋବିଆକୁ ନିଜ ଭିତରେ ଚାପି କିମ୍ବା ଲୁଚାଇ ରଖି ଏହାକୁ ଆପଣଙ୍କ ପାରିବାରିକ ଏବଂ ସାମାଜିକ ଜୀବନକୁ ପ୍ରଭାବିତ କରିବାକୁ ଦିଅନ୍ତୁ ନାହିଁ।

ଇମେଲ୍: ipsitadr@yahoo.in

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)