• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ଆଜିକାଲି କିଛି ମହିଳାଙ୍କଠାରୁ ଶୁଣିବାକୁ ମିଳୁଛି ଯେ ସେମାନଙ୍କର ଛୁଆ ହେବାକୁ ବିଳମ୍ୱ ହେଉଛି। ଏହାର କାରଣ ଯଦିଓ ବିଭିନ୍ନ ପ୍ରକାର ହୋଇଥାଏ କିନ୍ତୁ ଅଧିକାଂଶ କ୍ଷେତ୍ରରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା ହେଉଛି PCODବା ପଲିସିଷ୍ଟ୍ରିକ୍ ଓଭାରୀ ଡିସ୍ଅର୍ଡର। ଆପଣମାନେ ହୁଏତ ଠିକ ଅନୁମାନ କରିସାରିବେଣି ଯେ ଆଜି ମୁଁ କେଉଁ ବିଷୟରେ କହିବାକୁ ଯାଉଛି। ହଁ, ଆଜି ଆମେ PCODପାଇଁ ଖାଦ୍ୟ ବିକଳ୍ପ ବିଷୟରେ କଥା ହେବା। ତେବେ ମୁଖ୍ୟ ପ୍ରସଙ୍ଗକୁ ଯିବା ଆଗରୁ ଆସନ୍ତୁ ପ୍ରଥମେ ଜାଣିନେବା ଏହା କ’ଣ ଓ କାହିଁକି ହୋଇଥାଏ ।

ସନ୍ତାନକୁ ଗର୍ଭରେ ଧରି ଜନ୍ମ ଦେବା ପାଇଁ ପ୍ରକୃତି କେବଳ ସ୍ତ୍ରୀକୁ ହିଁ କ୍ଷମତା ଦେଇଛି। ସ୍ତ୍ରୀର ଶରୀରରେ ଏଥିପାଇଁ ବିଭିନ୍ନ ସ୍ୱତନ୍ତ୍ର ଅଙ୍ଗ ଯେପରିକି ଓଭାରୀ, ଗର୍ଭାଶୟ, ସର୍ଭିକ୍ସ ଆଦି ରହିଛି। ପ୍ରତି ଋତୁଚକ୍ର ବା ପିରିୟଡ୍ସ ସମୟରେ ଏହି ଓଭାରୀରେ ଏକ ଅଣ୍ଡା ଉତ୍ପନ୍ନ ହୁଏ ଓ ଏହା ପକ୍ୱ ହୋଇ ପୁରୁଷଠାରୁ ଆସୁଥିବା ଶୁକ୍ରାଣୁ ସହ ଫର୍ଟିଲାଇଜ୍ ହୁଏ ଓ ଭ୍ରୁଣ ସୃଷ୍ଟି କରେ। ଏହି ଭ୍ରୁଣ ଧିରେ ଧିରେ ବଢ଼ି ଏକ ପୂର୍ଣ୍ଣ ବିକଶିତ ଶିଶୁଭାବେ ଜନ୍ମ ନିଏ। ତେବେ ଏ ସମସ୍ତ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ କିଛି ହର୍‌ମୋନ୍।

PCOD କ’ଣ:

ସମସ୍ତଙ୍କ ଶରୀରରେ ଦୁଇଟି ସେକ୍ସ ହର୍‌ମୋନ୍‌ ଥାଏ, ପୁରୁଷ ସେକ୍ସ ହର୍‌ମୋନ୍ ଓ ସ୍ତ୍ରୀ ସେକ୍ସ ହର୍‌ମୋନ୍‌। ଯଦି କୌଣସି କାରଣରୁ ମହିଳାଙ୍କ ଶରୀରରେ ପୁରୁଷ ସେକ୍ସ ହର୍‌ମୋନ୍‌ର ମାତ୍ରା ବଢ଼ିଯାଏ ତେବେ ତାହା ସେମାନଙ୍କୁ ପ୍ରଭାବିତ କରେ। ଏହି ହର୍‌ମୋ୍‌ର ଅନିୟମିତତା କାରଣରୁ କିଛି ମହିଳାଙ୍କର ଓଭାରୀରୁ ଅଣ୍ଡା ନିର୍ଗତ ହେବା ଡେରି ହୋଇଥାଏ ବା ଓଭାରୀରେ ସିଷ୍ଟ୍‌ ହେବା କାରଣରୁ କୌଣସିଟି ବି ଅଣ୍ଡା ପକ୍ୱ ହୋଇ ନଥାଏ। ଏହି ଅନିୟମିତତାକୁ PCODବା ପଲିସିଷ୍ଟ୍ରିକ୍ ଓଭାରୀ ଡିସ୍ଅର୍ଡର କୁହାଯାଏ।

ଏକ ସିଷ୍ଟ ଥିବା ଓଭାରୀ ଏକ ସ୍ୱାଭାବିକ ଓଭାରୀଠାରୁ ବଡ଼ ଦେଖାଯାଏ ଓ ଏକାଧିକ ପରିମାଣର ଛୋଟ ଛୋଟ ଫଲିକଲ୍ ଉତ୍ପନ୍ନ କରିଥାଏ। ଏଣୁ ଏହା ଜଣଙ୍କର ସଂପୂର୍ଣ୍ଣ ରିପ୍ରଡକ୍ଟିଭ୍ ସିଷ୍ଟମ୍‌କୁ ପ୍ରଭାବିତ କରିଥାଏ।

ତେବେ କିପରି ଜାଣିବା ଯେ ଆପଣଙ୍କର ଏହି ଡିସ୍‌ଅର୍ଡର ରହିଛି? ଏହାର ଲକ୍ଷଣଗୁଡ଼ିକ ହେଲା:

  • ପିରିୟଡ୍ ଅନିୟମିତ ହେବା
  • ଓଜନ ବୃଦ୍ଧି ହେବା
  • ମୁହଁରେ ବ୍ରଣ ଉଠିବା ଓ ଅଧିକ ଲୋମ ରହିବା
  • ତଳିପେଟରେ ସମୟେ ସମୟେ ଯନ୍ତ୍ରଣା ହେବା
  • ଗର୍ଭଧାରଣରେ ବାଧା ଉପୁଜିବା

ତେବେ ଆଜିର ବ୍ୟସ୍ତବହୁଳ ଓ ଆରାମଦାୟକ ଜୀବନଶୈଳୀ ଯୋଗୁଁ ଅଧିକାଂଶ ସହରାଞ୍ଚଳରେ ହିଁ ମହିଳାମାନେ PCOD ସମସ୍ୟା ଭୋଗୁଛନ୍ତି। ତେବେ ଏହା ଏକ ରୋଗ ନୁହେଁ, ଏକ ଅବସ୍ଥା ଯାହାକୁ ଆମ ଜୀବନଶୈଳୀ ଓ ଖାଦ୍ୟପେୟ ବଦଳାଇ ଠିକ କରିହେବ। ତେବେ ଆସନ୍ତୁ PCODରୁ ମୁକ୍ତି ପାଇଁ ଆବଶ୍ୟକ ଖାଦ୍ୟଗୁଡ଼ିକୁ ଜାଣିବା।

ଏକ PCOD ସମସ୍ୟା ଥିବା ମହିଳାଙ୍କୁ ଖାଦ୍ୟରେ ଯଥେଷ୍ଟ ଫାଇବର ବା ତନ୍ତୁଜାତୀୟ ଖାଦ୍ୟ, ସବୁଜ ପନିପରିବା, କମ୍ ଗ୍ଲାଇସେମିକ ଇଣ୍ଡେକ୍ସ(କମ୍ ଶର୍କରା ପରିମାଣ), ଭିଟାମିନ୍ ସି ଓ ପୁଷ୍ଟିସାରଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଅତ୍ୟଧିକ ଶର୍କରାଯୁକ୍ତ ଖାଦ୍ୟ ଯେପରି ବେକ୍‌ରି, ପ୍ୟାଷ୍ଟ୍ରି, ଚକୋଲେଟ୍, ମଇଦାରେ ତିଆରି ଖାଦ୍ୟ, ଛଣା ଖାଦ୍ୟ, ପ୍ରକ୍ରିୟାକୃତ ବା ପ୍ରୋସେସଡ୍ ଖାଦ୍ୟ, ମଟନ୍‌କୁ ତୁରନ୍ତ ନିଜ ଖାଦ୍ୟ ତାଲିକାରୁ ବାଦ୍ ଦେଇଦିଅନ୍ତୁ।

ମାତ୍ରାଧିକ ସ୍ଥଳରେ ଦୁଗ୍ଧଜାତୀୟ ଖାଦ୍ୟ ମଧ୍ୟ ନ ଖାଇଲେ ଭଲ। ତେବେ ଏହା ବଦଳରେ ଆପଣ ସୋୟା କ୍ଷୀରରୁ ତିଆରି ଖାଦ୍ୟସବୁ ଖାଇପାରିବେ। ହେଲେ ଯଦି ଆପଣଙ୍କର ଗର୍ଭଧାରଣରେ ସମସ୍ୟା ରହୁଛି ତେବେ ସୋୟାବିନ୍ ଜାତୀୟ ଖାଦ୍ୟ ଠାରୁ ଦୂରରେ ରହିବା ଭଲ।

ଏବେ ଆସନ୍ତୁ PCOD ସମସ୍ୟା ଥିବା ମହିଳାମାନଙ୍କ ନିତିଦିନିଆ ଖାଦ୍ୟ ତାଲିକା ଉପରେ ନଜର ପକାଇବା:

ସକାଳ ଜଳଖିଆ:

ସକାଳ ଜଳଖିଆରେ ଯେତେ ସମ୍ଭବ ଛଣାଛଣି ଠୁ ଦୁରରେ ରହି ରୁଟି, ଇଟିଲି, ସମ୍ୱର, ସନ୍ତୁଳା, ସୁଜି, ରାଗି, ଓଟ୍‌ସ୍, କିନୁଆ ଆଦିର ଉପମା ଓ କିଛି ନଟ୍‌ସ୍ ଯେମିତି କି ଆଲ୍‌ମଣ୍ଡ, ପିସ୍ତା ଆଦି ଖାଇପାରିବେ। ରୁଟିକୁ ସାଧାରଣତଃ ସମସ୍ତେ ଓଜନ କମାଇବା ବା ଡାଇବେଟିସ୍ ପାଇଁ ଭଲ ଖାଦ୍ୟ ବୋଲି ବିବେଚନା କରନ୍ତି। ହେଲେ ଜାଣି ରଖନ୍ତୁ ଯେ ଗହମର ଅଟାରେ ଗ୍ଲୁଟେନ୍ ନାମକ ପ୍ରୋଟିନ୍ ରହିଥାଏ, ଯାହାର ଅତ୍ୟଧିକ ସେବନ ଶରୀରରେ ଗାଉଟ୍ ବା ଗଣ୍ଠି ସମସ୍ୟାର କାରଣ ହୋଇଥାଏ। ଏହା ମଧ୍ୟ ହର୍‌ମୋନ୍‌ ସନ୍ତୁଳନକୁ ପ୍ରଭାବିତ କରି ଓଜନ ବୃଦ୍ଧିକରେ।

ତେଣୁ ଆମେ କେବଳ ଗହମର ଅଟା ବ୍ୟବହାର ନ କରି ମିଶ୍ରିତ ଅଟା, ଯେପରି ବାଜରା, ମକ୍କା ଆଦି ମିଶାଇ ବ୍ୟବହାର କରିବା ଦରକାର। ଏବେ ସବୁ ଜାଗାରେ ଓ ସୁପର୍‌ ମାର୍କେଟ୍‌ଗୁଡିକରେ ଏହି ମଲ୍‌ଟିଗ୍ରେନ୍ ଅଟା ସହଜରେ ମିଳିଯାଉଛି। ଅଟାରେ କିଛି ପନିପରିବା ମିଶାଇ ମଧ୍ୟ ରୁଟି କରିପାରିବା ଯାହାକୁ ଭେଜିଟେବୁଲ ରୁଟି କୁହାଯାଏ। ହେଲେ ମନେ ରଖିବେ କୌଣସି ଖାଦ୍ୟ ପାଇଁ ରିଫାଇନ୍ ତେଲ ଅପେକ୍ଷା ଭଲ ଅପ୍ସନ ହେଉଛି କୋଲ୍‌ଡ୍ ପ୍ରେସ୍‌ଡ୍ ତେଲ ବା ପ୍ରାକୃତିକ ଉପାୟରେ ପେଡ଼ାଯାଇ ପ୍ରସ୍ତୁତ ହେଉଥିବା ତେଲ।

ତରକାରି ଆଦି ରାନ୍ଧିବା ବେଳେ ସୋରିଷ ତେଲ ବ୍ୟବହାର କରିବା ଭଲ ଅଟେ। ରୁଟି କି ପରଟା ସେକିବା ପାଇଁ ଆପଣ ରାଇସ୍ ବ୍ରାନ୍ ତେଲ କିମ୍ୱା କୋଲ୍‌ଡ ପ୍ରେସଡ୍ ସନ୍‌ଫ୍ଲାୱାର ତେଲ ନେଇପାରିବ।

ମଧ୍ୟାହ୍ନ ଭୋଜନ:

ମଧ୍ୟାହ୍ନ ଭୋଜନ ପାଇଁ ନାଲି ଉଷୁନା ଚାଉଳର ଭାତ ହେଉଛି ସବୁଠାରୁ ଲାଭପ୍ରଦ। କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ଓ ଫାଇବର୍ ଯୁକ୍ତ ଏହି ଭାତ ଖୁବ ପୁଷ୍ଟିକର ଅଟେ। ଏହା ସାଙ୍ଗରେ ଡାଲମା, ସନ୍ତୁଳା, ପରିବା ଭଜା, ଶାଗ, ସାଲାଡ୍ ଆଦି ନେଇହେବ। ଏହା ସହ ସୁବିଧାନୁସାରେ ଛୋଲେ, ରାଜ୍‌ମା, ଗ୍ରୀନ୍‌ ମଟର, ସୋୟାବିନ୍, ଛତୁ ଆଦି କରିପାରିବେ। ସପ୍ତାହକୁ ଦୁଇଥର ପନୀର, ଚିକେନ୍ ଓ ମାଛ ନେଇପାରିବେ। ଏହା ଏକ ପୂର୍ଣ୍ଣ ରୂପେ ସୁସ୍ଥ ମଧ୍ୟାହ୍ନ ଭୋଜନ ହୋଇପାରିବ। ଯେତେ ସମ୍ଭବ ଚେଷ୍ଟା କରିବେ ଫ୍ରିଜ୍‌ରେ ରଖାଥିବା ଖାଦ୍ୟ ନ ଖାଇବାକୁ।

ରାତ୍ରୀ ଭୋଜନ:

ରାତ୍ରୀ ଭୋଜନରେ ସାଧା ରୁଟି କିମ୍ୱା ଭେଜିଟେବୁଲ୍‌ ରୁଟି, ସନ୍ତୁଳା, ସାଲାଡ୍ ଆଦି ହାଲକା ଖାଇବା ନେଇପାରିବେ। ଯଦି କ୍ଷୀର ପିଉଛନ୍ତି ତେବେ ଡବଲ ଟୋନ୍‌ଡ କ୍ଷୀର ବା ଦୁଇଥର ସିଝାଯାଇ ସର ବାହାରି ଯାଇଥିବା କ୍ଷୀର ଏକ ଗ୍ଲାସ୍ ନେଇପାରିବେ।

ଚା ପିଇ ହେବ କି:

ଆପଣ ଯଦି ଚା’ ପିଉଛନ୍ତି ତେବେ ଗ୍ରୀନ୍ ଟି ଓ ନାଲି ଚା’ ପିଇବା ଅଭ୍ୟାସ କରନ୍ତୁ। କଫି ପରି କ୍ୟାଫେନ୍‌ ଯୁକ୍ତ ଖାଦ୍ୟ ନ ଖାଇବା ଭଲ। ବଜାରରେ ମିଳୁଥିବା ମଇଦା ବିସ୍କୁଟ୍‌ ନ ଖାଇ ଡାଇଜେଷ୍ଟଭ ବା ମସ୍‌ଟିଗ୍ରେନ୍ ବିସ୍କୁଟ ଖାଇପାରିବେ। ମଝି ମଝିରେ ଭୋକ ହେଲେ ଗଜା ମୁଗ, ସୁପ୍ ଆଦି ସ୍ନାକ୍ସ ଭାବେ ନେଇପାରିବେ। ଫଳ ମଧ୍ୟରୁ କମ୍ ଶର୍କରାଯୁକ୍ତ ଓ ଭିଟାମିନ୍‌ ସି ଯୁକ୍ତ ଫଳ ଯେପରି ସେଓ, ଅଁଳା, ପିଜୁଳି, ଷ୍ଟ୍ରବେରି, କମଳା ଆଦି ନିୟମିତ ନେବେ।

ଚଟ୍‌ପଟା ଖାଇ ହେବ କି:

କେବେ ଟିକେ ଚଟ୍‌ପଟା ଖାଇବାକୁ ମନ ହେଲେ ଘରେ ତିଆରି ବିଭିନ୍ନ ପ୍ରକାର ପରଟା, ମଲ୍‌ଟିଗ୍ରେନ୍ ଟୋଷ୍ଟ୍‌ର ସ୍ୟାଣ୍ଡୱିଚ୍, ଅଟା ପାସ୍ତା, ବିଭିନ୍ନ ପ୍ରକାର ଚକୁଳି ଆଦି ନେଇପାରିବେ। ଚେଷ୍ଟା କରିବେ କୌଣସି ପରିସ୍ଥିତିରେ ବାହାରର ଫାଷ୍ଟ୍‌ଫୁଡ୍ ଓ ଜଙ୍କଫୁଡ୍ ନଖାଇବାକୁ।

ଘରେ ଅଛି ଔଷଧ:

ଆମ ହାତପାହାନ୍ତରେ ମିଳୁଥିବା ଓ ଘରେ ସର୍ବଦା ରହୁଥିବା ପରି କିଛି ଖାଦ୍ୟ ଦ୍ରବ୍ୟକୁ ଆମେ ଔଷଧ ପରି ଖାଇପାରିବା। ଯେପରିକି ଅଁଳାରେ ଭିଟାମିନ୍ ସି, ମହୁର ପ୍ରାକୃତିକ ସୁଗାର, ମେଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ରାଶିରେ ଥିବା ଭିଟାମିନ୍ ବି ଓ ବିଭିନ୍ନ ମିନେରାଲ୍ସ ଆଦି ନିୟମିତ ସେବନ କଲେ ଯେକୌଣସି ପ୍ରକାର ରିପ୍ରଡକ୍ଟିଭ୍ ସମସ୍ୟାରୁ ମୁକ୍ତି ମିଳେ। ସବୁପରେ ଏକ ସୁସ୍ଥ ଖାଦ୍ୟ ତାଲିକା ଓ ନିୟମିତ ଶାରୀରିର ବ୍ୟାୟାମ ଦ୍ୱାରା PCODପରି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ମିଳିପାରିବ।