• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ମଝିରେ ମଝିରେ ସୁରିଲା ଗୀତ ସାଙ୍ଗକୁ ଚଟୁଳ ପରିହାସମିଶା କଥା ଭୋଜିର ପରିବେଶକୁ ପୂରା ମଜାଦାର କରିଦେଇଥିଲା ଲିସା। ତା’ ମଜାଳିଆ କଥାରେ ହସିହସି ବେଦମ ହେଉଥିଲୁ ସମସ୍ତେ, ଆଉ ଭାବୁଥିଲୁ, ଲିସା ନଥିଲେ ଆଜିର ଭୋଜିଟା ବୋଧେ ଏକଦମ୍ ଫିକା ଫିକା ଲାଗିଥାନ୍ତା। କଥା ହେଉ ହେଉ ମୁଁ ମଝିରେ କହିଲି, ‘ଆରେ ଲିସା; ତୁ ତ ଏତେ ସୁନ୍ଦର ଗୀତ ଗାଉଛୁ ଆଉ ଏତେ ବଢିଆ କମେଡି କରୁଛୁ ନିହାତି ସ୍କୁଲ୍-କଲେଜ ଡ୍ରାମାରେ ତୁ ଆକ୍ଟିଂ କରୁଥିବୁ, ନୁହେଁ? ଲିସାର ମୁହଁ କିଛି ସମୟ ପାଇଁ ଅତୀତର ସ୍ମୃତିରେ ଉଜ୍ଜ୍ୱଳି ଉଠିଲା- ସେ କହିଲା, ‘ହଁ ବା ଅପା, ସବୁବେଳେ ସେ ସବୁରେ ଭାଗ ନେଉଥିଲି ଆଉ ପ୍ରାଇଜ୍ ପାଉଥିଲି।

- ତା’ ହେଲେ ପୂରାପୂରି ସେସବୁ ଛାଡ଼ିଦେଲୁ କାହିଁକି?‘

- ଘରେ କ’ଣ ଆଲାଉ କଲେ କି ଅପା? ବାଧ୍ୟ ହୋଇ ସବୁ ଛାଡ଼ିଲି

ଏଇ ଧାଡ଼ିଟିଏ କଥାରେ ହିଁ ଯେମିତି ଲିସା ବଖାଣିଦେଲା ତା’ର ସବୁତକ ଅବସୋସ ଆଉ ଅଭିଯୋଗ! ଏପଟେ ଆମ ସମସ୍ତଙ୍କ ମନ ବି କିଛି ସମୟ ପାଇଁ ଭାରାକ୍ରାନ୍ତ ହୋଇଗଲା। ଏଭଳି ଗୋଟାଏ ପ୍ରତିଭା ସମସ୍ତଙ୍କ ଅଜାଣତରେ ମଉଳି ଯାଉଥିବା ପାଇଁ। ଗୋଟେ ପ୍ରାଇଭେଟ୍ ଫାର୍ମ ପାଇଁ ଡାଟା ଏଣ୍ଟ୍ରି କାମ କରେ ଲିସା ଆଉ ତା’ ଉପରେ ପୁଣି ବୟସ୍କ ବାପା-ମା’ଙ୍କ ଦାୟିତ୍ୱ। ତେଣୁ ବିଭିନ୍ନ ଜାଗାରେ ଆକ୍ଟିଂ କିମ୍ବା ଗୀତ ପାଇଁ ଅଡିସନ୍ ଦେବା କି ନିଜ କଳାର ଅଭ୍ୟାସ କରିବା ଭଳି କଥା ବି ହୁଏତ ତା’ ପାଇଁ ଆଉ ଘରଲୋକଙ୍କ ପାଇଁ ବିଳାସ କିମ୍ବା ସମୟ ନଷ୍ଟ ଭଳି ମନେ ହୋଇଥିବ। ତା’ ଛଡ଼ା ଆଜିକା ସମୟରେ ବି କେତେ ଜଣ ଗୋଟେ ଝିଅର ହାସ୍ୟ କଳାକାର ବା କମେଡିଆ ହେବାକୁ ଭଲରେ ଗ୍ରହଣ କରନ୍ତି!

ଏବେ ଅବଶ୍ୟ ସବୁ ବାଧା ଆଉ ପ୍ରତିବନ୍ଧକକୁ ପଛରେ ପକାଇ ଅନେକ ଉଚ୍ଚ ଶିକ୍ଷିତ ଝିଅ ଓ ମହିଳା ହାସ୍ୟ ଅଭିନୟକୁ ନିଜର ବୃତ୍ତିଭାବେ ଗ୍ରହଣ କଲେଣି। ଏପରି କି ଷ୍ଟାଣ୍ଡ୍ଅପ୍ କମେଡିଆନ୍ ଭାବେ ବହୁ ନାଁ ବି କମେଇଲେଣି। କିନ୍ତୁ ଆଜିକାର ଏଇ ସ୍ଥିତିରେ ପହଞ୍ଚିବା ଆଦୌ ସହଜ ନ ଥିଲା ମହିଳା କମେଡିଆନଙ୍କ ପାଇଁ।

ହାସ୍ୟରସାତ୍ମକ ଅଭିନୟର ଇତିହାସ ଉପରେ ନଜର ପକାଇଲେ ଜଣାପଡ଼େ ଯେ, କୌତୁକ ବା ଆମୋଦ ପାଇଁ ପ୍ରଯୁଜ୍ୟ ସୃଜନଶୀଳ ଅଭିନୟ କଳାର ମୂଳଦୁଆ ପଡ଼ିଥିଲା ଖ୍ରୀଷ୍ଟପୂର୍ବ ୪୨୫ରେ, ପ୍ରାଚୀନ ଗ୍ରୀକ୍ ଥିଏଟରରୁ। ପ୍ରଥମେ ପ୍ରଥମେ ଏ ଦୁନିଆରେ ପାଦ ଥାପିଥିବା ବ୍ୟକ୍ତିମାନଙ୍କୁ ବହୁ ବିରୋଧ ଏବଂ ସାମାଜିକ ତାଚ୍ଛଲ୍ୟର ଶିକାର ହେବାକୁ ପଡୁଥିଲା। ତା’ହେଲେ ଆପଣମାନେ ଅନୁମାନ କରିପାରୁଥିବେ, କମେଡ଼ି ଦୁନିଆର ପ୍ରଥମ ମହିଳାମାନଙ୍କ ପାଇଁ ଏ ରାସ୍ତା କେତେ କଠିନ ହୋଇଥିବ!

ପ୍ରାଚୀନ କାଳରେ ତ କେବଳ ପୁରୁଷମାନେ ହିଁ ହାସ୍ୟ ଅଭିନୟ କରୁଥିଲେ କାରଣ ସେତେବେଳେ ଧାରଣା ଥିଲା ଯେ, ମହିଳାମାନଙ୍କର କେବଳ ପୁରୁଷମାନଙ୍କ ହାସ୍ୟାଭିନୟ ଉପରେ ହସିବାର ଅଧିକାର ଅଛି କିନ୍ତୁ ସେମାନେ ନିଜେ ସେ ପ୍ରକାର ଅଭିନୟ କରିବା ଉଚିତ ନୁହେଁ। ଏପରିକି ପ୍ରଥମେ ପ୍ରଥମେ ମହିଳାମାନେ ଯେତେବେଳେ ଏ କ୍ଷେତ୍ରରେ ପ୍ରବେଶ କଲେ ସେବେ ଟିକେଟ୍ ବିକ୍ରି ବା ବୁକିଂ ହେବା ମଧ୍ୟ ମୁସ୍କିଲ୍ ହୋଇଯାଉଥିଲା।

ଧୀରେଧୀରେ ଅବଶ୍ୟ ଏ କ୍ଷେତ୍ରରେ କିଛି କିଛି ମହିଳା ପ୍ରବେଶ କଲେ ତେବେ ଖାଲି ଜଣେ ଗୃହିଣୀ କିମ୍ବା ମା’ ଭୂମିକାରେ ସୀମିତ ଥିଲା ସେମାନଙ୍କ ଅଭିନୟ, ଯାହା ଦ୍ୱାରା କି ପୁରୁଷମାନେ ଆମୋଦିତ ହେବେ କିନ୍ତୁ ସେମାନଙ୍କ ପ୍ରତି କେହି ମହିଳା ଟକ୍କର ଦେବାର ବିପଦ ମଧ୍ୟ ରହିବନି। ସବୁଦିନେ କିନ୍ତୁ ଦୃଶ୍ୟପଟ ସମାନ ରହିଲାନି। ଲଗାତାର ଉଦ୍ୟମ ଓ ପ୍ରଚେଷ୍ଟା ବଳରେ କ୍ରମେ କମେଡି କ୍ଷେତ୍ରରେ ମହିଳାମାନଙ୍କ ଗ୍ରହଣୀୟତା ବଢ଼ିବାରେ ଲାଗିଲା ଓ ସେମାନଙ୍କ ଅଭିନୟର ପରିଧି ମଧ୍ୟ ଧୀରେ ଧୀରେ ବିସ୍ତାରିତ ହେବାରେ ଲାଗିଲା।

ଷ୍ଟାଣ୍ଡ୍ଅପ୍, ଟେଲିଭିଜନ୍ ଓ ମୁଭିଠୁ ଆରମ୍ଭ କରି ହାସ୍ୟ ରସାତ୍ମକ ଲେଖା କ୍ଷେତ୍ରରେ ମଧ୍ୟ ମହିଳାମାନେ ଲୋକପ୍ରିୟ ହେବାରେ ଲାଗିଲେ। ଫିଲିସ୍ ଡିଲର, ଓ୍ୱାଣ୍ଡା ସାଇକ୍ସ, ଓ ଜିନା ବାରେକ୍କାଙ୍କ ଭଳି ଅନେକ ମହିଳା କମେଡି କ୍ଷେତ୍ରରେ ପ୍ରତିଷ୍ଠା ଲାଭ କଲେ ଯେହେତୁ କମେଡ଼ିରେ ମହିଳାମାନଙ୍କ ପ୍ରବେଶ ବଢ଼ିଲା, ଧୀରେଧୀରେ। ତେଣୁ ମହିଳାମାନଙ୍କ ସମସ୍ୟାଭିତ୍ତିକ ବିଭିନ୍ନ ବିଷୟ ମଧ୍ୟ କମେଡିର ପରିସର ମଧ୍ୟକୁ ଆସିବାରେ ଲାଗିଲା।

ଏବେ ତେଣୁ ଲିଙ୍ଗଗତ ବୈଷମ୍ୟ, ବଳାତ୍କାର ଓ ମାସିକ ଧର୍ମକୁ ନେଇ ରୁଢ଼ିବାଦୀ ଚିନ୍ତାଧାରା ଭଳି ବିଭିନ୍ନ ସମସ୍ୟା ବିରୋଧରେ କମେଡି ମାଧ୍ୟମରେ ସ୍ୱର ଉତ୍ତୋଳନ କରାଯାଇ ପାରୁଛି। ଏହା ଦ୍ୱାରା ପୁରୁଷକୈନ୍ଦ୍ରିକ ସମାଜରେ ନାରୀ ଭୋଗୁଥିବା ପାତର ଅନ୍ତର ଓ ଅତ୍ୟାଚାର ଆଦି ସମ୍ପର୍କିତ ସଚେତନତା ମଧ୍ୟ ବୃଦ୍ଧି ପାଉଛି ଏବଂ ସେସବୁର ସମାଧାନ ଦିଗରେ ଅନେକ ପରିବର୍ତ୍ତନ ଆଣିବାରେ ମଧ୍ୟ ଏସବୁ ସହାୟକ ହେଉଛି।

ଏବେ ଆମେ ଆସିବା ବିଶ୍ୱର କେତେକ ଜଣାଶୁଣା ପୁରାତନ ମହିଳା କମେଡିଆନଙ୍କ ପାଖକୁ-

ଜ୍ୟାକି ମମ୍‌ସ ମ୍ୟାବ୍‌ଲେ:

କମେଡ଼ି ଦୁନିଆର ମୂଳଦୁଆ ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଜ୍ୟାକିଙ୍କୁ ଜଣେ ବୋଲି ଗଣାଯାଏ। ଏହାଛଡ଼ା ତାଙ୍କୁ ପ୍ରଥମ ଷ୍ଟାଣ୍ଡ୍ଅପ୍ କମେଡିଆନ୍‌ର ମାନ୍ୟତା ମଧ୍ୟ ଦିଆଯାଏ। ତାଙ୍କ ମୂଳ ନାମ ଥିଲା, ଲରେଟା ମେରି ଆଇକେନ୍। ଜ୍ୟାକି ନିଜ ଚିନ୍ତାଧାରାରେ ତାଙ୍କ ସମୟ କାଳଠୁ ବହୁ ଆଗରେ ଥିବା କୁହାଯାଏ। ଅତି ଛୋଟ ବୟସରୁ ବଳାତ୍କାରର ଶିକାର ହେବା ସହ ବିଭିନ୍ନ ଦୁଃଖ-ଦୁର୍ଦ୍ଦଶା ଦେଇ ଗତି କରିଥିବା ଏହି ମହିଳା କମେଡିଆନ୍ ନିଜସ୍ୱ ଉଦ୍ୟମ ବଳରେ ପ୍ରସିଦ୍ଧ ହୋଇ ପାରିଥିଲେ। ମୁଖ୍ୟତଃ ନିଜ ଜେଜେମା’ଙ୍କ ବେଶଭୂଷା ଓ ଚାଲିଚଳଣିକୁ ଅନୁକରଣ କରୁଥିବା ଭଳି ଏକ ବ୍ୟଙ୍ଗାତ୍ମକ ଚରିତ୍ରରେ ଅଭିନୟ କରି ସେ ପ୍ରସିଦ୍ଧି ପାଇପାରିଥିଲେ।

ଫିଲିସ୍ ଡିଲର:

ଆମେରିକାର ପୁରାତନ ପ୍ରଖ୍ୟାତ କମେଡିଆନ୍‌ମାନଙ୍କ ମଧ୍ୟରେ ଫିଲିସ୍ ଡିଲର ଅନ୍ୟତମ। ୧୯୫୦ ମସିହାରେ ପର୍ପଲ ଓନିଓନ୍ କମେଡି କ୍ଲବ୍‌ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ଫିଲିସ୍। ଜଣେ ସାଧାରଣ ଗୃହିଣୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟତଃ ସେ ତାଙ୍କ କଳା ପ୍ରଦର୍ଶନ କରୁଥିଲେ।

ଲୁସିଲ୍ ବଲ୍:

‘ବ୍ରଡ୍‌ୱେ’ ଓ କେତେକ ଫିଲ୍ମରେ ଅଭିନୟ କରିବା ପରେ ହାସ୍ୟରସଭିତ୍ତିକ ଏକ ଟେଲିଭିଜନ୍ କାର୍ଯ୍ୟକ୍ରମ ‘ଆଇ ଲଭ୍ ଲୁସି’ ଜରିଆରେ ପ୍ରଚୁର ଲୋକପ୍ରିୟତା ଅର୍ଜନ କରିପାରିଥିଲେ ଲୁସିଲ୍ ବଲ୍। ଏଇ କାର୍ଯ୍ୟକ୍ରମଟିକୁ ସେ ୧୯୫୧ ରେ ସ୍ୱାମୀ ଡେସି ଆର୍ନଜ୍‌ଙ୍କ ସହ ମିଶି ପ୍ରସ୍ତୁତ କରିଥିଲେ। ୧୯୬୨ରେ ଲୁସିଲ୍ ପ୍ରଥମ ମହିଳା ଭାବେ ଏକ ବିଶାଳ ଟେଲିଭଜନ୍ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ।

ଏମାନଙ୍କ ବ୍ୟତୀତ କାରୋଲ୍ ବର୍ଣ୍ଣେଟ୍, ଜୋଆନ୍ ରିଭର୍ସ, ଜେନ୍ କର୍ଟିନ୍, ଟିନା ଫେ ଓ ଆମି ପୋଏଲର, ମିରାଣ୍ଡା ହାର୍ଟ, ଆମି ସ୍କୁମର, ଜିନା ବେରାକ୍କା, କ୍ରିଷ୍ଟିନ୍ ଓ୍ୱିଗ୍, ଗିଲ୍‌ଡା ରାଡ୍‌ନର ତଥା ମାର୍ଗାରେଟ୍ ଚୋ’ଙ୍କ ଭଳି ମହିଳାମାନେ ମଧ୍ୟ କମେଡି କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କ ପ୍ରବେଶର ପଥକୁ ସୁଗମ କରିଥିଲେ।

ଏବେ ଆମ ଦେଶରେ ମଧ୍ୟ ବହୁ ମହିଳା କମେଡି କ୍ଷେତ୍ରରେ ପ୍ରବେଶ କରିବା ସହ ପ୍ରସିଦ୍ଧି ହାସଲ କରିପାରିଛନ୍ତି। ଅଗ୍ରିମା ଜୋଶୁଆ, ଅନୁରାଧା ମେନନ, ଉରୁଜ୍ ଅସ୍‌ଫାକ୍, ସେଜଲ୍ ଭଟ୍ଟ, ଐଶ୍ୱର୍ୟା ମୋହନରାଜ, କନିଜ୍ ସୁର୍ଖା, ସୁପ୍ରିୟା ଯୋଶୀ, ପ୍ରଶସ୍ତି ସିଂ, ରାଧିକା ଓ୍ୱାଜ୍, ନୀତି ପାଲ୍‌ତା, ସୁମୁଖୀ ସୁରେଶ, ଅଦିତି ମିତ୍ତଲ ଓ ଅନୁ ମେନନ ଆଦି ମହିଳାମାନେ ଷ୍ଟାଣ୍ଡ୍ଅପ୍ କମେଡି କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବା ସହ ମହିଳା୍ମାନେ ବି ଯେ ନିଜର ହାସ୍ୟରସଭିତ୍ତିକ ଅଭିନୟ ମାଧ୍ୟମରେ ଦର୍ଶକ ଓ ଶ୍ରୋତାଙ୍କ ମନୋରମ କରିପାରନ୍ତି ତାହା ଦେଖାଇ ଦେଇଛନ୍ତି।

ତେବେ ଅମେ ଭାରତୀୟ କମେଡି ଜଗତର ମହିଳାମାନଙ୍କ ବିଷୟରେ ଆଲୋଚନା କଲା ବେଳେ ଯଦି ଆମେ ଟୁନ୍ ଟୁନ୍‌ଙ୍କ ନାଁ ନ ନେବା ତା’ହେଲେ ଆଲୋଚନାଟି ଅଧା ଅଧୁରା ମନେହେବ। ୧୯୫୦ ଓ ୬୦ ମସିହାର ବଲିଉଡ୍ ଫିଲ୍ମ ଜଗତରେ ଯେତେବେଳେ ଭଗଓ୍ୱାନ୍ ଦାଦା, ଜନି ଓ୍ୱାକର ଓ କେଷ୍ଟୋ ମୁଖାର୍ଜୀଙ୍କ ଭଳି ପୁରୁଷ କଳାକାରମାନଙ୍କ ଦବ୍‌ଦବା ଥିଲା ସେତେବେଳେ ଏଇ ପ୍ରଚଳିତ ଧାରାକୁ ଭାଙ୍ଗି ଏ କ୍ଷେତ୍ରରେ ପାଦ ଦେଇଥିଲେ ଉମାଦେବୀ ବା ଟୁନ୍ ଟୁନ୍।

ଅନେକ କଠିନତାରେ ପରିପୂର୍ଣ୍ଣ ଏକ ଶୈଶବ, ବଲିଉଡ୍‌ରେ ଅଭିନୟ କରିବାର ସ୍ୱପ୍ନ ଏବଂ ପ୍ରଚୁର ଅଭିନୟ ଦକ୍ଷତା ଏତିକିକୁ ପୁଞ୍ଜି କରି ତଥା ଫିଲ୍ମ ଜଗତର ବହୁ ସଂଘର୍ଷ ବିନିମୟରେ ଟୁନ୍ ଟୁନ୍ କେବଳ ଜଣେ ହାସ୍ୟାଭିନେତ୍ରୀ ନୁହେଁ, ଜଣେ ପ୍ରଚ୍ଛଦପଟ୍ଟ ଗାୟିକା ଭାବରେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିଲେ। ଏବେକା ସମୟରେ ଅଭିନେତ୍ରୀ ଭାରତୀ ସିଂ ଜଣେ ଚର୍ଚ୍ଚିତ ନାମ, ଯିଏ କି ନିଜକୁ ଭାରତୀୟ ହାସ୍ୟାଭିନୟ ଜଗତରେ କମେଡି କ୍ୱିନ୍ ଭାବେ ପରିଚିତ କରାଇ ପାରିଛନ୍ତି।

ସବୁ ପରେ ବି ମହିଳା ହାସ୍ୟାଭିନେତ୍ରୀମାନେ ଲିଙ୍ଗଗତ ପାତରଅନ୍ତର ଆଦିରୁ ଆଜି ବି ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇ ପାରିନାହାନ୍ତି। ବିଶେଷକରି ପାରିଶ୍ରମିକ ପାଇବା କ୍ଷେତ୍ରରେ ମହିଳାମାନେ ଏଭଳି ବୈଷମ୍ୟ ଭୋଗୁଥିବା ଅଭିଯୋଗ ହୋଇଥାଏ। ଏସବୁ ବୈଷମ୍ୟକୁ ପଛ କରି ଏବେ ବି ବହୁ ବାଟ ଯିବାର ଅଛି ମହିଳା କମେଡିଆନ୍‌ମାନଙ୍କୁ।

ତେବେ ଏଥିପାଇଁ ସବୁ ଦିଗରୁ ସାମାଜିକ ସହଯୋଗର ମଧ୍ୟ ଆବଶ୍ୟକତା ରହିଛି। ନ ହେଲେ ଲିସା ଭଳି ଅନେକ ପ୍ରତିଭା ଅଣଦେଖା ହୋଇ ସମସ୍ତଙ୍କ ଅଜାଣତରେ ମଉଳି ଯିବେ ନି କି? ଆଉ ସେମାନଙ୍କ ମୁହଁରେ ନିଜ ପସନ୍ଦର ବୃତ୍ତିକୁ ଆପଣେଇ ପାରିବାର ହସ ଟିକକ ଫୁଟାଇ ପାରିବା କେତେ ବଡ଼ କଥା କହିଲେ! ଏମିତିରେ ହସ ବିନା ଆମ ଜୀବନ ଅସମ୍ପୂର୍ଣ୍ଣ ଆଉ ଫିକାଫିକା ନୁହେଁ କି!

ଦୂରଭାଷ: ୯୨୩୮୯୯୯୭୫୮