• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadheen Kumar Raut

ଏବେ ରାଜନୀତିର ଚର୍ଚ୍ଚାରେ ଦୁଇ, ତିନୋଟି କଥା । ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ । ଆଉ କିଏ କାହାକୁ କଲା ସମର୍ଥନ । ଏହାରି ଭିତରେ ବେଶି ଚର୍ଚ୍ଚାରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ୨ ଭଉଣୀଙ୍କ ପ୍ରତି ଆଦର ଏବଂ ଅନାଦର । ଗୋଟିଏ ଭଉଣୀ ପାଇଁ ନବୀନ ସ୍ନେହର ଭଣ୍ଡାର ଖୋଲି ଦେଇଥିବା ବେଳେ ଆଉ ଗୋଟିଏ ଭଉଣୀକୁ ଜମାରୁ ପଚାରୁ ନାହାଁନ୍ତି । ଭଉଣୀ ରାକ୍ଷୀ ବାନ୍ଧିଥିଲେ ବୋଲି ଭାଇ ରାଜନୀତିରେ ଆଗପଛ କିଛି ବିଚାର ନକରି ତାଙ୍କ ପାଇଁ ସବୁ ପ୍ରକାର ସମର୍ଥନ ଅଜାଡି ଦେଲେ । ହେଲେ ଆଉ ଗୋଟିଏ ଭଉଣୀକୁ ପୂରା ପର କରିଦେଲେ ନବୀନ । ଏପରିକି ସେହି ଭଉଉଣୀଙ୍କ ରାଜନୀତିରେ କଟ୍ଟର ବିରୋଧୀ ଭାବେ ଜଣାଶୁଣା ବ୍ୟକ୍ତିଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି ସେ । ଆମେ କହୁଛୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନୀର୍ଜୀଙ୍କ କଥା ।

ଦିନେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ଏହାପରେ ଝାଡ଼ଖଣ୍ଡର ରାଜ୍ୟପାଳ, ଜଣେ ସଫଳ ନାରୀ ନେତ୍ରୀ । ଏଏନ୍‌ଡିଏ ଯେତେବେଳେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କଲା, ସେତେବେଳେ ନବୀନ ତାଙ୍କୁ ତୁରନ୍ତ ସମର୍ଥନ ଘୋଷଣା କରିବା ସହ ଦଳମତ ନିର୍ବିଶେଷରେ ସବୁଦଳଙ୍କୁ ସମର୍ଥନ ପାଇଁ ଅପିଲ୍ ବି କଲେ । ଖାଲି ସେତିକି ନୁହେଁ ନିଜ ଦଳ ବଳ ଲଗାଇ ତାଙ୍କ ପାଇଁ ରାଜ୍ୟରେ ଜବରଦସ୍ତ କ୍ୟାମ୍ପେନିଂ କଲେ । ଏପିରିକି ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ କଂଗ୍ରେସର ନେତାମାନଙ୍କୁ ମଧ୍ୟ ମନାଇବାକୁ ଯୋରଦାର ଉଦ୍ୟମ କଲେ । ଦ୍ରୌପଦୀ ମୁର୍ମୁ ରାକ୍ଷୀ ବାନ୍ଧିଥିଲେ ବୋଲି ନବୀନ ତାର ମାନ ରଖିଲେ । ତେବେ ଦ୍ରୌପଦୀଙ୍କୁ ସମର୍ଥନ ପଛରେ ନବୀନଙ୍କ ରାଜନୈତିକ ସ୍ୱାର୍ଥବି ଥିଲା । ତାହା ହେଲା ମହିଳା ଏବଂ ଆଦିବାସୀ ଭୋଟ ବ୍ୟାଙ୍କ ।

ତେବେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ କାହିଁକି ନବୀନ କଲେ ସମର୍ଥନ । ତାକୁ ନେଇ ବେଶ ଚର୍ଚ୍ଚା ଏବେ ରାଜନୈତିକ ମହଲରେ । କାରଣ ଏହି ସମର୍ଥନ ନବୀନଙ୍କୁ କୌଣସି ମତେ ରାଜନୈତିକ ଫାଇଦା ଦେଇପାରବନି । ରାଜନୀତିର ଜଣେ ପୋଖତ ଖେଳାଳି ନବୀନ ଏପରି କଲେ କାହିଁକି ? ଏହାପଛରେ କି ଉଦ୍ଦେଶ୍ୟ ରହିଛି ନବୀନଙ୍କର ? ନବୀନଙ୍କ ଏଭଳି ନିଷ୍ପତ୍ତି ମମତା ଦିଦିଙ୍କୁ ବ୍ୟଥିତ କରିଥିବ ନିଶ୍ଚେ ? ମମତା ବାନାର୍ଜୀଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା ଜଗଦୀପ ଧନଖଡ଼ଙ୍କୁ ବିଜୁ ଜନତା ଦଳ ଉପରାଷ୍ଟ୍ରପତି ପାଇଁ ସିଧାସଳଖ ସମର୍ଥନ ଘୋଷଣା କରିବା ସହ ଦଳର ସାଂସଦ ପିନାକୀ ମିଶ୍ର ମଧ୍ୟ ତାଙ୍କ ନାମାଙ୍କନ ବେଳେ ଉପସ୍ଥିତ ଥିଲେ ।

ଜଗନ୍ନାଥଙ୍କ ପରମ ଭକ୍ତ ମମତା ବାନାର୍ଜୀ ଅନେକ ଥର ପୁରୀ ଆସିଛନ୍ତି, ନବୀନ ନିବାସ ମଧ୍ୟ ଆସିଛନ୍ତି, ନବୀନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଅନେକଥର ମମତା କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ଆହ୍ୱାନ ଦେଇଛନ୍ତି, ଅଣବିଜେପି ଏବଂ ଅଣକଂଗ୍ରେସ ନେତାଙ୍କୁ ଏକତ୍ରିତ କରିବା ପାଇଁ ଚିଠି ଲେଖିଛନ୍ତି । ହେଲେ ଚତୁର ନବୀନ ମମତାଙ୍କ କୌଣସି କଥାରେ ସମର୍ଥନ କରି ନାହାଁନ୍ତି । ଆଉ ଏହାର ଫଳ ମଧ୍ୟ ପାଇଛନ୍ତି ନବୀନ ପଟ୍ଟନାୟକ ।

ସିବିଆଇର ଚିଟ୍ ଫଣ୍ଡ ତଦନ୍ତ କଥା ଟିକେ ବିଚାରକୁ ନିଆଯାଉ । ଉଭୟେ ଟିଏମ୍‌ସି ଏବଂ ବିଜେଡି ସିବିଆଇ ଜାଲରେ ପଡିଛନ୍ତି । ହେଲେ ପଶ୍ଚିମବଙ୍ଗରେ ସିବିଆଇ ଯେପରି ଭାବେ ଆଗ୍ରେସିଭ୍ ହୋଇଛି, ଓଡ଼ିଶାରେ ସେହିପରି ଭାବେ ରୋଲ ପ୍ଲେ କରୁନି । ଚିଟ୍ ଫଣ୍ଡ୍ ଏବଂ ସାରଦା ମାମଲାରେ ସିବିଆଇ ଦିଦିଙ୍କ ଡାହାଣ ହାତ କୁହାଯାଉଥିବା ସୁଦୀପ ବନ୍ଦୋପାଧ୍ୟାୟଙ୍କ ସହ ଅନେକ ବରିଷ୍ଠ ନେତାଙ୍କୁ ଗରିଫ କରି ଜେଲ ପଠାଇଥିଲା । କୋଲକାତାର ପୂର୍ବତନ ପୋଲିସ୍ କମିଶନରଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ଏପରିକି ନିଜ ଲୋକଙ୍କୁ ବଞ୍ଚାଇବାକୁ ଦିଦିଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିଥିଲା । ହେଲେ ଓଡ଼ିଶାରେ ବିଜେଡି ନେତା ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳଙ୍କୁ ଛାଡ଼ିଦେଲେ ସେମିତି କୌଣସି ବଡ଼ ନେତାଙ୍କୁ ଗରିଫ କରିନି ସିବିଆଇ । ମୋଟାମୋଟି ଭାବେ ଦେଖିବାକୁ ଗଲେ ଓଡ଼ିଶାରେ ସିବିଆଇ ସଫ୍ଟ ଆପ୍ରୋଚ୍ ଆପଣାଇଛି । କୋରାପୁଟ୍ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ମତରେ ବିଜେଡି ରାଜ୍ୟର ସ୍ୱାର୍ଥକୁ ପଛରେ ପକାଇ ସିବିଆଇ ଭୟରେ ସବୁକିଛି କମ୍ପ୍ରମାଇଜ୍ କରିବାକୁ ପ୍ରସ୍ତୁତ ହୋଇଯାଉଛି ।

ସବୁ ବେଳେ ଇକ୍ୟୁ ଡିଷ୍ଟାନ୍‌ସ କଥା କହୁଥିବା ନବୀନ ବାବୁ ଏବେ ଆଉ ସେହି ପଲିସି ପାଳନ କରୁନଥିବା ଜଣାପଡୁଛି । ଆସ୍ତେ ଆସ୍ତେ ସେ ପୁରୁଣା ମେଣ୍ଟ ସହଯୋଗୀ ଆଡ଼କୁ ଢଳୁଥିବା ତାଙ୍କ ନିଷ୍ପତ୍ତିରୁ ସ୍ପଷ୍ଟ ବାରି ହୋଇପଡୁଛି । ଗତମାସରେ ଯେତେବେଳେ ନବୀନ ଦିଲ୍ଲୀ ଗସ୍ତ କରିଥିଲେ ସେତେବେଳେ ସେ ମୋଦିଙ୍କୁ ଭେଟିଥିଲେ, ଆଉ କହିଥିଲେ ଯେ ରାଷ୍ଟ୍ରପତି ନିର୍ବାଚନ ନେଇ ସେ କୌଣିସି ଆଲୋଚନା କରି ନାହାଁନ୍ତି । ଏହାଛଡ଼ା ବିଜେଡି ସବୁ ବେଳେ ନିର୍ବାଚନରେ ବିଜେପିର ପ୍ରାର୍ଥୀଙ୍କୁ ସମର୍ଥନ କରିନି ତାହା ବି ଠିକ୍ କଥା । ଗତ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ନବୀନ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଥିବା ବେଳେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କୁ କିନ୍ତୁ ସମର୍ଥନ କରିନଥିଲେ । ଗୋପାଳକ୍ରୀଷ୍ଣ ଗାନ୍ଧିଙ୍କୁ ସମର୍ଥନ କରି ନବୀନ ପ୍ରମାଣିତ କରିଦେଇଥିଲେ ଯେ, ସେ ସବୁବେଳେ ବିଜେପିର ନିଷ୍ପତ୍ତିକୁ ସମର୍ଥନ କରୁ ନାହାଁନ୍ତି । ହେଲେ ଏବେ ଧନଖଡଙ୍କୁ ସମର୍ଥନ କରି ନବୀନ ଅନେକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛନ୍ତି । ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ କିଛି ସମୀକରଣ ବଦଳିବ କି ? ଏଭଳି ଅକୁଣ୍ଠିତ ସମର୍ଥନ କିଛି ନୂଆ ମେଣ୍ଟର ସମ୍ଭାବନା ସୃଷ୍ଟି କରୁଛି କି ? ତାକୁ ନେଇ ଚର୍ଚ୍ଚା ଯୋର ଧରିଛି ।