• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Preeti Prajna Pradhan

ଏମାନେ ଠିକ୍ ନିଜ ମା' ଭଳି ରୋଷେଇ ଘରେ ସ୍ଵାଦିଷ୍ଟ ଖାଇବା ତିଆରି କରିପାରନ୍ତି। ପୁଣି ଦକ୍ଷ ଦରଜୀ ଭଳି ଅତି ସୁନ୍ଦର ସିଲେଇ କରିବା ସହ ଏକଦମ ପରିଷ୍କାର-ପରିଚ୍ଛନ୍ନ ଭାବେ ଧୁଆ ଯାଇଥିବା ପୋଷାକ ଓ କପଡ଼ା ସବୁକୁ ସଜାଇ ରଖି ବି ପାରନ୍ତି। ଏହା ଛଡ଼ା ଏଇ ଆୟା ବା ନାନୀମାନେ ଆବଶ୍ୟକ ପଡିଲେ ଦକ୍ଷ ଡ୍ରାଇଭର ସାଜି ପଛରେ ପଡ଼ିଥିବା ପାପାରାଜୀ ଠାରୁ ପିଛା ଛଡାଇବାରେ ମଧ୍ୟ ସକ୍ଷମ ହୋଇଥା'ନ୍ତି (ଯେହେତୁ ଏମାନଙ୍କ କ୍ଲାଏଣ୍ଟ୍ ପ୍ରାୟତଃ ହାଇପ୍ରୋଫାଇଲର ହୋଇଥାନ୍ତି, ସେ ପ୍ରକାର ସମ୍ଭାବନା ଥାଏ)।

ଖାଲି ସେତିକି ନୁହେଁ, ଲାଇଫ୍ ଗାର୍ଡ ଭଳି ଏମାନେ ବୁଡିଯାଉଥିବା ମଣିଷକୁ ଉଦ୍ଧାର କରିପାରନ୍ତି, ପୁଣି ଦରକାର ପଡିଲେ କିଡ୍‌ନାପର୍‌ କିମ୍ବା ସେଭଳି କୌଣସି ଦୁର୍ବୃତ୍ତ ସହ ଲଢ଼ି ନିଜ ଦାୟିତ୍ୱରେ ଥିବା ଶିଶୁକୁ ରକ୍ଷା ମଧ୍ୟ କରିପାରନ୍ତି (ଏମାନେ ଟାଏକୋଣ୍ଡ୍‌ ଭଳି ମାର୍ସଲ୍ ଆର୍ଟ ମଧ୍ୟ ଶିଖିଥାନ୍ତି) । ସେଇଥିପାଇଁ ତ ଏଇ ଆୟାମାନଙ୍କୁ ରଖିବା ଏକ ଷ୍ଟାଟସ୍ ସିମ୍ବଲ୍ ଭାବେ ଗଣାଯାଏ।

ଏଠାରେ ଯେଉଁମାନଙ୍କ କଥା କୁହାଯାଉଛି, ସେମାନେ ହେଲେ ବିଶ୍ୱର ସବୁଠାରୁ ଦାମିକା ନାନୀ ବା ଆୟା ବା ଶିଶୁ ପାଳିକା। ଏକବିଂଶ ଶତାବ୍ଦୀର 'ମେରି ପପିନ୍ସ'(ପି.ଏଲ୍. ଟ୍ରାଭରସଙ୍କ ପୁସ୍ତକ ସିରିଜ୍ ଉପରେ ଆଧାରିତ ତଥା ୱାଲ୍ଟ ଡିଜନି ପ୍ରାୟୋଜିତ, ୧୯୬୪ ମସିହାରେ ରିଲିଜ୍ ହୋଇଥିବା ଏକ ଆମେରିକାନ ମ୍ୟୁଜିକାଲ୍ ଫାଣ୍ଟାସି ଫିଲ୍ମ, ଯାହାର ମୁଖ୍ୟ ଚରିତ୍ର ହେଉଛନ୍ତି ମେରୀ ପପିନ୍ସ ନାମକ ଜଣେ ଆୟା। ସିଏ ସମ୍ପୂର୍ଣ୍ଣ ରୂପେ ଏକ କାଳ୍ପନିକ ଚରିତ୍ର ଭଳି ମନେ ହୁଅନ୍ତି।

ନିଜର ଦୁଇ ଦୁଷ୍ଟ ପିଲାଙ୍କ ପାଇଁ ବ୍ୟସ୍ତ ହୋଇ ଆୟା ଖୋଜୁଥିବା ମିଷ୍ଟର ବ୍ୟାଙ୍କ୍ ମେରିଙ୍କ ସମ୍ପର୍କରେ ଆସନ୍ତି। ଆଉ ମେରି ତାଙ୍କ ଘରେ ରହି ତାଙ୍କ ପିଲାଙ୍କ ଖବର ବୁଝିବା ଭିତରେ ସେଇ ପିଲାମାନଙ୍କୁ ସୁଧାରି ଦିଅନ୍ତି) ଭାବେ ପରିଚିତ ଏହି ନାନୀମାନେ ଶିଶୁ ପାଳନ କ୍ଷେତ୍ରରେ ବିଶ୍ୱର ସର୍ବ ପୁରାତନ ପ୍ରଶିକ୍ଷଣ ଅନୁଷ୍ଠାନ ନର୍‌ଲ୍ୟାଣ୍ଡ୍ କଲେଜରେ ଉଚ୍ଚ ଶିକ୍ଷା ଲାଭ କରିଥାନ୍ତି।

ୟୁକେର ସମର୍‌ସେଟ୍ ଅନ୍ତର୍ଗତ ବାଥ୍‌ଠାରେ ଅବସ୍ଥିତ ଏଇ କଲେଜ ଏମିଲି ଓ୍ୱାର୍ଡଙ୍କ ଦ୍ୱାରା ୧୮୯୨ ମସିହା, ଅକ୍ଟୋବର ମାସ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା। ସେ ସମୟରେ ଘରର ବିଭିନ୍ନ କାମ ପାଇଁ ରଖାଯାଇଥିବା ସାହାଯ୍ୟକାରିଣୀମାନେ ହିଁ ଘରର ପିଲାମାନଙ୍କ ଦେଖାରଖା କରୁଥିଲେ। ଏମିଲି କିନ୍ତୁ ଏଥିରେ ପରିବର୍ତ୍ତନ ଆଣିବା ସହ ଜର୍ମାନ ଶିକ୍ଷାବିତ୍ ଫ୍ରୋବେଲଙ୍କ ତତ୍ତ୍ୱ ଉପରେ ଆଧାରକରି ଏ କ୍ଷେତ୍ରକୁ ଅଧିକ ସଂଗଠିତ କରିବାକୁ ମଧ୍ୟ ଚାହୁଁଥିଲେ। ସେ ଇଚ୍ଛା କରୁଥିଲେ ଯେ, ତାଙ୍କ ଅନୁଷ୍ଠାନ ଦ୍ଵାରା ପ୍ରଶିକ୍ଷିତ ଆୟାମାନେ ଏଭଳି ହୁଅନ୍ତୁ, ଯିଏ କି ଶୈଶବରୁ ହିଁ ଶିଶୁମାନଙ୍କ ସଠିକ ବିକାଶ ଦିଗରେ ସହାୟକ ହୋଇପାରିବେ।

ସେଇ କାରଣରୁ ସେ ନିଜ ଅନୁଷ୍ଠାନର ପ୍ରଶିକ୍ଷାର୍ଥୀମାନଙ୍କ ପାଇଁ ୟୁନିଫର୍ମର ବ୍ୟବସ୍ଥା କରିଥିଲେ। କାରଣ ସେ ଚାହୁଁଥିଲେ, ତାଙ୍କ ଛାତ୍ରୀମାନେ ଅନ୍ୟ ସାଧାରଣ ସାହାଯ୍ୟକାରିଣୀଙ୍କ ଠାରୁ ଅଲଗା ହୋଇ ବାରିହୋଇ ପଡ଼ିବା ସହ ପ୍ରଫେସନାଲ୍‌ ଦିଶନ୍ତୁ। ପ୍ରଥମେ ଏହି ୟୁନିଫର୍ମ ଗୋଲାପୀ ଓ ଧୂସର ରଙ୍ଗର ଥିଲା। ତେବେ ସମୟ ଓ ଫ୍ୟାସନ୍‌ ସହ ତାଳ ଦେଇ ଏଥିରେ ଅନେକ ପରିବର୍ତ୍ତନ ଆସିଛି। ଏବେ ଏହି ୟୁନିଫର୍ମ ମଧ୍ୟରେ ରହିଛି- ବ୍ରାଉନ୍ ଡ୍ରେସ୍, ଟାଇଟ୍ସ, ବ୍ରାଉନ ସୁଜ୍, ଶୀତଋତୁ ପାଇଁ ବ୍ରାଉନ୍ ଗ୍ଲୋଭ୍ସ ଓ ଗ୍ରୀଷ୍ମଋତୁ ପାଇଁ ହ୍ୱାଇଟ୍‌ ଗ୍ଲୋଭ୍ସ ଏବଂ ସୁନ୍ଦର ଭାବେ ବନ୍ଧା ଯାଇଥିବା ଏକ ଖୋସା।

ଯଦିଓ ନରଲ୍ୟାଣ୍ଡ୍ କଲେଜରେ ସାଧାରଣତଃ ମହିଳା ଛାତ୍ରୀମାନେ ହିଁ ଶିକ୍ଷା ଲାଭ କରିଥାନ୍ତି। ତେବେ ୧୯୯୯ ମସିହାରେ ପ୍ରଥମ ପୁରୁଷ ନାନୀଙ୍କୁ ଏଠାରେ ଗ୍ରହଣ କରାଯାଇଥିଲା ଓ ୨୦୧୨ ମସିହାରେ ପ୍ରଥମ ଥର ପାଇଁ ୧୮ ବର୍ଷ ବୟସ୍କ ମାଇକେଲ୍‌ କେନି ଅଣ୍ଡର ଗ୍ରାଜୁଏଟ୍ ନାନୀ ଭାବେ ନାଁ ଲେଖାଇଥିଲେ।

ଟ୍ରେନିଂ ସମୟରେ ଏଠାକାର ପ୍ରଶିକ୍ଷାର୍ଥୀମାନଙ୍କୁ ପୂରାପୂରି ଜୀବନ୍ତ ଲାଗୁଥିବା ଗୋଟିଏ ଗୋଟିଏ କଣ୍ଢେଇର ଦାୟିତ୍ଵ ବୁଝିବାକୁ ଦିଆଯାଇଥାଏ(କଣ୍ଢେଇ ଗୁଡ଼ିକ ବାର୍ବି କମ୍ପାନୀର ହୋଇଥାନ୍ତି)। ଏଇ କଣ୍ଢେଇଗୁଡ଼ିକ ଏକଦମ ମଣିଷ ପିଲା ପରି ହିଁ ଚିଲେଇ ଚିଲେଇ ଖାଇବା ପାଇଁ କାନ୍ଦିଥାନ୍ତି। ପୁଣି ସତସତିକା ପିଲାଙ୍କ ପରି ବିଛଣାରେ ମଳମୂତ୍ର ତ୍ୟାଗ କରନ୍ତି। ଦାୟିତ୍ଵରେ ଥିବା ପ୍ରଶିକ୍ଷାର୍ଥୀ କିଭଳି ନିଜ ନିଜ କଣ୍ଢେଇର ଖବର ବୁଝୁଛନ୍ତି, କେମିତି ତାକୁ ଶୋଇ ଦେଉଛନ୍ତି ଆଉ ସେ ଭୋରରୁ ଉଠି କାନ୍ଦିଲେ ତାକୁ ବୁଝେଇ ସୁଝେଇ କିଭଳି ବୋଧ ଦେଉଛନ୍ତି, ସେସବୁ ଉପରେ ତୀକ୍ଷ୍ମ ନଜର ରଖିଥାନ୍ତି ପ୍ରଶିକ୍ଷକମାନେ।

ନର୍‌ଲ୍ୟାଣ୍ଡ୍ କଲେଜରେ ଶିକ୍ଷାର୍ଥୀମାନଙ୍କୁ ଶିଶୁ ପାଳନ ଓ ଶିଶୁର ସାମଗ୍ରିକ ବିକାଶ ସମ୍ପର୍କିତ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥାଏ। ସେମାନେ ଭବିଷ୍ୟତରେ ଯେଉଁ ପିଲାମାନଙ୍କର ଦାୟିତ୍ଵ ନେବେ, ସେମାନଙ୍କ ପାଇଁ କିଭଳି ଯଥାସମ୍ଭବ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ। ସମ୍ପୃକ୍ତ ଶିଶୁମାନଙ୍କୁ ସେମାନେ କିଭଳି ବିଭିନ୍ନ ପ୍ରକାରର ସ୍ପର୍ଶ ଓ ଗନ୍ଧ ସହ ପରିଚିତ କରାଇବେ, କେମିତି ସେମାନଙ୍କୁ ସଦା ସର୍ବଦା ଖୁସି ରଖିବା ସହ ସବୁବେଳେ ସେମାନଙ୍କୁ ମନୋରଞ୍ଜନ ଯୋଗାଇ ପାରିବେ ସେନେଇ ବି କଲେଜରେ ଟ୍ରେନିଂ ଦିଆଯାଇଥାଏ।

ସେଇଥିପାଇଁ ତ ନର୍‌ଲ୍ୟାଣ୍ଡ୍ ନାନୀମାନେ ତାଙ୍କ ଦାୟିତ୍ଵରେ ଥିବା ଶିଶୁଟିକୁ କ୍ରାଫ୍ଟ୍ ମେକିଂ ଠାରୁ ସ୍କିଂ, ସ୍କେଟିଂ ପୁଣି ଆବଶ୍ୟକ ପଡିଲେ ବିଭିନ୍ନ ଭାଷା ମଧ୍ୟ ଶିଖାଇପାରନ୍ତି। ତା' ଛଡ଼ା ସେମାନେ ଟେଡି ବିୟର୍ ପାଇଁ ଯେମିତି ପିକ୍‌ନିକ୍‌ ଆୟୋଜନ କରିପାରନ୍ତି ସେମିତି ପିଲାଟିକୁ ନିଜେ କେମିତି ନିଜ ବର୍ଥ ଡେ' ପାର୍ଟି ଆୟୋଜନ କରିପାରିବ ତାହା ମଧ୍ୟ ବତେଇ ଦେଇପାରନ୍ତି।

ଏପରିକି ନିଜ ପାର୍ଟି ପାଇଁ କେକ୍ ପ୍ରସ୍ତୁତ କରିବା ବି ଶିଖାଇ ଦେଇପାରନ୍ତି। ସାଧାରଣତଃ ଏଇ ଆୟା ମାନଙ୍କୁ ସମ୍ପୃକ୍ତ ପିଲାମାନଙ୍କ ପରିବାର ସହ ସବୁ ସମୟରେ ରହିବାକୁ ପଡୁଥିବାରୁ ସେହି ପରିବାର ସହ ଏମାନଙ୍କର ଏକ ସ୍ବତନ୍ତ୍ର ପାରିବାରିକ ସମ୍ପର୍କ ସୃଷ୍ଟି ହୋଇଥାଏ। ଆଉ ପରିବାରର ସଦସ୍ୟ ଭଳି ନିଜ ଦାୟିତ୍ଵ ସବୁକୁ ଏଇ ନର୍‌ଲ୍ୟାଣ୍ଡ ନାନୀମାନେ ବେଶ୍ ଦକ୍ଷତାର ସହ ତୁଲାଇ ଥାନ୍ତି। ସେଇ କାରଣରୁ ଏମାନଙ୍କୁ ଶିଶୁ ପାଳନ କ୍ଷେତ୍ରରେ 'best of bests' ବୋଲି କୁହାଯାଏ।

ଏହି କଲେଜରେ ଶିକ୍ଷା ଗ୍ରହଣ ପାଇଁ ବାର୍ଷିକ ଫି' ଦେବାକୁ ପଡିଥାଏ ପ୍ରାୟ ୨୧ହଜାର ଡଲାର । ତେବେ ଉଚ୍ଚ ଅଙ୍କର ଅର୍ଥ ଖର୍ଚ୍ଚ କରି ଥରେ ଏଠାରୁ ଭଲରେ ଉତ୍ତୀର୍ଣ୍ଣ ହୋଇ ସାରିବା ପରେ ଏମାନଙ୍କୁ ମୋଟା ଅର୍ଥର ଦରମାରେ ସହଜରେ ନିଯୁକ୍ତି ମଧ୍ୟ ମିଳିଯାଏ। ଜାଣି ଆଶ୍ଚର୍ଯ୍ୟ ଲାଗେ ଯେ, ଜଣେ ନର୍‌ଲ୍ୟାଣ୍ଡ୍ ନାନୀ ବାର୍ଷିକ ପ୍ରାୟ ୩୫ରୁ ୬୦ ହଜାର ପାଉଣ୍ଡ୍‌ ଯାଏ ରୋଜଗାର କରିଥାନ୍ତି।

ଏକ ଶତାବ୍ଦୀରୁ ଅଧିକ ସମୟ ଧରି ବହୁ ଧନୀ ଓ ପ୍ରସିଦ୍ଧ ବ୍ୟକ୍ତି ନିଜ ସନ୍ତାନମାନଙ୍କ ପାଇଁ ନର୍‌ଲ୍ୟାଣ୍ଡ୍ ନାନୀମାନଙ୍କୁ ନିଯୁକ୍ତି ଦେବାକୁ ଆଗ୍ରହ ପ୍ରକାଶ କରିଆସୁଛନ୍ତି। ନିକଟରେ 'ଡ୍ୟୁକ୍ ଆଣ୍ଡ୍ ଡଚେସ୍ ଅଫ୍ କେମ୍ବ୍ରିଜ୍' ପ୍ରିନ୍ସ ୱିଲିୟମ୍ ଓ ପତ୍ନୀ କେଟ୍ ନିଜ ସନ୍ତାନ ପ୍ରିନ୍ସ ଜର୍ଜଙ୍କ ପାଇଁ ଜଣେ ନର୍‌ଲ୍ୟାଣ୍ଡ୍ ନାନୀଙ୍କୁ ନିଯୁକ୍ତି ଦେବା ଏହାର ପ୍ରମାଣ। ମୋଟ ଉପରେ ନିଜ ଦକ୍ଷତା ବଳରେ ଏମାନେ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ, ଏମାନେ ହେଉଛନ୍ତି 'ମ୍ୟାଜିକ୍ ନାନୀ।'