• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଟିଭିରୁ ମୋ ନାଁ ଶୁଣି ଆଶ୍ଚର୍ଯ୍ୟ ହେଲି ଓ ଖୁସି ବି ହେଲି । ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିଜେପି ତାର ନୀତି ସ୍ପଷ୍ଟ କରିଛି । ରାଷ୍ଟ୍ରପତି ପଦ ବଡ଼ ଦାୟିତ୍ୱ, ସମସ୍ତଙ୍କ ସହଯୋଗ କାମନା କରିବି । ୨୦୨୧ ମସିହା ପରଠୁ ରାଜନୈତିକ କାର୍ଯ୍ୟକ୍ରମ ଠାରୁ ଦୂରରେ ଅଛି । ରାଜନୀତିଠୁ ଦୂରରେ ରହି ଦେଶ ପାଇଁ କାମ କରିବି । ରାଷ୍ଟ୍ରପତି ଏକ ସାମ୍ବିଧାନିକ ପଦ, ତାର ଗରିମା ରକ୍ଷା କରିବି ।’ ଏଭଳି କିଛି ବୟାନ୍ ଦେଇଛନ୍ତି ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୫ରେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ଦ୍ରୌପଦୀ ମୁର୍ମୁ ।

ଏକ ପ୍ରେସମିଟ ଜରିଆରେ ଦ୍ରୌପଦୀଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରାର୍ଥୀ ଘୋଷଣା ପରେ OTVକୁ ଦ୍ରୌପଦୀ ମୁର୍ମୁ ଦେଇଥିଲେ ପ୍ରଥମ ପ୍ରତିକ୍ରିୟା । ତେବେ ରାଇରଙ୍ଗପୁରରୁ ରାଇସିନା ହିଲ ବା ରାଷ୍ଟ୍ରପତି ଭବନକୁ ଦୌପଦୀଙ୍କ ଯାତ୍ରା ଉପରେ ଏବେ ସାରା ଦେଶର ନଜର ।

ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ । ସେ ଜଣେ ବିଶିଷ୍ଟ ରାଜନୀତିଜ୍ଞ । ୨୦୧୫ ରୁ ୨୦୨୧ ମଧ୍ୟରେ ଝାଡ଼ଖଣ୍ଡର ରାଜ୍ୟପାଳ ରହିସାରିଛନ୍ତି । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ପ୍ରଥମେ ୨୦୦୦ ଓ ପରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଶାସନ ବେଳେ ସେ ସ୍ୱାଧୀନ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଓଡ଼ିଶା ସରକାର ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟକ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ଏହାପରେ ରାଇରଙ୍ଗପୁରଠାରେ ଥିବା ଅରବିନ୍ଦ ଇଂଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଛନ୍ତି ।

୧୯୯୭ ମସିହାରେ ରାଜନୀତିକୁ ପ୍ରବେଶ କରିଥିଲେ ଦ୍ରୌପଦୀ ମୁର୍ମୁ । ୧୯୯୭ରେ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହେବା ପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ପଦ ସମ୍ଭାଳିଥିଲେ । ୧୯୯୭ରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ସେ ଜଡ଼ିତ । ୧୯୯୭ରେ ଦ୍ରୌପଦୀ ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ପଦ ମିଳିଥିଲା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି ସେ ।  ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି (ପୂର୍ବ)ର ଜିଲ୍ଲା ଅଧ୍ୟକ୍ଷା ରହିଛନ୍ତି ।

ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀଙ୍କୁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ଶୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଥିବା ବେଳେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

 

 

ଅନ୍ୟପଟେ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ମିଳିତ ପ୍ରାର୍ଥୀ ଘୋଷଣା କରିଛି ବିରୋଧୀ ମେଣ୍ଟ । ଯଶୱନ୍ତ ସିହ୍ନାଙ୍କୁ ମିଳିତ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ମିଳିତ ବିରୋଧୀ ଦଳର ବୈଠକରେ ସିହ୍ନାଙ୍କ ନାଁ ଚୂଡ଼ାନ୍ତ ହୋଇଛି । ପ୍ରେସମିଟରେ ଯଶୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ । NCP ସୁପ୍ରିମୋ ଶରଦ ପାୱାରଙ୍କ ଉପସ୍ଥିତିରେ ଖାର୍ଗେ ଏହି ଘୋଷଣା କରିଛନ୍ତି । ଆଜି ପୂର୍ବାହ୍ନରେ TMCରୁ ଇସ୍ତଫା ଦେଇଥିଲେ ଯଶୱନ୍ତ ସିହ୍ନା ।