• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sukanti Rout

ଛୋଟ ପିଲାଟିଏ ଜନ୍ମ ନିଏ, ସ୍ୱପ୍ନ ଦେଖେ ଆଉ ତା’ ସ୍ୱପ୍ନରେ ଥାଏ ସେ ବି ଦିନେ ସମସ୍ତଙ୍କ ପରି ବିଦ୍ୟାଳୟ ଯିବ, ଆଉ ପାଠ ପଢି ଗୋଟେ ବଡ଼ ଚାକିରି କରିବ। ଶିଶୁ ହେଉଛନ୍ତି ସ୍ନେହ ପ୍ରେମର କୋମଳ ଗାନ୍ଧାର। ସେମାନେ ସମାଜର ସବୁପ୍ରକାର ନିନ୍ଦା-ଅପବାଦ ଓ ଚିନ୍ତାରୁ ମୁକ୍ତ ରହିଥାନ୍ତି। ସମ୍ପ୍ରତି ଶିଶୁ ଶ୍ରମିକ ବୃଦ୍ଧି ପାଉଛି। ଏଥିଲାଗି ମୁଖ୍ୟତଃ ଜନସଂଖ୍ୟା ବୃଦ୍ଧି, ଦାରିଦ୍ର୍ୟ ଏବଂ ନିରକ୍ଷରତା ଦାୟୀ।

ଅବହେଳିତ ଶିଶୁଟି ଜାଣି ନ ଥାଏ ଯେଉଁ ବୟସରେ ସେ ବହି ବସ୍ତାନି ଧରି ବିଦ୍ୟାଳୟ ଯିବା କଥା ସେହି ବୟସରେ କେଉଁ ହୋଟେଲରେ କାମକରି ଅବା ରାସ୍ତା କଡ଼ରେ ଗୁଟ୍‍ଖା ବିକ୍ରିକରି କିମ୍ବା ଏପରି ପର୍ଯ୍ୟାୟର କାମକରି ଶୈଶବକୁ ବନ୍ଦୀ କରିଥାଏ। ସରକାରଙ୍କ ଏତେ ଯୋଜନା ଥାଇ ବି ଏବେ ମଧ୍ୟ ରାଜ୍ୟରେ ଶିଶୁ ଶ୍ରମିକ ସଂଖ୍ୟା ବଢ଼଼ି ବଢ଼଼ି ଚାଲିଛି। ଶିକ୍ଷା ସେମାନଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି।

ଶିକ୍ଷା ଅଧିକାର ଆଇନରେ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ବହୁ ସରକାରୀ ଯୋଜନା ମଧ୍ୟ କରାଯାଇଛି। କିପରି ଅଧିକ ପିଲା ବିଦ୍ୟାଳୟ ଆସିବେ ସେନେଇ ସରକାର ସବୁ ସମୟରେ ଯୋଜନା ପରେ ଯୋଜନା କରିବାରେ ଲାଗିଛନ୍ତି। ଉପସ୍ଥାନ ମଧ୍ୟ ବଢାଇବା ପ୍ରୟାସ କରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ବର୍ଷକୁ ଦୁଇ ହଳ ୟୁନିଫର୍ମ, ପଢାବହି, ମଧ୍ୟାହ୍ନ ଭୋଜନ ଆଦି ବ୍ୟବସ୍ଥା ମଧ୍ୟ ରହିଛି। ଏତେସବୁ ପରେ ବି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହୋଇପାରି ନାହିଁ କି ସରକାର ଏନେଇ ବିଶେଷଭାବେ ଚିନ୍ତା କରିନାହାନ୍ତି।

କୌଣସି ବଡ଼ ପାହ୍ୟାରେ ଥିବା ବ୍ୟକ୍ତିଙ୍କ ପିଲାମାନେ ଓଡ଼ିଆ ସ୍କୁଲରେ ପାଠ ପଢ଼଼ୁଛନ୍ତି କି ? କେବଳ ଗରିବ ଆଉ ଖଟିଖିଆଙ୍କ ପିଲାମାନେ ସରକାରୀ ଓଡ଼ିଆ ବିଦ୍ୟାଳୟରେ ପାଠ ପଢନ୍ତି। ଆଉ ଖାଇବା ପାଇଁ ମିଳୁଥିବାରୁ ସେମାନେ ଅଧିକ ଉତ୍ସାହିତ ହୋଇ ସ୍କୁଲ ଯାଉଛନ୍ତି, ଏକଥାକୁ ମଧ୍ୟ ଅସ୍ୱୀକାର କରିହେବ ନାହିଁ। ଜନଗଣନା ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୦ରେ ୭.୬୯ ଲକ୍ଷ, ୨୦୦୯ରେ ୭.୦୭ ଲକ୍ଷ, ୨୦୦୮ରେ ୭.୫୦ ଲକ୍ଷ, ୨୦୦୭ରେ ୭.୭୩ ଲକ୍ଷ, ୨୦୦୬ରେ ୮.୨୮ ଲକ୍ଷ, ୨୦୦୫ରେ ୭.୯୨ ଲକ୍ଷ, ୨୦୦୪ରେ ୮.୨୮ ଲକ୍ଷ, ୨୦୦୩ରେ ୮.୫୦ ଲକ୍ଷ ପିଲା ଜନ୍ମ ହୋଇଥିଲେ।

ଭାରତ ସରକାରଙ୍କ ଜନଗଣନାରେ ପ୍ରାୟତଃ ତ୍ରୁଟି ନ ଥାଏ। ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଓ ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ପ୍ରଶଂସନୀୟ ଅଗ୍ରଗତି ହାସଲ କରିଥିଲେ ବି ଶିକ୍ଷା କ୍ଷେତ୍ରରେ ବହୁତ ପଛରେ। ସରକାରଙ୍କ ନୀତି ନିୟମ ଖାଲି କାଗଜ କଲମରେ। ଏହାର ସୁଫଳ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ। ଆଜିକାଲି ସରକାରୀ ସ୍କୁଲ୍‌ଗୁଡ଼ିକରେ ଭିତ୍ତିଭୂମି ଅଭାବ, ଶିକ୍ଷକ ଅଭାବ, ଉପଯୁକ୍ତ ବାତାବରଣର ଅଭାବ। ଏହିଭଳି ଅନେକ ଅଭାବ ମଧ୍ୟରେ ସ୍କୁଲ୍‌ଗୁଡ଼ିକ ସନ୍ତୁଳି ହେଉଥିବାବେଳେ ଦିନକୁ ଦିନ ଘରୋଇ ସ୍କୁଲ୍‌ମାନଙ୍କର ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ସ୍ୱତନ୍ତ୍ର କମିଟି ଗଠନକରି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାର ସମୟ ଆସିଛି। କାରଣ ପ୍ରାଥମିକ ଶିକ୍ଷା ସୁଦୃଢ଼ ନ ହେଲେ ଉଚ୍ଚ ଶିକ୍ଷା କେବେ ଉଧେଇ ପାରିବ ନାହିଁ।

ଖାଲି ସ୍କୁଲ ଖୋଲିଦେଇ ସଂଖ୍ୟା ବୃଦ୍ଧି କଲେ କିଛି ନାହିଁ। ତେଣୁ ସରକାର ଏନେଇ ଚିନ୍ତା କରିବା ଦରକାର। ଅତ୍ୟାଧୁନିକ ଶ୍ରେଣୀଗୃହ ସହ ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି ଛାତ୍ରଛାତ୍ରୀ ଅଧ୍ୟୟନ କଲେ ଯେ ପିଲା ଶିକ୍ଷିତ ହୋଇଯିବେ, ସେକଥା ବିଲ୍‌କୁଲ୍‌ ନୁହେଁ। ପାଖାପାଖି ଦୁଇବର୍ଷ ହେବ ବିଶ୍ୱ ମହାମାରୀ କରୋନା ପୂରା ଶିକ୍ଷା ବ୍ୟବସ୍ଥାକୁ ବିଗାଡ଼ି ଦେଇଛି। ସହର ଠାରୁ ଆରମ୍ଭକରି ଗ୍ରାମାଞ୍ଚଳରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ରୂପାନ୍ତକରଣ କରାଯାଇ ଅତ୍ୟାଧୁନିକ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରିଛନ୍ତି ସତ କିନ୍ତୁ ଶିକ୍ଷା ବ୍ୟବସ୍ଥା ପ୍ରତି ଆଦୌ ସଚେତନ ନ ଥିବା ମନେ ହେଉଛି।

ପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତକରଣ କରିବା ନିଶ୍ଚିତ ରୂପେ ଏକ ସମୟୋପଯୋଗୀ ପଦକ୍ଷେପ। କିନ୍ତୁ ବହୁ ବିଦ୍ୟାଳୟରେ ଶିକ୍ଷକ ପଦ ଖାଲି ପଡ଼ିଛି। ତୁରନ୍ତ ସେସବୁ ପୂରଣ ହେବ ବୋଲି ଘୋଷଣା ମଧ୍ୟ କରାଯାଇଛି। ପ୍ରାଚୀନ ଯୁଗରେ ବିଦ୍ୟାଳୟର ଭୂତ୍ତିଭୂମି ଆକର୍ଷଣୀୟ ନ ଥିଲା। କିନ୍ତୁ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ରୁଚିକର ଓ ଉପଯୋଗୀ ଥିଲା। ସେ ସମୟରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପାଠ ପଢୁଥିବା ଅଧିକ ପିଲା ଭାରତୀୟ ପ୍ରଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିଲେ। କିନ୍ତୁ ଏବେ ଓଡ଼ିଆ ବିଦ୍ୟାଳୟରୁ ପାଠ ପଢ଼ି ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଉଥିବା ପିଲାଙ୍କ ସଂଖ୍ୟା ନଗଣ୍ୟ।

ଦିନ ଥିଲା, କେବଳ ସରକାରୀ ବିଦ୍ୟାଳୟରେ ହିଁ ସମସ୍ତ ବର୍ଗର ପିଲାମାନେ ପଢ଼ୁଥିଲେ, କିଛି ଉଚ୍ଚ ବର୍ଗର ଲୋକେ ଉଚ୍ଚସ୍ତରୀୟ ଶିକ୍ଷାନୁଷ୍ଠାନର ଫାଇଦା ନେଉଥିଲେ। ସମୟକ୍ରମେ ଏଥିରେ ପରିବର୍ତ୍ତନ ଆସିଛି। ଯେଉଁମାନେ ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ କିମ୍ବା ସାଧାରଣ ଲୋକଙ୍କ ଟିକସ୍‌ ପଇସାରେ ପ୍ରତିପାଳିତ ସେମାନେ ଭିଆଇପି ଫାଇଦା ନେବା ଉଚିତ ନୁହେଁ। ସରକାରୀ ବିଦ୍ୟାଳୟଗୁଡିକରେ ପଢ଼ୁଥିବା ପିଲାମାନଙ୍କର ସ୍ଥିତି କ’ଣ, ସେଠାକାର ଭିତ୍ତିଭୂମି କ’ଣ ରହିଛି ଏବଂ ଘରୋଇ-ସରକାରୀ ବ୍ୟବଧାନ କିପରି ରହିଛି ତାହା ଜାଣିବା ପାଇଁ ତଥାକଥିତ ଉଚ୍ଚବର୍ଗର ଲୋକେ ଆଗ୍ରହୀ ନୁହନ୍ତି, କିମ୍ବା ଜାଣିଥିଲେ ବି ସେ ସମ୍ପର୍କରେ ବିଶେଷ କିଛି କରିବା ଉଚିତ ମନେ କରୁନାହାନ୍ତି।

ସରକାରୀ ବିଦ୍ୟାଳୟଗୁଡିକର ଅଧୋଗତି କାହିଁକି ହୋଇଛି ସେ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି। ଏନେଇ ସରକାର ତତ୍ପରତା ପ୍ରକାଶ କରିବା ଉଚିତ। ସରକାର ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିକରିବା ପାଇଁ ବିଶେଷଭାବେ ଯୋଜନା ପ୍ରଣୟନ କରିବା ଆବଶ୍ୟକ। କେବଳ ବିଦ୍ୟାଳୟଗୁଡ଼ିକ ଚାକଚକ୍ୟ କରିଦେଲେ ଯେ ପିଲାମାନେ ବିଦ୍ୟାଳୟ ମୁହାଁ ହେବେ, ସେକଥା ଆଦୌ ନୁହେଁ।

ଖାଲି ନୀତି ନିୟମ ପ୍ରଣୟନ କରିଦେଲେ ଯେ ସବୁ ସମସ୍ୟା ସରିଗଲା ଆଉ କାମ ସରିଗଲା ସେପରି ବି ଭାବିବା ଠିକ ନୁହେଁ। ଏନେଇ ବିଭାଗଗୁଡ଼ିକୁ ଦାୟିତ୍ୱ ଦେବା ସହିତ ଏହାର ସଫଳ ରୂପାୟନ କିପରି ହୋଇପାରିବ, ସେନେଇ ମଧ୍ୟ ତତ୍ପରତାର ଆବଶ୍ୟକତା ରହିଛି। ଏନେଇ ସ୍ୱତନ୍ତ୍ର କମିଟି ଗଠନକରି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବାର ସମୟ ଆସିଛି। କାରଣ ପ୍ରାଥମିକ ଶିକ୍ଷା ସୁଦୃଢ଼ ନ ହେଲେ ଉଚ୍ଚ ଶିକ୍ଷା କେବେ ଉଧେଇ ପାରିବ ନାହିଁ। ତେଣୁ ସରକାର ଏନେଇ ଚିନ୍ତା କରିବା ଦରକାର।

ବିଦ୍ୟାଳୟ ରୂପାନ୍ତକରଣ ସହିତ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଚିତ। ନ ହେଲେ ବହୁ ଆଡ଼ମ୍ବରରେ ଲଘୁକ୍ରିୟା ପରି ସରକାରଙ୍କ ବିଦ୍ୟାଳୟ ରୂପାନ୍ତକରଣ ଯୋଜନା ବିଫଳ ହେବାର ସମ୍ଭାବନା ଯଥେଷ୍ଟ ରହିଛି। ଗ୍ରାମାଞ୍ଚଳରେ କୃଷି, ସ୍ୱାସ୍ଥ୍ୟ ଓ ଶିକ୍ଷା ଆଦି ତିନୋଟି ମୌଳିକ ତଥା ପ୍ରମୁଖ କ୍ଷେତ୍ରରେ ଲୋକମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ କରିବା ନେଇ ସରକାର ଯେଉଁ ଉଦ୍ୟମ କରୁଛନ୍ତି ତାହା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ।

ସେହିଭଳି ପ୍ରଣୟନ ହେଉଥିବା ଯୋଜନାଗୁଡ଼ିକୁ ଦୀର୍ଘ ସୂତ୍ରରେ ଫଳପ୍ରସୂ କରିବା ନେଇ ମଧ୍ୟ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରିବା ଆହୁରି ଜରୁରୀ। କେବଳ ନିଜର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ଯଦି ଏଭଳି ଯୋଜନା କିମ୍ବା କାର୍ଯ୍ୟ କରାଯାଉଥାଏ ତାହା କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଉଛି ବୋଲି ବୁଝିବାକୁ ହେବ। ବାସ୍ତବରେ ଏହାର ସାମାଜିକ ସୁପ୍ରଭାବ ସୃଷ୍ଟିହେବା ଅସମ୍ଭବ। ତେଣୁ ସରକାର ଭୋଟ୍‌କୁ ଦୃଷ୍ଟିରେ ରଖି ନୁହେଁ, ଶିକ୍ଷାର ମାନ ବୃଦ୍ଧି ପାଇଁ ନିୟମ ପ୍ରଣୟନ କରନ୍ତୁ। ଏହା କଲେ ଯାଇ ଶିକ୍ଷାର ମାନ ବୃଦ୍ଧିପାଇବ ବୋଲି ଆଶା କରାଯାଏ।

ଭୁବନେଶ୍ୱର, ଦୂରଭାଷ: ୮୮୯୫୩୦୪୫୫୬