Advertisment

Nutrients: ଆପଣଙ୍କର ଡାଏବେଟିସ୍ ଅଛି କି... ଭାତ ଖାଇ ପାରିବେ ନା ନାହିଁ ଜାଣନ୍ତୁ….

ଡାଏବେଟିସ୍ ଥିଲେ ଭାତ ଖାଇବାରେ ପ୍ରତିବନ୍ଧକ ଲଗାଯାଏ। କେହି କେହି ତ ଭାତ ଖାଇବା ପୂରା ବନ୍ଦ ହିଁ କରିଦିଅନ୍ତି। ତେବେ ସତରେ କ'ଣ ଭାତ ବନ୍ଦ କରି କେବଳ ରୁଟି ଖାଇବା ଦ୍ୱାରା ଡାଏବେଟିସ୍ ନିୟନ୍ତ୍ରଣରେ ରୁହେ? ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।

author-image
Jyotsna Mohapatra
ଅଦ୍ୟତନ ହୋଇଛି
Can I Eat White Rice If I Have Diabetes

if you have diabetes find out you can eat rice or not

ଯଦି ଆପଣଙ୍କର ଡାଏବେଟିସ୍ ଅଛି ତେବେ ଆପଣ ଚିକିତ୍ସା ହେଉଥିବା ଡାକ୍ତରଙ୍କ ସହ ଆପଣଙ୍କ ବନ୍ଧୁ ଓ ପରିବାରରେ ମଧ୍ୟ ଆପଣଙ୍କ ଭାତ ଖାଇବାରେ ପ୍ରତିବନ୍ଧକ ଲଗାଇଥାଆନ୍ତି। କେହି କେହି ତ ଭାତ ଖାଇବା ପୂରା ବନ୍ଦ ହିଁ କରିଦିଅନ୍ତି। ତେବେ ସତରେ କ'ଣ ଭାତ ବନ୍ଦ କରି କେବଳ ରୁଟି ଖାଇବା ଦ୍ୱାରା ଡାଏବେଟିସ୍ ନିୟନ୍ତ୍ରଣରେ ରୁହେ? ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।

Advertisment

ଯଦି କୌଣସି କାରଣରୁ ଆପଣଙ୍କ ରକ୍ତ ଶର୍କରା ବଢ଼ିଯାଏ, ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତି ଏବଂ ଔଷଧ ଖାଇବା ଆରମ୍ଭ କରନ୍ତି। ହେଲେ ଔଷଧ ଖାଇବା ସହ ଖାଦ୍ୟର ଧ୍ୟାନ ରଖିବା ମଧ୍ୟ ଅତ୍ୟନ୍ତ ଜରୁରୀ।

ଡାଏବେଟିସ୍ ବା ମଧୁମେହ ହେବାର ମୁଖ୍ୟ କାରଣ ହେଉଛି ଆମର ଇନ୍‌ସୁଲିନ୍ କ୍ଷରଣ କମିଯିବା। ଇନ୍‌ସୁଲିନ୍ ହେଉଛି ଏକ ହରମୋନ୍ ଯାହା ଆମ ଅଗ୍ନାଶୟରୁ କ୍ଷରିତ ହୋଇଥାଏ ଏବଂ ଅଗ୍ନାଶୟ ଏକ ଏଣ୍ଡୋକ୍ରାଇନ୍ ଗ୍ରନ୍ଥି। ତେବେ ଏହି ଇନ୍‌ସୁଲିନ୍ ଆମ ରକ୍ତରେ ଶର୍କରାର ମେଟାବୋଲିଜିମ୍‌ରେ ସାହାଯ୍ୟ କରେ ଏବଂ ଏହାର କମ କ୍ଷରଣ ହେବା ଯୋଗୁଁ ଆମ ରକ୍ତ ଶର୍କରା ବଢ଼ିବାରେ ଲାଗେ। ଏଥିପାଇଁ ଡାଏବେଟିସ୍ ଅଧିକା ଥିବା ଲୋକେ ଇନ୍‌ସୁଲିନ୍ ଇଣ୍ଟ୍ରାଭେନସ୍ ବା ରକ୍ତନଳୀକୁ ସିଧା ଭାବେ ନିଅନ୍ତି।

Advertisment

ଅଧିକ ପଢ଼ନ୍ତୁ: ଅଜବ ଚିକିତ୍ସା; ମଧୁମେହ ଓ ରକ୍ତଚାପକୁ ଦୂର କରୁଛି ଶକ୍ତ ଚାପୁଡ଼ା !

ଡାଏବେଟିସ୍ ଥିବା ବ୍ୟକ୍ତିମାନଙ୍କୁ ଉଚ୍ଚ ଶ୍ୱେତସାର, ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଇବା ମନା ହୋଇଥାଏ ଏବଂ ପୁଷ୍ଟିସାର ବା ପ୍ରୋଟିନ୍ ଓ ଫାଇବର ଅଧିକ ଥିବା ଖାଦ୍ୟ ଖାଇବାକୁ କୁହାଯାଏ, ଯାହା ଦ୍ୱାରା ଏହା ଶର୍କରାର ପରିମାଣ ବଢ଼ାଏ ନାହିଁ।

ବର୍ତ୍ତମାନ ଦେଖିବା ଭାତ ଓ ରୁଟି ମଧ୍ୟରୁ କେଉଁଟି ବାଛିବେ। ଆମେମାନେ ସାଧାରଣତଃ ଦୁଇ ପ୍ରକାର ଭାତ ଖାଉ, ଅରୁଆ ଓ ଉଷୁନା। ଉଭୟ ଭାତର ଅନେକ ରକମ ରହିଛି ଏବଂ ଏହି ଅନୁସାରେ ଏଥିରେ ପୋଷକ ପରିମାଣ ମଧ୍ୟ ଅଳ୍ପ ବହୁତ ହୋଇଥାଏ। ତେବେ ଆମ ଘରଗୁଡିକରେ ଚାଉଳ ଅମଳ ପରେ ଏହାକୁ ସିଝାଇ ଶୁଖାଇ ଦେଲେ ଏହା ଉଷୁନା ଚାଉଳ ଭାବେ ବ୍ୟବହୃତ ହୁଏ।

ପୂର୍ବରୁ ଏହାକୁ ଢିଙ୍କିରେ କୁଟି ଚାଉଳ ଅମଳ ହେଉଥିଲା କିନ୍ତୁ ଏବେ ମିଲ୍ ଏହି କାମ କରୁଛି। କିନ୍ତୁ ମିଲ୍‌ରେ ମେସିନ୍‌ରେ ଚୁରା ହେବା ବେଳେ ଏହାର ପୁଷ୍ଟିସାର ଥିବା ଚୋପାଟି ମଧ୍ୟ କାଢ଼ି ହୋଇଯାଏ। ସାଧାରଣତଃ ନାଲି ଦେଖାଯାଉଥିବା ଢିଙ୍କିକୁଟା ଅକାଣ୍ଡିଆ ଉଷୁନା ଚାଉଳରେ ୧୦୦ ଗ୍ରା ପିଛା ୮.୫ ପ୍ରୋଟିନ୍ ଓ ୭୭ଗ୍ରା. ଶ୍ୱେତସାର ରହୁଥିବା ବେଳେ ମିଲ୍‌ରେ ପେଶାହୋଇଥିବା ଚାଉଳରେ ଏହା କମି ୬.୪ଗ୍ରା ହୋଇଯାଏ।

ତଥାପି ଉଷୁନା ଭାତରେ ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ଠିକ ରହିଥାଏ। ତେଣୁ ବର୍ତ୍ତମାନର ବଜାର ଉପଲବ୍ଧତା ଅନୁସାରେ ଆମେ ବ୍ରାଉନ୍ ରାଇସ୍ ବା ଉଷୁନା ଚାଉଳ ବହୁଳ ବ୍ୟବହାର କରୁଛେ। ଅରୁଆ ଚାଉଳର ପ୍ରୋଟିନ୍ ପରିମାଣ ସାଧାରଣତଃ ଉଷୁନା ଠାରୁ କମ୍ ଥାଏ କିନ୍ତୁ ଏହାର ଶ୍ୱେତସାର ପରିମାଣ ଅପେକ୍ଷାକୃତ ଅଧିକ ଥାଏ। ନ ହେଲେ ଏହି ଦୁଇ ଭାତ ଭିତରେ ସେମିତି କିଛି ଅନ୍ତର ନାହିଁ।

ଏବେ ଆସିବା ରୁଟି ଆଡ଼କୁ। ରୁଟି ଅଟାରୁ ତିଆରି ହୁଏ। ଯହି ଆପଣ ନିଜେ ଗହମ ଆଣି ଅଟା ପେଶି ରୁଟି କରୁଛନ୍ତି ତେବେ ଏଥିରୁ ଆପଣଙ୍କୁ ୧୦୦ଗ୍ରା ପିଛା ୧୨.୧ଗ୍ରା ପ୍ରୋଟିନ୍ ମିଳୁଥିବା ବେଳେ ୬୯ଗ୍ରା ଶ୍ୱେତସାର ଓ ୧.୯ଗ୍ରା ଫାଇବର ମିଳେ। ହେଲେ ବର୍ତ୍ତମାନ ପ୍ୟାକେଟ୍‌ରେ ମିଳୁଥିବା ଅଟାରେ ମଇଦା ମିଶୁଥିବାର ଆଶଂକା ରହୁଥିଲେ କାର୍ବୋହାଇଡ୍ରେଟ୍ ପରିମାଣ ବଢ଼ିଯାଇଥାଏ।

ତେବେ ଗହମର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ଚାଉଳଠାରୁ କମ୍ ଥାଏ। ଗ୍ଲାଇସେମିକ୍ ଇଣ୍ଡେକ୍ସ ହେଉଛି ସେହି ସଂଖ୍ୟା ଯାହା ପାଚିତ ହେବା ପରେ ଉତ୍ପାଦିତ ଶର୍କରାର ଅଂଶକୁ ଦର୍ଶାଏ। ରୁଟିର ଗ୍ଲାଇସେମିକ୍ ଇଣ୍ଡେକ୍ସ ୫୨-୬୨ ରହୁଥିବା ବେଳେ ଉଷୁନା ଚାଉଳର ଗ୍ଲାଇସେମିକ୍ ଇଣ୍ଡେକ୍ସ ୬୮ ରୁହେ ଏବଂ ଅରୁଆର ୭୩ ରୁହେ। ୫୫-୫୮ ଏକ ଭଲ ଗ୍ଲାଇସେମିକ୍ ସ୍ତର ଭାବେ ବିବେଚନା କରାଯାଏ। ଏଣୁ ରୁଟି ଓ ଉଷୁନା ଭାତ ଉଭୟ ଆପଣ ଖାଇପାରିବେ। କିନ୍ତୁ ଅରୁଆ ଭାତ ଖାଇବାରେ ପ୍ରତିବନ୍ଧକ ଲଗାଇବାକୁ ହେବ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ପିଲାଙ୍କୁ ଦିଅନ୍ତୁ ଏହିସବୁ ଖାଦ୍ୟ; ହେବ ନାହିଁ ଆଖି ସମସ୍ୟା

ଏହା ବ୍ୟତୀତ ଅଟା ଓ ମଇଦାରେ ଏକ ପ୍ରକାର ଗ୍ଲୁଟେନ୍ ନାମକ ପ୍ରୋଟିନ୍ ଥାଏ ଯାହା ଶରୀରରେ ଚୟ ବା ମେଟାବୋଲିଜିମ୍ ପରେ ୟୁରିକ୍ ଏସିଡ୍ ନିର୍ଗତ କରେ। ଏହି ୟୁରିକ୍ ଏସିଡ୍ ଆମ କିଡ୍‌ନି ଉପରେ ପ୍ରଭାବ ପକାଏ ଏବଂ ଗାଉଟ୍ ବା ଗଣ୍ଠିବାତ ପରି ବିଭିନ୍ନ ସମସ୍ୟା ଦେଖାଦିଏ।

ଏଣୁ ରୁଟି ଖାଇବା ସଂଗେ ସଂଗେ ଡାଇବେଟିକ୍ ଲୋକେ ଅନ୍ୟ ପ୍ରୋଟିନ୍ ଖାଦ୍ୟ ଖାଉଥିବାରୁ ସେମାନଙ୍କ କିଡ୍‌ନି ପ୍ରଭାବିତ ହେବାର ଭୟ ଥାଏ। ଯେହେତୁ ଆମ ଭାରତୀୟମାନେ ଟ୍ରପିକାଲ ବା ନାତିଶୋତଷ୍ଣ ଜଳବାୟୁରେ ରୁହନ୍ତି ଏବଂ ଆମର ଜୀବନଶୈଳୀ ମଧ୍ୟମ ଭାବେ କଠିନ ପରିଶ୍ରମୀ, ତେଣୁ ଆମେ ଆମ ଖାଦ୍ୟରେ ଭାତର ବ୍ୟବହାରକୁ ଏଡ଼େଇ ପାରିବା ନାହିଁ।

ଦିନକୁ ଅନ୍ତତଃ ଥରେ ଭାତ ଖାଇବା ଜରୁରୀ। ରୁଟି ଆମ ଶରୀରରେ ଫାଇବର ଓ ପ୍ରୋଟିନ୍ ବଢ଼ାଏ, କିନ୍ତୁ ଭାତରେ କ୍ୟାଲୋରୀ ଅଧିକ ଥିବାରୁ ଏହା ଆମେ ମଧ୍ୟାହ୍ନ ଭୋଜନରେ ଖାଇପାରିବା ଯାହା ଦ୍ୱାରା ଏହା ଆମକୁ ଦିନସାରା କାର୍ଯ୍ୟକ୍ଷମ ରଖିବ।

ରାତିରେ ଆମେ ରୁଟି ଖାଇପାରିବା। ରୁଟି ସାଧାରଣତଃ ହଜମ ହେବାରେ ସମୟ ନିଏ, କାରଣ ଏହା ଉଚ୍ଚ ଫାଇବର ଯୁକ୍ତ। ଏହା ଯୋଗୁଁ ଆମକୁ ଭୋକ ଡେରିରେ ଲାଗେ ଏବଂ ସେଥିପାଇଁ ଆମେ ଓଜନ ହ୍ରାସ କରିବା ଲୋକଙ୍କୁ ମଧ୍ୟ ଭାତ ବଦଳରେ ରୁଟି ଖାଇବାକୁ ଦେଉ।

ତେବେ ରୁଟି କେବଳ ଅଟାର କାହିଁକି, ଆମେ ମଲ୍ଟିଗ୍ରେନ୍ ବା ମିଶ୍ରିତ ଶସ୍ୟର ରୁଟି ବନେଇପାରିବା। ଏଥିନିମନ୍ତେ ଆପଣଙ୍କୁ ଅଟା, ବୁଟଡାଲି, ମାଣ୍ଡିଆ, ଯଅ, ବାଜରା ଆଦିର ଅଟା ମିଶାଇ ରୁଟି ପ୍ରସ୍ତୁତ କରିବାକୁ ହେବ। ମାଣ୍ଡିଆ, ଯଅ ଓ ବାଜରା ମିଲେଟ୍ ବର୍ଗରେ ଆସନ୍ତି ଏବଂ ଏଗୁଡ଼ିକ ପ୍ରୋଟିନ୍ ଓ ଫାଇବରରେ ଭରପୂର ଓ ଗ୍ଲୁଟେନ୍ ମୁକ୍ତ।

ଏହା ବ୍ୟତୀତ ଆପଣଙ୍କ ସୋୟାବିନ୍ ପ୍ରତି ଆଲର୍ଜି ନ ଥିଲେ ଆପଣ ସୋୟାବିନ୍ ଅଟା ବି ବ୍ୟବହାର କରିପାରିବେ। ଥରେ ଏସବୁ ଖାଇ ଦେଖନ୍ତୁ, ଖୁବ୍ ସ୍ୱାଦିଷ୍ଟ ଲାଗିବା ସଂଗେ ସଂଗେ ଆପଣ ସୁସ୍ଥ ରହିବେ। ଏଣୁ ସାଧାରଣ ବଜାରର ଅଟାରେ ରୁଟି କରିବା ବଦଳରେ ଆପଣ ଏହାକୁ ବନେଇ ପାରିବେ।

ତେବେ ପରିଶେଷରେ ଭାତ ଓ ରୁଟି ଦୁଇଟିଯାକ ଡାଇବେଟିସ୍ ଥିବା ବ୍ୟକ୍ତିଙ୍କ ପାଇଁ ଖାଇବା ଦରକାର। ହେଲେ ପରିମାଣ ହିଁ ମୁଖ୍ୟ କାରଣ। ମନେରଖନ୍ତୁ, ଭାତ ହେଉ କି ରୁଟି, ଏହା ସାଙ୍ଗରେ ଆମେ ଉପଯୁକ୍ତ ପରିମାଣର କଞ୍ଚା ପରିବାକୁ ସାଲାଡ୍ ଭାବେ ଖାଇଲେ ଆମର ଖାଦ୍ୟ ସଠିକ ପରିମାଣରେ ଖାଇହେବ ଏବଂ ପାଚନ ପାଇଁ ସମୟ ଲାଗିବ।

ଏପରି ହେଲେ ଆମ କ୍ୟାଲୋରୀ ଗ୍ରହଣ ମଧ୍ୟ ନିୟନ୍ତ୍ରଣରେ ରହିବ। ତେଣୁ କୌଣସି ବି ଖାଦ୍ୟ ଖାଇବା ଆଗରୁ ଜାଣିନିଅନ୍ତୁ ଏହାର ସାଇଡ୍ ଇଫେକ୍ଟ କ’ଣ ରହିଛି ଏବଂ ଏହାର ବିକଳ୍ପ କ’ଣ ହୋଇପାରିବ।

ଇମେଲ୍ - [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Diabetes Nutrition Drive Health Tips
Advertisment
Advertisment