କେବେ ଆପଣ କିମ୍ବା ଆପଣଙ୍କ ଚାରିପାଖରେ କାହାର ପାଦର ଗଣ୍ଠି ଫୁଲି ଦରଜ ହେବା କଥା ଶୁଣିଛନ୍ତି କି? ବିଶେଷଭାବେ କାହାର ଆଙ୍ଗୁଠିର ଗଣ୍ଠି ଫୁଲି ପାଦରେ ଦରଜ ହେଉଥିଲେ ଏହାକୁ ଗାଉଟ୍ କୁହାଯାଏ। ଏହା ଏକ ପ୍ରକାରର ଗଣ୍ଠିବାତ। ଶରୀରରେ ପ୍ରୋଟିନ୍ର ଅନିୟମିତ ମେଟାବୋଲିଜମ୍ ବା ଅପଚୟ ହେବା କାରଣରୁ ଏହି ପ୍ରକାରର ରୋଗ ହୋଇଥାଏ । ଆଜିକାଲି ପ୍ରାୟତଃ ମହିଳାମାନଙ୍କଠାରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ ଏହା କାହିଁକି ହୁଏ ଏବଂ ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଆସନ୍ତୁ ଜାଣିବା।
ଆମେ ଆମ ଦୈନନ୍ଦିନ ଖାଦ୍ୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟସାର ସବୁ ମିଶାଇ ଖାଇବା ଉଚିତ। ତେବେ ହିଁ ଆମେ ପ୍ରତ୍ୟେକର ସୁଫଳ ପାଇପାରିବା। କିନ୍ତୁ ଯଦି କୌଣସି କାରଣରୁ ଆମ ଖାଦ୍ୟରେ କୌଣସି ପୋଷକ ବା ନ୍ୟୁଟ୍ରିଏଣ୍ଟ୍ର ମାତ୍ରା କମ୍ ବେଶୀ ହେଲା ତେବେ ଆମକୁ ନାନା ଶାରୀରିକ ସମସ୍ୟା ଭୋଗିବାକୁ ପଡ଼ିବ।
ସେହିପରି ଏକ ରୋଗ ହେଉଛି ଗଣ୍ଠିବାତ। ଆମ ଶରୀରରେ ପ୍ରୋଟିନ୍ ବା ପୁଷ୍ଟିସାରର ମାତ୍ରା ଅଧିକ ହେଲେ ଆମକୁ ଏହି ବାତଜନିତ ରୋଗର ଶିକାର ହେବାକୁ ପଡ଼େ। ତେବେ ଆପଣ କହିବେ କ’ଣ ଆମେ ପ୍ରୋଟିନ୍ ଖାଇବା ବନ୍ଦ କରିଦେବା? ନା, ଏହାକୁ ବିସ୍ତାରରେ ଦେଖିବା ଯେ ବାସ୍ତବିକ୍ ପ୍ରୋଟିନର ଭୂମିକା କମ ରହିଛି।
Also Read
ଆମ ଶରୀରର ପୁଷ୍ଟିସାର ଆବଶ୍ୟକତାକୁ ପୂରା କରିବାକୁ ଆମେ ନିତି ଖାଦ୍ୟରେ ଡାଲି ଖାଉ। ବିଭିନ୍ନ ଡାଲିଜାତୀୟ ଖାଦ୍ୟ ଯେପରିକି ମୁଗ, ବିରି, ହରଡ଼, ସୋୟାବିନ୍ ଆଦିରେ ନ୍ୟୁକ୍ଲିଓପ୍ରୋଟିନ୍ ଭରିରହିଥାଏ ଯାହାକି ଯବକ୍ଷାରଜାନ ଆଧାରରୁ ସଂଗଠିତ। ଏହା ବ୍ୟତୀତ ବିଭିନ୍ନ ପ୍ରାଣୀମାନଙ୍କର ବିଭିନ୍ନ ଗ୍ଲାଣ୍ଡ୍ ବା ଗ୍ରନ୍ଥିମାନଙ୍କରେ ମଧ୍ୟ ଏହି ପ୍ରୋଟିନ୍ ଥାଏ ।
ଯେତେବେଳେ ଆମେ ଏହା ଖାଉ ଏହା ଅପଚୟ ହୋଇ ପ୍ୟୁରିନ୍ ନାମକ ପ୍ରୋଟି୍ରେ ପରିଣତ ହୁଏ। ପ୍ୟୁରିନ୍ ପୁଣି ବିଭିନ୍ନ ଏନ୍ଜାଇମ୍ ପ୍ରକ୍ରିୟା ଦେଇ ଜାରିତ ହୁଏ ଓ ୟୁରିକ୍ ଏସିଡ୍ରେ ରୂପାନ୍ତରିତ ହୁଏ। ଆମ ଶରୀରରେ ୟୁରିକ୍ ଏସିଡ୍ର ସ୍ୱାଭାବିକ ସ୍ତର ହେଉଛି ୧୦୦ ମି.ଲି। ରକ୍ତ ପିଛା ୨ ରୁ ୭ ମିଗ୍ରା। କିନ୍ତୁ ଯଦି କୌଣସି କାରଣରୁ ଆମ ଶରୀରରେ ପ୍ରୋଟିନ୍ ପରିମାଣ ୭ ମିଗ୍ରାରୁ ବଢ଼ିଯାଏ ତେବେ ଏହା ଗାଉଟ୍ ବା ପାଦର ଗଣ୍ଠିବାତ ନାମକ ରୋଗ ସୃଷ୍ଟିକରେ।
ସିଭିୟର କଣ୍ଡିସନ୍ରେ ଏହି ସ୍ତର 20 ମିଗ୍ରା ପର୍ଯ୍ୟନ୍ତ ଯାଇପାରେ। ଏହି ୟୁରିକ୍ ଏସିଡ୍ ସାଧାରଣତଃ ଆମର ରକ୍ତରେ ମିଶେ ଓ ପରେ ପରିସ୍ରାରେ ବର୍ଜ୍ୟଭାବେ ନିର୍ଗତ ହୋଇଥାଏ। ଏହି ପରିସ୍ଥିତିରେ ଆମର କିଡ୍ନି ଏହାକୁ ରକ୍ତରୁ ଛାଣିବାରେ ଅସମର୍ଥ ହୋଇଥାଏ। ଏହାକୁ ହାଇପରୟୁରିସେମିଆ କୁହାଯାଏ ।
ଏଥିରେ ଯୁରିକ୍ ଏସିଡ୍ ସ୍ଫଟିକ ବା କ୍ରିଷ୍ଟାଲ୍ ଆକାରରେ ଶରୀରର ସୂକ୍ଷ୍ମ ଗଣ୍ଠି ଜାଗାରେ ଜମି ରହିଥାଏ ଓ ବ୍ୟଥା ଓ ଅସହ୍ୟ ଯନ୍ତ୍ରଣାର କାରଣ ହୋଇଥାଏ। ଏହି ଗାଉଟ୍ରେ ଯଦି ଆପଣ ଆକ୍ରାନ୍ତ ତେବେ ଆପଣଙ୍କ ପାଦର ବୃଦ୍ଧାଙ୍ଗୁଳିର ଗଣ୍ଠି ପାଖରେ, କହୁଣି, କାନର ବାହାର ପାଖ ଆଦି ଫୁଲିବା ସହ ଯନ୍ତ୍ରଣା ଅନୁଭବ କରିବେ।
ଯେହେତୁ ଏହା ଏକ ମେଟାବୋଲିକ୍ ସମସ୍ୟା ବା ଖାଦ୍ୟ ଅପଚୟର ଅନିୟମିତତା ସହ ଜଡ଼ିତ ତେଣୁ ଏକ ସୁଷମ ଖାଦ୍ୟାଭ୍ୟାସ କରି ଏହି ରୋଗରୁ ମୁକ୍ତି ମିଳିପାରିବ। ଗାଉଟ୍ରେ ପିଡ଼ିତ ବ୍ୟକ୍ତି ଉଚ୍ଚ ପ୍ୟୁରିନ୍ ଯୁକ୍ତ ଖାଦ୍ୟଗୁଡ଼ିକ ଖାଇବାରୁ ଦୂରେଇ ରହିବା ଉଚିତ୍। ସିଭିୟର ଅବସ୍ଥାରେ ଦିନକୁ ୧୦୦-୧୫୦ମିଗ୍ରାର ପ୍ୟୁରିନ୍ ହିଁ ଯଥେଷ୍ଟ। ଏଣୁ ଔଷଧ ସହିତ ଅତ୍ୟନ୍ତ କମ୍ ସ୍ତରର ପ୍ୟୁରିନ୍ ଥିବା ଖାଦ୍ୟ ଖାଇବା ଖୁବ୍ ଜରୁରୀ ଅଟେ।
କେତେକ ଅତ୍ୟଧିକ ପ୍ୟୁରିନ୍ ଥିବା ଖାଦ୍ୟ ହେଉଛି:
- ମଟନ୍
- କଲିଜା ଅଂଶ
- ମଟର ଓ ବିନ୍ସ୍
- ବିୟର ଓ ୱାଇନ୍ ପରି ପାନୀୟ
ଏହାଠାରୁ ଅପେକ୍ଷାକୃତ କମ୍ ପ୍ୟୁରିନ୍ ଥିବା ଖାଦ୍ୟଗୁଡ଼ିକ ହେଲା:
- ବିଭିନ୍ନ ପ୍ରକାର ଡାଲି
- ପାଳଙ୍ଗ ଶାଗ
- ଲୁଣିଜଳ ମାଛ
- ଚିକେନ୍
- ଛତୁ ଇତ୍ୟାଦି
ଏହାକୁ ଛାଡ଼ି ଆପଣ କଫି, ସୋଡ଼ା, ଛେନା, ଅଣ୍ଡା, କିଛି ପରିବା ଆଦି ଖୁବ୍ କମ୍ ପରିମାଣର ପ୍ୟୁରିନ୍ ଥିବା ଖାଦ୍ୟ ବି ଖାଇପାରିବେ।
ମନେରଖନ୍ତୁ ଯେହେତୁ ଏହା ଆପଣଙ୍କ କିଡ୍ନି ଉପରେ ପ୍ରଭାବ ପକାଇଥାଏ ତେଣୁ ଆପଣ ଦୈନିକ ପ୍ରଚୁର ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ। ଦିନକୁ ଅତି କମ୍ରେ ୩ ଲି ପାଣି ପିଇବା ଜରୁରୀ। ଏହା ଦ୍ୱାରା କିଡ୍ନିରେ ୟୁରିକ୍ ଏସିଡ୍ କ୍ରିଷ୍ଟାଲ୍ ଜମାହୋଇ ଷ୍ଟୋନ୍ ତିଆରି ହେବାର ଆଶଙ୍କା କମିଯାଏ। ତେବେ ଭିଟାମିନ୍ ସି ଥିବା ଫଳ ଯେପରିକି କମଳା ଓ ଅଁଳା ଆଦି, ସେଓ, ଚେରୀ ଆଦି ଫଳ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ର ପରିମାଣ ହ୍ରାସ ପାଇଥାଏ। ଏହା ବ୍ୟତୀତ ଫୋଲେଟ୍ ଓ ଫାଇବର ଯୁକ୍ତ କଦଳୀ ଓ ସପୁରୀ ପରି ଫଳ ଓ ସର କଢ଼ାଯାଇଥିବା କ୍ଷୀର ବୀ ସ୍କିମ୍ଡ୍ ମିଲ୍କ ମଧ୍ୟ ୟୁରିକ୍ ଏସିଡ୍ ସ୍ତରକୁ କମ୍ କରି ଗାଉଟ୍ରୁ ମୁକ୍ତି ଦେଇଥାଏ।
ଆମେ ନିତିଦିନ ଖାଉଥିବା ଖାଦ୍ୟରେ କିଛି ବି କମ୍ ବେଶୀ ହେଲେ ଆମ ଶରୀରରେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ। ତେବେ ସର୍ବଦା ଆମକୁ ଧ୍ୟାନ ରଖିବାକୁ ହେବ ଯେ ଆମେ ଖାଉଥିବା ଖାଦ୍ୟ ଆମ ଶରୀରକୁ ରୋଗମୁକ୍ତ କରି ସୁସ୍ଥ ରଖୁ। ଏଣୁ ଏକ ନିରାମୟ ଜୀବନ ପାଇଁ ଏକ ସନ୍ତୁଳିତ ଆହାର ଖାଇବା ନିହାତି ଜରୁରୀ।