• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Jyotsna Mohapatra

ଆପଣମାନେ ସକାଳ ଜଳଖିଆରେ କ’ଣ ଖାଇବାକୁ ପସନ୍ଦ କରନ୍ତି ? କେତେବେଳେ ସାଧାରଣତଃ ଜଳଖିଆ ଖାଇଥାଆନ୍ତି ? ମୁଁ ଜାଣିଛି ଅଧିକାଂଶ ମହିଳାମାନେ ଉତ୍ତର ଦେବେ- ସକାଳୁ ସମୟ କାହିଁ, ଚା’ ସହ ଦି’ଟା ବିସ୍କୁଟ୍ ଖାଇଦେଇଛି । କାମ ସରିଲେ ଲଂଚ କରିବି । ସ୍କୁଲ୍‌ର ପିଲାମାନେ କହିବେ ବ୍ରେଡ୍ ଟୋଷ୍ଟ, ମ୍ୟାଗି, ଇତ୍ୟାଦି । ଖୁବ୍ କମ୍ ଉତ୍ତର ଆସିବ ଚୁଡ଼ା-କଦଳୀ ଚକଟା, ଚୁଡ଼ା-ସନ୍ତୁଳା, ଛତୁଆ, ଉପମା ଇତ୍ୟାଦି ।

କଲେଜ ପିଲାମାନେ ଉତ୍ତର ଦେବେ କଲେଜ ପାଖ ଠେଲା ଗାଡ଼ି ନ ହେଲେ କ୍ୟାଣ୍ଟିନ୍‌ରେ ବରା ଘୁଘୁନି ଖାଇଛୁ । ଭାବୁଛନ୍ତି କି ମୁ ଏସବୁ କ’ଣ ପାଇଁ କହି ଚାଲିଛି । କାରଣ ଏସବୁରୁ ସ୍ୱାସ୍ଥ୍ୟକର ଜଳଖିଆ କେଉଁଟି ଆପଣମାନେ ଜାଣିବା ଦରକାର ଏବଂ ସକାଳ ଜଳଖିଆ କୌଣସି ବି ପରିସ୍ଥିତିରେ ନ ଖାଇ ଯିବା ଉଚିତ୍ ନୁହେଁ । ଆଜି ଆମେ କଥା ହେବା ସକାଳ ଜଳଖିଆର ଏକ ସୁସ୍ଥ ଶରୀର ଗଠନରେ କଣ ମହତ୍ୱ ରହିଛି ।

ଓଡ଼ିଆରେ ଗୋଟେ କଥା ଅଛି । ସକାଳ ଭୋଜନ ରାଜାପରି, ମଧ୍ୟାହ୍ନ ଭୋଜନ ପ୍ରଜା ପରି ଓ ରାତି ଭୋଜନ ଦରିଦ୍ର ପରି ଖାଇବା । ତେଣୁ ସକାଳ ଜଳଖିଆ ରାଜା ପରି ହେବା ଉଚିତ୍ ଅର୍ଥାତ୍ ଯଥେଷ୍ଟ ପରିମାଣ ଓ ପୋଷଣରେ ଭୋଜନ ଭରପୂର ହେବା ଦରକାର । ରାତି ସମୟରେ ଶରୀରର ପାଚନ କ୍ରିୟା ଧୀର ଥାଏ ଓ ଆମର ପେଟ ମଧ୍ୟ ଖାଲି ରହିଥାଏ।

ଏଣୁ ସକାଳ ହେବା ମାତ୍ରେ ଆମ ଶରୀର ପେଟ ପୂରା ଖାଇବା ଦରକାର କରେ । ରକ୍ତରେ କ୍ଷରିତ ହୋଇଥିବା ଗ୍ଲୁକୋଜ୍ ବା ଶର୍କରାକୁ ନିୟନ୍ତ୍ରିତ କରିବାକୁ ସକାଳ ଜଳଖିଆ ଅତ୍ୟନ୍ତ ଜରୁରୀ । ଆଗବେଳେ ସକାଳୁ ପଖାଳ କିମ୍ୱା ଚୁଡ଼ା ଓ କଦଳୀ ଚକଟା ଖାଇବା ମୁଖ୍ୟ ଥିଲା, ଯାହାକି ପ୍ରଚୁର କ୍ୟାଲୋରୀ ଦିଏ ଓ ଅଧିକ ସମୟ ପର୍ଯ୍ୟନ୍ତ ଭୋକ ହୋଇ ନଥାଏ । ଏବେ ଆସନ୍ତୁ ସକାଳ ଜଳଖିଆ ଖାଇବାର ପ୍ରମୁଖ ଦିଗଗୁଡ଼ିକ ଉପରେ ନଜର ପକାଇବା ।

ଆମେ ଖାଦ୍ୟ ଖାଉ ଶକ୍ତି ପାଇବାକୁ । ଶକ୍ତିର ମୁଖ୍ୟ ଉତ୍ସ ହେଉଛି ଗ୍ଲୁକୋଜ୍ ବା ଶର୍କରା । ଆମ ଶରୀରର ଶର୍କରା ଯକୃତରେ ସଂଚିତ ହୋଇ ରହେ ଓ ଦରକାର ବେଳେ ରକ୍ତକୁ କ୍ଷରିତ ହୁଏ । ଏଣୁ ରାତି ସାରା ଉପବାସ ପରେ ଯଦି ସକାଳୁ ଆମେ ତୁରନ୍ତ କିଛି ନ ଖାଇବା ତେବେ ଗ୍ଲୁକୋଜ୍‌ ପାଇବାକୁ ଆମ ଶରୀରର ଫ୍ୟାଟି ଏସିଡ୍ ଭାଙ୍ଗିବା ଆରମ୍ଭ କରେ ।

ଖାଦ୍ୟ ନ ଖାଇଥିବାରୁ ଶ୍ୱେତସାରର ଅନୁପସ୍ଥିତିରେ ଏହା ଘଟେ ଓ ଶରୀରର ଶକ୍ତି କମ୍ ହେବାକୁ ଲାଗେ । ଏଣୁ ଜଳଖିଆ ଖାଇବା ଦ୍ୱାରା ଆମ ଶରୀରର ଗ୍ଲାଇକୋଜେନ୍ ମାତ୍ରା ନିୟନ୍ତ୍ରିତ ରହିଥାଏ ଯାହା ଆମର ଦିନସାରାର କାମ ପାଇଁ ଶକ୍ତି ଦିଏ ।

ଦିନର ଭୋଜନ ସକାଳ ଜଳଖିଆରୁ ଆରମ୍ଭ ହେଉଥିବାରୁ ଏହା ଜରୁରୀ ଯେ ଏହି ଖାଇବା ପୁଷ୍ଟିକର ହେବ । ପ୍ରୋଟିନ୍, ଭିଟାମିନ୍ ବି କ୍ୟାଲ୍‌ସିୟମ୍, ଲୌହ ଓ ତନ୍ତୁ ଜାତୀୟ ଖାଦ୍ୟ ହିଁ ଆମ ଦିନଯାକର ଆବଶ୍ୟକ ପୋଷଣ ପାଇଁ ଦରକାର । ଏହା ଦ୍ୱାରା ଅତ୍ୟଧିକ ପାଚନ କ୍ରିୟା ନ ହୋଇ ଭୋକ କମ୍ ହୋଇଥାଏ । ତେଣୁ ଏହା ଓଜନ ହ୍ରାସରେ ସାହାଯ୍ୟ କରେ ।

ନିୟମିତ ବ୍ରେକ୍‌ଫାଷ୍ଟ କରୁଥିବା ଲୋକମାନେ ମୋଟାପଣ ଓ ଡାଇବେଟିସ୍ ପରି ରୋଗରୁ ଦୂରରେ ରୁହନ୍ତି । ପିଲାମାନେ ସକାଳ ଜଳଖିଆରେ ଶ୍ୱେତସାର, ଭିଟାମିନ୍ ଓ ମିନେରାଲ୍‌ ଯୁକ୍ତ ଖାଦ୍ୟ ଯେପରିକି ଚୁଡ଼ା ଉପମା, ସୁଜି ଉପମା, ଇଡ୍‌ଲି, ପରିବା ମିଶା ପରଟା ସହ ଦହି ଆଦି ନେଲେ ସେମାନେ ଦିନସାରା ଆକ୍ଟିଭ୍ ରହିଥାଆନ୍ତି ଓ ସେମାନଙ୍କର ମସ୍ତିଷ୍କ ଅଧିକ ଚଞ୍ଚଳ ହୁଏ । ପେଟପୂରା ଜଳଖିଆ ଖାଇଲେ ଆଉ କୌଣସି ବାହାରର ଖାଦ୍ୟ ଖାଇବାକୁ ମଧ୍ୟ ଇଛା ହୋଇ ନଥାଏ ।

ତେବେ ଜଳଖିଆ ନ ଖାଇବାର ଅନେକ କାରଣ ମଧ୍ୟ ଆପଣମାନେ କହିବେ । ଯେପରି ମୁଁ ଆରମ୍ଭରୁ କହୁଥିଲି, ପ୍ରାୟତଃ କ୍ଷେତ୍ରରେ ସମୟ କମ୍ ହେବାର କାରଣ ହିଁ ରହୁଛି । ମୁଖ୍ୟତଃ ମହିଳାମାନେ ବିଭିନ୍ନ କାରଣରୁ ସକାଳ ଜଳଖିଆ ଖାଇ ନଥାନ୍ତି । ଓଷା ବ୍ରତ, ପିଲାମାନଙ୍କ ଯତ୍ନ ନେବା, ବାହାର କାମ ଆଦି କରିବା ଆଳ ଦେଖାଇ ମହିଳାମାନେ ଖାଇବାରେ ଅନିୟମିତତା କରିବା ଖୁବ୍ ସାଧାରଣ କଥା ।

ସେମାନେ ଏଥିପାଇଁ ମୋଟାପା ଓ ଡାଇବେଟିସ୍ ପରି ଶାରୀରିକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେବେ ଆପଣ ଯଦି ନିୟମିତ ଜଳଖିଆ ଖାଇବାକୁ ମାନସିକ ଭାବେ ପ୍ରସ୍ତୁତ ରହିବେ ତେବେ ସମୟ ବାହାର କରିବାକୁ ଚେଷ୍ଟା କରିବେ । କମ୍ ସମୟରେ ପ୍ରସ୍ତୁତ ହେବା ପରି ଖାଦ୍ୟ ଯେପରି କି ଓଟସ୍, ଚୁଡା, ପୂର୍ବ ରାତିରୁ ରଖାଯାଇଥିବା ଘୋଳରେ ତିଆରି ଦୋସା, ଦଲିଆ ଆଦି ଜଳଖିଆ ରୂପେ ନେଇପାରିବେ ।

ଏସବୁ ଫାଇବର ଯୁକ୍ତ ଓ ଶକ୍ତି ଦେଉଥିବା ଖାଦ୍ୟ ଖାଇଲେ ଦିନସାରାର ପୋଷଣ ମିଳିଥାଏ । କିଛି ଜଲଦି ତିଆରି ହୋଇପାରୁଥିବା ପରି ଖାଦ୍ୟ ହେଉଛି ବିଭିନ୍ନ ଫଳ ଓ ଚେରି ପଡ଼ିଥିବା ଓଟସ୍ ଖିରି ବା ଉପମା, ଦହି ଓ କଦଳୀ ସହ ଚକଟା ଯାଇଥିବା ଚୁଡ଼ା, ସିଝା ଅଣ୍ଡା, ଅଟାର ବ୍ରେଡ୍‌ରେ ତିଆରି ସ୍ୟାଣ୍ଡୱିଚ୍ ଆଦି । ସର୍ବଦା ବ୍ରେକ୍‌ଫାଷ୍ଟ୍ ସହ କିଛି ଫଳ ଓ ନଟସ୍ ଖାଇବାର ଅଭ୍ୟାସ ରଖନ୍ତୁ ।

ନଟସ୍‌ରେ ପ୍ରଚୁର ପରିମାଣର ପୋଟାସିୟମ୍, ଜିଙ୍କ୍, ମ୍ୟାଗ୍ନେସିୟମ୍ ଓ କିୱି, କମଳା, ବିଭିନ୍ନ କୋଳି ଆଦିରୁ ଭିଟାମିନ୍ ସି ମିଳିଥାଏ । ନିଜ ଜଳଖିଆ ପ୍ଲେଟ୍‌କୁ ଯେତେ ସମ୍ଭବ ରଙ୍ଗୀନ୍ ରଖନ୍ତୁ ଅର୍ଥାତ୍ ବିଭିନ୍ନ ରଙ୍ଗର ଫଳ ସହିତ ହୋଲ୍‌ ଗ୍ରେନ୍ ବା ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ । ପ୍ରତି ସକାଳର ଜଳଖିଆ ମେନୁ ତା’ ପୂର୍ବ ଦିନରୁ ପ୍ଲାନ୍ କରିରଖନ୍ତୁ ।

ତେବେ ଜଳଖିଆ ନ ଖାଇ ଦିନସାରା କିଛି ବି ପୌଷ୍ଟିକ ଖାଦ୍ୟ ଖାଇଲେ ତାହାର ସଠିକ୍ ଉପଯୋଗିତା ମିଳିପାରିବ ନାହିଁ। ଆମର ପ୍ରତିଦିନର ଆରମ୍ଭ ଏକ ସୁନ୍ଦର ଓ ସ୍ୱାସ୍ଥ୍ୟକର ସକାଳରୁ ହେବା ଜରୁରୀ । ତେବେ ଆମ ମନ ବି ଭଲ ରହିବା ସହିତ ସମସ୍ତ କାମ ଠିକରେ ହେବ ।