Advertisment

କ୍ୟାରିଅର୍‌ର ଅନ୍ତିମ ସୋପାନରେ ଦିନେଶ କାର୍ତ୍ତିକ

ଆଇପିଏଲ୍‌ର ପୂର୍ବ ସିଜନ୍‌ରେ ଦିନେଶ କାର୍ତ୍ତିକ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଫିନିଶର୍ ଭୂମିକାକୁ ସୁଚାରୁ ରୂପେ ତୁଲାଇଥିଲେ, ହେଲେ ଚଳିତ ସିଜନ୍‌ରେ ସେହି ଭୂମିକା ଆଉ ତାଙ୍କୁ ସୁହାଉ ନାହିଁ। ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଫିକା ପଡ଼ିଗଲାଣି। କ୍ୟାରିଅରର ଅନ୍ତିମ ସୋପାନରେ ପହଞ୍ଚିଲେଣି କାର୍ତ୍ତିକ।

author-image
Biswajit Mohanty
ଅଦ୍ୟତନ ହୋଇଛି
ବାଇଶର ଫିନିଶର୍ ତେଇଶରେ ଫିନିଶ୍!

ବାଇଶର ଫିନିଶର୍ ତେଇଶରେ ଫିନିଶ୍!

ଜୁନ୍ ୧ରେ ୩୮ ବର୍ଷ ବୟସରେ ପଦାର୍ପଣ କରିବେ ୱିକେଟ୍‌କିପର୍-ବ୍ୟାଟର୍ ଦିନେଶ କାର୍ତ୍ତିକ। ବୟସ ବୃଦ୍ଧି ସତ୍ତ୍ୱେ ଖେଳିବା ପାଇଁ ତାଙ୍କ ଭିତରେ ଉତ୍ସାହ ଥାଇପାରେ; ହେଲେ କେବଳ ଉତ୍ସାହ ଯଥେଷ୍ଟ ନୁହେଁ, ପ୍ରଦର୍ଶନ ମଧ୍ୟ ଜରୁରୀ। ସେଥିରେ ନିରନ୍ତରତା ବି ଦରକାର।

Advertisment

କାର୍ତ୍ତିକଙ୍କ କ୍ୟାରିଅର ଅନ୍ତିମ ସୋପାନରେ ପହଞ୍ଚିଛି। ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କ କ୍ୟାରିଅରର ଆପାତତଃ ଅନ୍ତ ଘଟିସାରିଲାଣି। ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ରେ ସେ ଖେଳ ଜାରି ରଖିଛନ୍ତି ସତ, କିନ୍ତୁ ତାଙ୍କ ପ୍ରଦର୍ଶନରେ ଆଉ ସେ ଚମକ ନାହିଁ। ଟିମ୍‌କୁ ଜିତାଇବାର ସାମର୍ଥ୍ୟ ନାହିଁ। କଦବା କ୍ୱଚିତ ସେ ଭଲ ଖେଳିପାରନ୍ତି, ହେଲେ ଏହାଦ୍ୱାରା ତାଙ୍କ ସ୍ଥାନ ସୁରକ୍ଷିତ ରହିପାରିବନି।

ଆଇପିଏଲ୍‌ର ପୂର୍ବ ସିଜନ୍‌ରେ ଦିନେଶ କାର୍ତ୍ତିକ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପକ୍ଷରୁ ଫିନିଶର୍ ଭୂମିକାକୁ ସୁଚାରୁ ରୂପେ ତୁଲାଇଥିଲେ, ହେଲେ ଚଳିତ ସିଜନ୍‌ରେ ସେହି ଭୂମିକା ଆଉ ତାଙ୍କୁ ସୁହାଉ ନାହିଁ। ମୋଟାମୋଟି ଭାବରେ କହିବାକୁ ଗଲେ, ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଫିକା ପଡ଼ିଗଲାଣି।

Advertisment

ଅଧିକ ପଢ଼ନ୍ତୁ: ଚମକ ହରାଉଛନ୍ତି ମିଷ୍ଟର ୩୬୦ ସୂର୍ଯ୍ୟକୁମାର

ଚଳିତ ଆଇପିଏଲ୍ ସିଜନ୍‌ରେ କାର୍ତ୍ତିକ ଏ ଯାବତ ଛଅ ମ୍ୟାଚ୍ ଖେଳି ଯଥାକ୍ରମେ ୦, ୯, ୧ (ଅପରାଜିତ), ୦, ୨୮ ଓ ୭ ରନ୍‌ର ଇନିଂସ୍ ଖେଳିଛନ୍ତି। ଅର୍ଥାତ୍ ଛଅ ମ୍ୟାଚ୍‌ରେ ମୋଟ୍ ୪୫ ରନ୍। ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରେ ବାଙ୍ଗାଲୋର ଟିମ୍ ହୁଏତ ତାଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା କରୁଥିବ, କିନ୍ତୁ ଏ କଥାକୁ ଅସ୍ୱୀକାର କରାଯାଇପାରିବନି ଯେ ସେ ଟିମ୍ ପାଇଁ ବୋଝ ହୋଇଗଲେଣି।

ସାଢ଼େ ପାଞ୍ଚ କୋଟିରେ କିଣିଥିଲା ଆର୍‌ସିବି:

କାର୍ତ୍ତିକଙ୍କ ଆନ୍ତର୍ଜାତିକ କ୍ୟାରିଅର ଉତ୍‌ଥାନ-ପତନ ଭରା ରହିଆସିଛି। ୨୦୦୪ରେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ୍ ଖେଳିଥିବା ଏହି ଡାହାଣହାତି ବ୍ୟାଟର୍ ନିଜ ଶେଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ୨୦୧୯ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଖେଳିଥିଲେ। ଏହି ମ୍ୟାଚ୍ ପରେ ସେ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଥିଲେ। ସମସ୍ତେ ଭାବି ନେଇଥିଲେ ଯେ ତାଙ୍କ କ୍ୟାରିଅର ଶେଷ ହୋଇଯାଇଛି। ତେବେ ସେ ଆଇପିଏଲ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଥିଲେ।

ଗତ ବର୍ଷ ଆର୍‌ସିବି କାର୍ତ୍ତିକଙ୍କୁ ୫.୫ କୋଟି ଟଙ୍କା ଦେଇ ଟିମ୍‌ରେ ସାମିଲ୍ କରିଥିଲା। ସେହି ସିଜନ୍‌ରେ ସେ ସଫଳ ହୋଇଥିଲେ ଏବଂ ଟିମ୍‌କୁ ଅନେକ ମ୍ୟାଚ୍‌ରେ ଜିତାଇଥିଲେ, ଯେଉଁଥିରେ ଫିନିଶର୍ ଭାବରେ ତାଙ୍କର ଅଭ୍ୟୁଦୟ ହୋଇଥିଲା।

ପୂର୍ବ ଆଇପିଏଲ୍ ସିଜନ୍‌ରେ ସେ ୫୫ ଆଭରେଜ୍‌ରେ ୩୩୦ ରନ୍ ସଂଗ୍ରହ କରିଥିଲେ। ଏହି ପ୍ରଦର୍ଶନ ବଳରେ ତାଙ୍କୁ ଗତ ବର୍ଷ ଅଷ୍ଟ୍ରେଲିଆରେ ହୋଇଥିବା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍‌ରେ ସାମିଲ କରାଯାଇଥିଲା।

କିନ୍ତୁ ଟୁର୍ଣ୍ଣାମେଣ୍ଟ୍‌ରେ ସେ ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ। ଏହି କାରଣରୁ ସେମିଫାଇନାଲ୍ ମ୍ୟାଚ୍ ପାଇଁ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନ ଥିଲା। ଭାରତୀୟ ଟିମ୍ ସେହି ମ୍ୟାଚ୍ ହାରିଥିଲା। ବିଶ୍ୱକପ୍‌ରୁ ଟିମ୍‌ର ବିଦାୟ ସହ କାର୍ତ୍ତିକ, ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଟି-୨୦ କ୍ୟାରିଅର ଶେଷ ହୋଇଗଲା ବୋଲି ଚର୍ଚ୍ଚା ହୋଇଥିଲା।

ସେବେଠାରୁ ଆଉ ତାଙ୍କୁ ଭାରତୀୟ ଟିମ୍‌ରେ ନିଆଯାଇନି। ତାଙ୍କ ପାଇଁ ବାଟ ପ୍ରାୟତଃ ବନ୍ଦ ହୋଇଯାଇଛି। ଏବେ ଆଇପିଏଲ୍ ତାଙ୍କ ଲାଗି ଶେଷ ଆଶା ଥିଲା। ସେଥିରେ ବି ତାଙ୍କ ପ୍ରଦର୍ଶନରେ ସୁଧାର ହେଲାନି।

ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ଓ ଅବସର ସଙ୍କେତ:

ପରେ କାର୍ତ୍ତିକ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରି ଆନ୍ତର୍ଜାତିକ ଅବସର ନେଇ ସଙ୍କେତ ଦେଇଥିଲେ। ସେଥିରେ ସେ କହିଥିଲେ, “ଭାରତ ପକ୍ଷରୁ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ମୁଁ କଠିନ ପରିଶ୍ରମ କରିଥିଲି ଏବଂ ଏଭଳି କରିପାରିବା ଗର୍ବର ବିଷୟ ଥିଲା। ଆମେ ଅନ୍ତିମ ଲକ୍ଷ୍ୟ ହାସଲ କରିପାରି ନ ଥିଲୁ, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ୍‌ ମୋ ଜୀବନକୁ ଅନେକ ସ୍ମରଣୀୟ ମୁହୂର୍ତ୍ତରେ ଭରି ଦେଇଥିଲା। ମୋର ସମସ୍ତ ଟିମ୍‌ମେଟ୍, କୋଚ୍ ଓ ବନ୍ଧୁମାନଙ୍କୁ ଧନ୍ୟବାଦ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ, ଯେଉଁମାନେ ଲଗାତାର ସମର୍ଥନ କରିଥିଲେ।”

ଆନ୍ତର୍ଜାତିକ କ୍ରିକେଟ୍‌ରେ କାର୍ତ୍ତିକ ୨୬ ଟେଷ୍ଟ୍‌ ମ୍ୟାଚ୍ ଖେଳି ୨୫ ଆଭରେଜ୍‌ରେ ଗୋଟିଏ ଶତକ ସହାୟତାରେ ୧୦୨୫ ରନ୍ ସଂଗ୍ରହ କରିଛନ୍ତି। ସେହିପରି ୯୪ ଦିନିକିଆ ମ୍ୟାଚ୍ ଖେଳି ୩୦.୨ ଆଭରେଜ୍‌ରେ ୧୭୫୨ ରନ୍ ଏବଂ ୬୦ ଟି-୨୦ ମ୍ୟାଚ୍‌ରୁ ୪୮ ଇନିଂସ୍ ଖେଳି ୨୬.୪ ଆଭରେଜ୍ ଓ ୧୪୨.୬ ଷ୍ଟ୍ରାଇକ୍ ରେଟ୍‌ରେ ୬୮୬ ରନ୍ କରିଛନ୍ତି। ଆଇପିଏଲ୍‌ରେ ୨୩୮ ମ୍ୟାଚ୍ ଖେଳି ୨୬.୩ ଆଭରେଜ୍ ଓ ୧୩୨.୭ ଷ୍ଟ୍ରାଇକ୍ ରେଟ୍‌ରେ ୪୪୨୧ ରନ୍ କରିଛନ୍ତି କାର୍ତ୍ତିକ।

୨୦୨୩ ଆଇପିଏଲ୍ ତାଙ୍କ ପାଇଁ ଶେଷ ସିଜନ୍ ହୋଇପାରେ। ଏହାପରେ ସେ ସମସ୍ତ ପ୍ରକାରର କ୍ରିକେଟ୍ ଛାଡ଼ିପାରନ୍ତି। ଆନ୍ତର୍ଜାତିକ କ୍ରିକେଟ୍‌ରେ ଆଉ ତାଙ୍କ ପାଇଁ ସୁଯୋଗ ନାହିଁ। ଆଇପିଏଲ୍‌ରେ ବି ବିଫଳ ହେଉଛନ୍ତି। ଯୁବ ପ୍ରତିଭାମାନଙ୍କର ଭିଡ଼ ମଧ୍ୟରେ ସେ ହଜିଯାଉଛନ୍ତି। ଟିମ୍ ତାଙ୍କୁ ବିଦା କରିବା ପୂର୍ବରୁ କିଛି ସ୍ମରଣୀୟ ଇନିଂସ୍ ଖେଳି ସେ ଖୋଦ୍ ସମ୍ମାନଜନକ ଭାବେ ବିଦାୟ ନିଅନ୍ତୁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Royal Challengers Bangalore Dinesh Karthik Indian Team
Advertisment
Advertisment