Advertisment

ଖରାଦିନ ପାଇଁ ୫ ଟି ଦରକାରୀ ଖାଦ୍ୟ

ଖରାଦିନେ ଦେହର ଜଳୀୟ ଅଂଶକୁ ନିୟନ୍ତ୍ରିତ କରିବାକୁ ବଜାରରେ ମିଳୁଥିବା ପାନୀୟଗୁଡ଼ିକ ପ୍ରକୃତରେ ଆମ ଶରୀରର ଜଳୀୟ ପରିମାଣକୁ କମ୍ କରିଦେଇଥାଏ। ଏସବୁ ପାନୀୟ ନ ପିଇ କିଛି ଉପକାରୀ ଖାଦ୍ୟ ପଦାର୍ଥ ଖାଇଲେ ଆମ ଶରୀରର ଜଳୀୟ ଅଂଶର ଆବଶ୍ୟକତାକୁ ନିୟନ୍ତ୍ରଣରେ ରଖିପାରିବା। ଏବେ ଚାଲନ୍ତୁ ଏହି ବିଷୟରେ ଜାଣିବା।

author-image
Jyotsna Mohapatra
ଅଦ୍ୟତନ ହୋଇଛି
Diet for summer season

Diet for summer season

ଖରାଦିନ ଆସିଲେ ବଜାରରେ ଅନେକ ପ୍ରକାର ପାନୀୟ ମିଳିଥାଏ। ଟିଭିରେ ଅନେକ ପ୍ରକାର ଥଣ୍ଡା ପାନୀୟର ବିଜ୍ଞାପନ ଦେଖିବାକୁ ମିଳେ। ସେସବୁର ପ୍ରଲୋଭନରେ ପଡି ଆମେ ବି ଅନେକ ପ୍ରକାର ମୃଦୁ ପାନୀୟ କିଣି ପିଇଥାଉ। କିନ୍ତୁ ଆପଣମାନେ ଜାଣନ୍ତି କି ଦେହର ଜଳୀୟ ଅଂଶକୁ ନିୟନ୍ତ୍ରିତ କରିବାକୁ ପିଉଥିବା ଏହି ପାନୀୟଗୁଡ଼ିକ ପ୍ରକୃତରେ ଆମ ଶରୀରର ଜଳୀୟ ପରିମାଣକୁ କମ୍ କରିଦେଇଥାଏ। ତେଣୁ ଖରାଦିନେ ଏସବୁ ପାନୀୟ ନ ପିଇ କିଛି ଉପକାରୀ ଖାଦ୍ୟ ପଦାର୍ଥ ଖାଇଲେ ଆମ ଶରୀରର ଜଳୀୟ ଅଂଶର ଆବଶ୍ୟକତାକୁ ନିୟନ୍ତ୍ରଣରେ ରଖିପାରିବା। ଏବେ ଚାଲନ୍ତୁ ଏହି ବିଷୟରେ ଜାଣିବା।

Advertisment

ସାଧାରଣତଃ ଆମେ ଭାବୁ ଯେ ଖରାଦିନେ ପାଣି ପ୍ରଚୁର ପିଇଲେ ଆମର କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ଆମେ ଜାଣିବା ଦରକାର ଯେ ଆମେ ଉପଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ସମୁଦାୟ ଆବଶ୍ୟକତାର ୨୦ ପ୍ରତିଶତ ଜଳୀୟ ଅଂଶ ପାଇଥାଉ। ତେବେ ଅତ୍ୟଧିକ ଫାଇବର, ପ୍ରୋଟିନ୍, ସୋଡ଼ିୟମ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଜଳୀୟ ଅଂଶ କମିଯାଇଥାଏ। ତେଣୁ ଖରାଦିନେ ଉପଯୁକ୍ତ ଖାଦ୍ୟ ବାଛିବା ଖୁବ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ନିମ୍ନରେ କେତୋଟି ଖାଦ୍ୟ ବିଷୟରେ ଜାଣନ୍ତୁ ଯାହା ଖାଇବା ଦ୍ୱାରା ଆପଣଙ୍କ ଶରୀରର ଜଳୀୟ ଅଂଶକୁ ଠିକ ରଖିଥାଏ।

୧- ଜଳୀୟ ଅଂଶ ଅଧିକ ରହୁଥିବା ଫଳ

ବିଭିନ୍ନ ଫଳ ଯେପରିକି ତରଭୁଜ, ସେଓ, କଦଳୀ, କମଳା, ଲିଚି ଆଦିରେ ୮୦ରୁ ୯୦ ପ୍ରତିଶତରୁ ଅଧିକ ଜଳ ଥାଏ। ତରଭୁଜର ୧୫୦ ଗ୍ରାମରେ ପ୍ରାୟ ୧୧୫ମିଲି ଜଳ ସହ ଭିଟାମିନ୍ ସି ଓ କ୍ୟାଲସିୟମ୍ ପରି ଦରକାରୀ ଉପାଦାନ ରହିଥାଏ। କମଳା ଓ ଲିଚିର ଅଧା କପ୍ ନେଲେ ସେଥିରୁ ଆମକୁ ୧୧୮ମିଲି ପ୍ରାୟ ଜଳ ସହିତ ପୋଟାସିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଆମର ମିନେରାଲ୍‌ ସନ୍ତୁଳନ ବଜାୟ ରଖେ।

Advertisment

ଥଣ୍ଡା ପାନୀୟ ପରିବର୍ତ୍ତେ ଏହି ସବୁ ଫଳ ଖାଇଲେ ଆବଶ୍ୟକୀୟ ଜଳୀୟ ଅଂଶ ମିଳିପାରିବ। ଦୈନିକ କାମ କରିବାକୁ ଗଲାବେଳେ ଏହି ଫଳ କିଛି ପାଖରେ ରଖିବା ନିହାତି ଜରୁରୀ। ଏହା ଶରୀରକୁ ଉପଯୁକ୍ତ କ୍ୟଲୋରୀ ମଧ୍ୟ ଦିଏ ଯାହାକି ଆମକୁ ହାଲିଆ ଲାଗିବାରୁ ରକ୍ଷା କରେ।

୨- ଦହି

ଭାରତୀୟମାନେ ଦହିକୁ ସମସ୍ତ ପ୍ରକାର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରନ୍ତି। ଭାତ ସହ କେବଳ ଦହି ନେଇ ଆରାମରେ ଖାଇଦେଇପାରୁ ଆମେ। ଏକ କପ ଦହିରୁ ପାଖାପାଖି ୭୫ ପ୍ରତିଶତ ଜଳ ଥାଏ ଏବଂ କ୍ୟାଲ୍‌ସିୟମ୍, ଫସ୍‌ଫରସ୍ ପରି ମିନେରାଲସ୍ ମଧ୍ୟ ଥାଏ। କାମ ସାରି ଘରକୁ ଫେରିବାବେଳକୁ ଗୋଟେ ଗ୍ଲାସ୍ ଦହିପାଣି ପିଇଦେଲେ କି ଶାନ୍ତି ତାହା କୌଣସି ବିଦେଶୀ ଥଣ୍ଡା ପାନୀୟରୁ ମିଳେ କି? ତେବେ ବାସି ଦହି ଯେମିତି ନ ଖାଇବେ, ତାହା ଧ୍ୟାନ ଦେବେ। ପାଣି ନ କରି ସାଧାଭାବେ ଗରମ କିମ୍ୱା ପଖାଳ ଭାତ ସହ ମଧ୍ୟ ଦହି ଖୁବ ରୁଚିକର ହୋଇଥାଏ। ବସାଦହି ବ୍ୟତୀତ ଘୋଳ ଦହି ମଧ୍ୟ ଅନ୍ୟ ଏକ ଜଳୀୟ ଉତ୍ସ।

୩- ନଡ଼ିଆ ପାଣି

ଆମେ ଘରେ ନଡ଼ିଆକୁ ପର୍ବପର୍ବାଣିରେ ପିଠା ତିଆରି ଓ ପୂଜାରେ ବ୍ୟବହାର କରୁ। ଏହି ପାଣିର କେତେ ଗୁଣ ଅଛି ତାହା ଆପଣ ଜାଣିବା ଜରୁରୀ। ଖରାଦିନେ ଦୂରକୁ ଯିବା ଆସିବା କଲାବେଳେ ବାଟରେ ଯଦି ପଇଡ଼ କି ନଡ଼ିଆ ପାଣି ପିଇବାକୁ ମିଳେ ତେବେ କେମିତି ଅନୁଭବ ହୁଏ ତାହା ଏଠି କହିବା ଦରକାର ନାହିଁ। ଏହି ପାଣିରେ ୯୫ ପ୍ରତିଶତ ଜଳ ଓ ତା’ ସହ ଇଲେକ୍ଟ୍ରୋଲାଇଟ୍ ଯେପରି ପୋଟାସିୟମ୍ ଓ ସୋଡ଼ିୟମ୍ ରହିଥାଏ। ତେବେ ମନେରଖନ୍ତୁ ବଜାରରେ ପ୍ୟାକେଟ୍‌ରେ ମିଳୁଥିବା ନଡ଼ିଆ ପାଣି କୌଣସି ଲାଭ ଦେଇ ନଥାଏ।

୪- ଜଳୀୟ ପନିପରିବା

କାକୁଡ଼ିରେ ଲୁଣ ଲଙ୍କା ଦେଇ ଖାଇଛନ୍ତି କେବେ। କି ସୁଆଦିଆ ଲାଗେ! ତାହା ବାସ୍ତବରେ ସ୍ୱାଦ ସହ ସ୍ୱାସ୍ଥ୍ୟକର ହୋଇଥାଏ। କାକୁଡଡ଼ିରେ ୯୨ ପ୍ରତିଶତ ଜଳ ଥାଏ। ଏହା ସହିତ ଏଥିରେ ପୋଟାସିୟମ୍, କ୍ୟାଲ୍‌ସିୟମ ପରି ମିନେରାଲସ୍ ଥାଏ। ଏହା ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ ଯାହାକି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ଏହା ସହ ଏହା ଖୁବ୍ କମ୍ କ୍ୟାଲୋରୀ ଉତ୍ପନ୍ନ କରୁଥିବାରୁ ଓଜନ କମ୍ ହେବାରେ ସାହାଯ୍ୟ କରେ। ଏହା ଛଡ଼ା ବିଲାତି ବାଇଗଣ ବା ଟମାଟୋରେ ମଧ୍ୟ ଜଳ ଏକ ଉପାଦାନ ରୂପେ ଅଧିକ ଥାଏ। ଏଥିରେ ଥିବା ଲାଇକୋପେନ୍ ଆମକୁ ହୃଦ୍‌ଜନିତ ରୋଗରୁ ରକ୍ଷା କରିଥାଏ।

୫- ଘରେ ପ୍ରସ୍ତୁତ ପାନୀୟ

ମିଶ୍ରି ପାଣିରେ ଲେମ୍ୱୁ କିମ୍ୱା ପାନ ମଧୁରୀ ମିଶାଇ ପିଇଲେ ଶରୀର ଥଣ୍ଡା ରହିଥାଏ। ଭିଟାମିନ୍ ଓ ଆଇରନ୍‌ରେ ଭରପୂର କଞ୍ଚା ଆମ୍ୱ ପଣା, ବିଭିନ୍ନ ଫଳ ରସ, ପାଚିଲା ଆମ୍ୱ ରସ, ପଖାଳ ତୋରାଣି, ଅଦା ଓ ଲେମ୍ୱୁ ମିଶା ସରବତ ଇତ୍ୟାଦି ଅନେକ ପ୍ରକାର ସରବତ ଆମେ ଘରେ ବନେଇ ପିଇପାରିବା। ଏହା ଆମର ଶୋଷ ମେଣ୍ଟାଇବା ସହିତ କୌଣସି ପ୍ରତିକୂଳ ପ୍ରଭାବ ମଧ୍ୟ ପକାଇବ ନାହିଁ।

ତେବେ ଖରାଦିନେ ଏହି ସବୁ ଖାଦ୍ୟ ପାନୀୟ ସହିତ ଦିନକୁ ପ୍ରଚୁର ପାଣି ପିଇବା ନିହାତି ଜରୁରୀ। ବାହାରୁ ଆସି ଝାଳ ଶୁଖିବା ପରେ ଯାଇ କିଛି ପାନୀୟ ପିଇନ୍ତୁ ଓ ଗାଧାନ୍ତୁ। ଚେଷ୍ଟା କରନ୍ତୁ ଯେପରି ପାଖରେ ସର୍ବଦା ଘର ତିଆରି ପାନୀୟ ରଖିବେ। ତେବେ ଯାଇ ଏ ଅସହ୍ୟ ଗରମରୁ ସୁରକ୍ଷିତ ରହିବେ।

Article
Advertisment
Advertisment