/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656083744.jpg)
Another Odia in president race
ରାଷ୍ଟ୍ରପତି ପଦବୀ ପାଇଁ ଓଡ଼ିଶାରୁ ଦ୍ରୌପଦୀ ମୁର୍ମୁଙ୍କ ନାଁ ଏନ୍ଡିଏ ଘୋଷଣା କରିବା ପରେ ଏବେ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଶା କରାଯାଉଛି, ରାଜ୍ୟକୁ ମିଳିବେ ଆଉ ଜଣେ ରାଷ୍ଟ୍ରପତି। ମିଳିତି ବିରୋଧୀ ଦଳ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ସହଜରେ ହରାଇ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇପାରନ୍ତି।
ନିର୍ବାଚନରେ ବିଜେଡି ଓ ୱାଇଏସଆର୍, କଂଗ୍ରେସ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଥିଲା। ତେବେ ବିଜେଡି ଓ ୱାଇଏସଆର୍, କଂଗ୍ରେସର ସମର୍ଥନ, ଦ୍ରୌପଦୀଙ୍କ ବିଜୟକୁ ନେଇ ସବୁ ଦ୍ୱନ୍ଦ୍ୱ ଦୂର କରିଛି। ଏହାଛଡ଼ା ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା ହୋଇଥିବାରୁ ଆଉ କିଛି ଦଳ ମଧ୍ୟ ତାଙ୍କୁ ସମର୍ଥନ କରିବେ ବୋଲି ଆଶା କରାଯାଉଛି।
ତେବେ ଦେଶରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଜଣେ ଓଡିଆ ନେତା। ଏପରିକି ତାଙ୍କୁ ଦଳ ଚାହୁଁ ନଥିଲେ ମଧ୍ୟ ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଗଲେ, ଆଉ ଏହି ବିଜୟର ଏମିତି ପ୍ରଭାବ ପଡ଼ିଲା ଯେ ସେତେବେଳେ ଦେଶର ସବୁଠାରୁ ଶକ୍ତିଶାଳୀ ଦଳ ଦୁଇ ଫାଳ ହୋଇଗଲା। ବହୁ ବରିଷ୍ଠ ନେତାମାନଙ୍କ ରାଜନୈତିକ କ୍ୟାରିୟର ମାଟିରେ ମିଶିଗଲା, ଆଉ ଗୋଟିଏ ନୂଆ ଶକ୍ତିର ଜନ୍ମହେଲା।
ଟିକେ ଫ୍ଲାସ୍ ବ୍ୟାକ୍ରେ ୧୯୬୯ ମସିହାକୁ ଚାଲିଯିବା। ଆମେ କହୁଛୁ ଦେଶର ଷଷ୍ଠ ଏବଂ ଓଡ଼ିଶାରୁ ପ୍ରଥମ ରାଷ୍ଟ୍ରପତି ଭି.ଭି. ଗିରିଙ୍କ କଥା। ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ସହରର ଗର୍ବ ଓ ଗୌରବ ଭି.ଭି. ଗିରି। ବ୍ରହ୍ମପୁରରେ ତାଙ୍କ ବାପା ଜଣେ ନାଁକରା ଓକିଲ ଥିଲେ। ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ପାଠ ପଢିଥିବା ଗିରି ଜଣେ ଶ୍ରମିକ ନେତା ତଥା କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ।
ତେବେ ଭି.ଭି. ଗିରି ଉପରାଷ୍ଟ୍ରପତିରୁ ରାଷ୍ଟ୍ରପତି ହେବା ଥିଲା ଭାରତୀୟ ରାଜନୀତିର ଏକ ନାଟକୀୟ ଏବଂ ରୋଚକ ଘଟଣା। କଂଗ୍ରେସ ଚାହୁଁଥିଲା ନୀଲମ ସଞ୍ଜୀବ ରେଡୀଙ୍କୁ ରାଷ୍ଟ୍ରପତି କରିବା ପାଇଁ, ହେଲେ ଇନ୍ଦିରା ଗାନ୍ଧି ଚାହୁଁଥିଲେ ଭି.ଭି. ଗିରି ହୁଅନ୍ତୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି। ୧୯୬୯ ମସିହାରେ ବେଙ୍ଗଲୁରୁରେ କଂଗ୍ରେସର ପାର୍ଲାମେଣ୍ଟାରୀ ବୋର୍ଡର ବୈଠକ ବସିଥିଲା। ଏତିକି ବେଳେ ଇନ୍ଦିରା ଏକ ପ୍ରସ୍ତାବ ଦେଲେ ଯେ ଭି.ଭି. ଗିରିଙ୍କୁ ରାଷ୍ଟ୍ରପତି କରାଯାଉ। କିନ୍ତୁ ସିଣ୍ଡିକେଟ୍ ଏହାକୁ ବିରୋଧ କରିଥିଲା।
ଏହି ସିଣ୍ଡିକେଟ୍ରେ ଥିଲେ କେ. କାମରାଜ, ମୋରାର୍ଜୀ ଦେଶାଇ, ନିଜଲିଙ୍ଗ୍ପ୍ପାଙ୍କ ଭଳି ବହୁ ବରିଷ୍ଠ ନେତା। ହେଲେ ଗିରିଙ୍କୁ ରାଷ୍ଟ୍ରପତି କରିବା ପାଇଁ ଗୋଟି ଚାଳନା କରିଥିଲେ ଇନ୍ଦିରା ଗାନ୍ଧି। ଗୋଟିଏ ଗୁଳିରେ ୨ଟି ଶିକାର କଲା ଭଳି ଇନ୍ଦିରା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା ମୋରାର୍ଜୀ ଦେଶାଇଙ୍କୁ ରାଷ୍ଟ୍ରପତି କରିବା ପାଇଁ ପ୍ରସ୍ତାବ ଦେଲେ। ହେଲେ ମୋରାର୍ଜୀ ଏ କଥା ଜାଣିପାରି ରାଷ୍ଟ୍ରପତି ହେବାକୁ ସିଧାସିଧା ମନା କରିଦେଇଥିଲେ। କାରଣ ରାଷ୍ଟ୍ରପତି ହୋଇଗଲେ ରାଜନୈତିକ କ୍ୟାରିୟରେ ପୂରା ବ୍ରେକ୍ ଲାଗିଯିବ। ଏହାପରେ କଂଗ୍ରେସର ପାର୍ଲାମେଣ୍ଟାରୀ ବୋର୍ଡ ବୈଠକରେ ଇନ୍ଦିରା ଜଗଜୀବନ ରାମଙ୍କ ନାଁ ପ୍ରସ୍ତାବ ଦେଇଥିଲେ।
ତେବେ ଫକ୍ରୁଦ୍ଦିନ ଅଲ୍ଲୀ ଅହମଦଙ୍କୁ ଛାଡ଼ି ଆଉ କେହି ବି ସଦସ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କଲେନି। ଏହାପରେ ମୋରାର୍ଜୀ ଦେଶାଇ କହିଥିଲେ ନେହରୁଙ୍କ ସମୟରେ ମଧ୍ୟ ଏମିତି ଦ୍ୱନ୍ଦ୍ୱ ଉପୁଜୁଥିଲା। ହେଲେ ନେହରୁ କିନ୍ତୁ ପାର୍ଲାମେଣ୍ଟାରୀ ବୋର୍ଡର ନିଷ୍ପତ୍ତିକୁ ସହମତି ଜଣାଇ ଏହାକୁ ମାନି ନେଉଥିଲେ। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମଧ୍ୟ ସେହିଭଳି ପ୍ରସ୍ତାବ ମାନି ସଂଜୀବ ରେଡୀଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିବା ଦରକାର।
ବହୁମତରେ ଇନ୍ଦିରା ଦେଇଥିବା ଜଗଜୀବନ ରାଷ୍ଟ୍ରପତି ହୁଅନ୍ତୁ ବୋଲି ପ୍ରସ୍ତାବ କାଟ୍ ଖାଇଲା। ଏପରିକି ଇନ୍ଦିରାଙ୍କ କ୍ୟାବିନେଟ୍ରେ ଗୃହମନ୍ତ୍ରୀ ଥିବା ୱାଇ ବି ଚୌହ୍ୱାନ ମଧ୍ୟ ତାଙ୍କୁ ସମର୍ଥନ କଲେନି। ନୀଲମ ସଂଜୀବ ରେଡୀ ସେତେବେଳେ ଆନ୍ଧ୍ରର ବଡ଼ ନେତା ଥିଲେ ଏବଂ ଲୋକସଭାର ବାଚସ୍ପତି ଥିଲେ। ଇନ୍ଦିରା ବିରୋଧୀ ସିଣ୍ଡିକେଟ୍ ଚାହୁଁଥିଲା ସଂଜୀବ ରେଡୀଙ୍କୁ ରାଷ୍ଟ୍ରପତି କରି ଇନ୍ଦିରାଙ୍କୁ ଚେକ୍ ଦେବା ପାଇଁ।
ଏହାପରେ ଇନ୍ଦିରା ପ୍ରତିଶୋଧ ପରାୟଣ ହୋଇ ମୋରାର୍ଜୀ ଦେଶାଇଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇ କେବଳ ଡେପୁଟି ପ୍ରଧାନମନ୍ତ୍ରୀ ରଖିଥିଲେ। ଏହାପରେ ୧୯ ଜୁଲାଇ ୧୯୬୯ରେ ସବୁ ବ୍ୟାଙ୍କ୍ର ରାଷ୍ଟ୍ରୀକରଣ ଘୋଷଣା କରି ଗରିବୀ ହଟାଅ ନାରା ଦେଇଥିଲେ ସେ। ମୋରାର୍ଜୀ ଅର୍ଥମନ୍ତ୍ରୀ ଥିବାବେଳେ ଏହି ନିଷ୍ପତ୍ତିକୁ ବିରୋଧ କରି ଆସୁଥିଲେ। ସିଣ୍ଡିକେଟ୍ ଯୋଜନା ଅନୁଯାୟୀ ନିଲମ ସଂଜୀବ ରେଡୀ କଂଗ୍ରେସ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କଲେ। ତାଙ୍କ ବିପକ୍ଷରେ ଭି.ଭି. ଗିରି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ। ନିର୍ବାଚନ ଆସିଲା। ଇନ୍ଦିରା କାହାକୁ ସମର୍ଥନ କରୁଛନ୍ତି ତାହା ଥିଲା ବଡ଼ ପ୍ରଶ୍ନ।
କାଳେ ଇନ୍ଦିରା ସମର୍ଥନ କରିବେନି ଭାବି ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ନିଜଲିଙ୍ଗାପା ଜନସଂଘ ଏବଂ ସ୍ୱତନ୍ତ୍ର ପାର୍ଟି ଭଳି ଦଳର ନେତାଙ୍କୁ ସେମାନଙ୍କ ଦ୍ୱିତୀୟ ଭୋଟ କଂଗ୍ରେସକୁ ଦେବାକୁ ଅନୁରୋଧ କରିଥିଲେ। ନିଜଲିଙ୍ଗାପାଙ୍କ ଏହି ଭୁଲ ଇନ୍ଦିରାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଲା। ଏହାପରେ ଇନ୍ଦିରା ଦେଇଥିଲେ ମାଷ୍ଟର୍ ଷ୍ଟ୍ରୋକ୍। ସିଣ୍ଡିକେଟ୍ ସାଂପ୍ରଦାୟିକ ଦଳ ସହିତ ମିଶି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଚାହୁଁଛି, ତେଣୁ କଂଗ୍ରେସ ନେତାମାନେ ନିଜ ଅନ୍ତରଆତ୍ମାର କଥା ଶୁଣି ଭୋଟ ଦିଅନ୍ତୁ ବୋଲି ଅପିଲ୍ କରିଥିଲେ। ନିଜ ଅନ୍ତରଆତ୍ମାର କଥା ଶୁଣି କଂଗ୍ରେସର କର୍ମୀମାନେ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଭି.ଭି. ଗିରିଙ୍କୁ ଭୋଟ ଦେଲେ। ରାଷ୍ଟ୍ରପତି ହେଲେ ଭିଭି ଗିରି।
ତେବେ ଅଳ୍ପ ଭୋଟରେ ଭି.ଭି. ଗିରିଙ୍କୁ ବିଜୟ ମିଳିଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶ୍ରୀମତୀ ଗାନ୍ଧିଙ୍କୁ ଦଳରୁ ବହିଷ୍କାର କରାଗଲା। କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଗଲା।
ଆମ ସମ୍ବିଧାନରେ ରାଷ୍ଟ୍ରପତିଙ୍କ ଭୂମିକା ଏବଂ କ୍ଷମତା ସମ୍ପର୍କରେ ଉଲ୍ଲେଖ ରହିଛି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବହରଲାଲ ନେହରୁ ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ମଧ୍ୟରେ କିଏ କ୍ଷମତାଶାଳୀ, ତାକୁ ନେଇ ବେଶ ଟଣା ଓଟରା ହୋଇଥିଲା। ସେହପିରି ଫକ୍ରୁଦ୍ଦିନ ଅଲ୍ଲୀ ଅହମଦ ଯେତେବେଳେ ରାଷ୍ଟ୍ରପତି ଥିଲେ ସେତେବେଳେ ଦେଶରେ ଇନ୍ଦିରା ଗାନ୍ଧି ଜାତୀୟ ବିପତ୍ତି ଲାଗୁ କରିଥିଲେ।
ଇନ୍ଦିରା ଗାନ୍ଧି ସମ୍ବିଧାନ ସଂଶୋଧନ କରି ରାଷ୍ଟ୍ରପତି ମନ୍ତ୍ରୀ ପରିଷଦ ନେଇଥିବା ନିଷ୍ପତ୍ତି ଆଧାରରେ କାମ କରିବେ ବୋଲି ନିୟମ କରିଥିଲେ। ତେବେ ଏମରଜେନ୍ସୀ ପରେ ଯେତେବେଳେ ଇନ୍ଦିରା ଗାନ୍ଧି କ୍ଷମତାରୁ ହଟିଲେ, ଜନତା ଦଳ ସରକାର ରାଷ୍ଟ୍ରପତିଙ୍କ କ୍ଷମତାରେ ସଂଶୋଧନ କରିଥିଲା। ମନ୍ତ୍ରୀ ପରିଷଦ ଦେଇଥିବା ପ୍ରସ୍ତାବକୁ ରାଷ୍ଟ୍ରପତି ପୁଣି କାଉନ୍ସିଲ୍ ଅଫ୍ ମିନିଷ୍ଟର୍ଙ୍କ ପାଖକୁ ପୁନଃ ବିଚାର ପାଇଁ ପଠାଇପାରିବେ ବୋଲି ସମ୍ବିଧାନ ସଂଶୋଧନ କରାଗଲ।
ତେବେ ମେଣ୍ଟ ସରକାରରେ ରାଷ୍ଟ୍ରପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ରାଷ୍ଟ୍ରପତିମାନେ ସଂଖ୍ୟାଗରିଷ୍ଠତା ନଥାଇ ସର୍ବବୃହତ ଦଳକୁ ସୁଯୋଗ ଦେବା ନ ଦେବା ତାହା ସେମାନଙ୍କ ଉପରେ ନିର୍ଭର କରେ। ଯେମିତିକି ୧୯୯୧ ମସିହାରେ ରାଷ୍ଟ୍ରପତି ଆର୍ ଭେଙ୍କଟରମଣ କଂଗ୍ରେସ ପାର୍ଟିକୁ ସୁଯୋଗ ଦେଇଥିଲେ। ସେତେବେଳେ ଦଳ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ସରକାର ଗଠନ ପାଇଁ ଅବଶ୍ୟକୀୟ ସଂଖ୍ୟା ନ ଥିଲା।
ସେହିପରି ୧୯୯୬ ମସିହାରେ ଡକ୍ଟର ଶଙ୍କର ଦୟାଲ ଶର୍ମା ଲୋକସଭା ନିର୍ବାଚନରେ ସବୁଠାରୁ ଅଧିକ ସଂଖ୍ୟା ହାସଲ କରିଥିବା ବିଜେପିକୁ ସରକାର ଗଠନ ପାଇଁ ଡାକିଥିଲେ। ଏଥିଯୋଗୁଁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ୧୩ ଦିନ ପାଇଁ ସରକାର ଗଠନ କରିବାର ସୁଯୋଗ ପାଇଥିଲେ।
ମେଣ୍ଟ ସରକାରରେ ରାଷ୍ଟ୍ରପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାର ଭାଙ୍ଗିବା ହେଉ ବା ଗଢିବା ହେବ ଯେତେବେଳେ ରାଷ୍ଟ୍ରପତିଙ୍କ ହୃଦବୋଧ ହୁଏ ଯେ ସରକାରଙ୍କ ପାଖର ବହୁମତ ନାହିଁ, ସେ ବିରୋଧୀଙ୍କ କଥା ମାନି ସରକାରଙ୍କୁ ତୁରନ୍ତ ବହୁମତ ସାବ୍ୟସ୍ତ କରିବା ପାଇଁ କହିପାରନ୍ତି। ଯଦି କେନ୍ଦ୍ରରେ ଥିବା ଦଳର ରାଷ୍ଟ୍ରପତି ଥାଆନ୍ତି ତେବେ ସରକାରଙ୍କୁ କିଛି ସମୟ ଦେଇପାରନ୍ତି। ଯାହା ଫଳରେ ସରକାର ଅନ୍ୟ ଆଡୁ ସମର୍ଥନ ଯୋଗାଡ କରିବାରେ ସଫଳ ହୁଅନ୍ତି। ସେ ମୋରାରଜୀ ଦେଶାଇଙ୍କ ସରକାର ହେଉ ଅବା ଚୌଧୁରୀ ଚରଣ ସିଂହ ସରକାର। ସରକାର ଗଠନ ଏବଂ ସରକାର ପତନରେ ରାଷ୍ଟ୍ରପତିଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।
ଖାଲି ସେତିକି ନୁହେଁ ବିଶ୍ୱନାଥ ପ୍ରତାପ ସିଂହ ଏବଂ ଚନ୍ଦ୍ର ଶେଖର,ଏଚ୍ଡି ଦେବଗୌଡା ଏବଂ ଇନ୍ଦର କୁମାର ଗୁଜରାଲ ସରକାର ଗଠନ ପ୍ରକ୍ରିୟା ଏବଂ ପତନରେ ରାଷ୍ଟ୍ରପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହାର କାରଣ ହେଉଛି ପ୍ରାୟ ଏସବୁ ରାଷ୍ଟ୍ରପତି ଥିଲେ କଂଗ୍ରେସର। କେଉଁଠି ନାଁ କେଉଁଠି ଏହି ରାଷ୍ଟ୍ରପତିମାନେ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି ଏବଂ ନରସିଂହରାଓଙ୍କ ଦ୍ୱାରା ପ୍ରଭାବିତ ହୋଇଥିବା ଚର୍ଚ୍ଚା ହୁଏ। ରାଷ୍ଟ୍ରପତିଙ୍କୁ ପ୍ରଭାବିତ କରି କଂଗ୍ରେସ ସମୟରେ ଧାରା ୩୫୬ ଲଗାଯାଇ ଅନେକ ରାଜ୍ୟ ସରକାରଙ୍କୁ ଭଙ୍ଗା ଯାଇଥିବା ଅଭିଯୋଗ ହୁଏ।
ଏଥିପାଇଁ କେନ୍ଦ୍ରରେ ଶାସନ କରୁଥିବା ସବୁ ରାଜନୈତିକ ଦଳ ଚାହାଁନ୍ତି ସେମାନଙ୍କ ଦଳରୁ କେହି ଜଣେ ରାଷ୍ଟ୍ରପତି ହୁଅନ୍ତୁ। ଇନ୍ଦିରା ଠୁ ଆରମ୍ଭ କରି ସୋନିଆ ଯାଏଁ, ସେହିପରି ମୋଦି ସରକାର ମଧ୍ୟ ପୂର୍ବରୁ ରାଷ୍ଟ୍ରପତି ଭାବେ ବରିଷ୍ଠ ବିଜେପି ନେତା ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭାବେ ବାଛିଥିବା ବେଳେ ବର୍ତ୍ତମାନ ଦ୍ରୌପଦୀ ମୁର୍ମୁଙ୍କୁ ବାଛିଛନ୍ତି। ତେବେ ଏ ସବୁରୁ ବ୍ୟତିକ୍ରମ ଥିଲେ ଅଟଳ ବିହାରୀ ବାଜପାୟୀ। ସେ ଏପିଜେ ଅବଦୁଲ କଲାମଙ୍କୁ ରାଷ୍ଟ୍ରପତି କରିଥିଲେ, ଯାହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)