• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ସନ୍ତୁଳିତ ଆହାର ବିଷୟରେ ଆପଣ ନିଶ୍ଚୟ ପଢିଥିବେ। ହେଲେ ଖାଲି ଯେ ଆବଶ୍ୟକୀୟ ମାତ୍ରା ଏବଂ ପ୍ରକାରର ଖାଦ୍ୟସାରକୁ ନିଜ ଖାଦ୍ୟ ସାରଣୀରେ ସାମିଲ କରିଦେଲେ ଆପଣଙ୍କୁ ତା'ର ସୁଫଳ ମିଳିଯିବ ତାହା ଏକଦମ ଭୁଲ ଧାରଣା। ସନ୍ତୁଳିତ ଆହାର ସହ ଦୈନନ୍ଦିନ ଜୀବନରେ କେତୋଟି ସନ୍ତୁଳିତ ବ୍ୟବହାର ଆପଣଙ୍କୁ ତା’ର ସଠିକ୍ ଫଳ ଦେଇପାରିବ:

ବାଲାନ୍ସଡ୍ ମିଲ୍:

ଆପଣଙ୍କ ଗ୍ରହଣ କରୁଥିବା ମୁଖ୍ୟ ଭୋଜନରେ ଶ୍ୱେତସାର (ଶଷ୍ୟଜାତ), ପୁଷ୍ଟିସାର(ମାଛ, ଅଣ୍ଡା,ମା°ସ), ସ୍ନେହସାର (ଭେଜିଟେବଲ୍ ଅଏଲ୍, ନଟ୍ସ) ନିଶ୍ଚୟ ଗ୍ରହଣ କରନ୍ତୁ। ଏହା ଛଡା ପନିପରିବା ଏବଂ ଫଳ ଆପଣଙ୍କ ଶରୀରର ଭିଟାମିନ୍ସ ଏବଂ ମିନେରାଲ୍ସର ଆବଶ୍ୟକତା ପୂରଣ କରିବା ପାଇଁ ଜରୁରୀ। କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟ ମଧ୍ୟ ନିଜ ଭୋଜନ ତାଲିକାରେ ଯୋଡନ୍ତୁ।

ରୁଲ୍ ୮୦/୨୦:

ଗୋଟିଏ ମାସରେ ଆପଣ ଗ୍ରହଣ କରୁଥିବା ଖାଦ୍ୟର ୮୦% ଘରତିଆରି, ତଟକା ଏବଂ ସୁସ୍ଥ ହେବା ଉଚିତ। ମଝିରେ ମଝିରେ ପାଟି ସୁଆଦ ପାଇଁ ଷ୍ଟ୍ରିଟ୍ କିମ୍ବା ଫାଷ୍ଟଫୁଡ ନେଇ ପାରନ୍ତି, ଯାହାକି ଆପଣଙ୍କ ଖାଦ୍ୟର ୨୦% ହେବା କଥା। ତାହେଲେ ଯାଇ ଆପଣ ୮୦% ରିଲାକ୍ସ ହୋଇପାରିବେ।

ଡାଏଟି° କୁ ନା':

ନିଜ ଓଜନ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଡାଏଟି° ଉପରେ ନିର୍ଭର କରିବା ମୂର୍ଖାମି। ନିଜ ଖାଦ୍ୟ ତାଲିକା ଏବଂ ପରିମାଣକୁ ସୀମିତ କରିବା ଦ୍ଵାରା ଅନେକ ଡେଫିସିଏନ୍ସି ବା ଷୁଷ୍ଟିହୀନତାର ଶୀକାର ହୋଇଥାନ୍ତି। ଡାଏଟି° ଦ୍ଵାରା ଓଜନ ନିୟନ୍ତ୍ରଣ ଏକ ସାମୟିକ ବା ଟେମ୍ପରାରୀ ସମାଧାନ।

ଫୁଡ୍ ଡାଏରୀ:

ନିଜ ଖାଦ୍ୟାଭ୍ୟାସ ଉପରେ ନଜର ରଖିବା ପାଇଁ ଆପଣ ଫୁଡ୍ ଡାଏରୀ ମେଣ୍ଟେନ୍ କରିପାରିବେ। ଏହା ସହଜରେ ଆପଣଙ୍କୁ ସପ୍ତାହ ଏବଂ ମାସ ଶେଷରେ କେତେ ହେଲ୍‌ଦି ଏବଂ କେତେ ଜଙ୍କ୍ ଫୁଡ୍ ଗ୍ରହଣ କରିଛନ୍ତି ଟ୍ରାକ୍ ରଖିବାରେ ସାହାଯ୍ୟ କରିବ। ଆଜିକାଲି ଅନେକ ଆପ୍ ମଧ୍ୟ ଉପଲବ୍ଧ ହେଲାଣି ଯାହା ଆପଣ ଦିନସାରା ଗ୍ରହଣ କରିଥିବା ଖାଦ୍ୟରେ ଥିବା ଖାଦ୍ୟସାର, କ୍ୟାଲୋରୀ ଏବଂ ଆପଣଙ୍କ ପରିଶ୍ରମ ଅନୁସାରେ ଏହା ଅଧିକ କି ଯଥେଷ୍ଟ କି କମ ହିସାବ କରି ଦେଖାଇଦିଏ। ୟା ଛଡା କେଉଁ ଭିଟାମିନ୍ସ ବା ମିନେରାଲ୍ସର ଅଭାବର ସମ୍ଭାବନା ଅଛି ତାହା ମଧ୍ୟ ଜଣାଇଦିଏ ଓ ଫୁଡ୍ ସଜେସନ୍ ବି ଦିଏ।

ପାନୀୟ ଦ୍ରବ୍ୟ ଉପରେ ଧ୍ୟାନ:

ପାଣିକୁ ହିଁ ପାନୀୟ ହିସାବରେ ପ୍ରଧାନ୍ୟ ଦିଅନ୍ତୁ, ଏହା ଶରୀରର ଖାଦ୍ୟ ଅବଶୋଷଣ, ମେଟାବୋଲିଜିମ୍, ନିଷ୍କାସନ ପ୍ରକ୍ରିୟା ପାଇଁ ନିହାତି ଜରୁରୀ। ଏହା ଛଡା କ୍ଷୀର, ଘୋଳଦହି, ତୋରାଣି, ଜୁସ୍ ଏବଂ ସ୍ମୁଦି ମଧ୍ୟ ଉପକାରୀ। କିନ୍ତୁ ବଜାରରେ ଉପଲବ୍ଧ ଏହି ସବୁ ପ୍ୟାକକୁ କିଣିବା ଆଗରୁ ସେଥିରେ ଥିବା ସୁଗାର ଏବଂ ଫ୍ୟାଟ୍‌ର ମାତ୍ରା ପ୍ରତି ଧ୍ୟାନ ଦିଅନ୍ତୁ। ସେହିପରି ଚା' ଏବଂ କଫିର ସେବନ ଅଧିକ ନ କରିବା ଭଲ, ଏହା ଅନେକ ସମୟରେ ଡିହାଇଡ୍ରେସନର କାରଣ ହୋଇଥାଏ। ନିଜ ଆଲକୋହଲ୍ ଗ୍ରହଣକୁ ମଧ୍ୟ କେବଳ ଦିନେ-ଅଧେ ପାର୍ଟି ପର୍ଯ୍ୟନ୍ତ ସୀମିତ ରଖନ୍ତୁ।

ହେଲ୍‌ଦି ଅଲ୍ଟରନେଟିଭ୍:

ମୁଖ୍ୟ ମିଲ୍ ଛଡା ଅଲଗା ସମୟର ଭୋକ ପାଇଁ ଚାଟ୍ ମସଲା ସହ ଫ୍ରୁଟ୍‌/ ଭେଜିଟେବଲ୍/ ସ୍ପ୍ରାଉଟ୍ସ ସାଲାଡ୍/ ମିକ୍ସଡ ନଟ୍ସ ଭଲ। ସେମିତି ମିଠା ଖାଇବାକୁ ଇଚ୍ଛା ହେଲେ ଡ୍ରାଏ ବେରୀ କିମ୍ବା କେନ୍‌ଡ୍ ଫ୍ରୁଟ୍ସ ଭଲ ଉପାୟ। ସେମିତି ଘର ତିଆରି ଦହି, ସ୍ମୁଦି, ଚିଆ ପୁଡି° ମଧ୍ୟ ବଜାରରେ ଉପଲବ୍ଧ ପ୍ୟାକେଜ୍ଡ ଖାଦ୍ୟ ଅପେକ୍ଷା ସୁସ୍ଥକର।

ଭଲ-ଖରାପ କନସେପ୍ଟକୁ ନା':

ଯଦି କୌଣସି ଖାଦ୍ୟ ପ୍ରତି ଆଲର୍ଜି ନାହିଁ ପାଟିକୁ ଭଲ ନ ଲାଗିଲେ ବି ଗ୍ରହଣ କରନ୍ତୁ। ସବୁ ଖାଦ୍ୟରେ ସବୁ ପ୍ରକାରର ଖାଦ୍ୟସାର ନଥାଏ। ଭଲ-ଖରାପ ଖାଦ୍ୟର କନସେପ୍ଟ ଠାରୁ ଦୂରେଇ ରୁହନ୍ତୁ। କୌଣସି ଗୋଟିଏ ପ୍ରକାର ଖାଦ୍ୟକୁ ଅତ୍ୟଧିକ ମାତ୍ରାରେ ଏବଂ ଅନ୍ୟଟିକୁ ଏକଦମ୍ କମ୍ ଏମିତି ନକରି ସନ୍ତୁଳିତ ମାତ୍ରାରେ ଖାଆନ୍ତୁ।

ଶାରୀରିକ ବ୍ୟାୟାମ:

କେବଳ ଯେ ସନ୍ତୁଳିତ ଆହାର ସାରଣୀ ହିସାବରେ ଖାଇଦେଲେ ସୁଫଳ ମିଳିଯିବ ତା' ନୁହେଁ। ଏଥିପାଇଁ ନିୟମିତ ଶାରୀରିକ ବ୍ୟାୟାମ ମଧ୍ୟ ଜରୁରୀ। ବ୍ୟାୟାମର ଅର୍ଥ ଜିମ୍ ଯିବା, କଠିନ ଏକ୍ସରସାଇଜ୍ କରିବା, ଏରୋବିକ୍ସ କିମ୍ବା ଜୁମ୍ବା ଆଦୌ ନୁହେଁ। ସପ୍ତାହକୁ ଅତିକମରେ ପାଞ୍ଚ ଦିନ ୩୦ ମିନିଟର ବ୍ରିସ୍କ ୱାକି° ମଧ୍ୟ ଅତ୍ୟନ୍ତ ଉପକାରୀ। ଧୀରେ ଧୀରେ ଏହି ୱାକି°କୁ ଜଗି° ଏବଂ ରନି° ଅଭ୍ୟାସରେ ପରିଣତ କରନ୍ତୁ।

ନିଜ ଲକ୍ଷ୍ୟ ଏବଂ ଚାହିଦା ମନେରଖନ୍ତୁ:

ସିନେ ତାରକା କିମ୍ବା ଆଖପାଖର ଲୋକଙ୍କୁ ଦେଖି ପ୍ରଭାବିତ ନ ହୋଇ ପ୍ରଥମେ ନିଜର ଲକ୍ଷ୍ୟ ସ୍ଥିର କରନ୍ତୁ। ଆପଣ ନିଜେ ଜାଣିରଖିବା ଉଚିତ ଯେ କ'ଣ ପାଇଁ ନିଜ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛନ୍ତି। ଓଜନ ହ୍ରାସ ପାଇଁ ନା' ବଡି ବିଲ୍ଡିଂ/ ମା°ସପେଶୀ ମଜବୁତ୍ ପାଇଁ ନା' ଫିଟ୍ ରହିବା ପାଇଁ ନା' କେବଳ ଦୈନନ୍ଦିନ କାର୍ଯ୍ୟକୁ ସୂଚାରୁ ଭାବରେ କରିପାରିବା ପାଇଁ; ସେଇ ଅନୁସାରେ ନିଜର ଖାଦ୍ୟ ଏବଂ ବ୍ୟାୟାମ ଶୈଳୀ ଆପଣାନ୍ତୁ। ଆବଶ୍ୟକ ସ୍ଥଳେ ପ୍ରଫେସନାଲ୍ଙ୍କ ସାହାଯ୍ୟ ନେଇପାରନ୍ତି।

(ବିଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)