• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rudra Prasanna Rath

ଦୀର୍ଘଦିନ ଧରି ପାକିସ୍ତାନ କ୍ରିକେଟ୍ ଆତଙ୍କବାଦ କାରଣରୁ ବିଶ୍ୱ କ୍ରିକେଟ୍ ଠାରୁ ଅଲଗା ହୋଇପଡିଥିଲା। ବିଭିନ୍ନ ବିଦେଶୀ ଦଳର ଖେଳାଳୀଙ୍କ ଉପରେ ଆତଙ୍କବାଦ ଆକ୍ରମଣ ପାଇଁ ପାକିସ୍ତାନ ଆସି ଖେଳିବାକୁ କେହି ରାଜି ହେଉ ନଥିଲେ। ଏଥିପାଇଁ ପାକିସ୍ତାନ କ୍ରିକେଟ୍‌କୁ ବହୁ ମୂଲ୍ୟଦେବାକୁ ପଡୁଥିଲା। ଦେଶରେ କ୍ରିକେଟ୍‌ର ସ୍ଥିତି ଧୀରେ ଧୀରେ ଦୁର୍ବଳ ହୋଇଆସୁଥିଲା। ପାକିସ୍ତାନ କ୍ରିକେଟ୍ ଆର୍ଥିକ ସଂକଟ ଦେଇ ଗତି କରୁଥିଲା। ଏହା ନିଜର କ୍ରିକେଟ୍ ସ୍ଥିତି ବଞ୍ଚାଇବାକୁ ପାକିସ୍ତାନ ୟୁଏଇ ଠାରେ ଖେଳିବାକୁ ବାଧ୍ୟ ହେଉଥିଲା। ଶ୍ରୀଲଙ୍କା, ଜିମ୍ବାୱେ, ବାଂଲାଦେଶ ଏବଂ ୱେଷ୍ଟ୍‌ ଇଣ୍ଡିଜ୍ ଉପରେ ଭରସା କରି ଏହା ଯେନେତେନେ ପ୍ରକାରେ ନିଜର ସ୍ଥିତି ଜାହିର୍ କରିପାରୁଥିଲା। ଭାରତ, ଅଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ସହ ପାକିସ୍ତାନ ବିଶେଷ ଖେଳିବାର ସୁଯୋଗ ପାଉ ନଥିଲେ। ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲ୍‌ରେ ବ୍ୟାନ୍ କରାଯାଇଥିବାରୁ ଖେଳାଳିମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ କ୍ଷତିର ସମ୍ମୁଖୀନ ହେଉଥିଲେ।

ତେବେ ୨୦୨୧ ପାକିସ୍ତାନ କ୍ରିକେଟ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ଟି-୨୦ରେ ପାକିସ୍ତାନର ଦମଦାର ଖେଳ ପ୍ରଦର୍ଶନ। ପାକିସ୍ତାନ ଏହି ବର୍ଷରେ ୨୦ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ବିଜୟୀ ହେବା ସହ ବିଶ୍ୱରେକର୍ଡ କରିଥିଲା। ଏକଦିବସୀୟ ଏବଂ ଟେଷ୍ଟ୍‌ ମ୍ୟାଚ୍ କମ୍ ଖେଳିଥିଲେ ବି ଏକାଧିକ ଖେଳାଳି ବିଶ୍ୱସ୍ତରରେ ନିଜର ପ୍ରଦର୍ଶନର ଛାପ ଛାଡିଥିଲେ। ବାବର ଆଜମ୍, ଶାହୀନ୍‌ଶାହା ଆଫ୍ରିଦି ଏବଂ ମହମ୍ମଦ ରିଜ୍‌ଓ୍ୱାନ୍‌ ପ୍ରମୁଖ ଖେଳାଳିଭାବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ ଏମାନଙ୍କୁ ଏବେ ପାକିସ୍ତାନ କ୍ରିକେଟ୍‌ରେ ଲିଜେଣ୍ଡ୍‌ ଆଖ୍ୟା ଦିଆଯାଇଛି। ମହମ୍ମଦ ରିଜ୍‌ଓ୍ୱାନ୍‌ ତ ଗୋଟିଏ କ୍ୟାଲେଣ୍ଡ୍‌ର ବର୍ଷରେ ଟି-୨୦ରେ ଦୁଇହଜାର ରନ୍‌ ସଂଗ୍ରହ କରିପାରିଥିଲେ। ଏହା ମଧ୍ୟ ଏକ ବିଶ୍ୱ ରେକର୍ଡ। ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଲଗାତାର ପାଞ୍ଚଟି ମ୍ୟାଚ୍ ଜିତି ସେମିଫାଇନାଲ୍‌କୁ ଯାଇ ପାରିଥିଲା। ଭାରତ ବିପକ୍ଷରେ ୧୦ ଓ୍ୱିକେଟ୍‌ରେ ବିଜୟ ପାକିସ୍ତାନ କ୍ରିକେଟ୍ ପାଇଁ ୨୦୨୧ର ସର୍ବଶ୍ରେଷ୍ଠ ଉପଲବ୍ଧି ବୋଲି ଅଚିରେ କୁହାଯାଇପାରିବ। ପାକିସ୍ତାନର ଉପରୋକ୍ତ୍ ତିନି ଲିଜେଣ୍ଡଙ୍କ ସହାୟତାରେ ପ୍ରଥମଥର ପାଇଁ ପାକିସ୍ତାନ ବିଶ୍ୱକପ୍‌ରେ ଭାରତକୁ ହରାଇ ପାରିଥିଲ।

ପାକିସ୍ତାନ ଦଳର ସଫଳତାରେ ଉତ୍ସାହିତ ହୋଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ହେଡ୍ କୋଚ୍, ବ୍ୟାଟିଂ କୋଚ୍, ବୋଲିଂ କୋଚ୍ , ଫିଲ୍ଡିଂ କୋଚ୍‌ ସହ ପାଓ୍ୱାର ହିଟିଂ କୋଚ୍ ନିମେନ୍ତେ ବିଜ୍ଞାପନ ଦେଇଛି ଏହି ପାଓ୍ୱାର ହିଟିଂ କୋଚ୍ ଏକବିଂଶ ଶତାଦ୍ଦୀର ତୃତୀୟ ଦଶନ୍ଧିରେ ପାକିସ୍ତାନ କ୍ରିକେଟକୁ ବହୁ ଆଗକୁ ନେଇଯିବ ବୋଲି ପିସିବି ଆଶା ରଖିଛି।

୨୦୨୨ ପାକିସ୍ତାନ କ୍ରିକେଟ୍ ପାଇଁ ବେଶ୍ ଘଟଣାବହୁଳ ରହିବ। ପାକିସ୍ତାନ କ୍ରିକେଟ୍ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରୁଛି। ୨୦୨୨ ଜାନୁୟାରୀ / ଫେବୃୟାରୀରେ ପାକିସ୍ତାନ କ୍ରିକେଟ୍ ଲିଗ୍ ଆରମ୍ଭ ହେବ। ମାର୍ଚ୍ଚ ଏପ୍ରିଲରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନକୁ ତିନୋଟି ଟେଷ୍ଟ୍‌, ତିନୋଟି ଏକଦିବସୀୟ ଏବଂ ଗୋଟିଏ ଟି-୨୦ ଖେଳିବାକୁ ଆସିବ। ଜୁଲାଇ / ଅଗଷ୍ଟରେ ପାକିସ୍ତାନ ଶ୍ରୀଲଙ୍କା ଯିବ। ସେଠି ଦୁଇଟି ଟେଷ୍ଟ୍‌ ଏବଂ ତିନୋଟି ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଖେଳିବ। ଅକ୍ଟୋବରରେ ଇଂଲଣ୍ଡ ୫ଟି ଏକଦିବସୀୟ ଖେଳିବାକୁ ଏବଂ ଅକ୍ଟୋବର ନଭେମ୍ବରରେ ନିଉଜିଲ୍ୟାଣ୍ଡ୍‌ ଦୁଇଟି ଟେଷ୍ଟ ଏବଂ ୫ଟି ଏକଦିବସୀୟ ଖେଳିବାକୁ ପାକିସ୍ତାନ ଆସିବାର କାର୍ଯ୍ୟକ୍ରମ ରହିଛି। ପୁଣି ଆଉଥରେ ନଭେମ୍ବରରେ ପାକିସ୍ତାନ ଆସି॥ ଇଂଲଣ୍ଡ ଏଥିରେ ତିନୋଟି ଟେଷ୍ଟ୍‌ ଖେଳିବାକୁ ଆସିବ। ସେପ୍ଟେମ୍ବରରେ ପାକିସ୍ତାନ ଦଳ ଏସିଆ କପ୍ ଖେଳିବ ଆଉ ଅକ୍ଟୋବର ଏବଂ ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଖେଳିବାକୁ ଯିବ। ମୋଟ ଉପରେ ଉଭୟ ଟେଷ୍ଟ୍‌, ଏକଦିବସୀୟ ଏବଂ ଟି-୨୦ ଖେଳିବାକୁ ପାକିସ୍ତାନ ପାଖରେ ପ୍ରଚୁର ସୁଯୋଗ ଅଛି। ୨୦୨୨ ମାର୍ଚ୍ଚରୁ ୨୦୨୩ ଏପ୍ରିଲ୍ ଭିତରେ ପାକିସ୍ତାନ ନିଉଜିଲ୍ୟାଣ୍ଡ୍‌, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷରେ ଆଠଟି ଟେଷ୍ଟ୍‌, ୧୧ଟି ଏକଦିବସୀୟ ଏବଂ ୧୩ଟି ଟି-୨୦ ଖେଳିବ।

ଅଧିକାଂଶ ଘରୋଇ ସିରିଜ୍‌ ପାଇଁ ପାକିସ୍ତାନ ୟୁଏଇକୁ ବିକଳ୍ପ ଭେନ୍ୟୁ ରୂପେ ପ୍ରସ୍ତୁତ କରି ରଖିଛି। ଯଦି କୌଣସି କାରଣରୁ ପାକିସ୍ତାନରେ କ୍ରିକେଟ୍ ସମ୍ଭବ ହୋଇ ନପାରେ ସେ କ୍ଷେତ୍ରରେ ଦଳ ୟୁଏଇରେ ଖେଳିବ। ବଡ କଥା ହେଉଛି ଯେ ୨୦୨୫ରେ ପାକିସ୍ତାନ ଚାମ୍ପିୟାନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି। ପାଖାପାଖି ୩ ଦଶନ୍ଧି ପରେ କ୍ରିକେଟ୍ ପ୍ରିୟ ଏହି ଦେଶକୁ କ୍ରିକେଟ୍ ଫେରିବାକୁ ଯାଉଛି। ଶେଷଥର ପାଇଁ ୧୯୯୬ରେ ଭାରତ ସହ ମିଶି ପାକିସ୍ତାନ ବିଶ୍ୱକପ୍‌ କ୍ରିକେଟ୍‌ର ଆୟୋଜନ କରିଥିଲା। ମୋଟ୍ ଉପରେ କହିବାକୁ ଗଲେ ବିଶ୍ୱ କ୍ରିକେଟ୍‌ରେ ପାକିସ୍ତାନ ନିଜର ହଜିଯାଇଥିବା ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ଏଥିପାଇଁ ଇସ୍‌ଲାମାବାଦରେ ଏକ ସ୍ୱତନ୍ତ୍ର ହାଇଟେକ୍ ଷ୍ଟାଡିୟମ ନିର୍ମାଣ କରାଯିବାର ଯୋଜନା ରହିଛି।

ତେବେ ଏସବୁ ନିର୍ଭର କରେ ପାକିସ୍ତାନର ରାଜନୈତିକ ଇଚ୍ଛାଶକ୍ତି ଉପରେ। ଅନେକ ସମୟରେ ପାକିସ୍ତାନର ରାଜନୈତିକ ପାଣିପାଗ ତୁରନ୍ତ ବଦଳିଯାଇଥାଏ। ପାକିସ୍ତାନରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା କୌଣସି ସରକାର କେବେ ବି ନିଜର କାର୍ଯ୍ୟକାଳ ପୂରା କରିପାରି ନାହିଁ। ସେଠାରେ ସରକାର ଉପରେ ସେନା ନିଜର ଆଧିପତ୍ୟ ଜାହିର କରିଥାଏ। ଅତୀତରେ ରାତି ଅଧରେ ସରକାର ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ ହଟାଇ ଦେଇଛି ଏବଂ ସେନାର ଏହି ମନମାନୀର ମୂଲ୍ୟ କ୍ରିକେଟ୍‌କୁ ଦେବାକୁ ପଡିଛି। ପୁଣି ଆତଙ୍କବାଦକୁ ନିଜର ରାଷ୍ଟ୍ରନୀତି କରିଥିବା ପାକିସ୍ତାନ ଆତଙ୍କବାଦୀମାନଙ୍କ ଉପରେ କୌଣସି କଟକଣା ଲଗାଇ ପାରୁ ନାହିଁ। ଆତଙ୍କବାଦ ସବୁବେଳେ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାକୁ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଟାଗେର୍ଟ୍ କରିଥାଆନ୍ତି।

2022 is a year of hope and potential for Pakistan cricketପାକିସ୍ତାନ କ୍ରିକେଟ୍ ପାଇଁ ୨୦୨୨ ଆଶା ଏବଂ ସମ୍ଭାବନାର ବର୍ଷ

ଏମାନଙ୍କ କବ୍ଜାରୁ ପାକିସ୍ତାନ ସରକାର କ୍ରିକେଟ୍‌କୁ ରକ୍ଷା କରିବାରେ ବିଫଳ ହୋଇଛି। ୨୦୨୨ରେ ଅନେକ ନାମୀଦାମୀ ବିଦେଶୀ ଦଳ ପାକିସ୍ତାନକୁ କ୍ରିକେଟ୍ ଖେଳିବା ନେଇ ଆସିବାର ଥିବାବେଳେ ଏହିସବୁ ଦଳମାନଙ୍କୁ ସୁରକ୍ଷା ଯୋଗାଇ ଠିକ୍ ଠାକ୍ ଖେଳ ଆୟୋଜନ କରିବା ପାକିସ୍ତାନ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହେବ। ପାକିସ୍ତାନ କ୍ରିକେଟ୍ ନିଜର ପାରିବାରପଣିଆକୁ ଦେଖାଇବା ପାଇଁ ସଂପୂର୍ଣ୍ଣରୂପେ ପ୍ରସ୍ତୁତି କରୁଛି। ଉଦାହରଣସ୍ୱରୂପ ପାକିସ୍ତାନ ଏବେ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଆୟୋଜିତ ଘରୋଇ ଶୃଙ୍ଖଳାକୁ ନେଇ ଯେଉଁଭଳିଭାବେ ସୁରକ୍ଷା ବନ୍ଦୋବସ୍ତ କରିଥିଲା ତାହା ଦେଖିଲା ପରି ଥିଲା। ଏହି ସିରିଜ୍‌ରେ ୮୮୯ କମାଣ୍ଡୋ, ୩୮୨୨ କନେଷ୍ଟବଳ, ହେଡ୍‌ କନେଷ୍ଟବଳ, ୫୦୦ ଆର୍‌ପିଏଫ୍‌, ୪୬ ଡିଏସ୍‌ପି, ୩୧୫ ଏନ୍‌ଜିଓ, ୫୦ ମହିଳା ପୁଲିସ୍ ସୁରକ୍ଷା କାମରେ ଲାଗିଥିଲେ। ମୋଟ ଉପରେ ନିଜ ଦେଶରେ କ୍ରିକେଟ୍‌କୁ ବଞ୍ଚାଇ ଆଗକୁ ବଢାଇବାକୁ ଯେ ପାକିସ୍ତାନ ସବୁ ଚେଷ୍ଟା କରିବା ପାଇଁ ପ୍ରସ୍ତୁତ ତାହା ଏହି ସୁରକ୍ଷା ବନ୍ଦୋବସ୍ତରୁ ଜଣାପଡୁଥିଲା।

ପାକିସ୍ତାନ କ୍ରିକେଟ୍ ଯଦି ଏହି ଚ୍ୟାଲେଞ୍ଜ୍‌କୁ ଅତିକ୍ରମ କରିପାରିଲା ତାହା ହେଲେ ପାକିସ୍ତାନ କ୍ରିକେଟ୍ ପାଇଁ ଏହା ବହୁତ ବଡ କଥା ହେବ। ଆଉ ଯଦି ଏହି ଚ୍ୟାଲେଞ୍ଜ୍‌କୁ ଅତିକ୍ରମ କରି ନ ପାରିଲା ତେବେ ଆଗାମୀ ଦିନ ଏହା ପାଇଁ ଆହୁରି କଷ୍ଟକର ହେବ। ହୁଏତ ୨୦୨୫ ପାଇଁ ମିଳିଥିବା ଚାମ୍ପିୟାନ୍ସ ଟ୍ରଫି ଆୟୋଜନର ଦାୟିତ୍ୱ ପାକିସ୍ତାନ ହାତରୁ ଛଡାଇ ନେବା ପାଇଁ ଦାବି ଉଠିବା ଅସମ୍ଭବ ନୁହେଁ। ମୋଟ ଉପରେ ୨୦୨୨ ପାକିସ୍ତାନ କ୍ରିକେଟ୍ ପାଇଁ ଆଶା ଏବଂ ସମ୍ଭାବନାର ବର୍ଷ ବୋଲି କହିଲେ ଭୁଲ ହେବ ନାହିଁ। ଯଦି ଏହି ବର୍ଷ ପାକିସ୍ତାନ ପାଇଁ ଠିକ୍ ଠାକ୍ ଚାଲେ ତେବେ ପାକିସ୍ତାନ କ୍ରିକେଟ୍‌ର ଦଶା ଏବଂ ଦିଶା ବଦଳିଯିବାକୁ ବେଶୀ ସମୟ ଲାଗିବ ନାହିଁ।

ଧବଳଗିରି, ଯାଜପୁର ରୋଡ୍‌

ଦୂରଭାଷ: ୭୯୭୮୬୭୧୭୭୬