• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଉଁଶ ଭାଡ଼ିରେ ତିଆରି ହୋଇଛି ପାଇଖାନା, ତାହା ପୁଣି ନଦୀ ଭିତରେ । ଲୋକେ ଥଟ୍ଟାମଜାରେ କହୁଛନ୍ତି, ଏପରି ହାଇଟେକ୍ ସ୍ମାର୍ଟ ପାଇଖାନା ଦୁନିଆରେ କେଉଁଠି ନଥିବ । ହେଲେ ବନ୍ଦର ନଗରୀ ପାରାଦୀପରେ ଆପଣ ଦେଖିବାକୁ ମିଳିବ ଏପରି ପାଇଖାନା । ୨୦୧୮ ମସିହାରୁ ପାରାଦୀପ ପୌରପାଳିକା ଅଞ୍ଚଳକୁ ବାହ୍ୟ ମଳମୁକ୍ତ ଅଞ୍ଚଳ ଭାବେ ଘୋଷଣା ସରିଛି । ତାସତ୍ତ୍ୱେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ପାରାଦୀପରେ । କେବଳ ସେତିକି ନୁହେଁ, ସମୁଦ୍ର ବେଳାଭୂମିଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ସବୁଠି ଖୋଲାମେଲାରେ ମଳ ତ୍ୟାଗ କରୁଛନ୍ତି ଲୋକେ । ଏପଟେ କିନ୍ତୁ ପାରାଦୀପ ପୌରପାଳିକା ପୁରସ୍କାର ପରେ ପୁରସ୍କାର ପାଇ ଚାଲିଛି ।

ନଦୀ ଉପରେ ବାଉଁଶରେ ତିଆରି ହୋଇଛି ଛୋଟ ଛୋଟ କୁଡିଆ ସଦୃଶ । ଏହା କିନ୍ତୁ ପ୍ରକୃତରେ କୌଣସି କୁଡିଆ ନୁହେଁ । ଏହା ହେଉଛି ପାଇଖାନା । ପାରାଦୀପ ଲକ୍‌ପଡା ବସ୍ତିର କଳାବୁଦା ନଦୀ ହେଉ କିମ୍ବା ବାଲିଝରା ବସ୍ତିର ବଟନଦୀ ନଚେତ୍ ବୃନ୍ଦାବନ କଲୋନୀ ବସ୍ତିର ଅଠରବାଙ୍କି ନଦୀ । ସବୁଠି ଆପଣ ଦେଖିବାକୁ ପାଇବେ ଏମିତି ଦେଶୀ ପାଇଖାନା । ନଦୀ ଭିତରେ ବାଉଁଶ ଭାଡି ବାନ୍ଧି ଲୋକେ ସିଧାସଳଖ ନଦୀ ଜଳରେ ମଳତ୍ୟାଗ କରୁଛନ୍ତି । ପୁଣି ନଦୀ ଭିତରେ ପାଇଖାନା ତିଆରି ହୋଇଥିବାରୁ ସେଠାକୁ ଯିବା ଲାଗି ବାଉଁଶ ପୋଲ ବି ତିଆରି ହୋଇଛି ।

ନଦୀରେ ସିଧାସଳଖ ମଳ ମିଶୁଥିବାରୁ ଦୂଷିତ ହେଉଛି ଜଳ । ବାୟୋଓ୍ୱଷ୍ଟର ପରିମାଣ ଅଧିକ ହେବାରୁ ଜଳଜୀବଙ୍କ ପାଇଁ ପାଲଟୁଛି ବିପଦର କାରଣ । ସେପଟେ ନୂଆବଜାରଠାରୁ ନେଇ ଷଣ୍ଢକୁଦ ବସ୍ତି ପର୍ଯ୍ୟନ୍ତ ବିଭିନ୍ନ ବସ୍ତି ନିକଟ ସମୁଦ୍ର ବେଳାଭୂମି ଏବଂ ରାସ୍ତାଘାଟରେ ଖୋଲାମେଲାରେ ମଳତ୍ୟାଗ କରୁଛନ୍ତି ଲୋକେ ।  ଏଥିପାଇଁ ଅପରିଷ୍କାର ଅପରିଚ୍ଛନ୍ନ ପରିବେଶ ସୃଷ୍ଟି ହେଉଛି । ଗୋଟିିଏ ପଟେ ଲୋକେ ସଚେତନ ହେଉନାହାନ୍ତି, ଅନ୍ୟପଟେ ପ୍ରଶାସନ ବି ସଠିକ ଭାବେ ତାଗିଦ୍ କରୁନି ବୋଲି ଅଭିଯୋଗ ହେଉଛି । 

୨୦୧୮ ମସିହାରୁ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଅଂଚଳ ଭାବେ ପାରାଦୀପ ପୌରାଞ୍ଚଳକୁ ଘୋଷଣା କରାଯାଇଛିି । କିନ୍ତୁ ବାସ୍ତବରେ ୧୯ଟି ଓ୍ୱାର୍ଡରେ ଥିବା ୨୫ରୁ ଅଧିକ ବସ୍ତିର ପରିବେଶ କଥା ନ କହିବା ଭଲ । ପୂର୍ବରୁ ସ୍ୱଚ୍ଛତା ପାଇଁ ପାରାଦୀପ ପୌରପାଳିକା ପୁରସ୍କୃତ ହୋଇଥିବା ବେଳେ ଚଳିତବର୍ଷ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛି ଇନୋଭେଟିଭ୍ ଆଇଡିଆ ଲାଗି । ସେପଟେ ପୌର କର୍ତୃପକ୍ଷ କହିଛନ୍ତି, ୩ ହଜାରରୁ ଅଧିକ ବ୍ୟକ୍ତିଗତ ଶୌଚାଳୟ ଲୋକଙ୍କୁ ଦିଆଯାଇଛି । ଅନେକ ଗୋଷ୍ଠୀ ଶୌଚାଳୟ ତିଆରି ହୋଇଛି । ଆଗକୁ ଆହୁରି ତିଆରି କରାଯିବ । ତେବେ ନଦୀରେ ପାଇଖାନା କରିବା କଥା ନଜରରେ ନାହିଁ । ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । 

(ରିପୋର୍ଟ- ରମାକାନ୍ତ ନାୟକ, ପାରାଦୀପ)