• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚାଷ ପ୍ରେମରେ ଚାକିରିଆ ଦମ୍ପତ୍ତି । ତାହା ପୁଣି ଗରିବ ଲୋକଙ୍କ ମୁହଁରେ ମୁଠାଏ ଆହାର ଦେବା ପାଇଁ । ଆଉ ଏବେ ସେମାନେ ଗରିବଗୁରୁବାଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି । ୧୫ ଏକର ଜାଗାରେ ଫଳାଇଛନ୍ତି ଭଳିକି ଭଳି ଚାଷର ସମ୍ଭାର । ଆଉ ରୋଜଗାରର ମାଧ୍ୟମ ପାଲଟିଛି ତାଙ୍କ ଫାର୍ମ ହାଉସ । ଥରେ ଫାର୍ମ ହାଉସକୁ ବୁଲି ଦେଖିଲେ ଆଉ ଫେରିବାକୁ ମନ ହେବନି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଗାଁର ଚାକିରିଆ ଦମ୍ପତ୍ତି ତପନ କୁମାର ପ୍ରଧାନ ଓ ସ୍ତ୍ରୀ ସ୍ମିତା ପ୍ରଧାନ । ଉଭୟେ ନିଜ ଚାକିରୀରେ ବ୍ୟସ୍ତ ରହୁଥିଲେ ମଧ୍ୟ ଗାଁରେ ଥିବା ଫାର୍ମହାଉସ ସେମାନଙ୍କ ପାଇଁ ଜୀବନ କହିଲେ ଚଳେ । ଉଭୟେ ଉଚ୍ଚଶିକ୍ଷିତ । ତପନ ଭାରତର ଏକ ନାମୀ ଦମୀ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଉଚ୍ଚ ପଦସ୍ଥ ପଦବୀରେ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ସ୍ମିତା ତାଳଚେର ସ୍ଥିତ ମହାନଦୀ କୋଲ ଫିଲଡ୍ସ ବା ଏମସିଏଲ(MCL)ର ଚାକିରିଆ ।

ଉଭୟେ ସଦାସର୍ବଦା ନିଜ ଚାକିରୀରେ ଲିପ୍ତ ରହିଥିଲେ ସୁଦ୍ଧା ଛୁଟି ଓ ଅବସର ସମୟରେ ସେମାନେ ସେମାନଙ୍କ ସମୟକୁ ନିଜ ଫାର୍ମ ହାଉସରେ ବିନିଯୋଗ କରନ୍ତି । ଫାର୍ମ ହାଉସରେ ଆମ୍ବ, ପିଜୁଳି ,ଆତ,ବିଦେଶୀ ଲେମ୍ବୁ ଠାରୁ ଆରମ୍ଭ କରି ନଡ଼ିଆ, କଦଳୀ, ଅମୃତଭଣ୍ଡା, ଛୁଇଁ,ପୋଟଳ,କୋବି, ବାଇଗଣ ,ଭେଣ୍ଡି ,ମୁଗ, ବିରି ଏବଂ ମାଛ ଓ କୁକୁଡ଼ା ପର୍ଯ୍ୟନ୍ତ ସବୁ ଦେଖିବାକୁ ମିଳିବ । ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ୭ ଗୋଟି ପରିବାରକୁ ରୋଜଗାର ଦେଇ ପାରିଛନ୍ତି । ତପନଙ୍କ ପାଇଁ ଫାର୍ମହାଉସରେ କାର୍ଯ୍ୟରତ ଶ୍ରମିକଙ୍କ ମୁହଁରେ ହସ ଦେଇ ପାରିଛି ।

ସେହିପରି ତପନଙ୍କ ଚାଷକୁ ନେଇ ଏବେ ସମଗ୍ର ଜିଲ୍ଲାରେ ବେଶ ଚର୍ଚ୍ଚା । ଏପରି ଚାଷ ସମ୍ପର୍କରେ ଶୁଣିବା ପରେ ଜିଲ୍ଲାପାଳ ସରୋଜ କୁମାର ସେଠି,ଏସପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ କୃଷି,ମତ୍ସ୍ୟ ଓ ଉଦ୍ୟାନ ବିଭାଗର ଅଧିକାରୀ,ସ୍ଥାନୀୟ ବିଡିଓ,ବ୍ଲକ ଅଧକ୍ଷା ଫାର୍ମହାଉସ୍‌ ଯାଇ ବୁଲି ଦେଖିଛନ୍ତି ।

ଆଉ ସମସ୍ତଙ୍କୁ ଆକୃଷ୍ଟ କରିଥିଲା ରାଞ୍ଚିର ପ୍ରସିଦ୍ଧ ପୋଟଳ ସ୍ଵର୍ଣ ଅଲୋକୀକ୍ । ସୁନା ପରି ଏହି ପୋଟଳର ଚାହିଦା ରହିଛି । ଯାହାର ବଜାର ମୂଲ୍ୟ କିଲୋ ପ୍ରତି ୧୨୦ ଟଙ୍କାରୁ ଅଧିକ ରହିଛି । ଏହି ଚାଷଟି ଡ୍ରିପ ଇରିଗେସନ ମାଧ୍ୟମରେ ଚାଷ କରାଯାଉଛି । ତପନଙ୍କ ୧୫ ଏକର ଚାଷ ଜମି ମଧ୍ୟରେ ବିଭିନ୍ନ ଭେରାଇଟର ଫସଲର ସମ୍ଭାର ଦେଖିବାକୁ ମିଳେ । ଫାର୍ମ ହାଉସ ମଧ୍ୟରେ ବୋରୱେଲ୍ ,ସ୍ପ୍ରିଙ୍କଲର ,ବଡ଼ ବଡ଼ ପୋଖରୀ ଆଦି ରହିଛି ।

ଚାକିରୀଆ ଦମ୍ପତିଙ୍କ ଚାଷ ପ୍ରେମ ଏବେ ଅନେକ ଗରିବଙ୍କ ଭାତହାଣ୍ଡି ପାଲଟିଛି । ଏଥିସହିତ ତପନ ଓ ସ୍ମିତାଙ୍କ ଏ ନିଆରା ପ୍ରୟାସ ଚାଷ ଓ ଚାଷୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି ।