/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665379282.jpg)
wood made support for 75 years old woman
ଭଗବାନ ଯାହାକୁ ରଖିବାକୁ ଚାହିଁବେ ତାକୁ କିଏ ମାରିବ ? ନାଁ ନିଆଁ ତାକୁ ଜାଳି ପାଉଁଶ କରିପାରିବ, ନାଁ ଅଥଳ ଜଳ ତାକୁ ବୁଡାଇ ପାରିବ ? ଯମର କାଳଫାଶ ଖୋଲିଯିବ ଭଗବାନଙ୍କ ଇଚ୍ଛା ପାଖରେ। ଅଥଳ ଜଳରେ କୁଟା ଖିଏ ବି ବୁଡି ଯାଉଥିବା ମଣିଷକୁ ଆଶ୍ରୟ ଦେବ। ଏକଥା ହୁଏତ ଅନେକେ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଉତ୍ତର ପ୍ରଦେଶର ଶାନ୍ତି ଦେବୀଙ୍କ ଅନୁଭୂତି ଶୁଣିଲେ ଏ କଥାକୁ ଆପଣ ଅବିଶ୍ୱାସ ବି କରିବେ ନାହିଁ।
ଫତେହପୁର ଜିଲ୍ଲା ସମାପୁର ଗାଁର ବାସିନ୍ଦା ଶାନ୍ତି ଦେବୀ। ୭୫ ବର୍ଷ ବୟସ୍କା ଶାନ୍ତି ଦେବୀ ମୃତ୍ୟୁ ସହ ଲଢି ଯେପରି ଜିତିଛନ୍ତି ସେ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସତେଯେମିତି ଶାନ୍ତି ଦେବୀଙ୍କ ହାତରେ ଥିବା ଏକ କାଠ ଖଣ୍ଡ ପାଖରେ ହାର ମାନି ଯାଇଥିଲା ମୃତ୍ୟୁ। ଶାନ୍ତି ଦେବୀ ଗାଧୋଇବା ପାଇଁ ଗଙ୍ଗା ନଦୀକୁ ଯାଇଥିଲେ। ଏହି ସମୟରେ ତାଙ୍କର ଗୋଡ ଖସିଗଲା। ଗଙ୍ଗା ନଦୀରେ ପଡିଗଲେ ଶାନ୍ତି ଦେବୀ।
ନଦୀର ପ୍ରଖର ସ୍ରୋତରେ ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲେ। କିଛି ବୁଦ୍ଧି ଦିଶି ନ ଥିଲା। ରାତି ଅନ୍ଧାରରେ କିଏ ବା ତାଙ୍କୁ ଦେଖିବ ଯେ ଉଦ୍ଧାର କିରବ ? ତଥାପି ଡରି ଯାଇ ନ ଥିଲେ। ଏହି ସମୟରେ ହାତରେ ପଡିଥିଲା ଏକ କାଠ ଖଣ୍ଡ। ଧରି ପକାଇଥିଲେ ଶାନ୍ତି ଦେବୀ। ନଦୀର ସ୍ରୋତ କୌଶାମ୍ଭୀ ଆଡକୁ ଥିଲା। ସେହି ବାଡିକୁ ଧରି ସେ ପହଁରିବାକୁ ଚେଷ୍ଟା କରିଥିଲେ। ସେ ଜାଣିଥିଲେ, ଏ ସୁଅ ମୁହଁରୁ ବଞ୍ଚିବା ତାଙ୍କ ପାଇ ମୁସ୍କିଲ। ତଥାପି ସେ ଶେଷ ପର୍ଯ୍ୟନ୍ତ ହାର ମାନି ନ ଥିଲେ। ସେ କାଠ ଖଣ୍ଡକୁ ଧରି ସେ ୪୦ କିଲୋମିଟର ଭାସି ଭାସି ଚାଲିଥିଲେ। କୌଶମ୍ଭୀ ନିକଟରେ ପହଞ୍ଚିବା ପରେ କିଛି ଲୋକ ଶାନ୍ତି ଦେବୀଙ୍କୁ ଦେଖିଥିଲେ। ସେମାନେ ପାଣିକୁ ଡେଇଁ ତାଙ୍କୁ କୂଳକୁ ଆଣିଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସ ଡକାଇ ତୁରନ୍ତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଏହି ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସେମାନେ ତୁରନ୍ତ କୌଶମ୍ଭୀରେ ପହଞ୍ଚିଥିଲେ । ଶାନ୍ତି ଦେବୀଙ୍କ ପୁତ୍ରଙ୍କ କହିବା ଅନୁଯାୟୀ, ମା ଗଙ୍ଗାକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଘରକୁ ଫେରି ନ ଥିଲେ। ସେଥିପାଇଁ ପରିବାର ଲୋକେ ଖୁବ ବ୍ୟସ୍ତ ଥିଲେ। ଶାନ୍ତି ଦେବୀଙ୍କୁ ପାଇ ସେମାନେ ବହୁତ ଖୁସି । ତେବେ ତାଙ୍କ ମୁହଁରୁ ମୃତ୍ୟୁ ସହ ସଂଘର୍ଷର ଏ କାହାଣୀ ଶୁଣି ସମସ୍ତ ସ୍ତବ୍ଧ । ଗୋଟିଏ କାଠ ଖଣ୍ଡ ଯେ ମୃତ୍ୟୁ ମୁହଁରୁ ତାଙ୍କୁ ଛଡେଇ ଆଣିଛି ଏ କଥା ଭାବି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)