• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋବାଇଲ ପାଇଁ ଏବେ ହାତମୁଠାରେ ପୂରା ଦୁନିଆ । ଦେଶବିଦେଶର ଖବର ଗୋଟିଏ କ୍ଲିକ୍‌ରେ ମିଳିଯାଉଥିବା ବେଳେ ହଜାର ହଜାର କିମି ଦୂରରେ ଥିବା ପରିବାର ବର୍ଗ କିମ୍ବା ବନ୍ଧୁଙ୍କ ସହ ଅତି ସହଜରେ କଥା ହେଇ ହେଉଛି । ହାତରେ ମୋବାଇଲ୍‌ ଥିଲେ ସବୁ କିଛି ସମ୍ଭବ ପରି ଲାଗୁଛି । କିଛି ଲୋକଙ୍କ ପାଇଁ ସ୍ମାର୍ଟଫୋନ୍‌ ଏତେ ଜରୁରୀ ହୋଇଗଲାଣି ଯେ ତାଙ୍କ ସାମ୍ନାରେ ସମ୍ପର୍କର ବି କୌଣସି ମହତ୍ୱ ରହୁନି । ସୋସିଆଲ ମିଡିଆର ମାୟାଜାଲରେ ପୂରା ବାନ୍ଧି ହୋଇ ରହିଛନ୍ତି କିଛି ଲୋକ । ଗାଜିଆବଦର ଲୋନି ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ମୋବାଇଲ ପାଇଁ ସ୍ତ୍ରୀ ସ୍ୱାମୀଙ୍କୁ ମଧ୍ୟ ଛାଡ଼ିବା ପାଇଁ ରାଜି ହୋଇଯାଉଛନ୍ତି ।

ସବୁବେଳେ ମୋବାଇଲରେ ବ୍ୟସ୍ତ ରହୁଥିବାରୁ ଗାଜିଆବଦର ହଳେ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ହେଲେ ରାଗ ଜରଜର ହୋଇଥିବା ସ୍ୱାମୀଙ୍କ ମୁହଁ ବନ୍ଦ ହୋଇଯାଇଥିଲା ସ୍ତ୍ରୀଙ୍କ ଗୋଟିଏ ପଦ କଥାରେ . . ମହିଳା ଜଣକ କହିଥିଲେ.. ମୁଁ ତୁମକୁ ସିନା ଛାଡ଼ିଦେବି . . ହେଲେ ମୋବାଇଲ ବିନା ରହି ପାରିବି ନାହିଁ । ଏକଥା ଶୁଣି ସ୍ୱାମୀଙ୍କର ହୋସ୍‌ ଉଡ଼ିଯାଇଥିଲା । କିଛି କ୍ଷଣ ପାଇଁ ସେ ଚୁପ୍‌ ହୋଇଯାଇଥିଲେ । କ’ଣ କହିବେ ଚିନ୍ତା କରିପାରି ନଥିଲେ । ଏବେ ଏହି ମାମଲା ପରିବାର ପରାମର୍ଶ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚି ଯାଇଛି ।

ସ୍ୱାମୀ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ତ୍ରୀ ସବୁବେଳୂ ମୋବାଇଲ୍ ଫୋନରେ ବ୍ୟସ୍ତ ରହୁଛନ୍ତି । ଘଣ୍ଟାଘଣ୍ଟା ଧରି ଫୋନରେ ଗପୁଛନ୍ତି । ଘରର ସମସ୍ତ ଛୋଟ ଛୋଟ କଥା ଭଉଣୀ ଏବଂ ଭେଣୋଇଙ୍କୁ ଫୋନ୍‌ କରି ଜଣାନ୍ତି । ଆଉ ସେମାନଙ୍କ କଥାରେ ଘରେ ସବୁବେଳେ ଝଗଡ଼ା କରୁଛନ୍ତି । କେବଳ ଏତିକି ନୁହେଁ ସ୍ତ୍ରୀଙ୍କ ଭଉଣୀ ମଧ୍ୟ ତାଙ୍କୁ ବିଭିନ୍ନ କଥା କହି ଗାଳି ଦେଉଛନ୍ତି ଓ ଖରାପ ବ୍ୟବହାର ଦେଖାଉଛନ୍ତି । ଆଉ ଏସବୁର ମୁଖ୍ୟ କାରଣ ଫୋନ୍‌ ହୋଇଥିବାରୁ ଟିକିଏ ଶାନ୍ତିରେ ରହିବା ପାଇଁ ସ୍ୱାମୀ ଜଣକ ସ୍ତ୍ରୀ ଠାରୁ ମୋବାଇଲ ଆଣି କିପ୍ୟାଡ୍‌ ଫୋନ୍ ଦେବାକୁ କହିଥିଲେ ।

ହେଲେ ଏତିକିରେ ଘରେ ଆରମ୍ଭ ହୋଇଯାଇଥିଲା ମହାଭାରତ । ସମୟ ଆସିଲେ ତୁମକୁ ଛାଡ଼ିଦେବି ସିନା ମୋବାଇଲକୁ ଛାଡ଼ିବିନି ବୋଲି କହିଥିଲେ ସ୍ତ୍ରୀ । ଆଉ ସ୍ତ୍ରୀ ମୁହଁରୁ ଏକଥା ଶୁଣି ସ୍ୱାମୀର ଅକଲ ଗୁଡୁମ୍‌ । ଗାଳି କରିବେ କ’ଣ ଚୁପ୍‌ ହୋଇଯାଇଥିଲେ ।