Advertisment

Afraid of Saying No: କିଏ, କାହିଁକି ଓ କେତେବେଳେ ନା କହିବାକୁ ଡରନ୍ତି ?

ଯେତେବେଳେ ଆପଣଙ୍କ ଶରୀରର ପ୍ରତ୍ୟେକ ଅଂଶ "ନା" ଚିତ୍କାର କରୁଥାଏ, ସେତେବେଳେ ଆପଣ କେବେ "ହଁ" କହିଛନ୍ତି କି ? କେବଳ ବିଶ୍ରାମ, ନିଜ ପାଇଁ ଟିକେ ଜାଗା କିମ୍ବା କିଛି ଗୋଟେ ଆବଶ୍ୟକ କରୁଥିବାରୁ ଆପଣ କେବେ ଦୋଷୀ ଅନୁଭବ କରିଛନ୍ତି କି ? ଆପଣ ଏକା ନୁହଁନ୍ତି। ଆମ ମଧ୍ୟରୁ ଅନେକଙ୍କୁ ସୀମା ନିର୍ଦ୍ଧାରଣ କରିବାକୁ ଶିଖାଯାଇ ନଥାଏ - ଆମକୁ କେବଳ ଅନ୍ୟକୁ ଖୁସି କରିବାକୁ ତାଲିମ ଦିଆଯାଇଥାଏ। ଏହି ଲେଖାଟିରେ ପିଲାଦିନର କ୍ଷତ କିପରି "ନାଁ" କହିବାର ଆପଣଙ୍କର କ୍ଷମତାକୁ ଚୁପଚାପ୍ ନଷ୍ଟ କରିଦିଏ ଏବଂ ତାକୁ ପୁନରୁଦ୍ଧାର କରିବା ପାଇଁ ଆପଣ କ'ଣ କରିପାରିବେ ସେ ବିଷୟରେ କୁହାଯାଇଛି।

author-image
Sumitra Padhi
ଅଦ୍ୟତନ ହୋଇଛି
କେମିତି କହିବେ ‘ନା’

କେମିତି କହିବେ ‘ନା’

କାବେରୀ ମୋ ପିଲାଦିନର ବାନ୍ଧବୀ । ଏକା ସହରରେ ରହୁଛୁ ତେଣୁ ସମ୍ପର୍କ ଅତୁଟ ଅଛି । ମଝିରେ ମଝିରେ ଦେଖା ସାକ୍ଷାତ ହୁଏ । ନହେଲେ ଫୋନରେ ପରସ୍ପରର ଭଲ ମନ୍ଦ ବୁଝୁ । କେଇ ଦିନ ତଳେ ରଜରେ କ'ଣ ଯୋଜନା ପଚାରିବାକୁ ତାକୁ ଫୋନ୍ କରିଥିଲି । ସେ ବଡ଼ କ୍ଲାନ୍ତ ସ୍ୱରରେ କହିଲା, ବାଧ୍ୟରେ ଗୋଟେ ବେକାର କାର୍ଯ୍ୟକ୍ରମରେ ଯାଇଥିଲି । ପୁରା ଦିନ ସେଇଥିରେ ଗଲା। ମୋର ଯିବାକୁ ଆଦୌ ଇଚ୍ଛା ନଥିଲା । ଇଚ୍ଛା ନଥାଇ ବି କାବେରୀକୁ ତା'ର ଜଣେ ବନ୍ଧୁ ଜିଦ୍ କରି ଡାକିବାରୁ ତାକୁ "ଠିକ୍ ଅଛି, ଚାଲ !" କହି ଯିବାକୁ ହୋଇଥିଲା। 

Advertisment

ପରେ, ସେ ମୋତେ କହିଲା ଯେ, "ମୁଁ ହଁ କହିବାକୁ ଚାହୁଁ ନଥିଲି... କିନ୍ତୁ ମୁଁ ଜାଣି ନଥିଲି ତାଙ୍କୁ କିପରି ନାଁ କହିବି। 

ଏହା କେବଳ କାବେରୀର କଥା ନୁହେଁ; ଆମେ ସମସ୍ତେ ଏମିତି ପରିସ୍ଥିତି ଅଳ୍ପେ ବହୁତେ ସାମ୍ନା କରିଛେ । ଏହା ଆମ ଜୀବନର ଏକ ପ୍ୟାଟର୍ଣ୍ଣ ବିଷୟରେ। ସେଇ କଥାଟି ହେଉଛି ସୀମା ନିର୍ଦ୍ଧାରଣ କରିବାକୁ ସଂଘର୍ଷ କରିବା। ଏଥିପାଇଁ ନୁହେଁ ଯେ କିପରି "ନାହିଁ" କରାଯିବ ଆପଣ ଜାଣିନାହାଁନ୍ତି, ବରଂ ଏଇଥିପାଇଁ ଯେ ଆପଣଙ୍କୁ କେବେ "ନାହିଁ" କରିବାକୁ ଅନୁମତି ଦିଆଯାଇନାହିଁ।

Advertisment

1. ବୟସ୍କମାନଙ୍କ ପାଖରେ ଏହାର ଲକ୍ଷଣ କ'ଣ?

ଆପଣ ସୀମା ନିର୍ଦ୍ଧାରଣ କରିବାକୁ ସଂଘର୍ଷ କରିଥାଇପାରନ୍ତି, ଯଦି:

• ଆପଣ "ନାଁ" କହିବାକୁ ଚାହୁଁଥିବା ସମୟରେ "ହଁ" କହୁଥା'ନ୍ତି।

• ଆପଣ ଆପଣଙ୍କର ଆବଶ୍ୟକତା ପ୍ରକାଶ କରିବା ପରେ ଦୋଷୀ ଅନୁଭବ କରୁଥାଆନ୍ତି। 

• ଆପଣ ଆପଣଙ୍କର ନିଜସ୍ୱ ଶାନ୍ତି ଅପେକ୍ଷା ଅନ୍ୟମାନଙ୍କୁ ଖୁସି କରିବାକୁ ପ୍ରାଥମିକତା ଦେଉଥା'ନ୍ତି ।

• ଆପଣ ଯେକୌଣସି ପରିସ୍ଥିତିରେ ଦ୍ୱନ୍ଦ୍ୱକୁ ଏଡାଇ ଯାଆନ୍ତି, ଯଦିଓ ଏହା ଆପଣଙ୍କୁ କଷ୍ଟ ଦେଉଥାଏ।

• ଆପଣ ଅନ୍ୟମାନଙ୍କ ଭାବନା ପାଇଁ ନିଜକୁ ଦାୟୀ କରୁଥା'ନ୍ତି।

• ଆପଣ ନିଜର ପ୍ରତ୍ୟେକ ନିଷ୍ପତ୍ତିକୁ ଅତ୍ୟଧିକ ବୁଝାଉଥା'ନ୍ତି କିମ୍ବା ତାହା ଯଥାର୍ଥ ବୋଲି ଦର୍ଶାଉଥା'ନ୍ତି।

•ବାହାରକୁ ଆପଣ ସାହାଯ୍ୟକାରୀ କିମ୍ବା ଭଲ ମନେ ହୋଇଥାଇପାରନ୍ତି, କିନ୍ତୁ ଭିତରେ ଆପଣ ନିଜ ଇଚ୍ଛା ବିରୁଦ୍ଧରେ ଯାଇ କଷ୍ଟ ପାଉଥା'ନ୍ତି, ହତାଶ ନହେଲେ ଇମୋସନାଲି କ୍ଲାନ୍ତ ହୋଇପଡିଥାନ୍ତି।

ଏହା ଦୟା କି ଉଦାରତା ବିଷୟରେ ନୁହେଁ; ଏହା ଆପଣଙ୍କ ଇନର୍ ଚାଇଲ୍ଡ ବିଷୟରେ ଯାହା ହଁ -ନାଁ ଭିତରେ ଧନ୍ଦି ହେବା ଭିତରୁ ବାହାରି ବଞ୍ଚିବାକୁ ଚେଷ୍ଟା କରୁଥାଏ।

2.ଏହା ମୂଳରେ ଶୈଶବର କେଉଁ ଘଟଣା ରହିଛି ?

ଅନେକ ପିଲା "ନାଁ" କହିବା ନିରାପଦ ନୁହେଁ ଶିଖି ବଡ଼ ହୋଇଥାଆନ୍ତି। ଆପଣ ହୁଏତ ଶୁଣିଥିବେ: "ପ୍ରତିକ୍ରିୟା କର ନାହିଁ।... ତୁମେ ବହୁତ ସ୍ୱାର୍ଥପର।... ଭଲ ପିଲାମାନେ ଶୁଣନ୍ତି।... ମୋ ପାଇଁ ଏହା କର, ନଚେତ୍ ମୋତେ କଷ୍ଟ ହେବ।... ଯଦି ତୁମେ ମୋତେ ଭଲ ପାଅ, ତେବେ ତୁମେ ଏହା ନିଶ୍ଚିତ କରିବ।..." ଏଗୁଡ଼ିକ ଛୋଟ ମନେହୋଇପାରେ, କିନ୍ତୁ ଏଗୁଡ଼ିକ ପିଲାମାନଙ୍କୁ ଶିଖାଏ ଯେ:

• "ମୋର ଆବଶ୍ୟକତା ଅନ୍ୟମାନଙ୍କୁ ଆଘାତ ଦିଏ।"

• "ସୁରକ୍ଷିତ ରହିବା ପାଇଁ ମୋତେ ଲୋକଙ୍କୁ ଖୁସି କରିବାକୁ ପଡିବ।"

• "ଅସହମତି = ବିପଦ।"

ତେଣୁ, ବୟସ୍କ ଭାବରେ, ଆମେ ସେହି ଭୟକୁ ବହନ କରିଚାଲିଥାଉ। ଦୋଷୀ ଅନୁଭବ କରିବା ବିନା ଆମେ "ନା" କହିବାର କ୍ଷମତା ହରାଇଥାଉ।

3. ଏହା ଆପଣଙ୍କ ଜୀବନକୁ କିପରି ପ୍ରଭାବିତ କରେ?

ଠିକ୍ ଭାବରେ ନିଷ୍ପତ୍ତି ନନେଇପାରିବା ଦ୍ୱାରା, ଆପଣ:

• ଇମୋସନାଲି କ୍ଳାନ୍ତ ହୋଇପଡ଼ନ୍ତି।

• କାର୍ଯ୍ୟସ୍ଥଳରେ କିମ୍ବା ସମ୍ପର୍କରେ ଅତ୍ୟଧିକ ପ୍ରତିବଦ୍ଧ ହୋଇଯାଆନ୍ତି। 

• ଅଣଦେଖା କରାଯିବା, ଶୁଣା ନଯିବା କିମ୍ବା ଆପଣଙ୍କୁ ହାଲୁକାରେ ନିଆଯାଉଛି ବୋଲି ଅନୁଭବ କରନ୍ତି।

• ନିଷ୍କ୍ରିୟ କିନ୍ତୁ ଆକ୍ରମଣାତ୍ମକ ଆଚରଣ କରନ୍ତି।

• ଭଦ୍ରାମୀ ଓ ଖୁସିବାସିଆର ଆବରଣ ତଳେ ଗଭୀର ଅସନ୍ତୋଷ ଚାପିରଖନ୍ତି।

• ସୁସ୍ଥ, ସନ୍ତୁଳିତ ସମ୍ପର୍କ ତିଆରି କରିବାରେ ଅସୁବିଧା ଅନୁଭବ କରନ୍ତି।

ଆପଣ ହୁଏତ ଏହା ଜାଣିପାରନ୍ତି ନାହିଁ; କିନ୍ତୁ ପ୍ରତ୍ୟେକ ଥର ଯେତେବେଳେ ଆପଣ "ନାଁ" କହିବାକୁ ଏଡେଇ ଯାଇ ହଁ କହନ୍ତି, ସେତେବେଳେ ଆପଣ ଆପଣଙ୍କ ଇନର ଚାଇଲ୍ଡକୁ ଶିଖାନ୍ତି ଯେ: "ଆପଣଙ୍କ ଇଚ୍ଛା କି ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ନୁହେଁ।"

4. ହଁ-ନାଁ ରୁ ନିଜକୁ ମୁକୁଳାଇବେ କିପରି ?

କ) ଆପଣଙ୍କର ପ୍ୟାଟର୍ଣ୍ଣକୁ ଚିହ୍ନନ୍ତୁ।

ନିଜକୁ ପଚାରନ୍ତୁ: "ମୁଁ କେବେ ଆଉ କେଉଁ କଥାରେ ହଁ କହି ଅନୁତାପ ଅନୁଭବ କରିଛି? ଯଦି ମୁଁ ନାଁ କହେ ତେବେ ପ୍ରକୃତରେ କ'ଣ ହେବ ଭାବି ମୁଁ ଭୟ କରେ?"

ଖ) ସୀମା ନିର୍ଦ୍ଧାରଣ ବିଷୟରେ ଆପଣଙ୍କର ବିଶ୍ୱାସକୁ ବଦଳାନ୍ତୁ।

ସୀମା ନିର୍ଦ୍ଧାରଣ କରିବାର ଅର୍ଥ ପ୍ରତ୍ୟାଖ୍ୟାନ କରିବା ନୁହେଁ, ଏହା ହେଉଛି ଆତ୍ମସମ୍ମାନ। ବିଶ୍ୱାସ କରନ୍ତୁ ଯେ: "ନାଁ କହିବା ନିଜକୁ ଖରାପ ବୋଲି ଦର୍ଶାଏ ନାହିଁ। ସୀମା ନିର୍ଦ୍ଧାରଣ କରିବା ସମ୍ପର୍କକୁ ବଞ୍ଚାଏ, ସେଗୁଡ଼ିକୁ ଭାଙ୍ଗି ଦିଏ ନାହିଁ।"

ଗ) ନିଜ ଇନର ଚାଇଲ୍ଡ ସହିତ କଥା ହୁଅନ୍ତୁ।

ଇନର ଚାଇଲ୍ଡକୁ କୁହନ୍ତୁ ଯେ:

• "ସୁରକ୍ଷିତ ରହିବା ପାଇଁ ତୁମକୁ ସମସ୍ତଙ୍କୁ ଖୁସି କରିବାର ଆବଶ୍ୟକତା ନାହିଁ।"

• "ମୁଁ ଏବେ ତୁମକୁ ସୁରକ୍ଷା ଦେବି। ନାଁ କହିବାରେ କିଛି ଅସୁବିଧା ନାହିଁ।"

• "ଯାହା ଆବଶ୍ୟକ ତାହା କଲେ ଜଣେ ସ୍ୱାର୍ଥପର ହୁଏନି।"

• "ପ୍ରେମ ପାଇବା ପାଇଁ ତୁମକୁ କିଛି ତ୍ୟାଗ କରିବାକୁ ପଡ଼େ ନାହିଁ।"

• "ତୁମେ ନାଁ କହିପାରୁଛ ବୋଲି ମୁଁ ତୁମ ଉପରେ ଗର୍ବିତ।"

• "ତୁମର 'ନାଁ' ମଧ୍ୟ ତୁମର 'ହଁ' ପରି ଗୁରୁତ୍ୱପୂର୍ଣ୍ଣ।"

ଘ) ଛୋଟ ଛୋଟ ନାଁ କହିବା ଅଭ୍ୟାସ କରନ୍ତୁ।

ଛୋଟ ଛୋଟ ପରିସ୍ଥିତିରୁ ଆରମ୍ଭ କରନ୍ତୁ। ଛୋଟ ପଦକ୍ଷେପ ଆତ୍ମବିଶ୍ୱାସ ସୃଷ୍ଟି କରେ। ଏଇ ଯେମିତି;

"ମୁଁ ଆଜି ରାତିରେ ବିଶ୍ରାମ ନେବାକୁ ଚାହୁଁଛି।"

• "ମୁଁ ଏଇ କାମ ପାଇଁ ଉପଲବ୍ଧ ନୁହେଁ।"

• "ମୋତେ ଚିନ୍ତା କରିବାକୁ ଦିଅ ଏବଂ ତୁମ ସହିତ ଯୋଗାଯୋଗ କରିବାକୁ ଦିଅ।"

ଙ) କ୍ଷଣେ ଅଟକିଯିବାର ଅଭ୍ୟାସ କରନ୍ତୁ।

ତୁରନ୍ତ ହଁ କହିବା ପରିବର୍ତ୍ତେ, କହିବାକୁ ଚେଷ୍ଟା କରନ୍ତୁ ଯେ:

• "ମୋତେ ଟିକେ ମୋ କାର୍ଯ୍ୟସୂଚୀ ଦେଖିବାକୁ ଦିଅନ୍ତୁ।"

• "ମୁଁ ଏହା ବିଷୟରେ ଚିନ୍ତା କରି ତୁମକୁ ଜଣାଇବି।"

ଏମିତି କହିବା ଆପଣଙ୍କୁ ଭୟରେ ନୁହେଁ, ସତ କହି ପ୍ରତିକ୍ରିୟା ଜଣେଇବାର ସୁଯୋଗ ଦିଏ।

ଯଦି ଆପଣ ପ୍ରତ୍ୟେକ ଥର ନାଁ କହିବା ସମୟରେ ଖରାପ ଅନୁଭବ କରୁଛନ୍ତି, ତେବେ ଟିକେ ରହିଯାଆନ୍ତୁ। ନିଜକୁ ପଚାରନ୍ତୁ: "ନାଁ' କହିବା ଏକ ସମସ୍ୟା ବୋଲି ମୋତେ କିଏ ଆଉ କେବେ ଶିଖାଇଲା?" କାରଣ ସୀମା ନିର୍ଦ୍ଧାରଣ କରିବା ବାଧକ ନୁହେଁ। ଏହା ହେଉଛି ସେତୁ - ଯାହା ଆପଣଙ୍କୁ ଏବଂ ଆପଣଙ୍କ ସମ୍ପର୍କକୁ ସୁରକ୍ଷା ଦେବା ପାଇଁ ତିଆରି କରାଯାଇଛି। ଯେତେବେଳେ ଆପଣ କହିବେ: "ମୁଁ ସମସ୍ତଙ୍କ ଭାବନା ପାଇଁ ଦାୟୀ ନୁହେଁ। ମୁଁ ମୋ ନିଜର ଶାନ୍ତି ଓ ଖୁସି ବଜାୟ ରଖିବା ପାଇଁ ଦାୟୀ", ସେତେବେଳେ ଯାଇ ଆପଣ ସୁସ୍ଥ ହେବା ଆରମ୍ଭ କରିବେ।

Bold Decisions Positive Thoughts Otv Offbeat News Guilty
Advertisment
Advertisment