ସାଲ୍ୟୁଟ ଏକ ବ୍ୟକ୍ତିତ୍ୱର ପରିଚୟ । ଏକ ବ୍ୟକ୍ତି ପ୍ରତି ସମ୍ମାନ ଏବଂ ଶ୍ରଦ୍ଧାର ପ୍ରଦର୍ଶନ । ଏହି ସାଲ୍ୟୁଟରେ ଯେତିକି ସ୍ୱାଭିମାନ ଥାଏ ସେତିକି ଦାମ୍ଭିକତା ବି ଥାଏ । ଏକ ରାଜକୀୟ ପରମ୍ପରାରୁ ଆରମ୍ଭ କରି ସାମରିକ ବିଭାଗର ଏକ ଶୃଙ୍ଖଳାର ପ୍ରତୀକ ପର୍ଯ୍ୟନ୍ତ ‘ସାଲ୍ୟୁଟ’ର ଏହି ପଦଯାତ୍ରା କେମିତି ଥିଲା ?
ଜାନୁଆରୀ ୨୬ ତାରିଖ ପରେଡ ବେଳେ ଆୟୋଜିତ ମାର୍ଚ୍ଚପାଷ୍ଟରେ ସେନା ବାହିନୀର ବିଭିନ୍ନ ୱିଙ୍ଗସ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସାଲ୍ୟୁଟ ବା ସଲାମୀ ଦିଆ ଯାଇଥାଏ । ରାଷ୍ଟ୍ରପତି ମଧ୍ୟ ପ୍ରତିଜବାବରେ ତାଙ୍କୁ ସ୍ୱତନ୍ତ୍ର ଶୈଳୀରେ ସାଲ୍ୟୁଟ ଦେଇଥାନ୍ତି । ସାରା ବିଶ୍ୱରେ ସାଲ୍ୟୁଟ ଦେବା ଏବଂ ନେବାର ପରମ୍ପରା ରହିଛି । ବିଶେଷକରି ସେନାବାହିନୀରେ ସାଲ୍ୟୁଟର ଭୂମିକା ସ୍ୱତନ୍ତ୍ର । ତ୍ରିରଙ୍ଗା ଉଡ଼ାଇବା ସମୟରେ ମଧ୍ୟ ଆମେ ସମସ୍ତେ ସାଲ୍ୟୁଟ ମାରିଥାଉ ।
ସାଲ୍ୟୁଟରେ ଏକ ସ୍ୱତନ୍ତ୍ର ପ୍ରକାରର ସମ୍ମାନ ଥାଏ । ସାଲ୍ୟୁଟର ଷ୍ଟାଇଲ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର । ସାଲ୍ୟୁଟ ସାଧାରଣତଃ ଡାହାଣ ହାତରେ ଦିଆଯାଇଥାଏ । ତେବେ ଜାଣନ୍ତି କି, ସାଲ୍ୟୁଟ ଡାହାଣ ହାତରେ କାହିଁକି ଦିଆଯାଏ ଏବଂ ଏହା ପଛର କାରଣ କ‘ଣ ?
Also Read
ସାଲ୍ୟୁଟ ମାରିବାର ଶୈଳୀ ଯଦିଓ ଭିନ୍ନ ଭିନ୍ନ ଦେଶର ସେନା ପରମ୍ପରା ଏବଂ ସଂଗଠନ ଉପରେ ନିର୍ଭର କରିଥାଏ, ତେବେ ବିଶ୍ୱର ଅଧିକାଂଶ ଦେଶରେ ସମାନ ଦେଖିବାକୁ ମିଳିଥାଏ ।
ଡାହାଣ ହାତରେ ସା୍ଲ୍ୟୁଟ କାହିଁକି ?
ସଲାମୀ ଦେବାବେଳେ ସାଧାରଣତଃ ଡାହାଣ ହାତ ବ୍ୟବହାର କରାଯାଇଥାଏ । ଅଧିକାଂଶ ଦେଶରେ ଏହି ପରମ୍ପରା ଚଳିଆସୁଛି । କାରଣ ପାରମ୍ପରିକ ଭାବେ ଆମେ ଦେଖିଆସିଛୁ, କୌଣସି ଶାରୀରିକ ଏବଂ ସାଙ୍କେତିକ କାମ ପାଇଁ ସ୍ୱତଃସ୍ପୃତ ଭାବେ ଆମେ ଡାହାଣ ହାତ ବ୍ୟବହାର କରିଥାଉ ।
ଏବେ ଜାଣିବା, ସେନା, ପୋଲିସ ଏବଂ ଅନ୍ୟମାନେ କିପରି ସଲାମୀ ଦିଅନ୍ତି ।
ବାମ ହାତରେ କେବେ କରାଯାଏ ସାଲ୍ୟୁଟ
ସେନା, ପୋଲିସ ଏବଂ ଅନ୍ୟ ଅନୁଶାସିତ ବଳ ଡାହାଣ ହାତରେ ସଲାମୀ ଦେବାର ନିୟମ ରହିଛି । ଯଦି କୌଣସି ସୈନିକଙ୍କର ଡାହାଣ ହାତରେ ଆଘାତ ଲାଗିଯାଏ କିମ୍ବା ଅନ୍ୟ କୌଣସି କାରଣରୁ ବ୍ୟବହାର କରିବାରେ ଅକ୍ଷମ ହୋଇଥାନ୍ତି ତେବେ ବାମ ହାତରେ ସଲାମୀ ଦେଇଥାନ୍ତି । ଅଧିକାଂଶ ସଂସ୍କୃତିରେ ଡାହାଣ ହାତକୁ ଶକ୍ତି, ସମ୍ମାନ ଏବଂ ମିତ୍ରତାର ପ୍ରତୀକ ବୋଲି ବିବେଚନା କରାଯାଇଥାଏ । ତେଣୁ ସଲାମୀ ସମୟରେ ଡାହାଣ ହାତକୁ ହିଁ ବ୍ୟବହାର କରାଯାଇଥାଏ ।
ସଲାମୀ ସମୟରେ ପାପୁଲିକୁ ଖୋଲା ରଖାଯାଏ କାହିଁକି ?
ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ସଲାମୀ ଡାହାଣ ହାତରେ ଦିଆ ଯାଇଥାଏ ଏବଂ ଏହି ସମୟରେ ପାପୁଲିକୁ ଖୋଲା ରଖାଯାଇଥାଏ । ଏହାଦ୍ୱାରା ଦେଖାଯାଇଥାଏ ଯେ, ହାତରେ କିଛି ଅସ୍ତ୍ର ନାହିଁ । ଆଉ ଏହା ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ ମାହୋଲ ସୃଷ୍ଟି ହୋଇଥାଏ ।
ଆମେରିକାରେ ସାଲ୍ୟୁଟ କେମିତି ?
ଆମେରିକା ସେନା ମଧ୍ୟ ସାଲ୍ୟୁଟ ସମୟରେ ଡାହାଣ ହାତର ଉପଯୋଗ କରିଥାନ୍ତି । ସାଧାରଣ ଭାବେ ସଲାମୀ ସମୟରେ ହାତ ଭିତରକୁ ହୋଇଥାଏ । ଅଧିକାଂଶ ୟୁରୋପୀୟ ଦେଶରେ ଡାହାଣ ହାତରେ ସଲାମୀ ଦିଆଯାଇଥାଏ । ହେଲେ ଷ୍ଟାଇଲରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ । ଯେମିତି ବ୍ରିଟେନରେ ପାପୁଲି ଭିତର ପଟକୁ ହୋଇଥାଏ । ରୁଷ ସେନା ମଧ୍ୟ ଡାହାଣ ହାତରେ ସଲାମୀ ଦେଇଥାନ୍ତି । ହେଲେ ସେମାନଙ୍କର ମୁଦ୍ରା ଅନ୍ୟ ଦେଶ ଠାରୁ ଅଲଗା ହୋଇଥାଏ ।
ସଲାମୀ ସମୟରେ ହୃଦୟ ପାଖରେ ଥାଏ ହାତ
ରାଷ୍ଟ୍ରୀୟ ଧ୍ୱଜାକୁ ସଲାମୀ ଦେବାର ଷ୍ଟାଇଲ ଟିକିଏ ଭିନ୍ନ । ଏହି ସମୟରେ ଡାହାଣ ହାତକୁ ହୃଦୟ ପାଖକୁ ନେଇ ସାଲ୍ୟୁଟ ମାରିବାର ପରମ୍ପରା ରହିଛି । ଭିନ୍ନ ଭିନ୍ନ ସମୁଦାୟରେ ସଲାମୀ ଦେବାର ଅଲଗା ଅଲଗା ସାଂସ୍କୃତିକ ଶୈଳୀ ରହିଛି । ଯେମିତି କେଉଁଠି ହାତ ଯୋଡିବା (ନମସ୍କାର ଶୈଳୀରେ) କେଉଁଠି ମୁଣ୍ଡ ନୁଆଁଇବା..ଇତ୍ୟାଦି ।
ମୁସଲିମ ଦେଶରେ କେଉଁ ହାତରେ ଦିଅନ୍ତି ସଲାମୀ ?
ଅଧିକାଂଶ ମୁସଲିମ ଦେଶରେ ସଲାମୀ ଡାହାଣ ହାତରେ ଦିଆଯାଇଥାଏ । କାରଣ ଇସଲାମୀ ସଂସ୍କୃତି ଏବଂ ପରମ୍ପରାରେ ମଧ୍ୟ ଡାହାଣ ହାତକୁ ଅଧିକ ସମ୍ମାନଜନକ ଏବଂ ପବିତ୍ର ବୋଲି ଗ୍ରହଣ କରାଯାଇଥାଏ । ଦେବେ ସାଉଦୀ ଆରବ, ପାକିସ୍ତାନ, ତୁର୍କୀ, ଇରାନ, ମିଶର ପରି ଦେଶରେ ସେନାବାହିନୀରେ ସଲାମୀ ଦେବାର ଶୈଳୀ ସେମାନଙ୍କର ସେନା ପରମ୍ପରା ଆଧାରରେ ସ୍ଥିର କରାଯାଇଥାଏ ।
ପାକିସ୍ତାନରେ କିପରି ଦିଆଯାଇଥାଏ ସଲାମୀ
ପାକିସ୍ତାନ ସେନା, ବାୟୁସେନା ଏବଂ ନୌସେନାରେ ଡାହାଣ ହାତରେ ସଲାମୀ ଦେବାର ପ୍ରଥା ରହିଛି । ସେହିପରି ହାତ ପାପୁଲିର ସ୍ଥିତି ଭାରତୀୟ ସେନା ପରି ଅର୍ଥାତ ସାମନା ପଟକୁ ଥାଏ ।
ସାଉଦୀ ଆବରରେ ଭିନ୍ନ ଶୈଳୀ
ସାଉଦୀ ଆରବ ସେନା ଏବଂ ପୋଲିସ ବାମ ହାତରେ ସାଲ୍ୟୁଟ ମାରିଥାନ୍ତି । ସାଲ୍ୟୁଟ ମାରିବା ସମୟରେ ସାମାନ୍ୟ ନଇଁ ଯାଇଥାନ୍ତି । ବିଶେଷ କରି ରାଜ ପରିବାରରେ ଏପରି ସାଲ୍ୟୁଟ ମାରିବାର ଶୈଳୀ ରହିଛି ।
ବ୍ରିଟିଶ ରୟାଲ ନାଭିରେ ଗୋଟିଏ ସମୟରେ ଜାହାଜର ଡେକ ଉପରେ ବାମ ହାତରେ ସଲାମୀ ଦିଆ ଯାଉଥିଲା । କାରଣ ଡାହାଣ ହାତ ଅନ୍ୟ କାମ (ଦଉଡ଼ି ଭିଡ଼ିବା)ରେ ବ୍ୟସ୍ତ କରୁଥିଲା । ହେଲେ ଏବେ ଏହା ଆଉ ତାଙ୍କ ପ୍ରୋଟୋକଲରେ ନାହିଁ । ସିଙ୍ଗାପୁର ସଶସ୍ତ୍ର ସେନାବାହିନୀରେ କିଛି ବିଶେଷ କାର୍ଯ୍ୟକ୍ରମ ସମୟରେ ବାମ ହାତରେ ସଲାମୀ ଦିଆଯାଇଥାଏ । ହେଲେ ଏହା ପରିସ୍ଥିତି ଅନୁସାରେ ହୋଇଥାଏ ।
କେବେଠୁ ଆରମ୍ଭ ହେଲା ସାଲ୍ୟୁଟ ପ୍ରଥା
ସାଲ୍ୟୁଟ ଦେବାର ପ୍ରଥା ବହୁ ପୁରୁଣା । ଅସ୍ତ୍ରଶସ୍ତ୍ର ନ ଦେଖାଇ ବନ୍ଧୁତା ଏବଂ ଭରସାର ଭାବକୁ ଜାହିର କରିବାର ଏକ ମାଧ୍ୟମ ଭାବେ ସାଲ୍ୟୁଟକୁ ପ୍ରଥମେ ବ୍ୟବହାର କରାଯାଉଥିଲା । ପ୍ରାଚୀନ ଯୋଦ୍ଧା ଯେତେବେଳେ କୌଣସି ରାଜା ବା ନେତା ବା ବନ୍ଧୁଙ୍କୁ ଭେଟନ୍ତି ସେତେବଳେ ଅସ୍ତ୍ରକୁ ତଳକୁ ରଖି ନିଜ ପାପୁଲି ଦେଖାନ୍ତି । ଏଥିରୁ ସଙ୍କେତ ମିଳେ ଯେ, ସେମାନେ ଅହିଂସା ଭାବ ନେଇ ଆସିଛନ୍ତି । ଏହି ପରମ୍ପରା କ୍ରମେ ଔପଚାରିକ ସଲାମୀରେ ବଦଳି ଗଲା ।
ମଧ୍ୟ ଯୁଗରେ ଯୋଦ୍ଧାମାନେ ନିଜ ହେଲମେଟର ଭାଇଜର ଉପରକୁ ଉଠଇ ପରସ୍ପରକୁ ଚିହ୍ନନ୍ତି ଏବଂ ବନ୍ଧୁତ୍ୱର ସଙ୍କେତ ଦିଅନ୍ତି । ଭାଇଜର ଉଠାଇବାର ଏହି ସଙ୍କେତ ସମ୍ମାନ ଏବଂ ନିଷ୍ଠା ବ୍ୟକ୍ତ କରିବା ପାଇଁ ବ୍ୟବହାର କରାରଯାଉଥିଲା । ଏହି ପରମ୍ପରା ସମୟ ସହ ବିକଶିତ ହୋଇ ଆଧୁନିକ ସଲାମୀର ରୂପ ନେଇ ପାରିଛି ।
ୟୁରୋପ ଓ ଏସିଆରେ ରାଜ ଦରବାରରେ ସାମାନ୍ୟ ନଇଁ ସାଲ୍ୟୁଟ ବା ସଲାମୀ ଦେଇ ସମ୍ମାନ ପ୍ରକଟ କରାଯାଇଥାଏ । ଏହା ଉଚ୍ଚ ଅଧିକାରୀଙ୍କ ପ୍ରତି ନିଷ୍ଠା ଏବଂ ବିନମ୍ରତାର ପ୍ରତୀକ ଭାବେ ବିବେଚନା କରାଯାଇଥାଉଥିଲା । ଧୀରେ ଧୀରେ ନଇଁବା ବା ଆଣ୍ଠୁକୁ ଟେକିବା ପ୍ରଥା ହଟି ଯାଇଥିଲା । ଗୋଟିଏ ହାତରେ ସଙ୍କେତ ଦେବାର ପରମ୍ପରା ବିକଶିତ ହେଲା, ଯାହାକି ଅଧିକ ବ୍ୟାବହାରିକ ଏବଂ ସାମରିକ ଶୃଙ୍ଖଳା ଅନୁଗତ ଥିଲା ।
ସପ୍ତଦଶ ଏବଂ ଅଷ୍ଟାଦଶ ଶତାବ୍ଦୀରେ ଆନୁଷ୍ଠାନିକ ସାମରିକ ସଲାମୀର ବିକାଶ ହୋଇଥିଲା । ବ୍ରିଟେନ ଓ ୟୁରୋପର ସାମରିକ ବାହିନୀରେ ସୈନିକମାନେ ନିଜ ଅଧିକାରୀଙ୍କୁ ସମ୍ମାନ ଦେବା ପାଇଁ ହାତରେ ମଥାକୁ ଛୁଉଁଥିଲେ । ସେମାନେ ୟୁନିଫର୍ମରେ ଟୋପି ପିନ୍ଧୁଥିବାରୁ ଏପରି କରାଯାଉଥିଲା । ଏହି ପରମ୍ପରା ଆଜି ବି ଆଧୁନିକ ସୈନ୍ୟ ସଲାମୀର ଅଂଶ ହୋଇ ରହିଛି ।