୪ ବର୍ଷରେ ରାଜ୍ୟରୁ ୧୯୨ କଲରାପତରିଆ ବାଘ ଉଭାନ ହୋଇଯିବା ନେଇ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରିପୋର୍ଟରୁ ଜଣାପଡ଼ିବା ପରେ ଉଠିଛି ନାନା ପ୍ରଶ୍ନ। ତେବେ ବନ ବିଭାଗ କହିଛି, ୨୦୨୨ରେ NTCA ମାତ୍ର ୩ଟି ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଖଞ୍ଜିଥିବାରୁ କମିଛି କଲରାପତରିଆ ସଂଖ୍ୟା। ଏଣୁ ଚଳିତ ମେ’ରୁ ନିଜସ୍ୱ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର।
୨୦୧୮ରେ ଥିଲେ ୭୬୦, ୨୦୨୨ରେ ୫୬୮କୁ ହ୍ରାସ । ୧୯୨ କଲରାପତରିଆ ବାଘ ଗଲେ କୁଆଡ଼େ ? କଲରାପତରିଆ କମିବା ପଛର କାରଣ କ’ଣ ? ଶିକାର, ଚମଡ଼ା ସ୍ମଗଲିଂ ନା ଆଉ କିଛି ?
୪ ବର୍ଷରେ ରାଜ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ୨୫ ପ୍ରତିଶତ କମିଥିବା ନେଇ NTCAର ଷ୍ଟାଟସ୍ ଅଫ୍ ଲିଓପାର୍ଡସ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟରୁ ଜଣାପଡ଼ିବା ପରେ ଏବେ ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ। ଏହାର ଜବାବରେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ୨୦୧୮ ତୁଳନାରେ ୨୦୨୨ରେ NTCAର କ୍ୟାମେରା ଟ୍ରାପ୍ କମିଥିବାରୁ ରାଜ୍ୟରେ କମିଛି କଲରାପତରିଆଙ୍କ ସଂଖ୍ୟା।
Also Read
୨୦୧୮ରେ କଲରାପତରିଆ ଗଣନା ପାଇଁ NTCA ପକ୍ଷରୁ ରାଜ୍ୟର ୧୪ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଖଞ୍ଜାଯାଇଥିଲା। କିନ୍ତୁ ୨୦୨୨ରେ ଶିମିଳିପାଳ, ସାତକୋଶିଆ ଓ ସୁନାବେଡ଼ା ଭଳି ମାତ୍ର ୩ଟି ସ୍ଥାନରେ ଲାଗିଥିଲା କ୍ୟାମେରା ଟ୍ରାପ୍ । ଏପରିକି ସର୍ବାଧିକ କଲରାପତରିଆ ଦେଖାଯାଉଥିବା ଶିମିଳିପାଳର ବଫର ଏରିଆରେ ଲାଗି ନ ଥିଲା କ୍ୟାମେରା ଟ୍ରାପ୍। ଯାହାକି ରାଜ୍ୟରେ କଲରାପତରିଆ ସଂଖ୍ୟା ହ୍ରାସର ମୁଖ୍ୟ କାରଣ। ତେଣୁ ବାସ୍ତବ ସଂଖ୍ୟା ଜାଣିବାକୁ ଆସନ୍ତା ମେ’ ମାସରୁ ରାଜ୍ୟରେ ହାତୀ ସହ ଏକକାଳୀନ ଭାବେ ଆରମ୍ଭ ହେବ କଲରାପତରିଆ ବାଘ ଗଣନା । ସବୁ ଜଙ୍ଗଲରେ କ୍ୟାମେରା ଟ୍ରାପ୍ ଲଗାଇ ଏହି ଗଣନା କରାଯିବ ।
ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ହ୍ରାସ ନେଇ ବନ ବିଭାଗର ଗଣିତକୁ କିନ୍ତୁ ସହଜରେ ଗ୍ରହଣ କରିପାରୁନାହାନ୍ତି NTCAର ପୂର୍ବତନ ମୁଖ୍ୟ ଡକ୍ଟର ଅନୁପ ନାୟକ। ସେ କହିଛନ୍ତି, ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ କଲରାପତରିଆ ଆକଳନ ପଦ୍ଧତିରେ କୌଣସି ତ୍ରୁଟି ନାହିଁ। ୨୦୦୬ରୁ ଏହି ସମାନ ପଦ୍ଧତି ଅନୁସରଣ କରି ପ୍ରସ୍ତୁତ ହୋଇଆସୁଛି ମହାବଳ ଓ କଲରାପତରିଆ ବାଘ ଆକଳନ ରିପୋର୍ଟ। ଏମିତିକି ଆନ୍ତର୍ଜାତିକ ସ୍ତରରେ ବି ଏହାକୁ ସ୍ୱୀକାର କରାଯାଉଛି । ହୁଏତ ରାଜ୍ୟରେ କଲରାପତରିଆଙ୍କ ଶିକାର ବଢ଼ିଛି ଅଥବା ସେମାନଙ୍କ ଯାତାୟାତ ପାଇଁ ଅନୁକୂଳ କରିଡର୍ ନାହିଁ। ଯେଉଁଥିପାଇଁ ମଣିଷ ସହ ଲଢ଼େଇରେ ବି ସେମାନଙ୍କ ଜୀବନ ଯାଉଥାଇପାରେ।
କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଟାସ୍କ ଫୋର୍ସ ବା STFର ରିପୋର୍ଟ ଅନୁଯାୟୀ, ୨୦୨୩ରୁ ଏଯାଏଁ ୨୧ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ଦେଖିବାର କଥା, ରାଜ୍ୟ ସରକାରଙ୍କ ନିଜସ୍ୱ କଲରାପତରିଆ ଗଣନା ରିପୋର୍ଟରୁ ଏ ବାଘଙ୍କ ସଂଖ୍ୟା କେତେ ଆସୁଛି।
- Reported by:
- KAPILENDRA PRADHAN