• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଣ୍ଡପ କି ହୋଟେଲ ନୁହେଁ, ଆଇସିୟୁ ବେଡ୍‌ ନିକଟରେ ବିବାହ । ମମତାମୟୀ ମା’ର ଶେଷ ଇଚ୍ଛା ପୂରଣ ପାଇଁ ବାହାବେଦୀ ପାଲଟିଲା ଆଇସିୟୁ । ଆଉ ଏହି ବିବାହର ସାକ୍ଷୀ ହେଲେ ମା, ଯିଏ ମୃତ୍ୟୁଶଯ୍ୟାରେ ଥିଲେ । ତାଙ୍କର ଏକମାତ୍ର ଇଚ୍ଛା ଥିଲା ଝିଅର ବିବାହ ଦେଖିବେ, ହାତରୁ ଦୁଇ ହାତ ହେଲେ ଚିନ୍ତା ସରିବ । ଆଉ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ଝିଅ କାନ୍ଦି କାନ୍ଦି ଆଇସିୟୁରେ ବରକୁ ବରଣମାଳା ପିନ୍ଧାଇବା ସହ ମା’ ଠାରୁ ଆଶୀର୍ବାଦ ନେଇଛି । ଖୁବ୍‌ ସାଦାସିଧାରେ ହୋଇଥିବା ଏହି ବିବାହ ପରେ ମହିଳାଙ୍କ ଦେହାନ୍ତ ହୋଇଛି । ଗୟା ଜିଲ୍ଲାର ଗୁରାରୁ ପ୍ରଖଣ୍ଡର ବାଲି ଗାଁରେ ଏପରି ଏକ ଘଟଣା ଘଟିଛି ।

 

ବାଲି ଗାଁର ଲଲନ କୁମାରଙ୍କ ସ୍ତ୍ରୀ ପୁନମ କୁମାରୀ ବର୍ମା(୫୫ ବର୍ଷ) ହୃଦଘାତ ରୋଗରେ ପୀଡ଼ିତ ଥିଲେ । ଅନେକ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିଲା । ଦୁଇ ଦିନ ପୂର୍ବେ ଅର୍ଥାତ ଶନିବାର ଦିନ ଅବସ୍ଥା ହଠାତ୍‌ ଗୁରୁତର ହୋଇପଡ଼ିବା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ହେଲେ ସେଠାରେ ପୁନମ୍‌ ଅଧିକ ଦିନ ବଞ୍ଚିବେ ନାହିଁ ବୋଲି ଘର ଲୋକଙ୍କୁ କହିଦେଲେ ଡାକ୍ତର । ଆଗାମୀ ୨୪ ଘଣ୍ଟାରେ କିଛି ବି ହୋଇପାରେ ବୋଲି କୁହାଯାଇଥିଲା । ଏକଥା ଜାଣିବା ପରେ ପୁନମ୍‌ ନିଜର ଝିଅର ବିବାହ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଝିଅର ବିବାହ ପୂର୍ବରୁ ସ୍ଥିର ହୋଇଥିଲେ ସୁଦ୍ଧା ପୁନମଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ  ସମାରୋହ ଅଟକିଥିଲା । ଡିସେମ୍ବର ୨୬ରେ ହିଁ ନିର୍ବନ୍ଧ ହେବାର ଥିଲା ।

ଅଧିକ ପଢ଼ନ୍ତୁ: ବିବାହରେ କନ୍ୟାଦାନ ପରମ୍ପରାକୁ ଯୁବତୀଙ୍କ ନାଁ ! ସମର୍ଥନ କଲେ ସ୍ୱାମୀ ଓ ପରିବାର ଲୋକ

special story(ମୃତ୍ୟୁଶଯ୍ୟାରେ ଥିବା ମା’ ପାଇଁ ମେଡିକାଲରେ ବିବାହ କଲେ ଯୁବତୀ)

ପୁନମଙ୍କ ଝିଅ ଚାନ୍ଦିନୀ(୨୬ବର୍ଷ)ଙ୍କ ବିବାହ ସେନାର ରିଟାୟର୍ଡ ଅଫିସର ବିଦ୍ୟା କୁମାର ଆମ୍ବେଦକରଙ୍କ ପୁଅ ସୁମିତ ଗୌରବ (୨୮) ଙ୍କ ସହ ସ୍ଥିର ହୋଇଥିଲା । ହେଲେ ପୁନମଙ୍କ ଅବସ୍ଥା ଦେଖି ପରିବାର ଲୋକ ସୁମିତଙ୍କ ପରିବାରକୁ ତାଙ୍କ ଶେଷ ଇଚ୍ଛା ସମ୍ପର୍କରେ ଜଣାଇଥିଲେ, ଆଉ ସେମାନେ ମଧ୍ୟ ଖୁସିରେ ଖୁସିରେ ବିବାହ କରାଇବା ପାଇଁ ରାଜି ହୋଇଯାଇଥିଲେ ।

ତା’ପରେ ଆଇସିୟୁ ପାଲଟିଗଲା ଚାନ୍ଦିନୀ ଓ ସୁମିତଙ୍କ ପାଇଁ ବାହାମଣ୍ଡପ । ଡାକ୍ତରଙ୍କ ଠାରୁ ଅନୁମତି ନେବା ପରେ ଗତ ରବିବାର ସକାଳ ୮ଟାରେ ବ୍ରାହ୍ମଣ ଡକାଇ ବିବାହ ରୀତିନୀତି ଆରମ୍ଭ ହୋଇଥିଲା ଓ ୧୦ଟା ସୁଦ୍ଧା ବିବାହ ସମ୍ପନ୍ନ ହୋଇଗଲା । ଆଉ ଝିଅର ବିବାହ ଦେଖିବାର ପ୍ରାୟ ୨ ଘଣ୍ଟା ପରେ ୧୨ଟାରେ ପୁନମ କୁମାରୀଙ୍କ ଦେହାନ୍ତ ହୋଇଛି ।

ପୁନମ କୁମାରୀ ବର୍ମା ମଗଧ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ANM ଭାବରେ କାର୍ଯ୍ୟ କରୁଥିଲେ । ସେ କରୋନା ସମୟରୁ କ୍ରମାଗତ ଭାବରେ ଅସୁସ୍ଥ ଥିଲେ । ଝିଅ ଚାନ୍ଦନୀ କହିଛନ୍ତି , ମା’ଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ଡାକ୍ତରଖାନାରେ ବିବାହ କରିଛନ୍ତି ।