• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବଲିଉଡ୍‌ ବକ୍ସ ଅଫିସ୍‌ରେ ଏବେ ଧମାଲ କରୁଛି ସନ୍ନି ଦେଓଲଙ୍କ ସିନେମା ଗଦର ୨ । ଆକ୍ସନଠୁ ଆରମ୍ଭ କରି ଡାଏଲଗ୍‌ । ଦିୱାନା ହେଉଛନ୍ତି ଦର୍ଶକ । ଆଉ ଫିଲ୍ମର ଗୀତ ବି ବେଶ୍‌ ଚର୍ଚ୍ଚା ସାଉଁଟୁଛି । ହେଲେ ଏହି ଫିଲ୍ମରେ କାମ କରିଥିବା ଓଡ଼ିଆ ଯୁବକ ବରୁଣ ବିଷୋୟୀଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ।

ଦାରିଙ୍ଗବାଡ଼ିରୁ ମାୟାନଗରୀ ମୁମ୍ବାଇ । ସହଜ ନଥିଲା ଏହି ଯାତ୍ରା...ହେଲେ ବି ପରିଶ୍ରମ କରି ବଲିଉଡ୍‌ରେ କମାଲ କରିଦେଲେ ବରୁଣ । ବଲିଉଡର ଗଦର-୨ ସିନେମାର ପ୍ରତ୍ୟେକ ଦୃଶ୍ୟକୁ ଜୀବନ୍ତ ଭାବେ ଗଢି ତୋଳିବା ଲାଗି ଷ୍ଟୁଡିଓରେ କାମ କରୁଛନ୍ତି ଅରୁଣ । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘର ତାଙ୍କର । ଏବେ ନୁହେଁ ବରଂ ବଲିଉଡ୍ ଜଗତରେ ୨୦ ବର୍ଷ ହେଲାଣି ଜଣେ ଫଲି ଆର୍ଟିଷ୍ଟ୍ ବା ଏଡିଟର ଭାବରେ କାମ କରୁଛନ୍ତି ।

ବରୁଣ ପୂର୍ବରୁ ବାଜିରାଓ ମସ୍ତାନୀ, ପିକେ,ଥ୍ରୀ ଇଡିଏଟ୍‌, ଭାଗ୍ ମିଲଖା ଭାଗ୍‌, ଡନ-ଟୁ, ଉରି, ରବର୍ଟ, ଅନ୍ଧାଧୁନ୍‌, ଟଏଲେଟ ଏକ ପ୍ରେମ କଥା, ରୁସ୍ତମ୍ ଓ ପଦ୍ମାବତୀ ଭଳି ଅନେକ ହିଟ୍ ସିନେମାରେ କାମ କରି ପ୍ରଂଶସିତ ହେବା ସହ ପୁରସ୍କୃତ ହୋଇଛନ୍ତି ।

ପିଲାଟି ଦିନରୁ ମାୟାନଗରୀରେ ନିଜ ପାଇଁ ସ୍ୱପ୍ନ ଦେଖିଥିବା ବରୁଣଙ୍କ ଯାତ୍ରା ଏତେ ସହଜ ନଥିଲା । ବରୁଣ ଯେବେ ଛୋଟ ହୋଇଥିଲେ ତାଙ୍କ ବାପାଙ୍କର ପରଲୋକ ହୋଇଯାଇଥିଲା । ପରିବାର ମୁହଁରେ ଆହାର ଦେବା ପାଇଁ ସିଲେଇ ଦୋକାନରେ କାମ କରୁଥିଲେ ବରୁଣଙ୍କ ମାଆ । ସେତିକିରୁ ଯାହା ଯେତିକି ରୋଜଗାର ହେଲା ସେତିକିରେ ପୂରା ପରିବାର ଚଳୁଥିଲା । ହେଲେ ଏହାରି ଭିତରେ ବଲିଉଡ୍‌ରେ କାମ କରିବାର ସ୍ୱପ୍ନ ଦେଖୁଥିଲେ ବରୁଣ । ଅବଶ୍ୟ ଏଥିଲାଗି ତାଙ୍କ ସାମ୍ନାରେ ଆର୍ଥିକ ଅନାଟନ ପ୍ରତିବନ୍ଧକ ସାଜିଥିଲା କିନ୍ତୁ ସେ ହାର ମାନିନଥିଲେ । ବରଂ ମାଆଙ୍କ ଆଶୀର୍ବାଦ ନେଇ ବଲିଉଡ୍‌ରେ କାମ କରିବାକୁ ବାହାରିଯାଇଥିଲେ ।

ମାୟାନଗରୀରେ ପହଂଚିବା ପରେ ମାୟା ଜାଲରେ ଛନ୍ଦି ହୋଇ ଆରଧନା ଷ୍ଟୁଡିଓରେ ବହୁ କଷ୍ଟରେ କ୍ୟାଂଟିନ୍ ବୟ ଭାବେ କାମ କଲେ । ହେଲେ ଧିରେ ଧିରେ ବରୁଣଙ୍କ ଭାଗ୍ୟ ବଦଳିଲା, ଫଲି ଆର୍ଟିଷ୍ଟ ଭାବେ କାମ କଲେ । ଦିନ ଥିଲା ମାଆ ଓ ଭଉଣୀ ମୁହଁରେ ଦାନା ଦେବାକୁ ତାଙ୍କୁ କଷ୍ଟ ଲାଗୁଥିଲା, ହେଲେ ଏବେ ବେଶ୍‌ ହସଖୁସିରେ ଚାଲୁଛି ସଂସାର ।

ଦାରିଙ୍ଗବାଡିରୁ ଯାଇ ମୁମ୍ବାଇରେ ବରୁଣ ଯେଉଁଭଳି ସଫଳତା ପାଇଛନ୍ତି, ତାକୁ ନେଇ ପରିବାର ସହ ସାଙ୍ଗସାଥୀ ମଧ୍ୟ ବେଶ୍‌ ଗର୍ବ ଅନୁଭବ କରନ୍ତି । କଥାରେ ଅଛି ଇଚ୍ଛା ଆଗରେ ହାର୍‌ ମାନେ ଦାରିଦ୍ରତା । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବରୁଣ ।

 

 

  • Reported by:
  • Ajit Kumar Nayak