• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୂଆପଡାର ଏମିତି ଏକ ଗାଁ ଯେଉଁଠି ଲୋକମାନେ ନଈରେ କେବେ ହଳଦୀ ଲଗାଇ ଗାଧାନ୍ତି ନାହିଁ । ଯଦି କିଏ କେବେ ହଳଦୀ ଲଗେଇ ଗାଧୋଇବ ତେବେ ତାଙ୍କୁ କୁମ୍ଭୀର ଆକ୍ରମଣ କରିବ ବୋଲି ବିଶ୍ୱାସ ରହିଛି । ଖାଲି ଏତିକି ନୁହେଁ ବରଂ ନଈରେ ହଳଦୀ ଲଗା ଲୁଗା ଧୋଇବା ବି ମନା । ଯଦି ଏହି ପରମ୍ପରାକୁ କିଏ ନମାନନ୍ତି ତେବେ ଦେବୀ ମାଆ କ୍ରୋଧର ଶିକାର ହେବା ନେଇ ବିଶ୍ୱାସ ରହିଛି ।

ସୁନାବେଡା ଅଭୟାରଣ୍ୟ ମଧ୍ୟରେ ରହିଛି ଛୋଟ ଗାଁଟିଏ ଜଳମଡେଇ । ଗାଁର ପଶ୍ଚିମ ପଟେ କେଉଁ କାଳରୁ ବୋହି ଯାଇଛି ଛୋଟ ହଳଦୀବାନି ନଈ । ସେହି ନଈରେ ପୂଜା ପାଆନ୍ତି ଦେବୀ ସାତବହନ ଜଳକାମନୀ ଦେବୀ । ପୂର୍ବପୁରୁଷରୁ ଲୋକମାନେ ତାଙ୍କୁ ପୂଜା କରନ୍ତି , ବିଶ୍ୱାସ ବି କରନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦେବୀ ଭାରି ପ୍ରତ୍ୟକ୍ଷ । ହେଲେ ଗାଁରେ ବହିଯାଇଥିବା ନଈର ବିଶେଷତ୍ୱ ହେଲା ଯେଉଁମାନେ ବି ସେହି ନଈରେ ଗାଧୋଉଛନ୍ତି ସେମାନେ କେବେ ହେଲେ ହଳଦୀ ଲଗାଇବେ ନାହିଁ । ହଳଦୀ ବ୍ୟବହାର ଉପରେ ଖାଲି ରୋକ୍‌ ଲାଗିଛି ତାହା ନୁହେଁ ବରଂ ନଈରେ ହଳଦୀ ଲୁଗା ବି ଧୋଇବା ମନା । ଏହାପରେ ବି ଲାଲ୍‌ କପଡା ପିନ୍ଧିକି ଏଠି କେହି ଗାଧୋଇବେ ନାହିଁ ବୋଲି ପରମ୍ପରା କୁଆଡେ ରହିଛି ।

ଯଦି ପୂର୍ବପୁରୁଷଙ୍କ ଦ୍ୱାରା ପ୍ରଚଳିତ ଏହି ପରମ୍ପରାକୁ କେହି ନମାନନ୍ତି ତେବେ ଗାଁରେ ଝାଡାବାନ୍ତି ବ୍ୟାପିବା ସହିତ ଦେବୀ ମାଆ କୁମ୍ଭୀର ରୂପରେ ତାକୁ ଆକ୍ରମଣ କରନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ କେହି କେବେ ହଳଦୀ ଲଗାଇ ସେଠାରେ ଗାଧାନ୍ତି ନାହିଁ କିମ୍ବା ଲାଲ୍‌ ରଙ୍ଗ ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଆଜି କି କାଲିର ପରମ୍ପରା ନୁହେଁ ବରଂ ଜଳମଡେଇ ଗାଁ ଲୋକେ କାହିଁ କେତେ କାଳରୁ ଏମିତି ପରଂପରାକୁ ମାନି ଆସୁଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଗାଁକୁ ଲାଗି ଜୁମଳା ଗଡ ଅଛି । ରାଜାଙ୍କ ଶାସନ ସମୟରୁ ଏ ପରଂପରା ଚଳି ଆସୁଛି । ଗାଁରେ ଚକୋଟିଆ ଭୁଞ୍ଜିଆ ଏବଂ ପହରିଆ ସଂପ୍ରଦାୟର ଲୋକ ବସବାସ କରନ୍ତି । ଆଉ ପୂର୍ବପୁରୁଷଙ୍କ ପରମ୍ପରା ମାନନ୍ତି । କେବଳ ସେମାନେ ମାନନ୍ତି ତାହା ନୁହେଁ ବରଂ ଏହି ଗାଁକୁ ଆସୁଥିବା ବନ୍ଧୁବାନ୍ଧବଙ୍କୁ ବି ଏହି ନିୟମ ମାନିବାକୁ ପଡ଼େ । ପରମ୍ପରାକୁ ନେଇ ସୁନାବେଡାର ଆରାଧ୍ୟ ଦେବୀ ସୁନାଦେଈଙ୍କ ପୂଜକ କୁହନ୍ତି ଗାଁରେ ଅନେକ ଦିନରୁ ଏ ପରଂପରା ଚଳିଆସୁଛି । ଦେବୀ କୋପ ଭୟରେ ଲୋକେ ଏହାକୁ ମାନି ଆସୁଛନ୍ତି । ସେପଟେ ପ୍ରଶାସନ କହୁଛି, ପରମ୍ପରା ଗତ ବିଶ୍ୱାସ ରହିଛି ଲୋକଙ୍କର । ବିଜ୍ଞାନ ସମ୍ମତ କୌଣସି କାରଣ ନାହିଁ ।

 

  • Reported by:
  • MAYADHAR SARAF