• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ନବୀନ ଓଡ଼ିଶାର ବିକାଶ କଣ ଜାଣନ୍ତି ନାହିଁ । ଭୁଗୋଳ ପୋଥିରେ ନାଁ ନଥିବା ଭଳି ନାନା ସମସ୍ୟାରେ ଦହଗଞ୍ଜ ହେଉଛି ଏ ମାଟିର ମଣିଷ । ପାଣି ଟୋପେ ପାଇଁ ଯେମିତି ହନ୍ତସନ୍ତ, ଠିକ୍ ପିଡିଏସ ଚାଉଳ ପାଇଁ ମଧ୍ୟ ସେମିତି । କହିଲେ ବି କେହି ଶୁଣିବା ଲୋକ ଏଠି ନାହାନ୍ତି ।’

ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ମଡେଲ କଣ ? ପଚାଲିରେ ହୁଏତ ଗାଁ ଲୋକେ କହିବେ, ବର୍ଷା ଦିନେ ସୌର ଚାଳିତ ବୋରିଂ ବନ୍ଦ ହେଲେ ଶୋଷରେ ମରି ମରି ବଞ୍ଚିବା ବୋଧେ ନବୀନ ମଡେଲ । ହଁ, ଆମେ କହୁଛୁ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକରେ ଥିବା ଏମିତି ଏକ ଗାଁ ଯାହାର ନାଁ ହୁଏତ ଏହା ପୂର୍ବରୁ ନା ଆପଣ କେବେ ଶୁଣିଥିବେ ନା ହୁଏତ ଏହି ରିପୋର୍ଟ ପରେ କେବେ ମନେ ପଡ଼ିବ । କିନ୍ତୁ ଏହି ଗାଁର ଲୋକେ ଏମିତି ଅଲୋଡା ହୋଇରହିଥିବେ । ନାହିଁ ନାହିଁର ସମସ୍ୟାରେ ଦହଗଞ୍ଜ ହୋଇ ଗୁହାରି କରୁଥିବେ । ହେଲେ ସମସ୍ୟାର ସମାଧାନ ହେବ କି ନାହିଁ ସେନେଇ ସନ୍ଦିହାନ ରହିଥିବେ । 

ଯୋଡ଼ା ବ୍ଲକ ବଲାଣୀ ପଞ୍ଚାୟତ ଅନ୍ତର୍ଗତ କୋହ୍ଲପଣ୍ଡୁଲି ଗାଁ । ପାହାଡ଼ ସେପାଖରେ ଏକ ଜଙ୍ଗଲ ଅଛି ଆଉ ଜଙ୍ଗଲ ମଝିରେ ରହିଛି ଏହି ଗାଁଟି । ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ୮୦ ପରିବାରର ୪୦୦ ସଦସ୍ୟ ବସବାସ କରନ୍ତି । ରୋଜଗାର ଓ ପେଟପାଟଣା କଥା ତ ପରେ ଶୁଣିବେ, ଆଗ ଏହି ଗାଁର ସମସ୍ୟା ସମ୍ପର୍କରେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ଗାଁକୁ ନିତିଦିନିଆ ରାସ୍ତା ନାହିଁ, ବର୍ଷ ବର୍ଷ ଧରି ଗାଁରେ ଜଳ ସମସ୍ୟା ବି ଲାଗି ରହିଛି । ଆଉ ରହିଲା ସରକାରୀ ସୁବିଧା ସୁଯୋଗ କଥା, ସେସବୁ ନକହିବା ଭଲ । ପିଡିଏସ ଚାଉଳ ପାଇଁ ଏହି ଗାଁର ଲୋକମାନେ ଅଣଓସାରିଆ ଓ ବିପଦପୂର୍ଣ୍ଣ ୧୦ କିଲୋମିଟର ଯାତ୍ରା କରି ଯିବା ପରେ ମୁଣ୍ଡରେ ମୁଣ୍ଡେଇ ଚାଉଳ ଆଣନ୍ତି ।

ଗାଁରେ କେବଳ ରାସ୍ତା କି ପାଣି ସମସ୍ୟା ନୁହେଁ । ବିଜୁଳି, ଶିକ୍ଷା ବି ଏଠାକାର ବଡ଼ ସମସ୍ୟା । ସ୍ୱାସ୍ଥ୍ୟ ସେବାର କାଣିଚାଏ ସୁବିଧା ପାଇ ପାରିନଥାନ୍ତି ଏହି ଗାଁର ଲୋକେ । ସେପଟେ ଜଳ ସଙ୍କଟ ଦୂର କରିବା ପାଇଁ ଜିଲ୍ଲା ଖଣିଜ ପତିଷ୍ଠାନ ମାଧ୍ୟମରେ ଗାଁରେ ସୌର ଚାଳିତ ବୋରିଂ କରାଯାଇ ଓଭର ହେଡ ଟାଙ୍କି ବି ଲଗାଯାଇଛି । ହେଲେ ଲୋକଙ୍କ ଶୋଷ ମେଣ୍ଟୁନାହିଁ । କାରଣ ଆକାଶ ମେଘାଚ୍ଛନ ରହିଲେ କିମ୍ବା ବର୍ଷା ହେଲେ ସୋଲାର ପମ୍ପ କାମ କରୁନାହିଁ ।

ସେହିପରି ଗାଁରେ ରହିଥିବା ନଳକୂପଗୁଡିକ ଏକ ପ୍ରକାର ଅଚଳ ହୋଇଯାଇଛି । ଯାହା ଫଳରେ ଲୋକେ ପାଣି ନପାଇ ହିନସ୍ତା ହେଉଛନ୍ତି । ମେଗା ପାନୀୟ ଜଳ ଯୋଗାଣ ଯୋଜନାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଗତ ପ୍ରାୟ ୩ ବର୍ଷ ହେଲା ଅଧାପନ୍ତରିଆ ଭାବେ ପଡିରହିଛି । ଘରକୁ ଘର ପାଇପ ସଂଯୋଗ କରି କଳ ଲଗାଯାଇଛି ସତ ହେଲେ ସେଥିରୁ ଆଜି ପର୍ଯ୍ୟନ୍ତ ବୁନ୍ଦେ ପାଣି ପଡ଼ିପାରିଲା ନାହିଁ ।

ଗାଁର ସମସ୍ୟା ଓ ଏହାର ସମାଧାନ ନେଇ ଆମେ ଯେତେବେଳେ ନିର୍ବାଚିତ ସରପଞ୍ଚଙ୍କୁ ପଚାରିଲୁ ତାଙ୍କ ମତ ହେଲା ‘ଯାହା ଭୁଲ୍ ହୋଇଛି ତାହା ସରକାରଙ୍କ ଯୋଗୁଁ ହିଁ ହୋଇଛି । ସରକାର ଭୁଲ୍ କରୁଛନ୍ତି । ସରକାର ଶୁଣୁନାହାନ୍ତି, ସରକାର ଆଡ଼ ଆଖିରେ ଅନାଉନାହାନ୍ତି’ । ଖୋଦ୍ ନିର୍ବାଚିତ ଜନ ପ୍ରତିନିଧି ଯେବେ ଏମିତି ଅସନ୍ତୋଷ ଜାହିର କରି ପ୍ରଶାସନ ଓ ବ୍ୟବସ୍ଥା ବିରୋଧରେ ମୁହଁ ଖୋଲି ଅସହାୟ ପ୍ରକାଶ କରୁଛନ୍ତି, ତେବେ ଥରେ ଚିନ୍ତା କରନ୍ତୁ, କି ଦଶା ଭୋଗୁଥିବେ ନିରିହ ଜନତା ।

ଯୋଡା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକଙ୍କୁ ଏହି ପ୍ରସଙ୍ଗରେ ଆମେ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ କହିଛନ୍ତି, କୋହ୍ଲପଣ୍ଡୁଲିରେ ସମସ୍ୟା ତ ନିଶ୍ଚୟ ଅଛି, ଆହୁରି ମଧ୍ୟ ସେ କହିଛନ୍ତି ସେଠାରେ ଯେଉଁ ମେଗା ପାନୀୟ ଜଳ ପ୍ରକଳ୍ପ ଅଛି, ସେହି ମେଗା ପ୍ରକଳ୍ପ ମାଧ୍ୟମରେ ଲୋକେ ପାଣି ପାଇ ପାରିବେ ସେନେଇ କିଛି ଆଶା ଦିଶୁନାହିଁ । ଏମିତିରେ ସେଠାକାର ଲୋକଙ୍କ ସମସ୍ୟାକୁ ନେଇ ସରକାରୀ ଅଧିକାରୀ କେତେ ଦାୟିତ୍ୱ ସମ୍ପନ୍ନ ତାହା ସ୍ପଷ୍ଟ ଅନୁମେୟ ।

(ରିପୋର୍ଟ- ଦୀପକ କୁମାର ଶତପଥୀ, ଚମ୍ପୁଆ)