• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନେ ବ୍ରେଲି ସାହାଯ୍ୟରେ ପାଠ ପଢୁଥିଲେ, ଏବେ କିନ୍ତୁ କାଗଜ କଲମରେ ଲେଖାପଢା କରିବେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଯୋଗୁଁ ଏବେ ଦୃଷ୍ଟି ଶକ୍ତି ଫେରି ପାଇଛନ୍ତି କେନ୍ଦ୍ରପଡ଼ାର ଦୁଇ ଦୃଷ୍ଟିହୀନ ଛାତ୍ର । ଉଭୟଙ୍କ ଅନ୍ଧାରୀ ଜୀବନରେ ଏବେ ଆଲୋକର ବର୍ଷା କରିଥିବାରୁ ରାଜ୍ୟପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ଦୁଇଛାତ୍ର ଓ ସେମାନଙ୍କ ପରିବାର ।

କେନ୍ଦ୍ରପଡ଼ା ଡେରାବିଶ ବେଲାରପୁରର ଶଙ୍କର ଦାସ ..ଜନ୍ମରୁ ଦୃଷ୍ଟିବାଧିତ । ମାଆ କୋଳରେ ରଙ୍ଗୀନ ଦୁନିଆର କାହାଣୀ ଶୁଣୁଥିଲେ । ଆଜି ସେ ନିଜ ଆଖିରେ ଦେଖୁଛନ୍ତି, ଦୁନିଆ ପରିକଳ୍ପନା କରି ମନରେ ଆଙ୍କିଥିବା ଘରବାଡି, ଗଛଲତା, ପଶୁପକ୍ଷୀ ସମସ୍ତଙ୍କୁ ଚିହ୍ନୁଛନ୍ତି । ସବୁ ସମ୍ଭବ ହୋଇଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଉଦ୍ୟମରୁ ।

ଖାଲି ଶଙ୍କର କାହିଁକି ନୂଆଗାଁର ରାଜେଶ ମଲ୍ଲିକଙ୍କ ଜୀବନରେ ବି ଆଲୋକ ବର୍ତ୍ତିକା ସାଜି ଆସିଥିଲେ ରାଜ୍ୟପାଳ । ଗତ ଅଗଷ୍ଟ ୧୦ କେନ୍ଦ୍ରାପଡ଼ା ଗସ୍ତରେ ଥିବା ବେଳେ ଦୃଷ୍ଟିହୀନ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ସେ ସମୟରେ ସମସ୍ତ ଅନ୍ତେବାସୀଙ୍କ ଚକ୍ଷୁ ପରୀକ୍ଷା କରାଇବା ସହ ଅସ୍ତ୍ରୋପଚାର କରାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ବି ଦେଇଥିଲେ । ରାଜ୍ୟପାଳଙ୍କ ଉଦ୍ୟମରୁ ଆଜି ଦୁନିଆ ଦେଖିପାରିଛନ୍ତି ଦୁଇ ଦୃଷ୍ଟିବାଧିତ । ଯେଉଁଥିପାଇଁ ରାଜ୍ୟପାଳଙ୍କୁ ଅନ୍ତରରୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରର ଏକ ଘରୋଇ ଚକ୍ଷୁ ହସପିଟାଲରେ ୩୯ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇଥିଲା । ସେ ମଧ୍ୟରୁ ୪ ଜଣ ଛାତ୍ର ଅସ୍ତ୍ରୋପଚାର ଦ୍ୱାରା ଦୃଷ୍ଟିଶକ୍ତି ଫେରିପାଇବା ସମ୍ଭବ ବୋଲି କହିଥିଲେ ଡାକ୍ତର । ପ୍ରଥମ ପର୍ଯ୍ୟାୟରେ ୨ଜଣଙ୍କ ଚିକିତ୍ସା ସଫଳ ହୋଇଥିବା ବେଳେ ଏବେ ଆଖିରେ ଦେଖୁଛନ୍ତି ଦୁନିଆ ।

ରାଜ୍ୟପାଳଙ୍କ ଉଦ୍ୟମ ଏବେ ଦୁଇ ଛାତ୍ରଙ୍କ ପରିବାରରେ ଖେଳାଇଛି ଖୁସିର ଲହରୀ । ସେପଟେ ଅନ୍ୟ ଦୃଷ୍ଟିହୀନ ଛାତ୍ର ମଧ୍ୟ ଦୁନିଆ ଦେଖିବା ନେଇ ଆଶା ସଂଚାର ହୋଇଛି ।

(ରିପୋର୍ଟ- ମନୋଜ ସ୍ୱାଇଁ, କେନ୍ଦ୍ରାପଡ଼ା)