• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପୂରା ଗାଁଟା ସାରା ସମାନ ଚିତ୍ର । ସମସ୍ତଙ୍କ ଦୁଆର ମୁହଁରେ ଡ୍ରେନ ରହିଛି ଆଉ ତା’ ଉପରେ ପାଲ ଘୋଡ଼ାଇ ତିଆରି ହୋଇଛି ଶୌଚାଳୟ । ଏମିତି ଅସମ୍ଭବ ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏମିତି ଦୃଶ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ବରେହିଁପୁର ୫ନଂ ୱାର୍ଡରେ ଦେଖିବାକୁ ମିଳିଛି । ଦୁଆର ମୁହଁରେ ଶୌଚାଳୟ ତିଆରି ହୋଇଥିବା କାରଣରୁ ସବୁ ଅପରିଷ୍କାର ପାଣି ଗୋଟିଏ ଜାଗାରେ ମିଶୁଛି । ଆଉ ଅପରିଷ୍କାର ପାଣି ଜମିରହିବାରୁ ଅନେକ ରୋଗ ବ୍ୟାପିବାର ବାଟ ଫିଟିଛି ।

କେନ୍ଦ୍ରଠୁ ରାଜ୍ୟ...ସମସ୍ତେ ଦେଉଛନ୍ତି ସ୍ୱଚ୍ଛତାର ବାର୍ତ୍ତା । ହେଲେ ଚାନ୍ଦବାଲିର ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ପଡ଼ିବେ ଆଉ କହିବେ ସେହି ଗାଁକୁ ସ୍ୱଚ୍ଛତାର “ସ” ଅକ୍ଷର ବି ଛୁଇଁନି । ଗାଁର ଗୋଟିଏ କି ଦୁଇଟି ଘର ନୁହେଁ ବରଂ ପୂରା ଗାଁ ଲୋକ ନିଜ ଘର ସାମ୍ନାରେ ପାଇଖାନା ସାଙ୍ଗକୁ ତିଆରି କରିଛନ୍ତି ଗାଧୁଆ ଘର । ଏମିତିକି ଅନେକ ଛେଳି ଓ କୁକୁଡ଼ା ଗୁହାଳ ବି ତିଆରି କରିଛନ୍ତି ।

ଗାଁରେ ଡ୍ରେନ ନଥିବାରୁ ଗାଧୁଆ ଅପରିଷ୍କାର ପାଣି ସବୁ ଗୋଟିଏ ଜାଗାରେ ଜମାଟ ବାନ୍ଧି ରହୁଛି । ଅଧିକ ଦିନ ପାଣି ରହିବା ପରେ ସେଥିରେ ଲାଙ୍ଗୁଡ଼ିଆ ପୋକ ସାଲୁବାଲୁ ହେଉଛନ୍ତି । ବେଳେ ବେଳେ ଏମିତି ଦୁର୍ଗନ୍ଧ ହେଉଛି ଯେ ରାସ୍ତା ଦେଇ ଯାଆ ଆସ କରିବା ବି କାଠିକର ପାଠ ହେଉଛି । ସେମାନଙ୍କୁ ଦେଖିଲେ କେବେ ବି ଲାଗିବ ନାହିଁ ସେମାନେ ସମସ୍ତେ ଏନଏସିରେ ରହୁଛନ୍ତି ବୋଲି ।

ଦୁଆର ମୁହଁରେ ସେମାନେ କାହିଁକି ଶୌଚାଳୟ ସହ ଗୁହାଳ କରୁଛନ୍ତି ପଚାରିବା ପରେ ସେମାନେ ଯେଉଁ ଉତ୍ତର ଦେଇଥିଲେ ତାହା ଜାଣି ଆପଣ ବି ପ୍ରଶାସନକୁ ହିଁ ଦୋଷ ଦେବେ । କାରଣ ଘରେ ଜାଗା ନଥିବାରୁ ଦୁଆର ମୁହଁରେ ଶୌଚାଳୟ କରିଛନ୍ତି । ଯଦି ସରକାରୀ ଜାଗାରେ ସେମାନେ କରିଛନ୍ତି ତେବେ ଭାଙ୍ଗିଦିଅନ୍ତୁ ବୋଲି ଓଲଟି କହିଛନ୍ତି ଗାଁ ଲୋକେ ।

ଖାଲି ୨ ୱାର୍ଡ ନୁହେଁ  ବରଂ ଏନ୍ଏସିର କୁଞ୍ଜକଳିକା ,ଦାସ ସାହି ଆଦି ବିଭିନ୍ନ ୱାର୍ଡରେ ସମାନ ଦୃଶ୍ୟ  ଦେଖିବାକୁ ମିଳିଛି I କିଏ ଡ୍ରେନ ଉପରେ କୁକୁଡ଼ା ତ ଆଉ କିଏ ଛେଳି ଆଦି ପଶୁପକ୍ଷୀ ଚାଷ କରିଥିବା ଦେଖିବାକୁ ମିଳିଛି । ସେପଟେ ଏନଏସି ପକ୍ଷରୁ ଲୋକଙ୍କୁ ସଠିକ୍ ଭାବରେ ସଚେତନ କରାଯାଉନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ସେପଟେ ପୂରା ଘଟଣାକୁ ନେଇ ଏନଏନସି ଅଧିକାରୀଙ୍କ ଆମେ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ କହିଛନ୍ତି, ଲୋକଙ୍କୁ ସଚେତନ କରାଯାଉଛି । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ।

ସ୍ୱଚ୍ଛତା ପାଇଁ କେନ୍ଦ୍ରଠୁ ରାଜ୍ୟ ବାରମ୍ବାର ସଚେତନ କରୁଛନ୍ତି । ସ୍ୱଚ୍ଛତା ଲାଗି ଅନେକ ପୁରସ୍କାର ବି ଦିଆଯାଉଛି । ହେଲେ ଚାନ୍ଦବାଲିର ଏ ଗାଁ ଆଜି ବି ସ୍ୱଚ୍ଛତାଠାରୁ କେତେ ଦୂରରେ ରହିଛି ତାହା ସେହି ଦୃଶ୍ୟ ହିଁ ବୟାନ କରୁଛି । ତେବେ ଦେଖାଯାଉ କେବେ ପରିଷ୍କାର ହେଉଛି ସେହି ଗାଁ ।

(ଚାନ୍ଦବାଲିରୁ ବାସୁଦେବ ଦାସଙ୍କ ରିପୋର୍ଟ)