• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଲ ଗଛ … ଏହି ଗଛର ଅନେକ ଔଷଧୀୟ ଗୁଣ ଥିବା ବେଳେ ଏହାକୁ ପୂଜା ମଧ୍ୟ କରାଯାଏ । ହେଲେ ବିରଜାକ୍ଷେତ୍ରରେ ଏପରି ଏକ ବିରଳ ବେଲଗଛ ଅଛି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଏମିତି ଏକ ବେଲ ଗଛ, ଯାହା ଦେହରେ ଗୋଟିଏ ବି କଣ୍ଟା ନାହିଁ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥବ ନିଶ୍ଚୟ ହେଲେ ଏହା ସତ । ପ୍ରକୃତିର ଚମତ୍କାର ହେଉ କିମ୍ବା ଅନ୍ୟ କିଛି କାରଣ, ଗଛଟିକୁ ଯିଏ ଦେଖୁଛି ସିଏ ଚକିତ ହେଉଛି ।

ଔଷଧୀୟ ଗଛ ମଧ୍ୟରେ ଅନ୍ୟତମ ବେଲ ଗଛ । ପତ୍ରଠୁ ନେଇ ଡାଳ ଓ ଫଳ ପର୍ଯ୍ୟନ୍ତ, ସବୁ କାମରେ ଲାଗେ । ହେଲେ ଏହି ଗଛର ବିଶେଷତ୍ୱ ହେଉଛି ଗଛ ସାରା କଂଟା । ଏପରିକି ପ୍ରତ୍ୟେକ ଶିରା ପ୍ରଶିରାରେ ବି ରହିଥାଏ କଂଟା । ହେଲେ ଏ ବେଲ ଗଛ ଅନ୍ୟମାନଙ୍କଠୁ ସଂପୂର୍ଣ୍ଣ ଭିନ୍ନ, ଯାହା ଦେହରେ କଣ୍ଟାଟିଏ ନାହିଁ । ସେଥିପାଇଁ ଗଛରେ ଠାକୁର ରହିଥିବା ବିଶ୍ୱାସ କରି ପୂଜା କଲେଣି ଲୋକେ ।

ଯାଜପୁର ପୈାରପାଳିକା ରାଉତରାପୁରରେ ସଂଜୟ ସ୍ୱାଇଁଙ୍କ ଘର ସାମ୍ନାରେ ରହିଛି ଏହି ବିରଳ ବେଲ ଗଛ । ଯାହାର ତଳଠୁ ଉପର ଶାଖା ପ୍ରଶାଖାରେ ବିଲକୁଲ୍ କଂଟା ନାହିଁ । ଏହି କଂଟା ବିହୀନ ଗଛରେ ତ୍ରିଶାଖା ବେଲ ପତ୍ର ରହିଛି । ବେଲ ବି ଫଳୁଛି କିନ୍ତୁ ଅନ୍ୟ ବେଲ ଗଛ ଭଳି କଂଟା ବାହାରୁନାହିଁ । ସେପଟେ ଗଛରେ ଠାକୁର ରହିଥିବା ବିଶ୍ୱାସ କରି ଯାଗା ମାଲିକ ସଂଜୟ ସ୍ୱାଇଁଙ୍କ ପରିବାର ପୂଜା କରୁଛନ୍ତି ।

ଶିବ ଉପାସକଙ୍କ ପାଇଁ ବେଲ ଗଛର ସ୍ଥାନ ସ୍ୱତନ୍ତ୍ର । ଏହାର ପତ୍ର ଶିବଙ୍କ ମସ୍ତକରେ ଦେଲେ ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି । ଏହାର ପତ୍ର ଖାଇଲେ ପେଟ ରୋଗ ଭଲ ହୁଏ ବୋଲି ମଧ୍ୟ କୁହାଯାଏ । ସବୁ ପରେ ଏହି ଗଛର କଂଟା ହିଁ ଏହାର ସୁରକ୍ଷା କବଚ । କିନ୍ତୁ ଏଭଳି କଂଟା ବିହୀନ ବେଲ ଗଛ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ବର୍ତ୍ତମାନ ଉଦ୍ଦିଦ ବିଜ୍ଞାନ ଅନେକ ଉନ୍ନତି କରିସାରିଛି । ଏହି ଗଛକୁ ଜାତୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରକୁ ପଠାଇଲେ କଣ୍ଟା ନଥିବାର କାରଣ ଜଣା ପଡିବ ବୋଲି କହିଛନ୍ତି ଜିଲ୍ଲା ଉଦ୍ୟାନ ଅଧିକାରୀ ।

  • Reported by:
  • Sanjeeb Nayak