• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମହୁମାଛି ପ୍ରେମରେ ମଣିଷ । କଥାଟା ଶୁଣିବା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ସେ ଯେମିତି କାମ କରୁଛନ୍ତି ତାହା ଦେଖିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ଛାନିଆ ବି ଲାଗିବ । କାରଣ ମହୁମାଛି ନାଁ ଶୁଣିଲେ ଲୋକେ ଡ଼ରରେ ଯିଏ ଯୁଆଡେ ପାରନ୍ତି ସିଆଡେ ଧାଆଁନ୍ତି । ହେଲେ ଇଏ କେମିତି ସେମାନଙ୍କୁ ହାତରେ ଧରୁଛନ୍ତି, ଖାଇବାକୁ ଦେଉଛନ୍ତି ପୁଣି ନିଜ ଦୋକାନରେ? ଭାବୁଥିବେ ତାଙ୍କର ମାନସିକ ବିକୃତି ହୋଇଛି ବୋଧହୁଏ । ନାଁ ..ସେ ଜୀବଜନ୍ତୁଙ୍କୁ କେତେ ମାତ୍ରାରେ ଭଲପାଆନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

କେନ୍ଦ୍ରାପଡା ଆଳି ନୂଆ ବଜ଼ାରରେ ଦୋକାନ କରିଛନ୍ତି ଗଣେଶ ଚନ୍ଦ୍ର ରାୟ । ସକାଳୁ ଦୋକାନ ଖୋଲିବା ମାତ୍ରେ ହଜାର ହଜାର ସଂଖ୍ୟାରେ ଜମୁଛି ମହୁମାଛିଙ୍କ ମେଳି । ଦିନେ କି ଅଧେ ନୁହେଁ ବରଂ ପ୍ରତିଦିନ ଦୋକାନ ଖୋଲିବା ମାତ୍ରେ ପହଞ୍ଚିଯାଆନ୍ତି ମହୁମାଛି । ଖାଲି ପହଞ୍ଚୁଛନ୍ତି ତାହା ନୁହେଁ ବରଂ ସୁସ୍ୱାଦୁ ଖାଦ୍ୟ ମଧ୍ୟ ଖାଇଥାଆନ୍ତି ।

ଜାଣିଆଶ୍ଚର୍ଯ୍ୟ ହେବେ କି ଏତେ ମାତ୍ରାରେ ମହୁମାଛି ଥିବା ପରେ ବି ଯେଉଁମାନେ ପାନ କିଣୁଛନ୍ତି ସେମାନଙ୍କର କୌଣସି କ୍ଷତି କରିନ୍ତିନି । ବରଂ ଗଣେଶ ଓ ମହୁମାଛିଙ୍କ ମଧ୍ୟରେ ଥିବା ଭଲପାଇବାକୁ ସମସ୍ତେ ଦେଖନ୍ତି । ଗଣେଷ ସେମାନଙ୍ଗ ଲାଗି ସବୁଦିନ ଚେରି ରଖିଥାଆନ୍ତି, ଆସିବା ମାତ୍ରେ ଏମିତି ନିଜ ହାତରେ ସେମାନଙ୍କୁ ଖାଇବାକୁ ଦିଅନ୍ତି । ଏବେ ନୁହେଁ ବରଂ ରଜ ସମୟରେ ଗଣେଶ ଯେବେ ପାନ ଭାଙ୍ଗୁଥିଲେ ସେବେ ହଠାତ୍‌ କିଛି ସଂଖ୍ୟାରେ ଆସି ପହଞ୍ଚିଥିଲେ ମହୁମାଛି । ଆଉ ବର୍ତ୍ତମାନ ସେହି ସଂଖ୍ୟା ପହଞ୍ଚିଲାଣି ହଜାର ହଜାର ସଂଖ୍ୟାରେ ।

ଆଳି ଲୋକାପଡା ଗାଁର ବାସିନ୍ଦା ହେଉଛନ୍ତି ଗଣେଶ ରାୟ । ଆଳି ନୂଆବଜାରରେ ଦୀର୍ଘ ୩୦ବର୍ଷ ହେଲାଣି ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଗଣେଶ କେବଳ ମହୁମାଛିଙ୍କୁ ଆଦର କରନ୍ତି ତାହା ନୁହେଁ ବରଂ ସେ ଜଣେ ପଶୁ-ପକ୍ଷୀ ପ୍ରେମୀ । ଘରେ ଠେକୁଆ,ମୂଷା, ପାରା, ଆଦି ପଶୁପକ୍ଷୀଙ୍କୁ ମଧ୍ୟ ରଖିଛନ୍ତି । ତାହା ସହ ବିଭିନ୍ନ ସମୟରେ ପୌରାଣିକ ନାଟକ ଓ ଡ୍ରାମାରେ ନିଖୁଣ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କର ଏଭଳି ନିଆରା ମଣିଷ ପଣିଆ ପାଇଁ ପରିବାର ଲୋକେ ମଧ୍ୟ ବେଶ ଖୁସିବ୍ୟକ୍ତ କରନ୍ତି । ସତରେ ଏମିତି ନିଆରା ମଣିଷଙ୍କୁ ଆପଣ କେବେ ଦେଖିନଥିବେ ।

 

  • Reported by:
  • Banamali Sahoo