• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପିଲାଠୁ ବୁଢା... ଝିଅଠୁ,ସ୍ତ୍ରୀ ଲୋକ...ସମସ୍ତଙ୍କ ହାତରେ ନିମଡାଳ । ଖାଲି ଡାଳ ଧରୁଛନ୍ତି ତାହା ନୁହେଁ ବରଂ ପତ୍ର ସବୁ ଖାଇବାରେ ସେମାନେ ବ୍ୟସ୍ତ ଅଛନ୍ତି । ଆମେ ସମସ୍ତେ ଜାଣନ୍ତି ନିମପତ୍ର ଭାରି ପିତା । ସହଜରେ ୟାକୁ ଖାଇବାକୁ କେହି ପସନ୍ଦ କରନ୍ତି ନାହିଁ । ହେଲେ ସେମାନେ ଏମିତି କାହିଁକି ଖାଉଛନ୍ତି ନିମ ପତ୍ର ? ଘଟଣା କଣ ?

ବାଲେଶ୍ୱର ଖଇରା ବ୍ଲକ ମାଣିତ୍ରି ପଞ୍ଚାୟତର ଜଳଙ୍ଗଗଣ୍ଡିବେଡ ଗାଁରେ ଦେଖିବାକୁ ମିଳିଛି ବିଚିତ୍ର ଘଟଣା l ଠାକୁରାଣୀଙ୍କ ପାଖରେ ଥିବା ନିମ ଗଛର ପତ୍ର ମିଠା ଲାଗୁଛି । ସେଇଥି ଲାଗି ତ ଗଛର ପତ୍ର ଖାଇବାକୁ ଲୋକଙ୍କ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ଖାଲି ଏତିକି ନୁହେଁ ବରଂ ଏହି ପତ୍ର ଖାଇଲେ ଦୁଇ ପ୍ରକାରର ଉପକାର ମିଳୁଥିବା ଲୋକଙ୍କର ଅତୁଟ ବିଶ୍ୱାସ ରହିଛି । ତେଣୁ ଅସମ୍ଭବ ପ୍ରକାର ଭିଡ ଲାଗିଛି ।

ଗାଁରେ ଥିବା ମାଆ ଚଣ୍ଡୀଙ୍କର ଏହି ମନ୍ଦିରଟି ବହୁ ପୂରାତନ । ଲୋକଙ୍କର କହିବା ଅନୁସାରେ, ମାଆ ଚଣ୍ଡୀ ନିମଗଛ ମୂଳରେ ପୂଜା ପାଉଥିଲେ । ସମୟକ୍ରମେ ମନ୍ଦିରର ପ୍ରତିଷ୍ଠା ହେଲା, ମାଆଙ୍କ ମୂର୍ତ୍ତି ସ୍ଥାପନା ହେଲା । ଆଉ ନିମ ଗଛର ପତ୍ର ମିଠା ଲାଗିଲା । ଏମିତିକି ପୂଜାରୀ କହୁଛନ୍ତି, ଯେଉଁମାନେ ସେହି ରାସ୍ତା ଦେଇ ଯାଆନ୍ତି, ଆଉ ନିମ ଗଛର ଦର୍ଶନ କରନ୍ତି ତାଙ୍କର ସବୁ କାମ ହୋଇଯାଏ । ଖାଲି ଏତିକି ନୁହେଁ ବରଂ ଗଛରେ ଦୈବଶକ୍ତି ଥିବା ବିଶ୍ୱାସ ବି ରହିଛି ।

ବର୍ଷକେ ଦୁଇବର୍ଷ ନୁହେଁ ବରଂ ଶହଶହ ବର୍ଷର ପୁରୁଣା ଗଛ ସିଏ । ଲୋକଙ୍କ ବିଶ୍ୱାସର ସିଏ ପ୍ରତୀକ । ତେଣୁ ସରକାର ମଧ୍ୟ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି । ଏବେ ସେଠାରେ ବିବାହ ସହ ଅନେକ ଶୁଭ କାର୍ଯ୍ୟ ମଧ୍ୟ ହେଉଛି l ପ୍ରତିଦିନ ଶହଶହ ସଂଖ୍ୟାରେ ଭକ୍ତମାନେ ମନ୍ଦିରକୁ ବି ଆସୁଛନ୍ତି । ନିମ ପତ୍ରକୁ ସେବନ କରୁଛନ୍ତି । ହେଲେ ମନ୍ଦିର କମିଟିର ବିନା ଅନୁମତିରେ ସେଠାରୁ ପତ୍ର କେହି ନେଇ ପାରିବେ ନାହିଁ ବୋଲି ଜଣାପଡିଛି ।

କଥାରେ ଅଛି ବିଶ୍ୱାସରେ ମିଳନ୍ତି ହରି, ତର୍କେ ବହୁ ଦୂରେ । ଠିକ୍‌ ଏମିତି ଘଟଣା ସେଠାରେ ଦେଖିବାକୁ ମିଳିଛି । ଭଗବାନଙ୍କ ପ୍ରତି ଥିବା ଆସ୍ଥା ପାଇଁ ସେଠାରେ ଶହଶହ ଲୋକଙ୍କର ଜମୁଛି ଭିଡ ।

 

  • Reported by:
  • Niranjan Behera