• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସ୍କୁଲ ବାହାରେ ବୋଲବମ୍‌ ଯାଉଛି, ଆଉ ସ୍କୁଲ ଭିତରେ ଡ୍ୟାନ୍ସ କରୁଛନ୍ତି ପିଲାଏ । ପାଠ ପଢା ଚାଲିଥିବା ବେଳେ ଏମିତି କରିବାକୁ ସେମାନେ କେମିତି ସାହସ କଲେ ସେଇକଥା ବୋଧହୁଏ ଆପଣ ଭାବୁଥିବେ । ହେଲେ ପ୍ରକୃତ ଘଟଣା ଜାଣିଲେ ଆପଣ ବି ଶିକ୍ଷା ବିଭାଗ ଉପରେ ପ୍ରଶ୍ନ ଉଠାଇବେ । ଆଉ ମନେ ମନେ ସ୍ଥିର କରିବେ ସରକାରୀ ସ୍କୁଲକୁ କେବେ ହେଲେ ପିଲାଙ୍କୁ ପଢାଇବାକୁ ଛାଡିବୁନାହିଁ ।

ସ୍କୁଲ ଅଛି, ପିଲାମାନେ ବି ଅଛନ୍ତି ହେଲେ ଶିକ୍ଷକ ନାହାନ୍ତି । ୮ଟି ଶ୍ରେଣୀର ପିଲାଙ୍କୁ ପଢାଇବାକୁ ଅଛନ୍ତି ମାତ୍ର ୨ ଜଣ ଶିକ୍ଷକ । ସେଇଥି ଲାଗି ତ ଗୋଟିଏ ଶ୍ରେଣୀରେ ତିନିତିନୋଟି କ୍ଲାସ୍‌ର ପିଲାଏ ପଢୁଛନ୍ତି ପାଠ । ୩ କ୍ଲାସ୍‌ର ପିଲାଙ୍କୁ ଦିଦି ପାଠ ପଢାଉଥିବା ବେଳେ ବାକି ଶ୍ରେଣୀର ପିଲାଙ୍କୁ ବାହାରେ ଜଗି ବସିଛନ୍ତି ଶିକ୍ଷକ । ଥରେ ଚିନ୍ତା କରନ୍ତୁ ଗୋଟିଏ ଶ୍ରେଣୀ ଗୃହରେ ତିନୋଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଯାଉଛି । ଏମିତି ପରିସ୍ଥିତିରେ କୁନିକୁନି ପିଲା କି ପାଠ ପଢୁଥିବେ? କେମିତି ବୁଝୁଥିବେ? ଏଠାରେ ଆମେ ଶିକ୍ଷକଙ୍କୁ ବି ଦୋଷ ଦେଇପାରିବା ନାହିଁ । କାରଣ ୮ଟି ଶ୍ରେଣୀର ପାଇଁ ଯଦି ୨ ଶିକ୍ଷକ ନିଯୁକ୍ତି ହେବେ ତେବେ ପାଠ ସେମାନେ ପଢାଇବେ ବା କେମିତି?

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ କଦମଦାଣ୍ଡିର ଭୀମସେନ ନୋଡାଲ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଶିକ୍ଷାର ବିକଳ ଚିତ୍ର l ଯେଉଁଠି ନାହିଁ ନାହିଁରେ ଚାଲିଛି ଶିକ୍ଷା । ସ୍ଥିତି ଏମିତି ହେଲାଣି ଯେ ପିଲାଏ ପାଠ କମ୍‌ ବରଂ ଖେଳକୁଦରେ ଅଧିକ ମନ ଦେଉଛନ୍ତି । 

କେବଳ କଦମଦାଣ୍ଡିର ଏ ଅବସ୍ଥା ତାହା ନୁହେଁ ବରଂ ପାଲପାଟଣା, ଗରା, ସଂସାରଫଳ, ଖଣତl, ବଉଳାଙ୍ଗ ଆଦି ସ୍କୁଲ ଅବସ୍ଥା ବି ସମାନ l ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ମୋଟ ୨୪୦ ବିଦ୍ୟାଳୟରୁ ୧୧୩ ଟି ପ୍ରାଥମିକ,୭୮ ଉଚ୍ଚ ପ୍ରାଥମିକ ଓ ୪୯ ଟି ଉଚ୍ଚ ବିଦ୍ୟାଳୟ ରହିଛି l ଏହିସବୁ ବିଦ୍ୟାଳୟରେ ମୋଟ୍‌ ୨୬ ହଜାର ୭୦୦ ପିଲାଙ୍କୁ ପାଠ ପଢାଇବାକୁ ୯୯୯ ଶିକ୍ଷକ ବି ନିଯୁକ୍ତି ହୋଇଛନ୍ତି । ତଥାପି ଅଧିକାରୀଙ୍କ ଖାମଖିଆଲି ମନୋଭାବ ପାଇଁ ୧୭ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ସମସ୍ୟା ଏତିକିରେ ସରିନି ବରଂ ପିଲାଙ୍କ ପାଠ ପଢା ସହିତ ମଧ୍ୟାହ୍ନ ଭୋଜନ କଥା ବି ଶିକ୍ଷକମାନେ ବୁଝୁଛନ୍ତି । ତେଣୁ ସମସ୍ୟା ଦ୍ୱିଗୁଣିତ ହେଲାଣି । ସେପଟେ ଜିଲ୍ଲା ଶିକ୍ଷାଧିକାରୀ କହୁଛନ୍ତି, ସମସ୍ୟା ସମ୍ପର୍କରେ ଆମେ ଅବଗତ ଅଛୁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେମିତି ପିଲାମାନେ ଭଲରେ ପାଠ ପଢିବେ ସେନେଇ ବ୍ୟବସ୍ଥା କରୁଛୁ ।

 

  • Reported by:
  • PRABIR KUMAR NAYAK