• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ବାଜା ଯେତେ ଜୋରରେ ବାଜୁଛି, ଖଟ ସେତେ ଜୋରରେ ହଲୁଛି । କୁଆଡେ ଯିବ, କିଛି ଜଣାପଡୁନି । ପାଖଆଖରେ ଶହଶହ ଲୋକ ବି ରୁଣ୍ଡ ହୋଇଛନ୍ତି । କଣ ହୋଇଛି ? କିଛି ବୁଝାପଡ଼ିବନି । କିନ୍ତୁ ଘଟଣା ଜାଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ଆଉ କହିବେ ଆଜିକା ଦିନରେ ଗୁଣିଗାରେଡିକୁ ବି ଲୋକ ବିଶ୍ୱାସ କରୁଛନ୍ତି ?

ଚିକିତ୍ସା ବିଜ୍ଞାନ ଉପରେ ଭରସା ପାଇଲାନି । ଶେଷରେ ଅସୁସ୍ଥ ଝିଅର ଚିକିତ୍ସା ଲାଗି ଅନ୍ଧ ବିଶ୍ୱାସର ସାହାରା ନେଲେ ପରିବାର ଲୋକେ । ଗୁଣିଆକୁ ଘରକୁ ଡାକିଲେ, ଝଡ଼ାଫୁଙ୍କା କରିବା ସହ ଗାଁରେ ବୁଲାଇଲେ ଖଟ । ଆଉ ଶହଶହ ଲୋକ ରୁଣ୍ଡ ହୋଇ ଦେଖୁଥିଲେ ଗୁଣିଆର ତାମସା । ଶେଷରେ ଘଟଣା ପ୍ରଘଟ ହେବା ପରେ ପୋଲିସ ପହଂଚି ଅସୁସ୍ଥ ଝିଅକୁ ମେଡିକାଲ ପଠାଇଛି , ଗୁଣିଆକୁ ଥାନାକୁ ନେଇଛି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ବାରଖମାଠାରୁ ।

 

ଘଟଣାଟି ଥିଲା କିଛି ଏମିତି । ବାରଖମା ବଜାର ସାହିର ଦିଶାରା ନାୟକଙ୍କ ଝିଅର ଦେହ ଅସୁସ୍ଥ ଥିଲା। ୩ ମାସ ହେବ ପରିବାର ଲୋକେ ତାଙ୍କୁ ଡାକ୍ତର ଦେଖାଇଥିଲେ । ଯେତେ ମେଡିସିନ ଓ ଇଞ୍ଜେକସନ୍ ନେଇଥିଲେ ବି ଝିଅର ରୋଗ ଭଲ ହୋଇନଥିଲା । ଏନେଇ ପରିବାର ଲୋକ ବ୍ୟସ୍ତ ହୋଇପଡ଼ିଥିଲେ। କ‘ଣ କରିବେ କ’ଣ ନାହିଁ ଚିନ୍ତା କରି ପାରି ନଥିଲେ । ଶେଷରେ ପରିବାର ଲୋକେ ଝିଅକୁ କିଏ ଗୁଣି ଗାରେଡ଼ି କରିଥିବା ସନ୍ଦେହ କରିଥିଲେ । ଖାଲି ସନ୍ଦେହ କରିଥିଲେ ତାହା ନୁହେଁ ବରଂ ଗୁଣିଆ ଡାକି ଝିଅକୁ ଭଲ କରିବାକୁ ଆରମ୍ଭ କରିଥିଲେ ଏମିତି ପ୍ରୟାସ । ତେବେ ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ ପଶୁଥିବାର ଖବର ପାଇବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଚଳାଉଛି । ହେଲେ ପୂରା ଘଟଣାରେ ଗାଁ ଲୋକେ କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

(ବି:ଦ୍ର- ଓଟିଭି କୌଣସି ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରେ ନାହିଁ । କେବଳ ଖବର ପରିବେଶଣ ଉଦ୍ଦେଶ୍ୟରେ ଏହାକୁ ପ୍ରକାଶିତ କରାଯାଇଛି )

  • Reported by:
  • Ajit Kumar Nayak