• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜ୍ୟରେ ଅସହ୍ୟ ତାତିରେ ଆଉଟପାଉଟୁ ଲୋକେ । ଏଥିରୁ ବି ବର୍ତ୍ତିନାହାନ୍ତି ଜୀବଜନ୍ତୁ । ନନ୍ଦନକାନନ (Nandankanan Zoological Park)ରେ ଥିବା ଜୀବଜନ୍ତୁଙ୍କୁ ଅସହ୍ୟ ତାତିରୁ ରକ୍ଷା କରିବାକୁ କର୍ତ୍ତୃପକ୍ଷ କରିଛନ୍ତି ସ୍ୱତନ୍ତ୍ର ବ୍ୟବସ୍ଥା । ଖରାରୁ ମୁକ୍ତି ପାଇଁ ତିଆରି ହୋଇଛି ଅସ୍ଥାୟୀ ସେଡ୍ । ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟ ସହ ପ୍ରାକୃତିକ ପରିବେଶ ସୃଷ୍ଟି ପାଇଁ ନିଆଯାଇଛି ପଦକ୍ଷେପ ।

ତାତିରୁ ରକ୍ଷା ପାଇବା ପଇଁ ଜଳାଶୟ ମଧ୍ୟରେ ଘଣ୍ଟା ଘଣ୍ଟା ଧରି ବୁଡି ରହୁଛି ମହାବଳବାଘ । ଆଉ କେତେକ ବାଘ ଓ ସିଂହ ଗଛ ଛାଇ ଦେଖି ବିଶ୍ରାମ ନେଇଛନ୍ତି । ସେହିଭଳି ତାତିରୁ ମୁକ୍ତି ପାଇଁ ଭାଲୁ ପାଇଁ କରାଯାଇଛି ଜଳ ସିଂଚନ ବ୍ୟବସ୍ଥା। ଅସହ୍ୟ ତାତିରୁ ରକ୍ଷା ପାଇବା ଲାଗି ଭାଲୁ କେତେବେଳେ ଗୁମ୍ଫା ଭିତରେ ପଶିଯାଉଛି, ତ ଆଉ କେତେବେଳେ ପାଣି ସିଞ୍ଚନ ହେଉଥିବା ସ୍ଥାନକୁ ଚାଲି ଯାଉଛି । ବିଭିନ୍ନ ଚଢେଇଙ୍କ ପାଇଁ କୃତ୍ରିମ ବର୍ଷା ସଦୃଶ କରାଯାଇଛି।

ଅଧିକ ପଢ଼ନ୍ତୁ: ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ପାଣିରେ ଭିଜି ଭିଜି କିଚିରି ମିଚିରି ହେଉଛନ୍ତି ପକ୍ଷୀ। ନନ୍ଦନକାନନରେ ପଶୁପକ୍ଷୀଙ୍କ ପାଇଁ ଏଭଳି କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଜଳ ସିଂଚନ ବ୍ୟବସ୍ଥା ସହ କୃତ୍ରିମ ଜଳାଶୟ ଓ ଅସ୍ଥାୟୀ ତାଟ ଓ ନଡାରେ ଛାତ ମଧ୍ୟ ନିର୍ମାଣ କରାଯାଇଛି । ସେହିଭଳି ଥଣ୍ଡା ପାଣି ସହ ଓଆରଏସ ପାଣି ପିଇବାକୁ ପଶୁପକ୍ଷୀଙ୍କୁ ଦିଆଯାଉଛି ।

ଅସହ୍ୟ ଗରମ ସତ୍ତ୍ୱେ ନନ୍ଦନକାନରେ ପର୍ଯ୍ୟଟକଙ୍କ ସଂଖ୍ୟା କମିନାହିଁ। ଏବେ ଦୈନିକ ୧୫ ହଜାରରୁ ଅଧିକ ପର୍ଯ୍ୟଟକ ନନ୍ଦନକାନନକୁ ଆସୁଛନ୍ତି । ତେବେ ପଶୁପକ୍ଷୀଙ୍କ ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନେଇଥିବା ପଦକ୍ଷେପକୁ ପର୍ଯ୍ୟଟକ ପ୍ରଂଶସା କରିଛନ୍ତି । ତେବେ ଖରା ସମୟରେ ଅନେକ ପଶୁପକ୍ଷୀ ବାହାରକୁ ବାହାରୁ ନଥିବାରୁ ପର୍ଯ୍ୟଟକଙ୍କ ମନରେ ସାମାନ୍ୟ ନିରାଶା ଦେଖାଦେଇଛି ।