ଶିକ୍ଷକ ଓ ଅଧ୍ୟାପକଙ୍କ ପରୀକ୍ଷା ବର୍ଜନ ନିଷ୍ପତ୍ତି, ହାତ ଟେକିଦେଲେ ଗଣଶିକ୍ଷା ମନ୍ତ୍ରୀ...

ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହରିବାକୁ ମନ୍ତ୍ରୀଙ୍କ ନିବେଦନ । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ନିବେଦନ ।

Teacher Protest

ସରକାରଙ୍କ ବିରୋଧରେ ଶିକ୍ଷକ ଆଉ ଅଧ୍ୟାପକଙ୍କ ଯୁଦ୍ଧଂ ଦେହି ଡାକରା । ୧୫ ଦିନର ବିକ୍ଷୋଭ, ୩ଥର ସମାବେଶ ପରେ ଶେଷରେ ପରୀକ୍ଷା ବର୍ଜନ ନିଷ୍ପତ୍ତି। ନ୍ୟାୟ ଆଉ ଅଧିକାର ପାଇଁ ଅସହାୟ ଅଧ୍ୟାପକଙ୍କ ଏହା ହେଉଛି ଚରମ ନିଷ୍ପତ୍ତି । ହେଲେ ସରକାର ନିରବ । ନା ଆଲୋଚନା କରୁଛନ୍ତି ନା ସମାଧାନର ବାଟ ଖୋଲୁଛନ୍ତି । ଫଳରେ ସରକାର ଆଉ ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ମହାସଂଘ ମଧ୍ୟରେ ଏକପ୍ରକାର ମୁକାବିଲା ପରିସ୍ଥିତି ଉପୁଜିଛି ।

ସେପଟେ ଦିନକ ପରେ ଯୁକ୍ତ ଦୁଇ ପରୀକ୍ଷା । କଲେଜଗୁଡିକରେ ପ୍ରଶ୍ନ ପତ୍ର ମଧ୍ୟ ପହଞ୍ଚି ସାରିଛି । ହେଲେ ପରୀକ୍ଷକ ବା ଅଧ୍ୟାପକମାନେ କିନ୍ତୁ ଏବେ ବି ରାଜରାସ୍ତାରେ । ସମାନ ଗ୍ରେଡ୍‌କୁ ସମାନ ଦରମା, ସପ୍ତମ ବେତନ କମିଶନ ଲାଗୁ, ପେନସନ ଲାଗୁ ଭଳି ୪ଦଫା ଦାବିରେ ଆନ୍ଦୋଳନରେ ବସିଛନ୍ତି । ସେପଟେ ଗଣଶିକ୍ଷା ମନ୍ତ୍ରୀ, ନିବେଦନ କରିଛନ୍ତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଧ୍ୟାପକମାନେ ସହଯୋଗ କରନ୍ତୁ । କିନ୍ତୁ ଯଦି ଅଧ୍ୟାପକମାନେ ଏହାକୁ ନମାନନ୍ତି ତେବେ ଏତେ ସଂଖ୍ୟକ ଅଧ୍ୟାପକଙ୍କ ଅନୁପସ୍ଥିତିରେ ସରକାର ପରୀକ୍ଷା ପରିଚାଳନା କରିବେ କେମିତି ? କାହିଁକିନା ଯୁକ୍ତ ୨ ପରୀକ୍ଷାରେ ପାଖାପାଖି ୭୦ ପ୍ରତିଶତ ସେଣ୍ଟର ୬୬୨ ବର୍ଗ କଲେଜରେ ହେଉଛି ।

ସରକାରଙ୍କ ବିରୋଧରେ ରାଜରାସ୍ତାକୁ କେବଳ ଅଧ୍ୟାପକ ଆସିନାହାନ୍ତି । ମିଳିତ ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟ ଆଜି ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କରି, ଦେଇଛନ୍ତି ଦାବିପତ୍ର । ରାଜ୍ୟରୁ ଠିକା ପ୍ରଥା ଉଚ୍ଛେଦ କରି ସରକାର ବାହା ବାହା ନେଉଥିବା ବେଳେ ପ୍ରଥାମିକ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତିରେ କାହିଁକି ଚୁକ୍ତି ପ୍ରଥା ରହିବ ? ଏହା ସହ ୬ ବର୍ଷ ଠିକା ନିଯୁକ୍ତିକୁ ମୂଳ ଚାକିରି ଭାବେ ଗଣନା ଏବଂ ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ବିଧାୟକମାନଙ୍କୁ ଶିକ୍ଷକମାନେ ଦାବିପତ୍ର ଦେଇଛନ୍ତି । ଏହି ପ୍ରସଙ୍ଗକୁ ବିଧାନସଭାରେ ଆଲୋଚନା କରି ଗଣଶିକ୍ଷା ବିଭାଗକୁ ପ୍ରଶ୍ନ କରିବାକୁ ସେମାନେ ନିବେଦନ କରିଛନ୍ତି ।

ଗୋଟିଏ ପଟେ ଶିକ୍ଷାକୁ ଗୁରୁତ୍ୱ ଦେଇ ସରକାର ଭିତ୍ତିଭୂମିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବଜେଟରେ ଶିକ୍ଷା ବିଭାଗକୁ ଅଧିକ ଅନୁଦାନ ଦିଆଯାଉଥିବା ମଧ୍ୟ କହୁଛନ୍ତି । ହେଲେ ପ୍ରତିବର୍ଷ ପରୀକ୍ଷା ବେଳେ ଶିକ୍ଷକ ଆଉ ଅଧ୍ୟାପକମାନେ ଏମିତି ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ନଜରକୁ ଆସୁଛି। ଯାହା ଶିକ୍ଷା ଏବଂ ଶିକ୍ଷକଙ୍କ ପ୍ରତି ସରକାରଙ୍କ ଆନ୍ତରିକତାର ପୋଲ୍ ଖୋଲି ଦେଇଛି ।