Advertisment

ନୂଆ ଦାୟିତ୍ୱ ସହ ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା

ଦୀର୍ଘ ୭ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଗତ ଜୁନ୍ ୨୯ତାରିଖରେ ପଦରୁ ଇସ୍ତଫା ଦେଇଥିବା ସୁବ୍ରତ ବାଗଚୀଙ୍କୁ ରାଜ୍ୟ ସରକାର ଆଜି ପୁଣିଥରେ ଥଇଥାନ କରିଛନ୍ତି ।

author-image
Manoranjan Behera
Subroto Bagchi

Subroto Bagchi

ସୁବ୍ରତ ବାଗଚୀଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା । ନୂଆ ଦାୟିତ୍ୱ ସହ ସୁବ୍ରତ ବାଗଚୀଙ୍କୁ ଦିଆଯାଇଛି କ୍ୟାବିନେଟ ପାହ୍ୟା । ରାଜ୍ୟ ସରକାରଙ୍କ ଅନୁଷ୍ଠାନ ଦକ୍ଷତା ବିକାଶ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ସିଭିଲ ସର୍ଭିସ ଟ୍ରେନିଂ ଇନଷ୍ଟିଚ୍ୟୁଟ ଦକ୍ଷତା ବୃଦ୍ଧି ପାଇଁ ବାଗଚୀ କାର୍ଯ୍ୟ କରିବେ । ପୂର୍ବରୁ ରାଜ୍ୟ ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ଥିଲେ ସୁବ୍ରତ ବାଗଚୀ ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ଶ୍ରୀ ବାଗଚୀଙ୍କୁ ରାଜ୍ୟର ସମସ୍ତ ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାନର ସଂସ୍ଥାଗତ କ୍ଷମତା ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି । ଏଭଳି ପଦ ପ୍ରଥମଥର ପାଇଁ ରାଜ୍ୟ ସରକାରରେ ସୃଷ୍ଟି ହୋଇଛି । ସେ ରାଜ୍ୟର ପ୍ରଶାସନିକ ସେବା ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକର ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ କରିବେ ଓ ସେସବୁକୁ ବିଶ୍ୱସ୍ତରୀୟ କରିବା ପାଇଁ ସହାୟତା ଦେବେ । ରାଜ୍ୟର ପ୍ରଶାସନିକ ସେବାରେ ଯୋଗ ଦେଉଥିବା ଅଧିକାରୀ ଓ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶ ପାଇଁ ଏକୀକୃତ ଦିଗଦର୍ଶନ ଦେବେ ।

ସୂଚନାଯୋଗ୍ୟ, ଶ୍ରୀ ବାଗଚୀଙ୍କୁ ରାଜ୍ୟ ସରକାର ନବଗଠିତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ସେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ସହ ଏହି ପଦବୀରେ ୭ବର୍ଷ ଧରି କାର୍ଯ୍ୟ କରିଥିଲେ । ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ଦକ୍ଷତା ବିକାଶ କରି ସେମାନଙ୍କୁ ବିଶ୍ୱସ୍ତରୀୟ ମାନବ ସମ୍ବଳ ଭାବେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ସ୍ଥାପନ ହୋଇଥିବା ଏହି ‘ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ’ର ସଫଳତା ଏବେବି ଅସ୍ପଷ୍ଟ ।

Advertisment

ଗତ ଜୁନ୍ ୨୯ତାରିଖରେ ସେ ଅଚାନକ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନେଇ ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ । ଚର୍ଚ୍ଚା ହେଉଥିଲା, ସେ ତାଙ୍କର ନିଜ କ୍ୟାନସର ହସ୍ପିଟାଲକୁ ଅଧିକ ସମୟ ଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ମାତ୍ର ଆଜି ପୁଣିଥରେ ସରକାରରେ ଥଇଥାନ ହେବାପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

Subroto Bagchi OPSC OCS
Advertisment
Advertisment